ଆଜି ବିଶ୍ବ ହସ୍ତୀ ଦିବସ, ଫେରିବ କି ‘ଚନ୍ଦକା’ର ଗୌରବ ?

ଆଜି ବିଶ୍ବ ହସ୍ତୀ ଦିବସ

ଚନ୍ଦକା : ଚନ୍ଦକାରେ ଥିଲେ ୮୦ ହାତୀ। ରାଜଧାନୀକୁ ପଶି ଆସୁଥିଲେ। ଲୋକଙ୍କ ଘର ଭାଙ୍ଗୁଥିଲେ। ବାଡ଼ିରେ ପଶି ଫସଲ ବି ନଷ୍ଟ କରୁଥିଲେ। କାହା ବାଡ଼ିର କଦଳୀ ଗଛ ଖାଇ ଦେଉଥିଲେ ତ ଆଉ କାହାର ବାଇଗଣ ବିଲକୁ ଗୋଡ଼ରେ ଦଳି ନଷ୍ଟ କରି ଦେଉଥିଲେ। ୯୦ ଦଶକରେ ରାଜଧାନୀବାସୀ ଏଭଳି ଦୃଶ୍ୟ ଦେଖିବାକୁ ପାଉଥିଲେ। ସହର ଭିତରକୁ ପଶି ଆସି ଲୋକଙ୍କୁ ଗୋଡ଼ାଉଥିଲେ। ଦିନେ ଦିନେ ଏମିତି ସ୍ଥିତି ହେଉଥିଲା ଯେ ସନ୍ଧ୍ୟା ହେଲେ ସହର ଉପକଣ୍ଠରେ ଲୋକଙ୍କ ତାଟି କବାଟ ପଡ଼ିଯାଉଥିଲା। ଭୟ‌ରେ କେହି ପଦାକୁ ବାହାରୁ ନ ଥିଲେ। ଯେଉଁଥିପାଇଁ ୧୭୫.୭୯ ବର୍ଗ କିମିର ଏହି ଜଙ୍ଗଲକୁ ୧୯୮୨ରେ ହାତୀ ଅଭୟ‌ାରଣ୍ୟର ମାନ୍ୟତା ମିଳିଥିଲା। ଓଡ଼ିଶା ତଥା ରାଜଧାନୀ ପାଇଁ ଏହା ଗୌରବର ବିଷୟ ପାଲଟିଥିଲା। ତେବେ ଏହି ଦୁଇ ଦଶନ୍ଧି ମଧ୍ୟରେ ସବୁ କିଛି ବଦଳିଗଲାଣି। ଘଞ୍ଚ ଜଙ୍ଗଲ ଥିବା ଚନ୍ଦକା-ଡମପଡ଼ା ଅଭୟାରଣ୍ୟ ଏବେ କଂକ୍ରିଟ୍‌ ଜଙ୍ଗଲରେ ପରିଣତ ହେଉଛି। ଯୁଆଡ଼େ ଚାହିଁଲେ କେବଳ କୋଠା ହିଁ କୋଠା। ଆଖି ପାଉ ନ ଥିବା ଘଞ୍ଚ ଜଙ୍ଗଲ ଏବେ କୋଠାମୟ ପାଲଟିଛି। ଆଉ ୮୦ରୁ ଅଧିକ ହାତୀ ଚଳପ୍ରଚଳ କରୁଥିବା ଏହି ଅଭୟାରଣ୍ୟ ହାତୀ ଶୂନ୍ୟ ହେବା ନେଇ ମଧ୍ୟ ଆଶଙ୍କା ପ୍ରକାଶ ପାଉଛି। ୨୦୧୭ ହାତୀ ଗଣନା ରିପୋର୍ଟ ଆଧାରରେ ଏବେ ଏଠାରେ ଗୋଟିଏ ହାତୀ ରହିଛି। ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ୧୯୭୯ ଠାରୁ ରାଜ୍ୟରେ ହାତୀ ଗଣନା ମେ’ ମାସରେ କରାଯାଉଛି। ୧୯୭୯ ମସିହାରେ ଚନ୍ଦକାରେ ଗୋଟିଏ ବି ହାତୀ ନ ଥିଲେ। ତେବେ ୧୯୯୯ ଗଣନା ସମୟରେ ଏଠାରେ ୮୩ଟି ହାତୀ ଦେଖିବାକୁ ମିଳିଥିଲା। ୨୦୦୨ରେ ୬୨ଟି ହାତୀ ଥିବା ବେଳେ ୨୦୦୭ରେ ୬୭, ୨୦୧୦ରେ ଏହା ବହୁ ପରିମାଣରେ ହ୍ରାସ ପାଇ ୨୩ରେ ପହଞ୍ଚିଥିଲା। ୨୦୧୨ରେ ୨୪, ୨୦୧୫ରେ ୮ ଓ ୨୦୧୭ ଗଣନା ସମୟରେ ଏହି ଅଭୟାଣ୍ୟରେ ମାତ୍ର ଗୋଟିଏ ହାତୀକୁ ଦେଖିବାକୁ ମିଳିଥିଲା। ଯଦି ଭୁବନେଶ୍ବର ସର୍କଲ କଥା ବିଚାରକୁ ନିଆଯାଏ ତେବେ ଏଠାରେ ୨୦୧୭ରେ ୪୮ଟି ହାତୀ ରହିଥିଲେ। ଖୋର୍ଦ୍ଧା ବନ୍ୟପ୍ରାଣୀ ଡିଭିଜନ୍‌ରେ ସର୍ବାଧିକ ୩୩ଟି ହାତୀ ଥିବା ବେଳେ ନୟାଗଡ଼ ଡିଭିଜନ୍‌ରେ ୧୪ ଓ ଚନ୍ଦକା-ଡମପଡ଼ାରେ ଗୋଟିଏ ଅଣ୍ଡିରା ହାତୀ ଚିହ୍ନଟ ହୋଇଥିଲେ।
ଏବେ ଆଶ୍ବସ୍ତିକର ବିଷୟ ହେଉଛି ଯେ ରାଜ୍ୟର ଅନ୍ୟାନ୍ୟ ଅଭୟାରଣ୍ୟରୁ ଏଠାକୁ ହାତୀଙ୍କ ଆଗମନ ବଢ଼ିଛି। ଅଭୟାରଣ୍ୟରେ ହାତୀଙ୍କ ଲାଗି ବ୍ୟାପକ ବୃକ୍ଷରୋପଣ ସହ ଚାରିପଟେ ଖାଇ ନିର୍ମାଣ, ପାଚେରି ନିର୍ମାଣ, ଜଙ୍ଗଲ ଭିତରକୁ ଗୃହପଳିତ ପଶୁଙ୍କ ପ୍ରବେଶ ଉପରେ କଟକଣା, ବନ ସୁରକ୍ଷା ବାହିନୀ ନିୟୋଜିତ, ଅଗ୍ନି ନିରୋଧକ ବାହିନୀ, ୧୨ରୁ ଅଧିକ ୱାଚ୍‌ ଟାୱାର ନିର୍ମାଣ ସହ ୩୦ରୁ ଅଧିକ ବନ ସୁରକ୍ଷା ସମିତି ଗଠନ ହେବା ଦ୍ୱାରା ଜଙ୍ଗଲରେ ହାତୀଙ୍କ ଚଳପ୍ରଚଳ ସ୍ୱାଭାବିକ ହୋଇପାରୁଛି। ମଣିଷ-ହାତୀ ଲଢ଼େଇ ବହୁ ପରିମାଣରେ କମିଛି। ବନ କର୍ମଚାରୀମାନେ ୨୪ ଘଣ୍ଟିଆ ନଜର ରଖୁଥିବାରୁ ହାତୀଙ୍କ ଆଗମନ ବଢ଼ୁଛି। ଯଦି ଏମିତି ଚାଲେ ତାହା ହେଲେ ଅଭୟାରଣ୍ୟରେ ହାତୀଙ୍କ ସଂଖ୍ୟା ବଢ଼ିବ ବୋଲି ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି। ଚନ୍ଦକା-ଡମପଡ଼ା ଡିଏଫ୍‌ଓ କେଦାରନାଥ ସ୍ବାଇଁଙ୍କ କହିବାନୁଯାୟୀ ହାତୀଙ୍କ ସୁରକ୍ଷାକୁ ଆମେ ସବୁବେଳେ ପ୍ରାଥମିକତା ଦେଇଛୁ। ସେମାନଙ୍କ ଖାଦ୍ୟ ଲାଗି ବାଉଁଶ ବଣ ସୃଷ୍ଟି କରିବା ସହ ଜଳାଶ୍ରୟ ଖୋଳାଯାଇଛି। ଯେଉଁଥିପାଇଁ ଗତ ୬ ମାସ ହେଲା ଅଭୟାରଣ୍ୟରେ ଲଗାତାର ଭାବେ ୧୫ରୁ ଅଧିକ ରହୁଛନ୍ତି। ଏପ୍ରିଲ ମାସରେ ୨୦ରୁ ହାତୀ ରହିଥିଲେ। ଏକ ୬ ଟିକିଆ ହାତୀ ପଲ କିଛି ଦିନ ରହିବା ପରେ ଆଠଗଡ଼କୁ ଚାଲିଯାଇଛନ୍ତି। ଏବେ ଭରତପୁର ସଂରକ୍ଷିତ ଜଙ୍ଗଲରେ ଏକ ୧୪ ଟିକିଆ ହାତୀ ପଲ ରହିଛନ୍ତି। ସେଥିରେ ୩ଟି ଛୁଆ ହାତୀ ରହିଛନ୍ତି। ଏହାବ୍ୟତୀତ ଚନ୍ଦକାରେ ୨ଟି ହାତୀ ଅଛନ୍ତି। ବନ ବିଭାଗର କର୍ମଚାରୀ ୨୪ ଘଣ୍ଟା ଧରି ସେମାନଙ୍କ ଉପରେ ନଜର ରଖିଛନ୍ତି।

Share Now:

Kalinga News Beuro

Next Post

ଶ୍ରୀଲିଙ୍ଗରାଜ ମନ୍ଦିରରେ ଜନ୍ମାଷ୍ଟମୀ: ପ୍ରଭୁ ଦର୍ଶନରୁ ଭକ୍ତ ବଞ୍ଚିତ

Wed Aug 12 , 2020
ପୁରୁଣା ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମନ୍ଦିରରେ ପବିତ୍ର ଜନ୍ମାଷ୍ଟମୀ ପାଳନ ଏକ ଅନ୍ୟନ୍ୟ ଓ ସୁନ୍ଦର ପରମ୍ପରା। ଏହି ଅବସରରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ନାଭିକଟା ବିଧି ଶ୍ରଦ୍ଧାଳୁମାନଙ୍କ ପାଇଁ ବେଶ୍ ଉତ୍ସାହ ଓ ଉତ୍କଣ୍ଠାର ସମୟ ହୋଇଥାଏ। ଏହି ଅପୂର୍ବ ଲୀଳାର ଦର୍ଶନ ପାଇଁ ଭକ୍ତମାନେ ପ୍ରତିବର୍ଷ ଆଜିର ଦିନକୁ ବଡ଼ ଆଗ୍ରହର ସହ ଅପେକ୍ଷା କରିଥାନ୍ତି। କିନ୍ତୁ ଚଳିତ ବର୍ଷ ମହାମାରୀ କରୋନା ଶ୍ରଦ୍ଧାଳୁମାନଙ୍କୁ ଏହି ଅପୂର୍ବ ଲୀଳା ଦର୍ଶନରୁ […]
ଶ୍ରୀଲିଙ୍ଗରାଜ ମନ୍ଦିରରେ ଜନ୍ମାଷ୍ଟମୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial