ଶ୍ରୀନଗର : ଜମ୍ମୁ ଓ କଶ୍ମୀରରେ ସୁରକ୍ଷା ବାହିନୀକୁ ଗୁରୁବାରଦିନ ଏକ ବଡ଼ ସଫଳତା ମିଳିଛି। ରାଜୌରୀ ଜିଲ୍ଲାରୁ ଏକ ହାଇବ୍ରିଡ୍ ଆତଙ୍କବାଦୀକୁ ଗିରଫ କରାଯାଇଛି। ସେ ଏକ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ କରିବା ଲାଗି ପ୍ରସ୍ତୁତ ହେଉଥିଲା। ତା ନିକଟରୁ ଅସ୍ତ୍ରଶସ୍ତ୍ର, ବିସ୍ଫୋରକ, ପ୍ରାୟ ୧ ଲକ୍ଷ ୮୧ ହଜାର ଟଙ୍କା ଜବତ ହୋଇଛି। ଗିରଫ ଆତଙ୍କବାଦୀର ନାଁ ହେଉଛି ଜାଫର ଇକବାଲ। ସେ ଲସ୍କର-ଇ-ତୋଇବା ଆତଙ୍କବାଦୀ ମହମ୍ମଦ ଇସାକର ଭାଇ ବୋଲି ଜଣାପଡ଼ିଛି। ହାଇବ୍ରିଡ୍ ଆତଙ୍କବାଦୀର ଅର୍ଥ ହେଉଛି ଯେଉଁ ଆତଙ୍କବାଦୀ ସଂପର୍କରେ ସୁରକ୍ଷା ବାହିନୀ କିମ୍ବା ଗୁଇନ୍ଦା ଏଜେନ୍ସିମାନଙ୍କ ପାଖରେ କୌଣସି ତଥ୍ୟ ନଥିବ ଓ ସେ ଏକ ସାଧାରଣ ଲୋକ ଭଳି ଜୀବନଯାପନ କରୁଥିବ। ଉପରୁ ନିର୍ଦ୍ଦେଶ ମିଳିବା ପରେ ସେ ସୁଯୋଗ ଦେଖି ଆକ୍ରମଣ କରିବ ଓ ତାପରେ ପୁଣି ସାଧାରଣ ଲୋକଙ୍କ ଭଳି ଜୀବନଯାପନ କରିବ। ଏପରି ଆତଙ୍କବାଦୀଙ୍କୁ ଠାବ କରିବା ବେଶ କଷ୍ଟକର। ଇକବାଲକୁ ଗିରଫ କରି ସୁରକ୍ଷା ବାହିନୀ ବଡ଼ ସଫଳତା ହାସଲ କରିଛି। ଜାଫର ଇକବାଲ ପାକିସ୍ତାନରେ ଥିବା ନିଜ ହାଣ୍ଡଲରମାନଙ୍କ ସହ ଯୋଗାଯୋଗରେ ଥିବାବେଳେ ଗୁଇନ୍ଦା ଏଜେନ୍ସିମାନେ ତାହା ଠାବ କରିଥିଲେ। ଗୁଇନ୍ଦା ଏଜେନ୍ସି ପକ୍ଷରୁ ଇନପୁଟ ମିଳିବା ପରେ ସ୍ଥାନୀୟ ପୁଲିସ, ସିଆରପିଏଫ ଓ ରାଷ୍ଟ୍ରୀୟ ରାଇଫଲ୍ସ ପକ୍ଷରୁ ଅଂଗ୍ରଲା ଜଙ୍ଗଲରେ ଏକ ମିଳିତ ଅପରେସନ କରି ତାକୁ ଗିରଫ କରାଯାଇଥିଲା।
ଜମ୍ମୁ ଓ କଶ୍ମୀର ସୁରକ୍ଷା ବାହିନୀ ହାତରେ ହାଇବ୍ରିଡ୍ ଆତଙ୍କବାଦୀ

Share Now: