ଓଡ଼ିଶା ପାଇଁ ଐତିହାସିକ ଦିନ : ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେ‌ଲେ ଦୌପଦୀ ମୁର୍ମୁ

୧୫ତମ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଜୁଲାଇ ୨୧, ୨୦୨୨। ଏହି ଦିନଟି ଓଡ଼ିଶା ଲାଗି ପାଲଟି ଯାଇଛି ଏକ ଐତିହାସିକ ଦିନ। ଓଡ଼ିଶା ମାଟିର ଝିଅ, ମୟୂରଭଂଜ ଅଞ୍ଚଳର ଆଦିବାସୀ ନେତ୍ରୀ, ରାଜ୍ୟର ପୂର୍ବତନ ମନ୍ତ୍ରୀ ତଥା ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟପାଳ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି। ମିଳିତ ବିରୋଧୀ ଦଳର ପ୍ରାର୍ଥ ଯଶବନ୍ତ ସିହ୍ନାଙ୍କୁ ଏନଡିଏ ପ୍ରାର୍ଥୀ ଶ୍ରୀମତୀ ମୁର୍ମୁ ବହୁ ଭୋଟ ବ୍ୟବଧାନରେ ପରାଜିତ କରିଛନ୍ତି। ପାର୍ଲାମେଣ୍ଟ ଭବନରେ ଚାଲିଥିବା ଗଣତିର ତୃତୀୟ ରାଉଣ୍ଡର ଫଳାଫଳ ଅନୁଯାୟୀ ଶ୍ରୀମତୀ ମୁର୍ମୁ ବିଜୟ ଲାଗି ଆବଶ୍ୟକ ୫୦ ପ୍ରତିଶତ ଭୋଟ ସୀମା ଅତିକ୍ରମ କରିଛନ୍ତି। ଏଥିସହ ଦ୍ରୌପଦୀ ମୁର୍ମୁ ଦେଶର ୧୫ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ସହ ପ୍ରଥମ ଓଡ଼ିଆ ମହିଳା ଭାବେ ଭାରତର ଶୀର୍ଷ ପଦବିରେ ଅଧିଷ୍ଠିତ ହୋଇଛନ୍ତି। କେବଳ ସେତିକି ନୁହେଁ, ଏଥିସହ ସେ ଦେଶର ପ୍ରଥମ ଆଦିବାସୀ ରାଷ୍ଟ୍ରପତିର ମର୍ଯ୍ୟାଦା ଲାଭ କରିଛନ୍ତି। ସୂଚନା ଅନୁସାରେ, ତୃତୀୟ ରାଉଣ୍ଡ ଗଣତି ଦୌପଦୀଙ୍କୁ ବିଜୟୀ କରାଇଛି। ବିଜୟ ପାଇଁ ଆବଶ୍ୟକ ସମୁଦାୟ ଭୋଟ ମୂଲ୍ୟର ୫୦ ପ୍ରତିଶତ ଭୋଟ୍ ସୀମା ଅତିକ୍ରମ କରିଛନ୍ତି ସେ। ତୃତୀୟ ରାଉଣ୍ଡ ଗଣତି ସୁଦ୍ଧା ଏନଡିଏ ପ୍ରାର୍ଥୀ ଶ୍ରୀମତୀ ମୁର୍ମୁଙ୍କୁ ମିଳିଛି ୫୧.୨ ପ୍ରତିଶତ ଭୋଟ। ଆଉ ଗୋଟିଏ ରାଉଣ୍ଡର ଗଣତି ପରେ ଆନୁଷ୍ଠାନିକ ଘୋଷଣା କରାଯିବ। ଏହି ରାଉଣ୍ଡରେ ମୋଟ ୧୩୩୩ଟି ଭୋଟ୍ ପଡ଼ିଥିବା ବେଳେ ସମୁଦାୟ ଭୋଟର ମୂଲ୍ୟ ୧ ଲକ୍ଷ ୬୫ ହଜାର ୬୬୪ ଥିଲା। ୧୩୩୩ଟି ଭୋଟରୁ ଦ୍ରୌପଦୀ ୮୧୨ ଖଣ୍ଡ ଭୋଟ ପାଇଥିବାବେଳେ ଯଶବନ୍ତ ସିହ୍ନା ୫୨୧ ଖଣ୍ଡ ଭୋଟ ପାଇଛନ୍ତି। ତାଜା ସୂଚନା ମୁତାବକ ତୃତୀୟ ରାଉଣ୍ଡରେ କର୍ଣ୍ଣାଟକ, କେରଳ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ଓଡିଶା ଓ ପଞ୍ଜାବ ଆଦି ରାଜ୍ୟର ବିଧାୟକମାନଙ୍କର ଭୋଟ ଗଣନା ହୋଇଥିଲା। ସେହିପରି ଦ୍ୱିତୀୟ ରାଉଣ୍ଡ ସୁଦ୍ଧା ସମୁଦାୟ ୧୮୮୬ଟି ଭୋଟ ଗଣନା ହୋଇଥିଲା। ଆଉ ଏଥିରୁ ଦ୍ରୌପଦୀଙ୍କୁ ୧୩୪୯ଟି ଭୋଟ ମିଳିଥିବାବେଳେ ଯଶବନ୍ତଙ୍କୁ ୫୩୭ଟି ଭୋଟ ମିଳିଛି | ଦ୍ରୌପଦୀଙ୍କୁ ସମୁଦାୟ ୪ ଲକ୍ଷ ୮୩ ହଜାର ୨୯୯ ମୂଲ୍ୟର ଭୋଟ ମିଳିଥିବାବେଳେ ଯଶବନ୍ତଙ୍କୁ ୧ ଲକ୍ଷ ୮୯ ହଜାର ୮୭୬ ମୂଲ୍ୟର ଭୋଟ ମିଳିଥିଲା। ପ୍ରଥମ ପର୍ଯ୍ୟାୟରେ ସାଂସଦମାନଙ୍କ ଭୋଟ ଗଣନା ଶେଷ ହୋଇଥିଲା। ଏହି ରାଉଣ୍ଡରେ ଶ୍ରୀମତୀ ମୁର୍ମୁ ୭୨ ପ୍ରତିଶତ ଭୋଟ ପାଇଥିଲେ। ସମୁଦାୟ ୭୪୮ ସାଂସଦ ଭୋଟ ଦେଇଥିବା ବେଳେ ୫୪୦ଟି ଦ୍ରୌପଦୀଙ୍କ ସପକ୍ଷରେ ପଡ଼ିଥିଲା। ସେହିପରି ମିଳିତ ବିରୋଧୀ ଦଳ ପ୍ରାର୍ଥୀ ଯଶବନ୍ତ ସିହ୍ନା ପାଇଥିଲେ ମାତ୍ର ୨୦୮ ଖଣ୍ଡ ଭୋଟ୍। ଉଳ୍ଲେଖଯୋଗ୍ୟ, ଶ୍ରୀମତୀ ମୁର୍ମୁଙ୍କ ପୂର୍ବରୁ ଦେଶର ଚତୁର୍ଥ ରାଷ୍ଟ୍ରପତି ଭାବେ ୧୯୬୯ ମସିହାରେ ଭି ଭି ଗିରି ନିର୍ବାଚିତ ହୋଇଥିଲେ। ସେ ତେଲୁଗୁ ଭାଷୀ ହୋଇଥିଲେ ହେଁ, ସେ ଓଡ଼ିଶାର ବ୍ରହ୍ମପୁରରେ ଜନ୍ମଗ୍ରହଣ କରିଥିଲେ ଏବଂ ଖଲିକୋଟରେ ପାଠ ପଢ଼ିଥିଲେ।
ତୃଣମୂଳସ୍ତରରୁ ରାଜନୈତିକ ଜୀବନ ଆରମ୍ଭ କରିଥିବା ଦ୍ରୌପଦୀ ମୁର୍ମୁ ବ୍ୟକ୍ତିଗତ ଜୀବନରେ ଅତ୍ୟନ୍ତ ଅମାୟିକ, ମେଳାପୀ ଓ ସ୍ପଷ୍ଟବାଦୀ। ଓଡ଼ିଶାର ଜିଲ୍ଲାର ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ କୁସୁମୀ ବ୍ଲକ୍ ଉପରବେଡ଼ା ଗ୍ରାମର ବିରଞ୍ଚି ନାରାୟଣ ମୁର୍ମୁ ଓ ମା’ ସିନଗୋ ମୁର୍ମୁଙ୍କ ଔରଷରୁ ୨୦ ଜୁନ ୧୯୫୮ ମସିହାରେ ଜନ୍ମଗ୍ରହଣ କରିଥିଲେ ଦ୍ରୌପଦୀ ମୁର୍ମୁ। ଦ୍ରୌପଦୀ ମୁର୍ମୁ ପ୍ରଥମେ ଗାଁ ସ୍କୁଲରେ ପଢୁଥିଲେ ଏବଂ ପରବର୍ତ୍ତୀ ସମୟରେ ସେ ଭୂବନେଶ୍ୱରରେ ରହି ୧୯୭୪ ମସିହାରେ ମାଟ୍ରିକ୍ ପାସ କରିଥିଲେ। ଏହାପରେ ସେ ରମାଦେବୀ ମହିଳା ମହାବିଦ୍ୟାଳୟରେ ପାଠପଢି ଯୁକ୍ତ ଦୁଇ ସହିତ ସ୍ନାତକ ଡିଗ୍ରି ହାସଲ କରିଥିଲେ। ଏହା ପରେ ୧୯୭୯ ରୁ ୧୯୮୩ ମସିହା ପ୍ରର୍ଯ୍ୟନ୍ତ ସେକ୍ରେଟେରିଏଟରେ ଜଳସେଚନ ଓ ଶକ୍ତି ବିଭାଗର କିରାଣୀ ଭାବେ କାର୍ଯ୍ୟ କରିଥିଲେ।
ତେବେ ସ୍ୱାମୀ ବ୍ୟାଙ୍କରେ ଚାକିରି କରୁଥିବାରୁ ସେ ରାଇରଙ୍ଗପୁରକୁ ଫେରିଆସିଥିଲେ ଏବଂ ରାଇରଙ୍ଗପୁରସ୍ଥିତ ଶ୍ରୀଅରବିନ୍ଦ ପୂର୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ଶିକ୍ଷୟିତ୍ରୀ ଭାବେ ୧୯୯୪ରୁ ୧୯୯୭ ପ୍ରର୍ଯ୍ୟନ୍ତ ଶିକ୍ଷାଦାନ କରିଥିଲେ। ପରେ ଶିକ୍ଷକତା ଛାଡି ବିଜେପି ଆଦର୍ଶରେ ଅନୁପ୍ରାଣିତ ହୋଇ ରାଜନୀତିରେ ପାଦ ଦେଇଥିଲେ। ୧୯୯୭ ମସିହାରେ ରାଇରଙ୍ଗପୁର ଏନଏସିରୁ ୨ ନଂ ୱାର୍ଡରୁ ନିର୍ବାଚନ ଲଢି ବିଜୟୀ ହୋଇ କାଉନସିଲର ହୋଇ ଉପାଧକ୍ଷା ହୋଇଥିଲେ। ପୁଣି ୨୦୦୦ ମସିହାରେ ବିଜେପି ପକ୍ଷରୁ ବିଧାନସଭା ଆସନରୁ ନିର୍ବାଚନ ଲଢି ବିଜୟୀ ହେବା ସହିତ ବିଜେପି-ବିଜେଡି ମେଣ୍ଟ ସରକାର ମନ୍ତ୍ରିମଣ୍ଡଳରେ ରାଷ୍ଟ୍ରମନ୍ତ୍ରୀ ହେଲେ ଓ ବାଣିଜ୍ୟ, ପରିବହନ, ମତ୍ସ୍ୟ ଏବଂ ପଶୁ ସମ୍ପଦ ବିଭାଗର ଦାୟିତ୍ୱରେ ରହିଥିଲେ। ସେହିପରି ୨୦୦୪ ନିର୍ବାଚନରେ ମଧ୍ୟ ବହୁ ଭୋଟରେ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀରୁ ବିଜୟୀ ହୋଇଥିଲେ। ସେ ବିଭିନ୍ନ ଦାୟିତ୍ୱ ସୁଚାରୁ ରୂପେ ତୁଲାଇ ଥିବାରୁ ୨୦୧୫ ମସିହାରେ ଝାଡଖଣ୍ଡର ରାଜ୍ୟପାଳ ହୋଇଥିଲେ ଏବଂ ୧୨ ଜୁଲାଇ ୨୦୨୧ ମସିହା ପର୍ଯ୍ୟନ୍ତ ରାଜ୍ୟପାଳ ଥିଲେ। ଜୁନ୍ ୨୧ ତାରିଖରେ ବିଜେପି ରାଷ୍ଟ୍ରୀୟ ସଭାପତି ଜେ ପି ନଡ୍ଡା ଶ୍ରୀମତୀ ମୁର୍ମୁଙ୍କୁ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିଥିଲେ। ପ୍ରାର୍ଥୀ ଚୟନ ବୈଠକରେ ୨୦ ଜଣଙ୍କ ନାମ ଉପରେ ବିଚାରବିମର୍ଶ ହେବା ପରେ ଦ୍ରୌପଦୀଙ୍କ ନାମକୁ ଅନୁମୋଦନ ମିଳିଥିଲା। ପରେ ଆଦିବାସୀ ମହିଳାଙ୍କୁ ଚୟନ କରିବା ଲାଗି ସର୍ବସମ୍ମତିକ୍ରମେ ନିଷ୍ପତ୍ତି ହୋଇଥିଲା। ଦ୍ରୌପଦୀ ହେଉଛନ୍ତି ଦେଶର ପ୍ରଥମ ଓଡ଼ିଆ ଏବଂ ଆଦିବାସୀ ମହିଳା ଏବଂ ଦ୍ବିତୀୟ ମହିଳା ରାଷ୍ଟ୍ରପତି। ମୁର୍ମୁଙ୍କ ପୂର୍ବରୁ ପ୍ରତିଭା ପାଟିଲ ଦେଶର ପ୍ରଥମ ମହିଳା ରାଷ୍ଟ୍ରପତି ହୋଇଥିଲେ।

Share Now:

Kalinga News Beuro

Next Post

ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ

Thu Jul 21 , 2022
ଭୁବନେଶ୍ବର: ଭାରତର ୧୫ତମ ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଥିବା ଓଡ଼ିଶାର ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି। ଟୁଇଟ୍‌ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପ୍ରକୃତରେ ଓଡିଶାବାସୀଙ୍କ ପାଇଁ ଅତ୍ୟନ୍ତ ଗର୍ବର ବିଷୟ ଯେ ସେ ଦେଶର ସର୍ବୋଚ୍ଚ କାର୍ଯ୍ୟାଳୟ ପାଇଁ ନିର୍ବାଚିତ ହୋଇଛନ୍ତି। ଦେଶର ପ୍ରଥମ ନାଗରିକ ହେବା ପାଇଁ ତାଙ୍କର ଯାତ୍ରା ପ୍ରକୃତରେ ପ୍ରେରଣାଦାୟକ ଏବଂ ଏହି ଯାତ୍ରା ମହିଳା ସଶକ୍ତିକରଣର ଏକ […]
ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial