ଭୁବନେଶ୍ୱର: ୱାର୍ଡ ନଂ-୩୨ରେ ପ୍ରାକ୍ ନିର୍ବାଚନୀ ହିଂସା ଘଟଣାରେ ଲକ୍ଷ୍ମୀସାଗର ଥାନା ପୁଲିସ ଉଭୟ ଗୋଷ୍ଠୀର ୧୧ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେମାନେ ହେଲେ, ହଳଦୀପଡ଼ିଆ ବସ୍ତି ଅଞ୍ଚଳର ଲକ୍ଷ୍ମଣ ସାହୁ ଓରଫ କାଳିଆ(୪୮), ଅନିରୁଦ୍ଧ ବେହେରା ଓରଫ ଅନ୍ନା(୨୬), ମୁନା ଦାସ(୨୭), ସଞ୍ଜୟ ଦାସ(୨୩), ପିଣ୍ଟୁ ଦାସ(୨୨) ଏବଂ ନରେନ୍ଦ୍ର ନାୟକ(୩୧)। ଅନ୍ୟ ଗୋଷ୍ଠୀର ଅଭିଯୁକ୍ତମାନେ ହେଲେ, ନୟାଗଡ଼ ସଦର ଅଞ୍ଚଳର ସନ୍ନ୍ୟାସୀ ସାହୁ ଓରଫ ମିଲୁ(୩୫), ଓଡ଼ଗାଁ ଅଞ୍ଚଳର ଦୀନବନ୍ଧୁ ମହାରଣା(୩୩), ଭଦ୍ରକର ଉପେନ୍ଦ୍ର ସାହୁ(୩୯), ଲକ୍ଷ୍ମୀସାଗର ଉପରସାହି ଅଞ୍ଚଳର ବିନୋଦ କୁମାର ମହାନ୍ତି(୩୯) ଏବଂ ଖୋର୍ଦ୍ଧା ଟାଙ୍ଗୀ ଅଞ୍ଚଳର ହରିପଦ ମିସ୍ତ୍ରୀ(୪୩)। ଅପରପକ୍ଷେ ସ୍ଥାନୀୟ ଅଞ୍ଚଳରେ ଏବେ ବି ଚାପା ଉତ୍ତେଜନା ରହିଥିବାରୁ ୨ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଛି। ପାଟ୍ରୋଲିଂକୁ ମଧ୍ୟ କଡ଼ାକଡ଼ି କରାଯାଇଛି। ତେବେ ନିର୍ବାଚନ ସରିବା ପର୍ଯ୍ୟନ୍ତ ସେଠାରେ ପୁଲିସ ମୁତୟନ ହେବା ସହ କଡ଼ା ନଜର ରଖାଯିବ ବୋଲି ଥାନାଧିକାରୀ ଓମ୍ ପ୍ରକାଶ ମହାନ୍ତି କହିଛନ୍ତି। ପ୍ରକାଶଥାଉ କି, ନିର୍ବାଚନକୁ ନେଇ ଗତ ଶୁକ୍ରବାର ବିଳମ୍ବିତ ରାତିରେ ବିଜେଡି ଓ ବିଜେପିର ଦୁଇଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ଥାନା ସମ୍ମୁଖରେ ଦୁଇ ଗୋଷ୍ଠୀ ପରସ୍ପରକୁ ଖଣ୍ଡା, ଭୁଜାଲି, ଠେଙ୍ଗାରେ ଆକ୍ରମଣ କରିଥିଲେ। ଏଥିରେ ଉଭୟ ଗୋଷ୍ଠୀର ୧୦ରୁ ଉର୍ଦ୍ଧ୍ଵ ଆହତ ହୋଇଥିଲେ। ଏ ସଂପର୍କରେ ଅଭିଯୋଗ ହେବାରୁ ପୁଲିସ୍ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା।
ପ୍ରାକ୍ ନିର୍ବାଚନୀ ହିଂସା ମାମଲା : ୧୧ ଗିରଫ, ଜଗିଛନ୍ତି ଫୋର୍ସ

Share Now: