ପରିମଳ ଯୋଜନାରେ ବିଏମ୍‌ସି ଫେଲ୍‌

ସ୍ମାର୍ଟ ସିଟି ପ୍ରତିଯୋଗିତାରେ ଏକ ନମ୍ବର, ସ୍ୱଚ୍ଛତାରେ ପଛରେ

ଭୁବନେଶ୍ୱର: ସ୍ମାର୍ଟ ସିଟି ପ୍ରତିଯୋଗିତାରେ ଦେଶର ୯୭ ସହରକୁ ପଛରେ ପକାଇ ଭୁବନେଶ୍ୱର ଏକ ନମ୍ବର ହୋଇଗଲା। କିନ୍ତୁ ସ୍ୱଚ୍ଛତା ରେସ୍‌ରେ ବହୁ ପଛରେ ଭୁବନେଶ୍ୱର ପଡ଼ିଯାଇଛି। ଏପରିକି ଦେଶର ଛୋଟ ଛୋଟ ସହର ‘ସ୍ୱଚ୍ଛ ସହର’ ହେବା ପାଇଁ ବହୁ ଆଖିଦୃଶିଆ ଏବଂ ନିଆରା ପଦକ୍ଷେପ ନେଇଥିବାବେଳେ ଭୁବନେଶ୍ୱର ଏଥିରୁ ବହୁ ଦୂରରେ ରହିଯାଇଛି। ଭୁବନେଶ୍ୱରକୁ ସ୍ୱଚ୍ଛ ସହର କରିବା ପାଇଁ ବର୍ଷକୁ ପ୍ରାୟ ୬୫କୋଟି ଟଙ୍କା ଖର୍ଚ୍ଚ କରାଯାଉଛି କିନ୍ତୁ ଯେପରି ସଫଳତା ମିଳିବା କଥା ମିଳୁନାହିଁ। ବିଏମ୍‌ସି ଭୁବନେଶ୍ୱରକୁ ଦେଶର ଅଗ୍ରଣୀ ସ୍ୱଚ୍ଛ ସହରରେ ସାମିଲ୍‌ କରିବାରେ ଫେଲ୍‌ ମାରିଛି। ଯାହା ନିକଟରେ ପ୍ରକାଶ ପାଇଥିବା ସ୍ୱଚ୍ଛତା ସର୍ଭେକ୍ଷଣ-୨୦୧୮ ତାଲିକାରୁ ଜଣାପଡ଼ିଛି। ଯେଉଁ ସହରଗୁଡ଼ିକ ଖୁବ୍‌ କମ୍‌ ଦିନରେ ସ୍ୱଚ୍ଛ ସହର ଭାବେ ପରିଗଣିତ ହୋଇଛନ୍ତି ସେଠାରେ ଯେଉଁଭଳି ପଦକ୍ଷେପ ନିଆଯାଇଛି ତାହାକୁ ବିଏମ୍‌ସି ଆପଣାଇବାରେ କୌଣସି ସମସ୍ୟା ନଥିଲେ ବି କେତେକ ଅଧିକାରୀଙ୍କ ଦୂରଦୃଷ୍ଟିର ଅଭାବ ଏବଂ କିଛି ନୂଆ ପଦକ୍ଷେପ ନନେଇ ପାରିବାର ଅକ୍ଷମତା ଯୋଗୁଁ ଏବେ ଭୁବନେଶ୍ୱର ସ୍ୱଚ୍ଛ ସହର ଭାବେ ପରିଗଣିତ ହୋଇପାରୁନି। ଏପଟେ ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଯେଉଁ ସହର ସ୍ୱଚ୍ଛ ନୁହେଁ ତାହାକୁ ଆମେ ସ୍ମାର୍ଟ ସିଟି କହିପାରିବାନି।

ଭୁବନେଶ୍ୱର ସ୍ୱଚ୍ଛ ସର୍ବେକ୍ଷଣରେ ଭଲ ର‍୍ୟାଙ୍କ ନ ପାଇବାରୁ ବିଏମ୍‌ସି କର୍ତ୍ତୃପକ୍ଷ ଯୁକ୍ତି ବାଢ଼ିଛନ୍ତି ଯେ, କଠିନ ବର୍ଜ୍ୟବସ୍ତୁ ପ୍ଲାଣ୍ଟ ନଥିବାରୁ ଆମେ ଭଲ ମାର୍କ ପାଇପାରିଲୁନି। କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ଯେଉଁ ସହରଗୁଡ଼ିକ ଭଲ ର‍୍ୟାଙ୍କ ପାଇଛନ୍ତି ସେଥିରୁ ୯୦% ସହରରେ ଏହି ପ୍ଲାଣ୍ଟ ନାହିଁ। ଏପରିକି କେତେକ ସହରରେ ଡମ୍ପିଂୟାର୍ଡ ବି ନାହିଁ। ସହରଗୁଡ଼ିକ ଆବର୍ଜନା ସଂଗ୍ରହ କରିବାର ଶୈଳୀ ଏବଂ ଏହାର ପ୍ରକ୍ରିୟାକରଣରେ ସ୍ୱତନ୍ତ୍ରତା ଆଣିଥିବାରୁ ଭଲ ର‍୍ୟାଙ୍କ ପାଇଛନ୍ତି। ନିକଟରେ ସେଣ୍ଟର ଫର୍‌ ସାଇନ୍ସ ଆଣ୍ଡ ଏନଭାଇରନମେଣ୍ଟ (ସିଏସ୍‌ଇ) ପକ୍ଷରୁ ନୂଆଦିଲ୍ଲୀରେ ହୋଇଥିବା ଏକ କର୍ମଶାଳାରୁ ଜଣାପଡ଼ିଛି ଯେ, ମଧ୍ୟପ୍ରଦେଶର ଇନ୍ଦୋର, ମହାରାଷ୍ଟ୍ରର ପଞ୍ଚଗାନି ଏବଂ ଭେଙ୍ଗରୁଲା, କେରଳର ଆଲଫୁଜା ଏବଂ ଥିରୁଅନନ୍ତପୁରମ୍‌, ସିକିମ୍‌ର ଗ୍ୟାଙ୍ଗଟକ୍‌ ଭଳି ସହରରେ ଘରୁ ଏବଂ ମାର୍କେଟରୁ ଆବର୍ଜନା ସଂଗ୍ରହ ବେଳେ ପୃଥକ ପୃଥକ କରି ଆଦାୟ ହେଉଥିବାବେଳେ ଏହାର ତୁରନ୍ତ ପ୍ରକି୍ରୟାକରଣ କରାଯାଉଛି। ଯାହା ଭୁବନେଶ୍ୱରରେ ହେଉନି। ଭୁବନେଶ୍ୱରରେ ଜୈବ ଓ ଅଜୈବ ଆବର୍ଜନା ପୃଥକ ପୃଥକ ଭାବେ ସଂଗ୍ରହ କରିବାକୁ ଦୁଇ ବର୍ଷ ହେଲା ନିୟମ ହେଲାଣି। କିନ୍ତୁ ଏହାକୁ କାର୍ଯ୍ୟକାରୀ କରାଯାଉନି। ସବୁ ଆବର୍ଜନା ଏକାଠି ସଂଗ୍ରହ ହେଉଛି। ଏହାକୁ ନେଇ ଡମ୍ପିଂୟାର୍ଡରେ ଗଦାଇ ଦିଆଯାଉଛି। ସେହିପରି ଜରି ଗୋଟାଳିଙ୍କ ଦ୍ୱାରା ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ସଂଗ୍ରହ କରିବା ଯୋଜନା ବର୍ଷକ ତଳେ ଆରମ୍ଭ ହୋଇଥିଲା। ଏହା ଯେଉଁଦିନ ଆରମ୍ଭ ହେଲା ତାହାର କିଛି ଦିନ ମଧ୍ୟରେ ଏହାର ଯବନିକା ପଡ଼ିଗଲା। ଆବର୍ଜନା ସଂଗ୍ରହ ପାଇଁ ପ୍ରତ୍ୟେକ ଗଳିକନ୍ଦିରେ ଡଷ୍ଟବିନ୍‌ ଥିବାବେଳେ ଏଥିରୁ ଅଧିକାଂଶ ଭାଙ୍ଗିରୁଜି ଗଲାଣି ଏପରିକି ରାସ୍ତା ଉପରେ ଗଦା ହେଉଛି। ପ୍ରତ୍ୟେକ ଘରୁ ଆବର୍ଜନା ସଂଗ୍ରହ ହେଉଛି କି ନାହିଁ ତାହାକୁ ତୃତୀୟ ପକ୍ଷ ଦ୍ୱାରା ଯାଞ୍ଚ କରାଯାଉନି, ଲୋକ କିପରି ଜୈବ ଓ ଅଜୈବ ଆବର୍ଜନା ପୃଥକ ପୃଥକ କରିବେ ସେନେଇ ସଚେତନତା ସୃଷ୍ଟି କରାଯାଉନି। ଅଧିକାଂଶ ସହରରେ ପ୍ଲାଷ୍ଟିକ୍‌ ଓ ପଲିଥିନ୍‌ ବ୍ୟବହାର ନିଷେଧ ହୋଇ ଯାଇଥିବାବେଳେ ଭୁବନେଶ୍ୱରରେ ୫୦ ମାଇକ୍ରନରୁ କମ୍‌ ପଲିଥିନ୍‌ ବ୍ୟବହାର ଉପରେ କଟକଣା ଲାଗିଛି। କିନ୍ତୁ ଏହାକୁ କଡ଼ାକଡ଼ି ପାଳନ କରାଯାଉନି। ଅଧିକାଂଶ ସ୍ଥାନରେ ପ୍ରତ୍ୟେକ ଦିନ ସଫେଇ ହେଉନଥିବାରୁ ଆବର୍ଜନା ଦିନ ଦିନ ଧରି ପଡ଼ି ରହୁଛି। ଯେଉଁଥିପାଇଁ ଭୁବନେଶ୍ୱର ଏବେ ଆବର୍ଜନାମୟ ସହର ପାଲଟିଗଲାଣି।

Share Now:

Kalinga News Beuro

Leave a Reply

Next Post

ସାତକୋଶିଆ ଅଭୟାରଣ୍ୟରେ ପହଞ୍ଚିଲା କାହ୍ନା ବ୍ୟାଘ୍ର ଅଭୟାରଣ୍ୟରୁ ଆସିଥିବା ମହାବଳ ବାଘ

Thu Jun 21 , 2018
ଅନୁଗୁଳ : ମଧ୍ୟପ୍ରଦେଶର କାହ୍ନା ବ୍ୟାଘ୍ର ଅଭୟାରଣ୍ୟରୁ ଓଡିଶାର ସାତକୋଶିଆ ଅଭୟାରଣ୍ୟକୁ ଆସୁଥିବା ୩ବର୍ଷର ମହାବଳ ବାଘ ସାତକୋଶିଆରେ ପହଞ୍ଚିଛି। ଟ୍ରାଙ୍କୁଲାଇଜର ଦିଅାଯାଇ ଏକ ସ୍ୱତନ୍ତ୍ର ଗାଡି ଯୋଗେ ବାଘକୁ ବନବିଭାଗ କର୍ମଚାରୀ ଅନୁଗୁଳର ବଡ଼କେରା ଦେଇ ସାତକୋଶିଆ ଅଭୟାରଣ୍ୟ ଅଭିମୁଖେ ବାଘକୁ ନେଇଛନ୍ତି । ସ୍ୱାସ୍ଥ୍ୟ ପରୀକ୍ଷା ପରେ ବାଘଟିକୁ ଅଭୟାରଣ୍ୟରେ ଛଡ଼ାଯିବ। ପରିବେଶ ସନ୍ତୁଳନ ପାଇଁ ବନବିଭାଗ ଏହି ପଦକ୍ଷେପ ନେଇଛି । ସତକୋଶିଆକୁ ତିନିଟି ପର୍ଯ୍ୟାୟରେ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial