ହାଇଦ୍ରାବାଦ: ସୋମବାର ରାତିରେ ସିକନ୍ଦରାବାଦର ମୋଣ୍ଡା ମାର୍କେଟ୍ ଅଞ୍ଚଳରେ ଥିବା ଗୋଟାଏ ଇଲେକ୍ଟ୍ରିକ୍ ସ୍କୁଟର୍ ସୋ’ରୁମ୍ରେ ଅଗ୍ନିକାଣ୍ଡ ଘଟିବାରୁ ୨ଜଣ ମହିଳାଙ୍କ ସମେତ ଅନ୍ୟୂନ ୮ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଏବଂ ୧୩ ଜଣ ଆହତ ହୋଇଥିବା କଥା ପୁଲିସ କହିଛି। ସଂଗୃହୀତ ସୂଚନା ଅନୁସାରେ, ସିକନ୍ଦରାବାଦସ୍ଥିତ ‘ପାସ୍ପୋର୍ଟ ଅଫିସ୍’ ପାଖରେ ଥିବା ‘ରୁବି ଇଲେକ୍ଟ୍ରିକାଲ୍ ସ୍କୁଟର୍ ସୋ’ରୁମ୍’ରେ ଗତରାତି ପ୍ରାୟ ୧୦ଟା ବେଳେ ନିଆଁ ଲାଗିଯିବାରୁ ୪ ତାଲାବିଶିଷ୍ଟ ଉକ୍ତ ଅଟ୍ଟାଳିକାରେ ଥିବା ଲଜ୍ ଓ ରେସ୍ତୋରାଁକୁ ନିଆଁ ବ୍ୟାପି ଯାଇଥିଲା। ସ୍କୁଟର୍ ସୋ’ରୁମ୍ରୁ ନିଆଁ ଓ ଧୂଆଁ ଉଠୁଥିବା ଦେଖି ରେସ୍ତୋରାଁର କର୍ମଚାରୀମାନେ ଅଗ୍ନିଶମ ବିଭାଗକୁ ସୂଚନା ଦେବା ପରେ ସେମାନେ ଆସି ନିଆଁ ଲିଭାଇଥିଲେ। ପୁଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଥିଲା। ପୁଲିସ କହିବା ଅନୁସାରେ, ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ତଳତାଲାରେ ସ୍କୁଟର୍ ସବୁ ଚାର୍ଜରେ ବସିଥିଲା। ସେଥିରୁ ସର୍ଟସର୍କିଟ୍ ଘଟି ନିଆଁ ଲାଗିଯାଇଥାଇ ପାରେ। ନିଆଁ ବ୍ୟାପି ଯିବାରୁ ପ୍ରଥମ ଓ ଦ୍ବିତୀୟ ତାଲାରେ ଥିବା ପ୍ରାୟ ୨୪ଜଣ ଲୋକ ନିଆଁ ଓ ଧୂଆଁ ଘେରରେ ଫସି ରହିଥିଲେ। ସେମାନଙ୍କ ମଧ୍ୟରୁ ୮ଜଣଙ୍କର ମୃତ୍ୟୁ ଘଟିଛି। ଜୀବନ ବିକଳରେ କେତେକ ଲୋକ ତଳକୁ ଡେଇଁ ପଡ଼ିଥିବା ବେଳେ ବାକି ଲୋକଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ। ଅଧିକାଂଶ ମୃତବ୍ୟକ୍ତି ହେଉଛନ୍ତି ବାହାର ରାଜ୍ୟର ବାସିନ୍ଦା। ତେଲେଙ୍ଗାନା ଗୃହମନ୍ତ୍ରୀ ମହମ୍ମଦ ଅଲି କହିଛନ୍ତି, ବଡ଼ ଦୁଃଖଦ ଘଟଣା। ଲଜ୍ ଭିତରୁ ଲୋକମାନଙ୍କୁ ଉଦ୍ଧାର କରିବା ଲାଗି ଦମକଳ ବାହିନୀ ଆପ୍ରାଣ ଚେଷ୍ଟା କଲେ କିନ୍ତୁ, ଭୀଷଣ ଧୂଆଁ ଯୋଗୁଁ କିଛି ଲୋକଙ୍କର ମୃତ୍ୟୁ ଘଟିଲା। ତଥାପି କେତେଜଣଙ୍କୁ ଲଜ୍ରୁ ଉଦ୍ଧାର କରାଯାଇଛି। ଅଘଟଣର କାରଣ ଜାଣିବା ଲାଗି ତଦନ୍ତ ଆରମ୍ଭ ହୋଇଛି। ଚିକିତ୍ସା ନିମନ୍ତେ ଆହତମାନଙ୍କୁ ନିକଟରେ ଥିବା ଗାନ୍ଧୀ ଓ ଯଶୋଦା ହସ୍ପିଟାଲ୍କୁ ନିଆଯାଇଛି। ଏହି ଅଘଟଣ ପାଇଁ ପ୍ରଧାନମନ୍ତ୍ରୀ ପ୍ରତ୍ୟେକ ମୃତକଙ୍କ ନିମନ୍ତେ ଦୁଇ ଲକ୍ଷ ଓ ଆହତଙ୍କ ନିମନ୍ତେ ପଚାଶ ହଜାର ଟଙ୍କାର ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି।
ଇଲେକ୍ଟ୍ରିକ୍ ସ୍କୁଟର୍ ସୋ’ରୁମ୍ରେ ନିଆଁ ଲାଗି ୮ଜଣଙ୍କ ମୃତ୍ୟୁ : ପ୍ରଧାନମନ୍ତ୍ରୀଙ୍କ ସହାୟତା ଘୋଷଣା

Share Now: