ନୂଆଦିଲ୍ଲୀ: ଆଜି ଅରୁଣାଚଳ ପ୍ରଦେଶର ତୱାଙ୍ଗ୍ ଅଞ୍ଚଳ ନିକଟରେ ଭାରତୀୟ ସେନା ବାହିନୀର ଗୋଟାଏ ଚିତା ହେଲିକପ୍ଟର୍ ଦୁର୍ଘଟଣାଗ୍ରସ୍ତ ହେବାରୁ ଜଣେ ପାଇଲଟ୍ଙ୍କର ମୃତ୍ୟୁ ଘଟିଥିବା କଥା ସେନା ଅଧିକାରୀମାନେ କହିଛନ୍ତି। ଆହତ ଅବସ୍ଥାରେ ପାଇଲଟ୍ ଲେଫ୍ଟ୍ନାଣ୍ଟ୍ କର୍ଣ୍ଣେଲ୍ ସୌରଭ ଯାଦବଙ୍କର ମୃତ୍ୟୁ ହୋଇଯାଥିବା ବେଳେ ଆହତ ସହକାରୀ ପାଇଲଟ୍ଙ୍କର ଚିକିତ୍ସା ଚାଲିଛି। ସଂଗୃହୀତ ସୂଚନା ଅନୁସାରେ, ଆଜି ପୂର୍ବାହ୍ନ ୧୦ଟା ବେଳେ ନିୟମିତ ରୁଟିନ୍ ଅନୁଯାୟୀ ଅଳ୍ପ ସମୟ ପାଇଁ ଅରୁଣାଚଳ ପ୍ରଦେଶର ତୱାଙ୍ଗ୍ ଅନ୍ତର୍ଗତ ଫର୍ୱାର୍ଡ ଅଞ୍ଚଳକୁ ଉଡ଼ାଣରେ ବାହାରିଥିବା ବେଳେ ହେଲିକପ୍ଟର୍ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ଆହତ ହୋଇଥିବା ଦୁଇଜଣ ପାଇଲଟ୍ଙ୍କୁ ନିକଟତମ ସେନା ହସ୍ପିଟାଲ୍କୁ ନିଆଯାଇଥିଲା। କିନ୍ତୁ, ଜଣଙ୍କର ମୃତ୍ୟୁ ଘଟିଲା। ଦୁର୍ଘଟଣା ସଂକ୍ରାନ୍ତରେ ଜାରି ବିବୃତିରେ ଉଲ୍ଲେଖ ଅଛି ଯେ, ଆମେ ଦୁଃଖର ସହ ସୂଚନା ଦେଉଛୁ ଯେ, ସାଙ୍ଘାତିକ ଆହତ ହୋଇଥିବା ଅନ୍ୟତମ ପାଇଲଟ୍ ଲେଫ୍ଟ୍ନାଣ୍ଟ୍ କର୍ଣ୍ଣେଲ୍ ସୌରଭ ଯାଦବଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଦ୍ବିତୀୟ ପାଇଲଟ୍ ଚିକିତ୍ସାଧୀନ ଅଛନ୍ତି। ଏବେ ଦୁର୍ଘଟଣାର କାରଣ ଜଣାପଡ଼ି ନାହିଁ। ଏ ବିଷୟରେ ସବିଶେଷ ବିବରଣୀ ସଂଗ୍ରହ କରାଯାଉଛି।
ଚିତା ହେଲିକପ୍ଟର୍ ଦୁର୍ଘଟଣାଗ୍ରସ୍ତ : ଜଣେ ପାଇଲଟ୍ ମୃତ ଆଉ ଜଣେ ଆହତ

Share Now: