ଶ୍ରୀଲିଙ୍ଗରାଜ ଖାଡ଼ା ଉପାସ : ହୋଇପାରିଲାନି ପବିତ୍ରାରୋପଣ

ଶ୍ରୀଲିଙ୍ଗରାଜ ଖାଡ଼ା ଉପାସ

ପୁରୁଣା ଭୁବନେଶ୍ୱର : ଗତବର୍ଷ ପରି ଆଜି ମଧ୍ୟ ଶ୍ରୀଲିଙ୍ଗରାଜଙ୍କ ପବିତ୍ରାରୋପଣ ବା ପଇତା ଲାଗି ନୀତିରେ ବିଭ୍ରାଟ ହୋଇଛି। ଫଳରେ ମହାପ୍ରଭୁଙ୍କ ପବିତ୍ରାରୋପଣ ନୀତି ହୋଇପାରିନଥିଲା। ଏଥିସହ ସେବାୟତଙ୍କ ନୀତି ବନ୍ଦ ଯୋଗୁଁ ଠାକୁର ଦିନ ତମାମ ଖାଡ଼ା ଉପାସ ରହିଥିଲେ। ଦୁଇ ସେବାୟତ ଗୋଷ୍ଠୀଙ୍କ ବିବାଦ ଯୋଗୁଁ ଗତକାଲିଠାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଥିଲା। ବୁଧବାର ସକାଳୁ ମନ୍ଦିରରେ ପହୁଡ଼ ଖୋଲିବା ପରେ ମଙ୍ଗଳ ଆଳତି ନୀତି ହୋଇନଥିଲା। ମଙ୍ଗଳବାର ଠାରୁ ନୀତିରେ ଅସହଯୋଗ କରିଥିବା ପୂଜାପଣ୍ଡା ନିଯୋଗ ସେବାୟତ ବୁଧବାର ଦିନ ମଧ୍ୟ ନୀତିରେ ସହଯୋଗ କରିନଥିଲେ। ଯାହା ଫଳରେ ଆଜି ମଙ୍ଗଳା ଆଳତି ଓ ପରବର୍ତ୍ତୀ ନୀତିଗୁଡିକ କ୍ରମ ଅନୁଯାୟୀ ବନ୍ଦ ରହିଥିଲା। ଠାକୁରଙ୍କ ଅନ୍ନ ପ୍ରସାଦ ଭୋଗ ହୋଇପାରିନଥିଲା। ଭକ୍ତମାନେ ଠାକୁରଙ୍କ ଭୋଗରୁ ବଞ୍ଚିତ ହୋଇଥିଲେ। ମନ୍ଦିର ପ୍ରଶାସନ ଅପାରଗତା ଯୋଗୁଁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି।
ପ୍ରକାଶ ଥାଉକି, ପବିତ୍ରାରୋପଣ ନୀତି ଅନୁଯାୟୀ ପ୍ରତିବର୍ଷ ଠାକୁରଙ୍କୁ ପୂଜାପଣ୍ଡା ନିଯୋଗ ପକ୍ଷରୁ ୩ପଟ ପଇତା ଲାଗି କରାଯାଏ। ପରେ ୨୪ପଟ ବଡ଼ୁ ନିଯୋଗ ପକ୍ଷରୁ ପଇତା ଲାଗି କରାଯାଏ। ହେଲେ ପବିତ୍ରାରୋପଣର ପଇତା ଶୁଦ୍ଧିକୁ ନେଇ ମଙ୍ଗଳବାର ରାତିରେ ହୋଇଥିଲା ସେବାୟତଙ୍କ ମଧ୍ୟରେ ବିବାଦ। ମନ୍ଦିର ପ୍ରଶାସନ ସୂଚନା ଅନୁଯାୟୀ ମଙ୍ଗଳବାର ଦିନ ବଡ଼ୁ ସେବାୟତମାନେ ପଇତା ଧୋଇବାକୁ ଗଲେ ନାହିଁ। ପ୍ରତିବର୍ଷ ବଡୁ ସେବାୟତ ପଇତାକୁ ଧୋଇବାକୁ ଯାଉଥିବା ବେଳେ ମଙ୍ଗଳବାର ଦିନ ଏହି ନୀତି କରିବାକୁ ମନାକରିଥିଲେ। ଏନେଇ ମନ୍ଦିର ପ୍ରଶାସନର କର୍ମଚାରୀ ପାଳିଆ ବଡ଼ୁଙ୍କୁ ପଚାରିଥିଲେ। ହେଲେ ବଡ଼ୁ ନିଯୋଗ ପ୍ରତିନିଧି କହିଥିଲେ ଯେ, ଆମେ ପଇତା ଧୋଇବା ପାଇଁ କେଉଁଠି ଲେଖା ଅଛି ଦେଖାନ୍ତୁ। ସେପଟେ ପୂଜାପଣ୍ଡା ସେବାୟତ ଅଧିବାସ ପୂଜା ଓ ହୋମ କରିବା ନୀତି କରିନଥିଲେ। ପୂଜାପଣ୍ଡା ନିଯୋଗ ସେବାୟତଙ୍କ କହିବା ଅନୁଯାୟୀ ପ୍ରତିବର୍ଷ ଆମେ ୩ପଟ ପଇତା ଲାଗି କରିଥାଉ। ହେଲେ ଏହା ନକରି ସବୁ ପଇତା ଲାଗି କରୁଛନ୍ତି। ଏଣୁ ଅସହଯୋଗ ପାଇଁ ଚେତାବନୀ ଦିଆଯାଇଥିଲା। ପଇତା ଧୁଆ ନହେବାରୁ ନୀତି ହୋଇ ପାରିନଥିଲା। ଯାହା ଫଳରେ ମଙ୍ଗଳବାର ରାତି ୯ଟାରୁ ମନ୍ଦିରରେ ନୀତି ବନ୍ଦ ରହିଥିଲା। ବୁଧବାର ସକାଳୁ ମନ୍ଦିରରେ ପହୁଡ଼ ଖୋଲିବା ପରେ ‌ମଙ୍ଗଳବାର ପରି ବୁଧବାର ଦିନ ମଧ୍ୟ ପୂଜାପଣ୍ଡା ନିଯୋଗ ସେବାୟତ ନୀତିରେ ଅସହଯୋଗ କରି ମଙ୍ଗଳ ଆଳତି କରିନଥିଲେ। ଏହା ପରେ ଅନ୍ୟ କୌଣସି ନୀତି ହୋଇନଥିଲା। ଏନେଇ ଏନେଇ ମନ୍ଦିର କାର୍ଯ୍ୟ ନିର୍ବାହୀଙ୍କୁ ପଚାରିବାରୁ ସେ କିଛି କହିନଥିଲେ।

Share Now:

Kalinga News Beuro

Next Post

ରାଜ୍ୟରେ ୨୪ ଘଣ୍ଟାରେ ୬୫୩ କରୋନା ସଂକ୍ରମିତ ଚିହ୍ନଟ

Thu Aug 11 , 2022
ଭୁବନେଶ୍ବର: ଗତକାଲି ରାଜ୍ୟରେ କରୋନା ସଂକ୍ରମଣ ୫ ଶହ ତଳେ ଥିବା ବେଳେ ଆଜି ୬୫୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୮୪ ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୨୬୯ ଜଣ ସ୍ଥାନୀୟ ସଂକ୍ରମିତ ବୋଲି ଜାଣିବାକୁ ମିଳିଛି। ୦-୧୮ ବର୍ଷ ବର୍ୟସ ମଧ୍ୟରେ ଅଛନ୍ତି ୧୨୮ ଜଣ। ନୂତନ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୩୨୦୬୬୭ରେ ପହଞ୍ଚିଛି। ଏବେ ସୁଦ୍ଧା ସୁସ୍ଥ […]
୨୪ ଘଣ୍ଟାରେ ୬୫୩ କରୋନା ସଂକ୍ରମିତ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial