ଉହାନ : କରୋନା ମହାମାରୀର ଜନ୍ମସ୍ଥଳୀ ଚୀନର ଉହାନ ନଗରୀକୁ ଫେରିଲା ଲକଡାଉନ। ଉହାନର କେତେକ ଅଞ୍ଚଳରେ ସଂକ୍ରମଣ ଦେଖାଯିବା ପରେ ପୁଣି ଲକଡାଉନ ଘୋଷଣା କରାଯାଇଛି। ଉହାନ ନଗରୀର ହାନୟାନ ଡିଷ୍ଟ୍ରିକ୍ଟ ( ସହରର ଏକ ଅଞ୍ଚଳ )ରେ ସଂପୂର୍ଣ୍ଣ ଲକଡାଉନ ଘୋଷଣା କରାଯାଇଛି। ଅକ୍ଟୋବର ୨୬ରୁ ୩୦ ପର୍ଯ୍ୟନ୍ତ ଡିଷ୍ଟ୍ରିକ୍ଟର ୮ ଲକ୍ଷରୁ ଅଧିକ ଲୋକମାନଙ୍କୁ ଲକଡାଉନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାଛଡ଼ା ଗୁଆନଝୁ ଡିଷ୍ଟ୍ରିକ୍ଟରେ ବି ଲକଡାଉନ ଘୋଷଣା କରାଯାଇଛି। ଏଠାରେ ୨୭ଟି ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଲକଡାଉନ ସମୟରେ ଲୋକମାନେ ବାହାରକୁ ବାହାରି ପାରିବେ ନାହିଁ ଓ ସମସ୍ତ ପ୍ରକାରର ଅତ୍ୟାବଶ୍ୟକୀୟ ସେବା ନଗର ପ୍ରଶାସନ ପକ୍ଷରୁ ଦିଆଯିବ। ସହରର ମୋଟ ୫ଟି ଡିଷ୍ଟ୍ରିକ୍ଟକୁ ହାଇରିସ୍କ ବୋଲି ଘୋଷଣା କରାଯାଇଛି। ଏସବୁ ଜିଲ୍ଲାରେ ସମସ୍ତଙ୍କ ଟେଷ୍ଟିଂ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଉହାନର ସରକାରୀ ହସପିଟାଲ ପକ୍ଷରୁ କୁହାଯାଇଛି ଯେ ହସପିଟାଲରେ ଆଉଟପେସେଣ୍ଟ (ବହିର୍ବିଭାଗ)କୁ ସାମୟିକଭାବେ ବନ୍ଦ କରାଯାଇଛି। କ୍ୟାଣ୍ଟିନର ଏକ କର୍ମଚାରୀ ସଂକ୍ରମିତ ହେବା ପରେ ଏହି ନିଷ୍ପତ୍ତି ନିଆଯାଇଛି।
ସୂଚନାଯୋଗ୍ୟ ଯେ ତିନିବର୍ଷ ତଳେ ଅର୍ଥାତ ୨୦୧୯ ଶେଷ ବେଳକୁ ଏହି ଉହାନ ନଗରୀରେ ହିଁ ପ୍ରଥମ ଥର ପାଇଁ କରୋନା ଭୁତାଣୁ ଚିହ୍ନଟ ହୋଇଥିଲା। ମାତ୍ର କିପରି ଏହି ଭୁତାଣୁର ଉତ୍ପତ୍ତି ହେଲା ତାହା ଏବେ ବି ସଂଦେହରେ ରହିଛି। ତେବେ ଏକ ପଶୁ ବଜାରରୁ ହିଁ ଏହା ବ୍ୟାପିଥିବା ବହୁଳଭାବେ ଅନୁମାନ କରାଯାଉଛି। ପରେ ଏହି ସଂକ୍ରମଣ ସମଗ୍ର ବିଶ୍ବରେ ଏକ ମହାମାରୀରେ ପରିଣତ ହୋଇଥିଲା।
କରୋନାର ଜନ୍ମସ୍ଥଳୀ ଉହାନକୁ ପୁଣି ଫେରିଲା ଲକଡାଉନ୍

Share Now: