ବିଶୁଦ୍ଧ ହେବ ଦୟା ନଦୀର ଜଳ : ନିର୍ମାଣ ହେବ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳଯୁକ୍ତ ବିଶୋଧନ ପ୍ଲାଣ୍ଟ

ଭୁବନେଶ୍ୱର : ଦୟା ନଦୀର ଜଳ ବିଶୁଦ୍ଧ ହେବ। ଏଥି ପାଇଁ ରାଜ୍ୟ ସରକାର ପ୍ରାରମ୍ଭିକ ପଦକ୍ଷେପ ନେଇଛନ୍ତି। ଦୟା ଓ ଗଙ୍ଗୁଆ ନାଳର ସଂଯୋଗ ସ୍ଥଳରେ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳଯୁକ୍ତ ବିଶୋଧନ ପ୍ଲାଣ୍ଟ ନିର୍ମାଣ ପାଇଁ ନିଷ୍ପତ୍ତି ନେଇଛନ୍ତି। ଦୟା ନଦୀ ପାଣିକୁ ପ୍ରଦୂଷଣମୁକ୍ତ ରଖାଯିବା ଉପରେ ୫ଟି ତଥା ନବୀନ ଓଡିଶାର ଅଧ୍ୟକ୍ଷ ଭି କାର୍ତ୍ତିକେୟନ୍‌ ପାଣ୍ଡିଆନ ଗୁରୁତ୍ୱାରୋପ କରିଛନ୍ତି। ଏ ସମ୍ପର୍କରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ସେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ନଗର ଉନ୍ନୟନ ବିଭାଗ ଏବଂ ଭୁବନେଶ୍ୱର ମହାନଗର ନିଗମକୁ ନିର୍ଦ୍ଦେଶ ଦେଇଛନ୍ତି। ଦୟା ନଦୀର ଜଳକୁ ବିଶୁଦ୍ଧ ରଖିବା ସଂକ୍ରାନ୍ତରେ ଶ୍ରୀ ପାଣ୍ଡିଆନଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅଞ୍ଚଳରେ ଥିବା ବିଭିନ୍ନ ପ୍ରତିଷ୍ଠାନର ଦୂଷିତ ଜଳକୁ ସ୍ୱେରେଜ ଲାଇନ୍‌ ସହିତ ସଂଯୋଗ କରିବା ପାଇଁ ବ୍ୟାଧତାମୂଳକ କରାଯାଇଛି। ଏହା ସହିତ ବିଏମ୍‌ସିର ସବୁ ଘର ଯେପରି ସ୍ବେରେଜ ଲାଇନ୍‌ ସହିତ ଶୀଘ୍ର ସଂଯୁକ୍ତ ହୋଇପାରିବ ସେ ଦିଗରେ ମଧ୍ୟ ସଚେତନତା ସୃଷ୍ଟି କରିବାପାଇଁ ପାଣ୍ଡିଆନ ନିର୍ଦ୍ଦେଶ ଦେଇଛନ୍ତି।
ଦୟା ନଦୀର ଜଳକୁ ବିଶୁଦ୍ଧ କରିବା ପାଇଁ ଦୟା ଓ ଗଙ୍ଗୁଆର ସଂଯୋଗ ସ୍ଥଳରେ ୱାଟ୍‌କୋ ପକ୍ଷରୁ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳଯୁକ୍ତ ଏକ ବିଶୋଧନ ପ୍ଲାଣ୍ଟ ନିର୍ମାଣ କରାଯିବା ପାଇଁ ପଦକ୍ଷେପ ନିଆଯାଇଛି। ଭୁବନେଶ୍ୱରରେ ବିଭିନ୍ନ ଶିଳ୍ପାନୁଷ୍ଠାନଗୁଡ଼ିକର ବର୍ଜ୍ୟବସ୍ତୁ ଓ ଜଳର କିପରି ଉପଯୁକ୍ତ ବିଶୋଧନ କରାଯାଇପାରିବ ସେଥିପାଇଁ ଇଡ୍‌କୋ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ବିଏମ୍‌ସି ପକ୍ଷରୁ ନିୟମିତ ଯାଞ୍ଚ କରାଯିବ। ଏଥିସହିତ ମହାନଗରର ବିଭିନ୍ନ ନର୍ଦ୍ଦମା ଜଳ ବିଶୋଧନ ପ୍ଲାଣ୍ଟରେ ପହଞ୍ଚିବା ପୂର୍ବରୁ ସେଗୁଡିକର ୱାଟ୍‌କୋ ଓ ରାଜ୍ୟ ପ୍ରଦୂଷଣ ବୋର୍ଡ ପକ୍ଷରୁ ନିୟମିତ ବୈଷୟିକ ଯାଞ୍ଚ ପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।

Share Now:

Kalinga News Beuro

Next Post

ଆତ୍ମହତ୍ୟା କରିବାକୁ ଯାଇ ବ୍ରିଜରେ ଫସିଗଲେ ଯୁବକ : ଉଦ୍ଧାର କଲେ ଅଗ୍ନିଶମବାହିନୀ

Fri Dec 8 , 2023
ଭୁବନେଶ୍ୱର: ଜଣେ ଯୁବକ ଆତ୍ମହତ୍ୟା କରିବାକୁ ଯାଇ ବିଫଳ ହୋଇଥିବା ଜଣାଯାଇଛି। ଆତ୍ମହତ୍ୟା କରିବାକୁ ଯାଇଥିଲେ ମଝି ନଦୀରେ ବ୍ରିଜରେ ଫସିଗଲେ ଯୁବକ। ଦୀର୍ଘ ଘଣ୍ଟାର ଅପରେସନ୍ ପରେ ଯୁବକଙ୍କୁ ଉଦ୍ଧାର କରିଛି ଅଗ୍ନିଶମ ବିଭାଗ। ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱର ପାତ୍ରପଡା ଅଞ୍ଚଳର ଶେଖ ଜାହାଙ୍ଗୀର ନାମକ ଜଣେ ଯୁବକ ପାରିବାରିକ କଳହ କାରଣରୁ ବାଙ୍କୀ ମହାନଦୀର ଯାତମୁଣ୍ଡିଆ ବ୍ରିଜ୍ ଉପରେ ଆତ୍ମହତ୍ୟା ଉଦ୍ୟମ ପାଇଁ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial