ଥାନା କଡ଼ରେ ବେଧଡ଼କ ବାଣ ବିକ୍ରି: ସରକାରୀ କଟକଣାକୁ ଫୁ’

ଥାନା କଡ଼ରେ ବେଧଡ଼କ ବାଣ ବିକ୍ରି

ଭୁବନେଶ୍ୱର : ରାସ୍ତାକଡ଼ରେ ପୁଣି ଥାନା ଦୁଆର ମୁହଁରେ ମେଲିଛି ବାଣ ପସରା। ରସୁଣ ବାଣଠାରୁ ଆରମ୍ଭ କରି ଘଡ଼ି ବାଣ ପର୍ଯ୍ୟନ୍ତ ସବୁ ମିଳୁଛି। ଖେଳଣା ବନ୍ଧୁକ ଓ ଟିକିଲି ବାଣ ବି ଅଛି। ଖୋଦ୍‌ କ୍ୟାପିଟାଲ ଥାନାଠାରୁ ମାତ୍ର ୨୦ ମିଟର ଦୂରରେ ବେଧଡ଼କ ଚାଲିଛି ଏହି ବାଣ ବେପାର। କମିସନରେଟ୍‌ ପୁଲିସର କଟକଣାକୁ ଫୁ’ କରି ଥାନା ଦୁଆର ମୁହଁରେ ବାଣ ବିକ୍ରି ଚାଲିଥିଲେ ବି ପୁଲିସ ଆଖି ବୁଜି ଦେଇଛି। ପୁଲିସକୁ ଖାତିର ନ କରି କିଭଳି ଜଣେ ମହିଳା ବାଣ ବେପାର କରିବାକୁ ସାହସ କରିଛନ୍ତି, ତାହାକୁ ନେଇ ପ୍ରଶ୍ନ ଉଠିଛି। କ୍ୟାପିଟାଲ ଥାନା ପୁଲିସ କାହିଁକି ନିରବ ରହିଛି ? ସରକାରୀ ନିର୍ଦ୍ଦେଶ ଓ କମିସନରେଟ‌ ପୁଲିସ କଟକଣା ସତ୍ତ୍ବେ ମହିଳା ଜଣକ ଏମିତି ସାହସ କଲେ କେମିତି ? ରାଜଧାନୀର ପ୍ରମୁଖ ଏକ ଥାନା କଡ଼ରେ ଯଦି ଏଭଳି ଅବସ୍ଥା, ତେବେ ଗଳିକନ୍ଦିରେ କଣ ହେଉଥିବ ବୋଲି ପ୍ରଶ୍ନ ଉଠିଛି। ଦୀପାବଳିରେ ବାଣ ନିଷେଧ ହେବ ବୋଲି ସରକାର କଟକଣା ଜାରି କଲା ପରେ କମିସନରେଟ୍‌ ପୁଲିସ ସ୍ବତନ୍ତ୍ର ନିର୍ଦ୍ଦେଶନାମା ଜାରି କରିଥିଲା। କୌଣସି ଲୋକ ବାଣ ବିକ୍ରି କରିପାରିବେ ନାହିଁ। ଏମିତିକି କେହି ବାଣ ଫୁଟାଇଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପୁଲିସ ଘୋଷଣା କରିଥିଲା। ତେଣୁ କମିସନରେଟ୍‌ ପୁଲିସ ପକ୍ଷରୁ ରାଜଧାନୀ ଓ ଜଟଣୀର ବିଭିନ୍ନ ସ୍ଥାନରେ ଚଢ଼ଉ କରିଛି। ସ୍ବତନ୍ତ୍ର ପୁଲିସ ଟିମ୍‌ ଏନ୍‌ଫୋର୍ସମେଣ୍ଟ ପାଇଁ ସହର ସାରା ଘୂରି ବୁଲୁଛି। ହେଲେ ଗତକାଲି ସକାଳୁ ରାସ୍ତା କଡ଼ରେ ଥାନା ନିକଟରେ ଏଭଳି ବେପାର ଦେଖିବାକୁ ମିଳିଥିଲା। ଜଣେ ମହିଳା ଜଣେ ଶିଶୁକୁ ଧରି ବେପାର କରୁଥିଲେ। ଏହାକୁ ନେଇ କିଛି ଲୋକ ପୁଲିସ କମିସନରଙ୍କୁ ଟ୍ବିଟ୍‌ ଜରିଆରେ ଅଭିଯୋଗ କରିଥିଲେ। କିନ୍ତୁ ସନ୍ଧ୍ୟା ସୁଦ୍ଧା କ୍ୟାପିଟାଲ ଥାନା ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା। ସନ୍ଧ୍ୟାରେ ସେଠାରେ ଲୋକମାନେ ପ୍ରବଳ ଭିଡ଼ ଭିତରେ ବାଣ କିଣୁଥିବା ଦେଖିବାକୁ ମିଳିଥିଲା।

Share Now:

Kalinga News Beuro

Next Post

ଏଥର ଦୀପରେ ଦୀପାବଳି : କାଳୀପୂଜା ପାଇଁ ପ୍ରସ୍ତୁତି

Fri Nov 13 , 2020
ଭୁବନେଶ୍ୱର : କରୋନା ସବୁକିଛି ଯେମିତି ଉଜାଡି ଦେଇଛି।ଏ ବର୍ଷ କୌଣସି ପୂଜା ପାର୍ବଣ ସେମିତି ଜାକଜମକରେ ହୋଇପାରୁନି। ଏଥର ମଧ୍ୟ ଦୀପାବଳିରେ ଫୁଟିବନି ବାଣ। ଜମିବନି ଆତସବାଜିର ପ୍ରତିଯୋଗିତା। ବିନା ଢୋ ଢାରେ ଦୀପରେ ବିତିବ ଦୀପାବଳି। ଦୀପ ଓ ଆଲୁଅମାଳାରେ ଘରକୁ ରଙ୍ଗିନ କରି ଦୀପାବଳି ପାଳିବାକୁ ଆରମ୍ଭ ହୋଇଗଲାଣି ସଜବାଜ। ଏନେଇ ଗତକାଲି ରାଜଧାନୀର ପ୍ରମୁଖ ବଜାରମାନଙ୍କରେ ବ୍ୟାପକ ଭିଡ଼ ପରିଲକ୍ଷିତ ହୋଇଥିଲା। ଦୀପ, କାଉଁରିଆ […]
ଦୀପରେ ଦୀପାବଳି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial