ବିଜେଡିରୁ ବିଦା ହେବେ ଦାମ!

ଭୁବନେଶ୍ୱର : ମନ୍ତ୍ରୀ ଥିବା ବେଳେ ନିଜ ତୁଣ୍ଡକୁ ନିୟନ୍ତ୍ରଣରେ ରଖିପାରିଲେନି ବୋଲି ପଦ ଚାଲିଗଲା। ଏବେ ଦଳ ଭିତରେ ରହି ସରକାର ଓ ଦଳ ବିରୋଧରେ ଗଣମାଧ୍ୟମରେ ବିଷୋଦ୍‌ଗାର ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ଡାକ୍ତର ଦାମୋଦର ରାଉତଙ୍କ ପାଇଁ ବିପଦ ଟାଣି ଆଣିଲାଣି। ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ଯେକୌଣସି ମୁହୂର୍ତରେ ବିଜେଡି ମୁଖ୍ୟ ନବୀନ ପଟ୍ଟନାୟକ ତାଙ୍କୁ ବହିଷ୍କୃତ କରିପାରନ୍ତି। ଏଭଳି ଏକ ଚର୍ଚ୍ଚା ଜୋର ଧରିଲାଣି। ଏଇଥିପାଇଁ ଯେ ପୂର୍ବରୁ ବିଭିନ୍ନ ସମୟରେ ଜଗତସିଂହପୁର ଜିଲ୍ଲା ସଭାପତି ତଥା ପୂର୍ବତନ ମନ୍ତ୍ରୀ ବିଷ୍ଣୁ ଦାସ ଖୋଲାଖୋଲି ଡାକ୍ତର ରାଉତଙ୍କ ବିରୋଧରେ ପ୍ରତିକ୍ରିୟା ରଖୁଥିଲେ। ଏବେ ଦଳର ତୃଣମୂଳସ୍ତରରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପ୍ରିମୋଙ୍କ ଉପରେ ଚାପ ବଢିବାରେ ଲାଗିଲାଣି। ଆଜି ଜଗତସିଂହପୁର ଜିଲ୍ଲାର କିଛି ନେତା ନବୀନ ପଟ୍ଟନାୟକଙ୍କୁ ଭେଟି ଦାମୋଦରଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଛନ୍ତି। ତାଙ୍କ କାରନାମାର ଲମ୍ବା ଅଭିଯୋଗ ଧରାଇଛନ୍ତି। କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। ସୂଚନାଯୋଗ୍ୟ ଯେ ଗତ କିଛି ଦିନ ହେବ ଦଳ ଓ ସରକାର ବିରୋଧୀ ବୟାନ ଦେଇ ଚର୍ଚ୍ଚାରେ ରହିଛନ୍ତି ଦାମୋଦର। ଚାରା, ଓମ୍‌ଫେଡ୍‌, ସମବାୟ, ସ୍ୱାସ୍ଥ୍ୟ ବିଭାଗରେ କେଳେଙ୍କାରୀ ହୋଇଛି ବୋଲି ଅଭିଯୋଗ ଆଣି ଗଣମାଧ୍ୟମ ସାମ୍ନାରେ ଗର୍ଜୁଛନ୍ତି। ଠିକ୍‌ ଏମିତି ଏକ ସମୟରେ ଜିଲ୍ଲା ବିଜେଡି ସଭାପତି ବିଷ୍ଣୁ ଦାସ ଆଜି ଦାମଙ୍କୁ ଜେଲରେ ଥିବା ଗ୍ୟାଙ୍ଗଷ୍ଟର ଟିଟୋ ସହିତ ଯୋଡିଛନ୍ତି। ନବୀନଙ୍କୁ ଦେଇଥିବା ଅଭିଯୋଗ ଜରିଆରେ କହିଛନ୍ତି, ଟିଟୋ ଲିଙ୍କ୍‌ରେ ଗିରଫ ହୋଇଥିବା ବାପୁ ପରିଡା ସପକ୍ଷରେ ମନ୍ତବ୍ୟ ଦେଇଥିଲେ ଦାମୋଦର। ପାରାଦୀପରେ ଜୁଲମ କରିଛନ୍ତି। ତିର୍ତ୍ତୋଲର ବିଧାୟିକା ଡାକ୍ତର ରାଜଶ୍ରୀ ମଲ୍ଲିକଙ୍କ ଦ୍ୱାରା କଂଗ୍ରେସର ୨୦୦୦ ମସିହାରୁ ବହୁ ପୁରୁଣା କର୍ମୀଙ୍କୁ ପୌର ପରିଷଦ ସଭାନେତ୍ରୀ କରାଇଛନ୍ତି। ବ୍ଲକ ସଭାନେତ୍ରୀ ଭାବେ ମଧ୍ୟ ନିଯୁକ୍ତି ଦିଆଯାଇଛି। ଦଳର ରାଜ୍ୟ ସଭାପତିଙ୍କ ବିରୋଧରେ କଟୁ ମନ୍ତବ୍ୟ ଦେବାକୁ ଭୁଲୁନାହାନ୍ତି। କେବଳ ସେତିକି ନୁହେଁ, ଲୋକସଭା ସାଂସଦ କୁଳମଣି ଦାସଙ୍କୁ ପ୍ରଭାବିତ କରି ଜଗତସିଂହପୁର ଓ ନାଉଗାଁ ଅଞ୍ଚଳରେ କୌଣସି କାର୍ଯ୍ୟରେ ସହଯୋଗ ନ କରିବାକୁ ପ୍ରବର୍ତାଉଛନ୍ତି। ସେହିପରି ବିଧାୟକ ପ୍ରଶାନ୍ତ ମୁଦୁଲି ଜଣାଇଛନ୍ତି, ନିର୍ବାଚନ ମାତ୍ର ଚାରି ପାଞ୍ଚ ମାସ ଥିବା ବେଳେ ଦାମୋଦର ତାଙ୍କ ନିର୍ବାଚନମଣ୍ଡଳୀ ବାଲିକୁଦା-ଏରସମାରେ ଦଳ ବିରୋଧୀ କାର୍ଯ୍ୟ ଜାରି ରଖିଛନ୍ତି। ଦଳକୁ ଦୁର୍ବଳ କରିବା ପାଇଁ ଉଦ୍ୟମ ଚାଲିଛି। କଂଗ୍ରେସ ଓ ବିଜେପି ସହିତ ସଂପର୍କ ରଖି ଦଳୀୟ କର୍ମୀଙ୍କ ମନକୁ ଦୁର୍ବଳ କରୁଛନ୍ତି। ଗତକାଲି ଏରସମାରେ ବିପ୍ଳବ ଦିବସ କରି ଏଥିରେ କଂଗ୍ରେସ ଓ ବିଜେପି ନେତାଙ୍କୁ ସାମିଲ କରିଥିଲେ। ପୂର୍ବତନ ବିଧାୟକ ଲଲାଟେନ୍ଦୁ ମହାପାତ୍ର, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ରଘୁନନ୍ଦନ ଦାସ, କଂଗ୍ରେସ ନେତା ବିପ୍ଳବ ଚୌଧୁରୀ, ସୁଶାନ୍ତ କାନୁନ୍‌ଗୋ ପ୍ରମୁଖ ଉପସ୍ଥିତ ଥିଲେ। ଡାକ୍ତର ରାଉତଙ୍କ ଉପସ୍ଥିତିରେ ସେମାନେ ବିଜେଡି ସରକାରଙ୍କୁ ସମାଲୋଚନା କରିଥିଲେ। ହେଲେ ତାଙ୍କ ସହିତ ଯୋଗାଯୋଗ କଲେନି ବରଂ କଂଗ୍ରେସ ଓ ବିଜେପି ନେତାଙ୍କ ଗହଣରେ ସଭାକୁ ଆସିଲେ। ପଞ୍ଚାୟତ ନିର୍ବାଚନ ସମୟରେ ମଧ୍ୟ ଦାମୋଦର ଦଳ ବିରୋଧରେ କାର୍ଯ୍ୟ କରିଥିବା ଅଭିଯୋଗ ଆଣିଛନ୍ତି ପ୍ରଶାନ୍ତ। ଏଥିସହିତ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଏହି ଘଟଣାରେ ବିଜେଡି ସଭାପତି ନବୀନ ପଟ୍ଟନାୟକ କୌଣସିି ପ୍ରତିକ୍ରିୟା ଦେଇନାହାନ୍ତି। ହେଲେ ଡାକ୍ତର ରାଉତ କିନ୍ତୁ ଗଣମାଧ୍ୟମକୁ କହିଛନ୍ତି, ମୋତେ ପୂର୍ବରୁ ମନ୍ତ୍ରୀ ପଦରୁ ବହିଷ୍କାର କରାଯାଇଛି। ଦଳୀୟ ଉପସଭାପତି ଓ ପର୍ଯ୍ୟବେକ୍ଷକରୁ ମଧ୍ୟ ବାଦ୍‌ ଦିଆଯାଇଛି। ସେତେବେଳେ ମଧ୍ୟ ନବୀନଙ୍କ ନିକଟକୁ ଯାଇନଥିଲି। ତେଣୁ ଯଦି ଏବେ ମୋତେ ଦଳରୁ ବାହାର କରିବାକୁ ଚାହୁଁଛନ୍ତି ତେବେ କରନ୍ତୁ। ଏଥିରେ କିଛି କହିବାର ନାହିଁ। କିନ୍ତୁ ଅନ୍ୟ କୌଣସି ଦଳରେ ଯୋଗ ଦେବି ନାହିଁ। ଲୋକମାନେ ଚାହୁଁଥିବା ଯାଏଁ ନିର୍ବାଚନ ଲଢିବି। ଉଲ୍ଲେଖଯୋଗ୍ୟ, ବ୍ରାହ୍ମଣଙ୍କୁ ନେଇ ଦେଇଥିବା ବିବାଦୀୟ ବୟାନ ପାଇଁ ଦାମୋଦରଙ୍କୁ ମନ୍ତ୍ରୀପଦରୁ ବିଦା କରାଯାଇଥିଲା। ପରେ ଉପସଭାପତି ଓ ପର୍ଯ୍ୟବେକ୍ଷକ ପଦରୁ ମଧ୍ୟ ତାଙ୍କୁ ବାଦ୍‌ ଦିଆଯାଇଥିଲା।

Share Now:

Kalinga News Beuro

Leave a Reply

Next Post

କ୍ଷୋଭ ଜଣାଇଲା ଓଡ଼ିଶା : ଭାରତ ବନ୍ଦକୁ ସମର୍ଥନ

Tue Sep 11 , 2018
ଶାନ୍ତିପୂର୍ଣ୍ଣ ବନ୍ଦ ପାଳନ, କାଁ ଭାଁ ଗଣ୍ଡଗୋଳ, ମନ ଜିଣିବାକୁ ଗୋଲାପ, ଚକୋଲେଟ୍‌ ଭୁବନେଶ୍ୱର : ତୈଳ ଓ ରନ୍ଧନ ଗ୍ୟାସ ଦର ବୃଦ୍ଧି ଯୁବପିଢି, ମଧ୍ୟମ ଓ ନିମ୍ନ ମଧ୍ୟବିତ୍ତ, ଗୃହିଣୀଙ୍କୁ କେତେ ବାଧିଛି, ଲୋକେ କେତେ ଅସନ୍ତୁଷ୍ଟ, ତାହା ଆଜି ପ୍ରକଟିତ ହୋଇଛି। କାଁ ଭାଁ କେମିତି ଛୋଟ ମୋଟ ଗଣ୍ଡଗୋଳକୁ ବାଦ୍‌ ଦେଲେ କଂଗ୍ରେସ ସମେତ ଦେଶର ୨୨ଟି ରାଜନୈତିକ ଦଳ ଯେଉଁ ଭାରତ ବନ୍ଦ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial