ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଆତ୍ମହତ୍ୟା: କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ

ଗୋବିନ୍ଦ ସାହୁଙ୍କ ଆତ୍ମହତ୍ୟା

ଭୁବନେଶ୍ୱର: ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣାର ସିଆଇଡି-କ୍ରାଇମବ୍ରାଞ୍ଚ ତଦନ୍ତ କରିବ। ଏନେଇ ପୁଲିସ ଡିଜି ନିର୍ଦ୍ଦେଶ ଦେଇଛନ୍ତି। ବହୁଚର୍ଚ୍ଚିତ କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନସାଇନ୍ ପବ୍ଲିକ ସ୍କୁଲ୍ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ କଣ୍ଟାବାଞ୍ଜି ଜେଲରେ ଆତ୍ମହତ୍ୟା କରିବା ପରେ ସମ୍ବଲପୁର ଜେଲ୍ ଡିଆଇଜି ତଦନ୍ତ ପାଇଁ କଣ୍ଟାବାଞ୍ଜି ଯାଇଛନ୍ତି। ଡିଏସ୍‌ପି ବିଜୟ ମଲ୍ଲିକଙ୍କ ନେତୃତ୍ବରେ ଏକ ଟିମ୍‌ କଣ୍ଟାବାଞ୍ଜି ଯାଇଛନ୍ତି। ସେମାନେ ସିନ୍ଧେକେଲା ପୁଲିସ ଷ୍ଟେସ‌ନରେ ଗୋବିନ୍ଦ ସାହୁ ନାଁରେ ହୋଇଥିବା ମାମଲା ୯୭/୨୧ର ତଦନ୍ତ କରିବେ। ଶ୍ରୀ ମଲ୍ଲିକଙ୍କ ନେତୃତ୍ୱରେ ୩ ଜଣ ଅଧିକାରୀ ତଦନ୍ତରେ ସହଯୋଗ କରିବେ। ଏତଦ ବ୍ୟତୀତ ସିଆଇଡି-କ୍ରାଇମ୍‌ବ୍ରାଞ୍ଚ ଫରେନ୍‌ସିକ ଓ ସାଇବର ଏକ୍ସ‌ପର୍ଟଙ୍କୁ ନେଇ ୧୦ ଜଣିଆ ଟିମ୍‌ ଗଠନ କରିଛି। ଏହି ତଦନ୍ତରେ ରାଜ୍ୟ ପୁଲିସର ଫଟୋ ବ୍ୟୁରୋ ସହଯୋଗ କରିବେ। ଏନେଇ ଜେଲ୍ ଅତିରିକ୍ତ ଡିଜି ଦୀପ୍ତେଶ ପଟ୍ଟନାୟକ ସୂଚନା ଦେଇ କହିଛନ୍ତି, ସମ୍ବଲପୁର ଜେଲ୍ ଡିଆଇଜି ତଦନ୍ତ ପାଇଁ କଣ୍ଟାବାଞ୍ଜି ଯାଇଛନ୍ତି। ସେ ଆମକୁ ରିପୋର୍ଟ ଦେବେ। ଏନଏଚଆରସିର ଗାଇଡଲାଇନ ଅନୁଯାୟୀ ତଦନ୍ତ ହେବ, ଯେଉଁଥିରେ ସବୁ ଦିଗକୁ ନେଇ ତଦନ୍ତ କରାଯିବ। ଏହି ଘଟଣାରେ ଅବହେଳା ହୋଇଛି କି ନାହିଁ, ସେସବୁ ଦିଗକୁ ନେଇ ତଦନ୍ତ ହୋଇଛି, ରିପୋର୍ଟ ଆସିଲେ କାର୍ଯ୍ୟାନୁଷ୍ଠାନ ହେବ।
ସୂଚନାଯୋଗ୍ୟ, ଆଜି ସକାଳେ ଗୋବିନ୍ଦ ସାହୁ କଣ୍ଟାବାଞ୍ଜି ଜେଲରେ ଆତ୍ମହତ୍ୟା କରିଥିବାର ଖବର ମିଳିଛି। ସେ ଜେଲରେ ନିଜ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ଜଣାଯାଇଛି। ଡାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବିଚାରାଧୀନ କଏଦୀ ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ପରିବାର ଲୋକେ। ଆଜି ଗୋବିନ୍ଦ କୋର୍ଟରେ ହାଜର ହୋଇଥାନ୍ତେ। ଏଣେ ତାଙ୍କର ମୃତଦେହକୁ ବଲାଙ୍ଗୀର ଅଣାଯାଇଛି। ସେଠାରେ ଶବ ବ୍ୟବଚ୍ଛେଦ କରାଯିବ। ୨୦୨୧ ଅକ୍ଟୋବର ୮ ତାରିଖ ମମିତା ମେହେର ନିଖୋଜ ହୋଇଥିଲେ ଓ ଅକ୍ଟୋବର ୧୩ ତାରିଖରେ ଏ ନେଇ ସିନ୍ଧେକେଲା ଥାନାରେ ଅଭିଯୋଗ ଦାଖଲ ହୋଇଥିଲା। ଅକ୍ଟୋବର ୧୫ ତାରିଖରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଗିରଫ ହୋଇଥିଲା। ମାତ୍ର ଅକ୍ଟୋବର ୧୭ରେ ଟିଟିଲାଗଡ଼ ପୁଲିସ ବାରାକରୁ ସେ ଫେରାର ହୋଇଯାଇଥିଲା। ଏହାପରେ ଅକ୍ଟୋବର ୧୯ ତାରିଖରେ ମହାଲିଙ୍ଗ ଷ୍ଟାଡିୟମ ଭିତରୁ ମମିତାର ଅର୍ଦ୍ଧଦଗ୍ଧ ଶବ ଜବତ ହେବା ସହ ସେହିଦିନ ସଂଧ୍ୟାରେ ଆଖୁବାଡ଼ିରୁ ମୁ୍ଖ୍ୟ ଅଭିଯୁକ୍ତ ଗୋବିନ୍ଦକୁ ଗିରଫ କରାଯାଇ ଅକ୍ଟୋବର ୨୦ରେ କୋର୍ଟଚାଲାଣ କରାଯାଇଥିଲା। ଅକ୍ଟୋବର ୮ ତାରିଖ ୨୦୨୧ରେ ଘଟିଥିଲା ମମିତା ହତ୍ୟାକାଣ୍ଡ। ମାମଲାର ୧୦ ମାସ ପରେ ଅଗଷ୍ଟ ୨୬ରେ ପୁଲିସ ପକ୍ଷରୁ ଚାର୍ଜସିଟ୍ ଦାଖଲ କରାଯାଇଥିଲା। ସେପଟେମ୍ବର ୮ରେ ମମଲାର ପରବର୍ତ୍ତୀ ଶୁଣାଣି ଧାର୍ଯ୍ୟ ହୋଇଥଲା। କଣ୍ଟାବାଞ୍ଜି କୋର୍ଟରୁ ସାକ୍ଷୀମାନଙ୍କୁ ସମନ ଗଲା ପରେ ସେମାନେ କୋର୍ଟରେ ହାଜର ହୋଇ ବୟାନ ରେକର୍ଡ କାର୍ଯ୍ୟ ଆରମ୍ଭ ହୋଇଥିଲା। ମମିତା ମେହେରଙ୍କ ପରିବାର ଲୋକ ଓ ଅନ୍ୟ ସାକ୍ଷୀମାନଙ୍କ ବୟାନ ଅନୁଯାୟୀ ଗୋବିନ୍ଦ ଓ ରାଧେଙ୍କ ଉପରେ ଟ୍ରାଏଲ୍ ଆରମ୍ଭ ହୋଇ ଏହି ମାମଲା ଆଗକୁ ବଢ଼ିଥିଲା। କଳାହାଣ୍ଡି ଜିଲ୍ଲା ମହାଲିଙ୍ଗସ୍ଥିତ ସନ୍‌ସାଇନ ପବ୍ଲିକ୍‌ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାରେ ପୁଲିସ ଗୋବିନ୍ଦ ସାହୁ ଓ ତାର ଗାଡ଼ି ଡ୍ରାଇଭର ରାଧେଶ୍ୟାମ ଚଣ୍ଡୀଙ୍କୁ ୨୦୨୧ ଅକ୍ଟୋବର ମାସରେ ଗିରଫ କରିଥିଲା। ସେହି ଦିନଠାରୁ ୨ ଅଭିଯୁକ୍ତ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଜେଲରେ ଥିଲେ।

Share Now:

Kalinga News Beuro

Next Post

ପୁଣି କରୋନା ଘେରରେ ଚୀନ୍‌,ଆଗାମୀ ୯୦ ଦିନ ମଧ୍ୟରେ ଚୀନ୍‌ର ୬୦ ପ୍ରତିଶତ ହେବେ ସଂକ୍ରମିତ : ବିଶେଷଜ୍ଞ

Tue Dec 20 , 2022
ବେଜିଂ: ଚୀନରେ କରୋନା ମହାମାରୀ ଏବେ ହୁ ହୁ ହୋଇ ବଢିବାକୁ ଆରମ୍ଭ କରିଛି। କଠୋର କୋଭିଡ୍ ପ୍ରତିବନ୍ଧକକୁ ହଟାଇ ଦେବା ପରେ ଚୀନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବ୍ୟାପକ ଭାବେ ବଢ଼ିବାରେ ଲାଗିଛି। ଏହା ସହିତ ମୃତ୍ୟୁ ସଂଖ୍ୟାରେ ମଧ୍ୟ ଆଶାତୀତ ବୃଦ୍ଧି ଘଟିଛି। ବିଶେଷଜ୍ଞଙ୍କ ମତ ଅନୁଯାୟୀ, ଆସନ୍ତା ମାସରେ ଚୀନ୍‌ର ଅବସ୍ଥା ଆହୁରି ଖରାପ ହେବାକୁ ଯାଉଛି। ଆସନ୍ତା ତିନିମାସ ମଧ୍ୟରେ ଚୀନ୍‌ର ୬୦% ରୁ […]
କରୋନା ‘ଆଁ’ରେ ଚୀନ୍‌

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial