ବନ୍ୟା ପ୍ରଭାବ: ପରିବା ପେଣ୍ଠରେ କସି ମିଳୁନି, ବିକୁଥିଲେ, ଆଜି କିଣି ପାରୁନାହାନ୍ତି

ବନ୍ୟା ପ୍ରଭାବ

ବାଲିଅନ୍ତା: ଦିନେ ଏସବୁ ଅଞ୍ଚଳ ଥିଲା ପରିବା ଉତ୍ପାଦନର ପେଣ୍ଠ। ଏଠୁ ରାଜଧାନୀକୁ ରପ୍ତାନି ହେଉଥିଲା ପରିବ। ବାଇଗଣ, କାକୁଡ଼ି, କଖାରୁ, ପୋଟଳ, ଜହ୍ନି, ଭେଣ୍ଡି ଓ ନାନାଦି ପ୍ରକାରର ଶାଗ ବିକ୍ରି ପାଇଁ ଯାଉଥିଲା ଭୁବନେଶ୍ବର। ସ୍ଥାନୀୟ ଲୋକଙ୍କ ପାଇଁ ପରିବା ଏକ ସମସ୍ୟା ନଥିଲା। କିନ୍ତୁ ବନ୍ୟା ଆଜି ସବୁ ବଦଳାଇଦେଇଛି। ଯେଉଁଠି ଗୋରୁ ପରିବା ଖାଉଥିଲେ, ସେଠି ମଣିଷ ପାଇଁ ନାହିଁ। ବିଲ, ନଦୀପଠା ଓ ବାଡ଼ିରେ କେଉଁଠି ପରିବା କସିଟିଏ ନାହିଁ। ଆଜି ଓଲଟା ଭୁବନେଶ୍ବରରୁ ଚାଲାଣ ପରିବା ଆସୁଛି ଓ ତା’ର ପୁଣି ଆକାଶଛୁଆଁ ଦର। ତେଣୁ ଏବେ ଆଳୁ ଓ ପିଆଜ ସେମାନଙ୍କ ଜୀବନ ବଞ୍ଚାଇଛି। ଏହା ହେଉଛି ବନ୍ୟାରେ ବୁଡ଼ି ଯାଇଥିବା ବାଲିଅନ୍ତା ଓ ବାଲିପାଟଣାର ପରିବା ଉତ୍ପାଦନ ଅଞ୍ଚଳର କଥା। ସୂଚନାଯୋଗ୍ୟ, କୁଶଭଦ୍ରା ନଦୀ ସଂଲଗ୍ନ ପଟୁପଡ଼ା, ସୁବାଲୋ, ବୁଡ଼ାଲୋ, ସାନ ବଇଁଚୁଆ, ଅରିଙ୍ଗଳ ନୂଆସାହି, କୂଳସାହି ଓ ସାହେବନଗର ଅଞ୍ଚଳରେ ବ୍ୟାପକ ପରିବା ଚାଷ ହୁଏ। ଭାର୍ଗବୀ ତଟବର୍ତ୍ତୀ ଝିଣ୍ଟିଶାସନ, ଚଢ଼େଇବର, ସିଙ୍ଗିରିଶାସନ ଓ ପୁରୋହିତପୁର ଅଞ୍ଚଳ ବି ପରିବା ଚାଷ ପାଇଁ ବେଶ୍ ଜଣାଶୁଣା। ସେହିଭଳି ଦୟା ନଦୀର ଅବବାହିକା ସରଦେଇପୁର, କୁମାରଡିହ, ଜୟପୁର ଓ ଇଟିପୁର ଆଦି ଅଞ୍ଚଳରେ ବ୍ୟାପକ ପରିବା ଚାଷ ହୋଇଥାଏ। ବଡ଼ କଥା ହେଉଛି ଏସବୁ ଅଞ୍ଚଳରେ ହେଉଥିବା ବିଭିନ୍ନ ପରିବା ସ୍ଥାନୀୟ ଅଞ୍ଚଳର ଚାହିଦା ପୂରଣ କରିବା ପ‌ରେ ବଳକା ହେଉଥିଲା ଏବଂ ଏଠାରୁ ଚାଷୀ ଓ ବେପାରୀମାନେ ରାଜଧାନୀକୁ ପରିବା ଚାଲାଣ କରୁଥିଲେ। କିନ୍ତୁ ଏବେର ଚିତ୍ର ପୂରା ଓଲଟା। ପରିବା କିଆରୀରେ ସବୁ ପଚିସଢ଼ି ଯାଇଛି। ବନ୍ୟା ପାଣି ମାଡ଼ିଯିବାରୁ କଖାରୁ, ପୋଟଳ, କାକୁଡ଼ି ଭଳି ପରିବା ଗଛ ପଟୁ ତଳେ ରହି ପଚି ଯାଇଛି। ଫୁଲ ଓ ଫଳ ଭରା ବାଇଗଣ, ଭେଣ୍ଡି କିଆରୀରେ ଠିଆ ହୋଇଛି କେବଳ ଖୁଣ୍ଟା। କୋଶଳା, ଲେଉଟିଆ ଓ ଧନିଆଁ ବାଡ଼ିର ପତ୍ତା ମିଳୁନି। ତେଣୁ କେଉଁଠି ବି ପରିବା କସିଟିଏ ଦେଖିବାକୁ ମିଳୁନି। ଏବେ ଭୁବନେଶ୍ବରରୁ ଏହି ଅଞ୍ଚଳକୁ ଆସୁଛି ପରିବ। ନିତିଦିନିଆ ପରିବା ବାଇଗଣ ୬୦ ଟଙ୍କା, ପୋଟଳ ୮୦ ଟଙ୍କା, ଝୁଡ଼ଙ୍ଗ ୮୦ ଟଙ୍କା ଓ କାକୁଡ଼ି ୫୦ ଟଙ୍କା ପଡ଼ୁଛି। ସେହିଭଳି ବଜାରରେ ବିନ୍‌ସ ଦର କିଲୋ ପିଛା ୧୨୦ ଟଙ୍କା, କାଙ୍କଡ଼ ୧୩୦ ଟଙ୍କା, ଚାଲାଣ କାଙ୍କଡ଼ ୬୦ ଟଙ୍କା ରହିଛି। ବଡ଼ କଥା ହେଉଛି, ଏସବୁ ଅଞ୍ଚଳରେ କଞ୍ଚାଲଙ୍କା ଏକପ୍ରକାର ମାଗଣାରେ ମିଳୁଥିଲା। ପରିବା ଗ୍ରାହକ ମାଗିଦେଲେ, ବେପାରୀ ମୁଠାଏ ପକାଇ ଦେଉଥିଲା। କିନ୍ତୁ ଏବେ କଞ୍ଚା ଲଙ୍କା କିଲୋ ୧୨୦ ଟଙ୍କା। ବନ୍ୟାରେ ଗରିବ କୃଷି ଶ୍ରମିକମାନେ ଓ ଅନ୍ୟ ଦିନ ମଜୁରିଆମା‌ନେ କାମ ନପାଇ ରୋଜଗାର ହରାଇ ବସିଛନ୍ତି। ଏମିତି ସମୟରେ ପରିବା ଦର ସେମାନଙ୍କୁ ବେଶ୍ ବାଧୁଛି। ସବୁଜ ପରିବା କିଣିବା ସେମାନଙ୍କ ପକ୍ଷେ ସମ୍ଭବ ହେଉନାହିଁ। ତେଣୁ ଆ‌ଳୁ, ପିଆଜ ଓ ଟମାଟୋରେ ବହୁ ଲୋକ କାମ ଚଳାଉଥିବା କହିଛନ୍ତି।

Share Now:

Kalinga News Beuro

Next Post

ମାଟିରେ ମିଶିବ ବାଦାମବାଡ଼ି ବାଣିଜ୍ୟକର ବିଭାଗର ୭୨ କ୍ବାର୍ଟର୍ସ

Wed Aug 24 , 2022
କଟକ: ମାଟିରେ ମିଶିବ ବାଦାମବାଡ଼ି ନ୍ୟୁ ଏଲ୍ଆଇସି କଲୋନିସ୍ଥିତ ବାଣିଜ୍ୟ କର ବିଭାଗର ୭୨ କ୍ବାର୍ଟର୍ସ। ଏହା ବଦଳରେ ବାଣିଜ୍ୟ କର ଜୋନ୍ କାର୍ଯ୍ୟାଳୟ ପାଇଁ ନିର୍ମାଣ ହେବ ଅତ୍ୟାଧୁନିକ ପ୍ରାସାଦ। ଏସଂକ୍ରାନ୍ତରେ ବାଣିଜ୍ୟ କର ଓ ଦ୍ରବ୍ୟ ଏବଂ ସେବା କର ବିଭାଗ ପକ୍ଷରୁ ବିଧିବଦ୍ଧ ନିଷ୍ପତ୍ତି ହୋଇଛି। ଭଙ୍ଗା ହେବାକୁ ଥିବା କ୍ବାର୍ଟର୍ସରେ ରହୁଥିବା କର୍ମଚାରୀଙ୍କୁ ଏବିଷୟରେ ଜଣାଇ ଦିଆଯାଇଛି। ବାଣିଜ୍ୟ କର ବିଭାଗ ପକ୍ଷରୁ ଏକ […]
ଉଚ୍ଛେଦ ହେବ ଜିଏଚ୍ଆଇ ବ୍ଲକ୍‌

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial