ବେଜିଂ : ଆମେରିକା ପ୍ରତିନିଧି ସଭାର ସଦସ୍ୟ ନାନସି ପେଲୋସିଙ୍କ ତାଇଓ୍ବାନ ଗସ୍ତକୁ ନେଇ ଚୀନ ଓ ଆମେରିକା ମଧ୍ୟରେ ଉତ୍ତେଜନା ବଢିଯାଇଛି। ଏହି ଗସ୍ତକୁ ଚୀନ ତୀବ୍ର ବିରୋଧ କରିବା ସହ ଏହା ନିଆଁରେ ଖେଳିବା ସହ ସମାନ ହେବ ବୋଲି ପୂର୍ବରୁ କହିସାରିଛି। ଆମେରିକା ଓ ତାଇଓ୍ବାନକୁ କେବଳ ଚେତାବନୀ ଦେଇ ଚୁପ ହୋଇନି ଚୀନ। ଶନିବାରଦିନ ତାଇଓ୍ବାନ ଜଳସୀମା ନିକଟରେ ଚୀନର ସେନା ଓ ନୌସେନା ପକ୍ଷରୁ ଏକ ଯୁଦ୍ଧାଭ୍ୟାସ ଆରମ୍ଭ କରାଯାଇଛି। ଏଥିରେ ଚୀନର ଯୁଦ୍ଧ ଜାହାଜ, ଡେଷ୍ଟ୍ରୟର ଓ ଲଢୁଆ ବିମାନ ସାମିଲ ହୋଇଛନ୍ତି। ଶନିବାର ଦିନ ତାଇଓ୍ବାନ ଉପକୂଳ ନିକଟରେ ଥିବା ଚୀନର ଫୁଜିଆନ ରାଜ୍ୟ ଅନ୍ତର୍ଗତ ପିଙ୍ଗଟାନ ଦ୍ବୀପରେ ଏହି ସମରାଭ୍ୟାସ କରାଯାଇଛି। ଏଥିରେ ଚୀନ ପକ୍ଷରୁ ଗୋଳାବାରୁଦ ପରୀକ୍ଷଣ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ଏ ଅଂଚଳକୁ ନ ଯିବାକୁ ଜାହାଜମାନଙ୍କୁ ସତର୍କ କରିଦିଆଯାଇଛି। ସୂଚନାଯୋଗ୍ୟ ଯେ, ଚୀନ କ୍ଷୁଦ୍ର ଦ୍ୱୀପ ଦେଶ ତାଇଓ୍ଵାନକୁ ନିଜର ଅଂଶ ବୋଲି ଦାବି କରୁଛି ଓ ଦିନେ ନା ଦିନେ ଏହାକୁ ଅଧିକାର କରିବାକୁ ସ୍ୱପ୍ନ ଦେଖୁଛି। ଗତ ଦୁଇ ବର୍ଷ ହେଲା ଚୀନର ଯୁଦ୍ଧ ବିମାନ ନିୟମିତଭାବେ ତାଇଓ୍ବାନ ବାୟୁସୀମା ଅତିକ୍ରମ କରିବା ପରେ ଏହି ଆଶଙ୍କା ବଢିଯାଇଛି। ଯଦି ପେଲୋସି ତାଇଓ୍ବାନ ଗସ୍ତ କରନ୍ତି ତାହା ୧୯୯୭ ପରେ ପ୍ରଥମ ଥର ପାଇଁ କୌଣସି ଆମେରିକୀୟ ଜନ ପ୍ରତିନିଧିଙ୍କ ତାଇଓ୍ବାନ ଗସ୍ତ ହେବ। ଏଥିପାଇଁ ଚୀନ କ୍ଷୁବ୍ଧ ଅଛି।
ତାଇଓ୍ବାନକୁ ନେଇ ଚୀନ-ଆମେରିକା ମୁହାଁମୁହିଁ : ଯୁଦ୍ଧାଭ୍ୟାସ ଆରମ୍ଭ କଲା ଚୀନ ସେନା

Share Now: