ଧାନବାଦ୍‌ ଏକ୍ସପ୍ରେସ୍‌ରେ ମହିଳାଙ୍କୁ ହତ୍ୟା ଘଟଣା : ମିଳିଲା ରାଉରକେଲା ଲିଙ୍କ୍‌

ଧାନବାଦ୍‌ ଏକ୍ସପ୍ରେସ୍‌ରେ ମହିଳାଙ୍କୁ ହତ୍ୟା ଘଟଣା

ଭୁବନେଶ୍ବର : ଧାନବାଦ୍‌ ଏକ୍ସପ୍ରେସ୍‌ରେ ଘଟିଥିବା ମହିଳାଙ୍କ ହତ୍ୟା ମାମଲାକୁ ୨ ସପ୍ତାହ ବିତିଯାଇଥିବା ବେଳେ ପୁଲିସକୁ ମୃତ ମହିଳାଙ୍କ ପରିଚୟ ମିଳିପାରିନାହିଁ। ଫଳରେ ହତ୍ୟାକାଣ୍ଡ ପଛର କାରଣ ବି ରହସ୍ୟମୟ ହୋଇରହିଛି। ତେବେ ପୁଲିସକୁ ଏତେଦିନ ପରେ ଏକ ସୁରାକ୍ ମିଳିଛି। ମହିଳାଜଣଙ୍କ ଜଣେ ଯୁବକଙ୍କ ସହ ରାଉରକେଲାରୁ ଟ୍ରେନ୍‌ରେ ଚଢ଼ିଥିବା ଜଣାପଡ଼ିଛି। ଏହା ସ୍ପଷ୍ଟ ହୋଇନଥିଲେ ମଧ୍ୟ ପୁଲିସ ଏନେଇ ପ୍ରାୟ ନିଶ୍ଚିତ ହୋଇଥିବା ଜଣାପଡ଼ିଛି। ତେଣୁ ଏକ ସ୍ବତନ୍ତ୍ର ଟିମ୍‌ ରାଉରକେଲାରେ ଡେରା ପକାଇଛି। ରାଉରକେଲା ଷ୍ଟେସନରେ ଏହି ଟିମ୍‌ ପୂରା ଛାନ୍‌ଭିନ୍‌ କରିବ। ଖୋଳତାଡ଼ରୁ ମହିଳାଙ୍କ ପରିଚୟ ପାଇବା ସହ ଏହି ରହସ୍ୟଜନକ ହତ୍ୟାକାଣ୍ଡର ପର୍ଦ୍ଦାଫାସ୍‌ କରିବ ବୋଲି ଜିଆର୍‌ପି ପୁଲିସ ବଡ଼ ଆଶା କରିଛି।
ତଦନ୍ତ ଅଧିକାରୀଙ୍କୁ ସିସିଟିଭି ଫୁଟେଜ୍‌ରୁ ମିଳିଥିବା ସୂଚନାନୁସାରେ ଏପ୍ରିଲ୍‌ ୧୯ ତାରିଖ ରାତି ପାଖାପାଖି ୧୧ଟା ସମୟରେ ମହିଳାଜଣଙ୍କ ଜଣେ ଯୁବକଙ୍କ ସହ ରାଉରକେଲା ଷ୍ଟେସନ୍‌ରେ ଥିଲେ ଏବଂ ସେଠାରୁ ଧାନବାଦ୍‌ ଏକ୍ସପ୍ରେସ୍‌ରେ ଏକାଠି ଉଠିଥିଲେ। ତେଣୁ ମହିଳାଜଣଙ୍କ ରାଉରକେଲାର ହୋଇଥିବା ଅନୁମାନ କରାଯାଉଛି। ଭୁବନେଶ୍ବରରୁ ଯାଇଥିବା ପୁଲିସ ଟିମ୍‌ ଏବେ ରାଉରକେଲା ଷ୍ଟେସନର ପ୍ରବେଶ ପଥରୁ ଆରମ୍ଭ କରି ଟିକେଟ୍‌ କାଉଣ୍ଟର ଓ ପ୍ଲାଟଫର୍ମର ଅନ୍ୟାନ୍ୟ ସମ୍ଭାବ୍ୟ ସ୍ଥାନର ସିସିଟିଭି ଫୁଟେଜ୍‌ ଯାଞ୍ଚ କରିବ। ସେହିଭଳି ମହିଳାଙ୍କ ସାଙ୍ଗରେ ଥିବା‌ ଯୁବକଙ୍କୁ ମଧ୍ୟ ଚିହ୍ନଟ କରିବାକୁ ପୁଲିସ ଖୋଳତାଡ଼ କରିବ।
ସୂଚନାଯୋଗ୍ୟ ଯେ ମହିଳାଙ୍କୁ ଚିହ୍ନଟ କରିବା ପାଇଁ ରେଳବାଇ ଥାନା ପକ୍ଷରୁ ୩ଟି ସ୍ବତନ୍ତ୍ର ଟିମ୍‌ ଭୁବନେଶ୍ବରରୁ ଧାନବାଦ୍‌ ମଧ୍ୟରେ ଥିବା ବିଭିନ୍ନ ଷ୍ଟେସନ୍‌ ଯାଇ ଯାଞ୍ଚ କରୁଛନ୍ତି। ସମସ୍ତ ରେଳବାଇ ଥାନା, ଆର୍‌ପିଏଫ୍‌କୁ ମହିଳାଙ୍କ ଫଟୋ ପଠାଯାଇଥିଲା। ଏମିତିକି କେହି ମହିଳାଙ୍କୁ ଚିହ୍ନଟ କଲେ, ତାଙ୍କ ନାମ ଗୋପନ ରଖାଯିବା ସହ ତାଙ୍କୁ ପୁରସ୍କୃତ କରାଯିବ ବୋଲି ପୁଲିସ ଘୋଷଣା କରିଛି। ଏଥିପାଇଁ ରେଲୱେ ପକ୍ଷରୁ ୯୪୩୮୧୨୨୫୨୮, ୯୪୩୮୯୧୬୮୯୨ ଏବଂ ୭୦୦୮୨୯୭୯୪୭ ଫୋନ୍‌ ନମ୍ବର ଜାରି କରାଯାଇଛି।

Share Now:

Kalinga News Beuro

Next Post

ମଣିପୁରରେ ହିଂସା ପାଇଁ ୧୪ କମ୍ପାନି ଅର୍ଦ୍ଧସାମରିକ ବାହିନୀ ମୁତୟନ

Fri May 5 , 2023
୨୦ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଗଲା ଇମ୍ପାଲ : ମଣିପୁରରେ ଚାଲିଥିବା ଆଦିବାସୀ-ଅଣଆଦିବାସୀ ହିଂସାକୁ ଦମନ କରିବାକୁ ସରକାର ଏପର୍ଯ୍ୟନ୍ତ ୧୪ କମ୍ପାନୀ ଅର୍ଦ୍ଧସାମରିକ ବାହିନୀ (ଆରଏଏଫ୍, ସିଆରପିଏଫ୍, ବିଏସ୍ଏଫ୍) ବହୁ ସଂଖ୍ୟାରେ ମୁତୟନ କରିଛନ୍ତି। ଏହା ସହିତ ଆହୁରି ଅଧିକ ଅର୍ଦ୍ଧସାମରିକ ବାହିନୀ ପଠାଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପକ୍ଷରେ ପ୍ରଶାସନ ପକ୍ଷରୁ ହିଂସାଗ୍ରସ୍ତ ଅଞ୍ଚଳରୁ ଲୋକଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ନିଆଯାଉଛି। ବର୍ତ୍ତମାନ ସୁଦ୍ଧା […]
ମଣିପୁରରେ ଚାଲିଥିବା ଆଦିବାସୀ-ଅଣଆଦିବାସୀ ହିଂସା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial