କୋମାରେ ସିଟିଜ୍‌ : ଯୋଜନାରୁ ହଟୁଛି ପ୍ରକଳ୍ପ

କୋମାରେ ସିଟିଜ୍‌

କନ୍‌ସଲ୍‌ଟାନ୍ସି ପଛରେ ଖର୍ଚ୍ଚ ୨ କୋଟି, ଫଳ ଶୂନ

ଭୁବନେଶ୍ୱର : ବିଭିନ୍ନ ବିଭାଗ ସହ ସମନ୍ବୟ ରକ୍ଷା କରି ରାଜଧାନୀରେ ସହରୀ ଭିତ୍ତିଭୂମି ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ସିଟିଜ୍‌(ସିଟି ଇନ୍‌ଭେଷ୍ଟ୍‌ମେଣ୍ଟ୍ ଟୁ ଇନୋଭେଟ୍, ଇଣ୍ଟିଗ୍ରେଟ୍ ଆଣ୍ଡ ସଷ୍ଟେନ) କାର୍ଯ୍ୟକ୍ରମ ଚାଲିଛି। ଗୃହ ଓ ନଗର ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଆୟୋଜିତ ପ୍ରତିଯୋଗିତାରେ ୬୭ ସହରଙ୍କୁ ପଛରେ ପକାଇ ଭୁବନେଶ୍ବରର ପ୍ରସ୍ତାବ ପୁରସ୍କାର ପାଇବା ପରେ ୨୦୧୯ ମସିହାରୁ ଏହି କାର୍ଯ୍ୟକ୍ରମ ଏଠାରେ ଆରମ୍ଭ ହୋଇଛି। ମାତ୍ର କାର୍ଯ୍ୟକ୍ରମକୁ ୩ ବର୍ଷ ବିତିଥିଲେ ମଧ୍ୟ ସବୁ ବାସ୍ତବ ରୂପ ନେଇ ପାରୁନାହିଁ। ବରଂ ଗୋଟିଏ ପରେ ଗୋଟିଏ ପ୍ରକଳ୍ପ ବିଭାଗୀୟ ସମନ୍ବୟ ଅଭାବରୁ ତାଲିକାରୁ ଅପସାରିତ ହୋଇଗଲାଣି। ଅଧିକାରୀମାନଙ୍କର ଅପାରଗତା ଓ ଆନ୍ତରିକତାର ଅଭାବରୁ ଆର୍ଥିକ ଅନୁଦାନ ମଧ୍ୟ ବନ୍ଦ ହେବାକୁ ବସିଲାଣି। ବିଭିନ୍ନ ପ୍ରକଳ୍ପର ପରିକଳ୍ପନାରେ ଭୁବନେଶ୍ବରକୁ ଯେଉଁ ନୂଆ ରୂପ ଦେବାକୁ ସ୍ବପ୍ନ ଦେଖାଯାଇଥିଲା ତାହା ମଉଳି ଗଲାଣି। ୨୦୧୯ ମସିହାରେ ୧୮୦ କୋଟି ଟଙ୍କାର ପ୍ରକଳ୍ପର ରୂପରେଖ ପ୍ରସ୍ତୁତ କରାଯାଇଥିଲା। ଗୃହ ଓ ନଗର ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଆୟୋଜିତ ପ୍ରତିଯୋଗିତାରେ ଏହି ପ୍ରସ୍ତାବ ପୁରସ୍କୃତ ହେବା ପରେ ସେହି ସବୁ ପ୍ରକଳ୍ପକୁ ପୂର୍ଣ୍ଣ ରୂପ ଦେବା ପାଇଁ ସିଟିଜ୍‌ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଆର୍ଥିକ ସହାୟତା ଅନ୍ୟାନ୍ୟ ସହ‌ଯୋଗ ପାଇଁ ଫ୍ରେଞ୍ଚ ଡେଭେଲପ୍‌ମେଣ୍ଟ ଏଜେନ୍ସି, ୟୁରୋପୀୟ ୟୁନିଅନ୍ ଓ ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଅର୍ବାନ୍‌ ଆଫାୟାର୍ସ ଏହି କାର୍ଯ୍ୟକ୍ରମର ଅଂଶୀଦାର ହୋଇଥିଲେ। ସ୍ମାର୍ଟ ସିଟି ଲିମିଟେଡ୍‌(ବିଏସ୍‌ସିଏଲ୍‌) ଏହାର ନୋଡାଲ୍‌ ଏଜେନ୍ସି ରହିଥିଲା। ଏଥିରେ ବିଭିନ୍ନ ପର୍ଯ୍ୟାୟରେ ୧୮୯.୬୯ କୋଟି ଟଙ୍କା ଖର୍ଚ୍ଚ ହେବାକୁ ରହିଥିଲା। ଏଥିରେ ପାଞ୍ଚଟି ଐତିହ୍ୟ ପୋଖରୀ ଯଥା ଗୋଦାବରୀ, କୋଟିତୀର୍ଥେଶ୍ୱର, ଗଙ୍ଗା ଯମୁନା, ଦେବୀ ପାଦହରା ଓ ଗୋଡ଼ି ପୋଖରୀ ପୁନରୁଦ୍ଧାର ଯୋଜନା ରହିଥିଲା। ତା’ ସହିତ ବିଡିଏ ସିଟି ସେଣ୍ଟର (ନିକୋ ପାର୍କ)ରେ ‘ୱାଟର୍‌ ଫ୍ରଣ୍ଟ ପ୍ରମୋନେଡ୍‌’ ବିକାଶ ଯୋଜନା ରହିଥିଲା। ଲୋକସେବା ଭବନ ସମ୍ମୁଖ ରାସ୍ତାର ସୌନ୍ଦର୍ଯ୍ୟୀକରଣ ଯୋଜନା ରହିଥିଲା। ତା ସହିତ ଏଥିରେ ୨୧ଟି ଖେଳ ପଡ଼ିଆ ଉନ୍ନତୀକରଣ ଯୋଜନା ବି ଥିଲା। ଆଠଟି ପାର୍କର ବିକାଶ ଓ ସୌନ୍ଦର୍ଯ୍ୟୀକରଣ ସହ ପାଞ୍ଚଟି ବସ୍‌ଷ୍ଟାଣ୍ଡର ଉନ୍ନତୀକରଣ ଯୋଜନା ମଧ୍ୟ ରହିଥିଲା। ଏହା ଛଡ଼ା ଅନ୍ୟ ପ୍ରକଳ୍ପ ମଧ୍ୟରେ ୧୬.୭ କିଲୋମିଟର ଫୁଟ୍‌ପାଥ୍‌ର ବିକାଶ, ଡିଜେଲ୍‌ ଚାଳିତ ପରିବହନକୁ ପ୍ରୋତ୍ସାହିତ ନ କରିବା ପାଇଁ ସାଇକେଲ ଟ୍ରାକ୍ ଓ ଷ୍ଟ୍ରିଟ୍‌ ଆର୍ଟ ଆଣ୍ଡ ମୁରାଲ୍ ପ୍ରୋଜେକ୍ଟ(ଷ୍ଟାମ୍ପ) ଯୋଜନା ହୋଇଥିଲା। ହାଲ୍‌କା କଳାକୃତି ଓ ଉଦ୍ୟାନ ଲାଇବ୍ରେରି ଭଳି ନୂଆ ପ୍ରକଳ୍ପ ଯୋଜନାରେ ସାମିଲ ହୋଇଥିଲା। ନବୀନ ନିବାସ ନିକଟରେ ଥିବା ପ୍ରାକୃତିକ ନଳା ନମ୍ବର ୭କୁ ବିଶୋଧନ ଯୋଜନା ମଧ୍ୟ ରହିଥିଲା। ପ୍ରକଳ୍ପଗୁଡ଼ିକ ଉପରେ ଗୃହ ଓ ନଗର ବ୍ୟାପାର ମନ୍ତ୍ରାଳୟ ମୋହର ମାରିବା ପ‌ରେ ପ୍ରଥମ ପର୍ଯ୍ୟାୟରେ ୭୯ କୋଟି ୩୦ ଲକ୍ଷ ଟଙ୍କା ଅନୁଦାନ ଆସିଥିଲା। ପ୍ରକଳ୍ପର ରୂପରେଖ ପ୍ରସ୍ତୁତ କରିବା ପାଇଁ ବିଭିନ୍ନ କନ୍‌ସଲ୍‌ଟାନ୍ସି ସଂସ୍ଥା ୨ କୋଟି ଟଙ୍କା ନେଇଯାଇଥିଲେ। ହେଲେ ଯୋଜନା ବାସ୍ତବ ରୂପ ନେବା ପରିବର୍ତ୍ତେ ଗୋଟିଏ ପରେ ଗୋଟିଏ ତାଲିକାରୁ ଅପସାରିତ ହେବାକୁ ବସିଥିଲା।
ଯୋଜନା ହୋଇଥିବା ୨୧ଟି ଖେଳପଡ଼ିଆରୁ ଦୀର୍ଘ ଦୁଇ ବର୍ଷ ପରେ ୧୭ଟି ପଡ଼ିଆର ଉନ୍ନତୀକରଣ ହୋଇଥିଲା। ସହିଦନଗରରେ ବରିଷ୍ଠ ନାଗରିକଙ୍କ ରିକ୍ରିଏସନ କ୍ଲବ୍‌ ହୋଇଥିଲା। ହେଲେ ମାତ୍ର କିଛି ଦିନ ଚାଲିବା ପରେ ତାହା ବନ୍ଦ ହୋଇ ପଡ଼ିଥିଲା। ଏବେ ୱାଟର ଫ୍ରଣ୍ଟ ପ୍ରମୋନେଡ୍‌ ହେବାକୁ ଯୋଜନା ରହିଛି। ଏହା ଡିପିଆର ଷ୍ଟେଜ୍‌ରେ ଅଛି। ଲୋକସେବା ଭବନ ସମ୍ମୁଖ ରାସ୍ତାକୁ ପୂର୍ତ୍ତ ବିଭାଗ ସହ ସମନ୍ବୟ ରକ୍ଷା କରି ଯେଉଁ ସୌନ୍ଦର୍ଯ୍ୟୀକରଣ ଯୋଜନା ଥିଲା ତାହା ତାଲିକାରୁ ଅପସାରିତ ହୋଇଗଲାଣି। ଏହି କାର୍ଯ୍ୟକ୍ରମ ଦାୟିତ୍ବରେ (ସ୍ପେଶାଲ ପ୍ରୋଜେକ୍ଟ ମହାପ୍ରବନ୍ଧକ) ଦୀପ୍ତି ରାଣୀ ସାହୁ ରହିଛନ୍ତି। ଦୀର୍ଘ ୩ ବର୍ଷ ହେବ ସେ ଏହି ପଦବିରେ ରହିଥିଲେ ମଧ୍ୟ ପ୍ରକଳ୍ପ ଆଗେଇ ପାରୁନି। ଏହାର ଉତ୍ତର ପାଇଁ ଆମେ ତାଙ୍କ ସହ ଯୋଗାଯୋଗ କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ସମ୍ଭବ ହୋଇନାହିଁ। କାର୍ଯ୍ୟକ୍ରମ ଆଗେଇ ପାରୁନଥିବାରୁ ଆର୍ଥିକ ଅନୁଦାନ ମଧ୍ୟ ବନ୍ଦ ରହିଛି। ନିକଟ ଅତୀତରେ ନୂଆ କମିସନର ବିଜୟ ଅମୃତା କୁଲାଙ୍ଗେ ସହିଦନଗରରେ ବରିଷ୍ଠ ନାଗରିକଙ୍କ ରିକ୍ରିଏସନ କ୍ଲବ୍‌ ବୁଲି ଦେଖିବା ବେଳେ ବରିଷ୍ଠ ନାଗରିକମାନେ ଏହି ସିଟିଜ୍‌ ପ୍ରୋଗ୍ରାମ୍‌ର ବିଫଳତାକୁ ନେଇ ଅଭିଯୋଗ କରିଥିବା ଜଣାପଡ଼ିଛି।

Share Now:

Kalinga News Beuro

Next Post

କଂଗ୍ରେସ ବିଧାୟକ ଦଳ ସଂପାଦକ ପଦରୁ ମୋକିମଙ୍କ ଇସ୍ତଫା

Thu Jun 30 , 2022
କଟକ : କଂଗ୍ରେସ ବିଧାୟକ ଦଳ ସଂପାଦକ ପଦରୁ ବାରବାଟୀ-କଟକ ବିଧାୟକ ଇଂଜିନିୟର ମହମ୍ମଦ ମୋକିମ୍ ଇସ୍ତଫା ଦେଇଛନ୍ତି। ବିଧାନସଭା ଅଧିବେଶନ ଆରମ୍ଭର ମାତ୍ର କିଛିଦିନ ପୂର୍ବରୁ ଶ୍ରୀ ମୋକିମଙ୍କ ଇସ୍ତଫା ଚର୍ଚ୍ଚାର ପ୍ରସଙ୍ଗ ହୋଇଛି।ଇସ୍ତଫା ସଂପର୍କରେ ଶ୍ରୀ ମୋକିମ୍ କହିଛନ୍ତି ଯେ ଏହା ସେଭଳି କୌଣସି ଗୁରୁତ୍ବପୂର୍ଣ୍ଣ ପଦ ବା ଦାୟିତ୍ବ ନୁହେଁ। ‌ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ବିଧାୟକଙ୍କୁ ଚିଠି କରି ଜଣାଇବା ଦାୟିତ୍ବ ଏଥିରେ ଥାଏ। ବିଭିନ୍ନ […]
ସଂପାଦକ ପଦରୁ ମୋକିମଙ୍କ ଇସ୍ତଫା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial