ଗୋସାଗରେଶ୍ବର ଛକରେ ଅଟକିଲା ଶ୍ରୀଲିଙ୍ଗରାଜଙ୍କ ବାହୁଡ଼ା ରୁକୁଣା ରଥ

ଗୋସାଗରେଶ୍ବର ଛକରେ ରୁକୁଣା ରଥ

ପୁରୁଣା ଭୁବନେଶ୍ୱର: ଆଜି ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ଅବସରରେ ଅଧାବାଟରେ ଅଟକି ଯାଇଛି ରୁକୁଣା ରଥ। ଶ୍ରୀଜିଉ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିପାରିନାହାନ୍ତି। ରଥାରୂଢ଼ ପ୍ରଭୁ ଲିଙ୍ଗରାଜ ଗୋସାଗରେଶ୍ବର ଛକଠାରେ ଅଟକି ରହିଛନ୍ତି। ଆସନ୍ତାକାଲି ଅପରାହ୍ନ ୩ଟାରୁ ରଥ ଟଣା ହେବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ଅଶୋକାଷ୍ଟମୀ ତିଥିରେ ମହାପ୍ରଭୁ ଲିଙ୍ଗରାଜ ତାଙ୍କ ଭଉଣୀ ମା’ ରୁକ୍ମଣୀ ଓ ପ୍ରଭୁ ଦୋଳଗୋବିନ୍ଦଙ୍କୁ ସାଙ୍ଗରେ ଧରି ରୁକୁଣା ରଥରେ ରାମେଶ୍ୱର ମନ୍ଦିର ଯାତ୍ରା କରିଥିଲେ। ଆଜି ଥିଲା ବାହୁଡ଼ା ଯାତ୍ରା। ତେଣୁ ବିଧି ଓ ପରମ୍ପରା ଅନୁସାରେ ଶ୍ରୀଜିଉଙ୍କ ପୂଜାର୍ଚ୍ଚନା ପରେ ମନ୍ଦିର ପ୍ରତ୍ୟାବର୍ତ୍ତନ ପାଇଁ ସ୍ୱତନ୍ତ୍ର ନୀତି କରାଯାଇଥିଲା। ଆଜି ଭୋର୍‌ ୫ଟାରେ ମଙ୍ଗଳ ଆଳତୀ, ଭୋର୍‌ ସାଢ଼େ ୫ଟାରୁ ସକାଳ ସାଢ଼େ ୭ଟା ପର୍ଯ୍ୟନ୍ତ ସାହାଣ ମେଲା ଦର୍ଶନ ହୋଇଥିଲା।
ଏହା ପରେ ରୁକୁଣା ରଥରେ ଚାରି ଘୋଡ଼ା ଲାଗିବା ସହ ଚାରମାଳ ବନ୍ଧା ଯାଇଥିଲା। ଅପରାହ୍ନ ୧ଟା ପରେ ଅଧର ପଣା ନୀତି ଅନୁଷ୍ଠିତ ହୋଇଥିଲା। ତେବେ ଅସହ୍ୟ ଖରା ଯୋଗୁଁ ଅପରାହ୍ନ ସାଢ଼େ ୩ଟାରେ ଶ୍ରୀଜିଉଙ୍କ ପହଣ୍ଡି ବିଜେ ନୀତି ସମ୍ପନ୍ନ ହୋଇଥିଲା। ୩ଟା ୪୫‌ମିନିଟ୍‌ରେ ଶ୍ରୀଜିଉ ରଥାରୂଢ଼ ହୋଇଥିଲେ। ଏହାପରେ ରଥରେ ଠାକୁରଙ୍କୁ ପୂଜା କରାଯାଇଥିଲା। ଚାରମାଳ ଖୋଲାଯାଇ ଅପରାହ୍ନ ୪ଟା ୨୦ମିନିଟ୍‌ରେ ରଥ ଟଣା ଆରମ୍ଭ ହୋଇଥିଲା। ହର ହର ମହାଦେବ, ଜୟ ଶ୍ରୀ ଲିଙ୍ଗରାଜ, ଓଁ ନମଃ ଶିବାୟ, ହରିବୋଲ, ହୁଳହୁଳି ଶବ୍ଦରେ ଗଗନପବନ ପ୍ରକମ୍ପିତ ହୋଇଥିଲା। ସମର୍ଥାଙ୍କ ଘଣ୍ଟ ଧ୍ୱନି ରଥଦାଣ୍ଡକୁ ପ୍ରକମ୍ପିତ କରିଥିଲା। ଆନନ୍ଦ ଉଲ୍ଲାସରେ ଶ୍ରଦ୍ଧାଳୁମାନେ ରଥକୁ ଟାଣି ନେଇଥିଲେ। ତେବେ ଗୋସାଗରେଶ୍ବର ଛକରେ ସୂର୍ଯ୍ୟାସ୍ତ ହୋଇଯିବାରୁ ପ୍ରାୟ ସାଢ଼େ ୬ଟାରେ ରଥ ଟଣା ବନ୍ଦ ରହିଥିଲା।

Share Now:

Kalinga News Beuro

Next Post

ନୂଆ ରୂପ ନେବ ନିକୋ ପାର୍କ : ଜାରି ହେଲା ଡିଜାଇନ୍‌

Thu Apr 14 , 2022
ମିଳିବ ଭୋଜି କରିବାର ସୁଯୋଗ ଭୁବନେଶ୍ବର: ନୂଆ ରୂପ ନେବାକୁ ଯାଉଛି ନିକୋ ପାର୍କ। ସବୁ ବୟସର ଲୋକଙ୍କ ପାଇଁ ଚିତ୍ତବିନୋଦନର ଅନ୍ୟତମ ଆକର୍ଷଣର କେନ୍ଦ୍ର ଭାବରେ ନିର୍ମାଣ କରିବାକୁ ହୋଇଥିବା ଡିଜାଇନ୍‌ ଆଜି ଜାରି କରିଛି ବିଡିଏ। ଫନି ପରେ କ୍ଷତିଗ୍ରସ୍ତ ହୋଇଥିବା ଏହି ପାର୍କର ଉନ୍ନତୀକରଣ ନେଇ ଯୋଜନା ହୋଇଥିଲା। ପାର୍କ ଖୋଲିଥିଲେ ମଧ୍ୟ ବୋଟିଂ ସୁବିଧା ସହ ଅନ୍ୟାନ୍ୟ ମନୋରଞ୍ଜନ ବ୍ୟବସ୍ଥା ନଥିଲା। ଏଣୁ ଏହାକୁ […]
ନୂଆ ରୂପ ନେବ ନିକୋ ପାର୍କ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial