ଇତିହାସରେ ପ୍ରଥମ : ୪୦ ଡିଗ୍ରି ଟପିଲା ବ୍ରିଟେନ୍‌ର ତାପମାତ୍ରା

୪୦ ଡିଗ୍ରି ଟପିଲା ବ୍ରିଟେନ୍‌ର ତାପମାତ୍ରା

ସମଗ୍ର ୟୁରୋପ୍‌ରେ ଗ୍ରୀଷ୍ମ ପ୍ରବାହ ଜାରି

ଲଣ୍ଡନ୍‌: ମଙ୍ଗଳବାର ଦିନ ଇଂଲଣ୍ଡ୍‌ରେ ତାପମାତ୍ରା ୪୦ ଡିଗ୍ରି ଟପିଯାଇଥିବା କଥା ପାଣିପାଗ ବିଭାଗ ସୂଚନା ଦେଇଛି। ଇଂଲଣ୍ଡ୍‌ର ପାଣିପାଗ ବିଭାଗ ସୂଚନା ଅନୁସାରେ, କେନ୍ଦ୍ରୀୟ ଇଂଲଣ୍ଡ୍‌ ଅନ୍ତର୍ଗତ କନିଙ୍ଗ୍‌ସ୍‌ବିରେ ମଙ୍ଗଳବାର ଦିନ ୪୦.୩ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ଦେଶର ଅନ୍ୟାନ୍ୟ ୩୪ଟି ପ୍ରାନ୍ତରେ ମଧ୍ୟ ୩୮.୭ ଡିଗ୍ରିରୁ ଅଧିକ ଉତ୍ତାପ ଅନୁଭୂତ ହୋଇଥିଲା। ବିଶେଷଜ୍ଞମାନଙ୍କ କହିବା ଅନୁସାରେ, ସମଗ୍ର ୟୁରୋପ୍‌ରେ ଜାରି ରହିଥିବା ଗ୍ରୀଷ୍ମ ପ୍ରବାହ ହେଉଛି ଜଳବାୟୁ ପରିବର୍ତ୍ତନ ଏବଂ ତା’ର ବିପଜ୍ଜନକ ପ୍ରଭାବର ପରିଣାମ। ଇଂଲଣ୍ଡ୍‌ ପାଣିପାଗ ବିଭାଗରେ କାର୍ଯ୍ୟରତ ଅଧିକାର ଷ୍ଟିଫେନ୍‌ ବାଲ୍‌ଚର୍‌ କହିଛନ୍ତି, ଚାକିରିକାଳ ମଧ୍ୟରେ ସେ ଇଂଲଣ୍ଡ୍‌ରେ ଏତେ ଉତ୍ତାପ ଅନୁଭବ କରିବେ ବୋଲି ଆଶା କରି ନ ଥିଲେ। ଏଠାରେ କରାଯାଉଥିବା ଗବେଷଣା ଅନୁସାରେ, ଇଂଲଣ୍ଡ୍‌ରେ କଦାପି ୪୦ ଡିଗ୍ରି ସେଣ୍ଟିଗ୍ରେଡ୍‌ ଉତ୍ତାପ ଅନୁଭୂତ ହେବା କଥା ନୁହେଁ। କିନ୍ତୁ, ଜଳବାୟୁ ପରିବର୍ତ୍ତନ ଯୋଗୁଁ ନିଷ୍କାସିତ ‘ଗ୍ରିନ୍‌ହାଉସ୍‌ ଗ୍ୟାସ୍‌’ ଯୋଗୁଁ ଅତ୍ୟଧିକ ଗ୍ରୀଷ୍ମ ଅନୁଭୂତ ହେଉଥିବାର ସମ୍ଭାବନା ଥାଇପାରେ। ଲଣ୍ଡନ୍‌ର ବିଭିନ୍ନ ସ୍ଥାନରେ ଲାଗିଥିବା ନିଆଁ ଲିଭାଇବାରେ ବ୍ୟସ୍ତଥିବା ଦମକଳ ବାହିନୀ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି କି, ସେମାନେ ବାହାରେ ନିଆଁ ଲଗାଇ ମାଛମାଂସ ଆଦି ପୋଡ଼ି ଖାଦ୍ୟ ପ୍ରସ୍ତୁତ କରନ୍ତୁ ନାହିଁ। ଇଂଲଣ୍ଡ୍‌ ବ୍ୟତିରେକେ, ୟୁରୋପୀୟ ଦେଶ ପର୍ତ୍ତୁଗାଲ୍‌ରେ ମଧ୍ୟ ଗତ ସପ୍ତାହରୁ ଗ୍ରୀଷ୍ମ ପ୍ରବାହଜନିତ ଉତ୍ତାପ ୪୦ ଡିଗ୍ରି ଉପରେ ରହିଛି। ଏଥିଯୋଗୁଁ ସେ ଦେଶରେ ୧୦୦୦ରୁ ଅଧିକ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଲାଣି। ଗତ ସପ୍ତାହରେ ସ୍ପେନ୍‌ ଓ ଫ୍ରାନ୍‌ସ୍‌ରେ ବନାଗ୍ନି ଯୋଗୁଁ ଅସଂଖ୍ୟ ଜନତାଙ୍କୁ ସେମାନଙ୍କ ଘରୁ ସ୍ଥାନାନ୍ତର କରାଯାଇଥିଲା।

Share Now:

Kalinga News Beuro

Next Post

୨୪ ଘଣ୍ଟା ମଧ୍ୟରେ ୭ ଜିଲ୍ଲାରେ କାଳବୈଶାଖୀ : ୟେଲୋଓ୍ଵାର୍ଣ୍ଣିଂ ଜାରି

Wed Jul 20 , 2022
ଭୁବନେଶ୍ୱର: ଆସନ୍ତା ଗୁରୁବାର ଅପରାହ୍ନ ସୁଦ୍ଧା ଆଭ୍ୟନ୍ତରୀଣ ଓଡିଶାର ଜିଲ୍ଲାଗୁଡ଼ିକରେ ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ରହିଛି ଏବଂ ଉପକୂଳ ଓଡିଶାର ଜିଲ୍ଲାଗୁଡିକର ଅନେକ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷାସହ ବଜ୍ରପାତ ହେବାର ସମ୍ଭାବନା ରହିଛି ବୋଲି କହିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଆଗାମୀ ୨୪ ଘଣ୍ଟା ମଧ୍ୟରେ ଅର୍ଥାତ ଜୁଲାଇ ୨୧ ତାରିଖ, ଗୁରୁବାର ମଧ୍ୟାହ୍ନ ସୁଦ୍ଧା ରାଜ୍ୟର […]
୭ ଜିଲ୍ଲାରେ କାଳବୈଶାଖୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial