ଇସ୍ଲାମାବାଦ : ପାକିସ୍ତାନ ତାଲିବାନ ( ତେହରିକ-ଏ-ତାଲିବାନ ପାକିସ୍ତାନ ବା ଟିଟିପି) ଦ୍ୱାରା ଖ୍ୱାଇବର ପଖତୁନଖ୍ୱାବାର ବନ୍ନୁ କ୍ୟାଣ୍ଟନମେଣ୍ଟରେ କରାଯାଇଥିବା ପଣବନ୍ଦୀ ଘଟଣାର ଅନ୍ତ ହୋଇଛି। ପାକିସ୍ତାନ ସେନା ପକ୍ଷରୁ କରାଯାଇଥିବା ଏକ ଅପରେସନରେ ଏହି ଅପହରଣ କାଣ୍ଡରେ ସଂପୃକ୍ତ ଆତଙ୍କବାଦୀମାନେ ନିହତ ହୋଇଛନ୍ତି। ତେବେ ପାକିସ୍ତାନ ସେନାର ୬ ଜଣ ଯବାନ ମଧ୍ୟ ମୃତ୍ୟୁବରଣ କରିଛନ୍ତି ଓ ଆଉ ୭ ଜଣ ଆହତ ହୋଇଛନ୍ତି ବୋଲି ପାକ ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ କହିଛନ୍ତି। ପାକିସ୍ତାନ ସେନାର ସ୍ୱତନ୍ତ୍ର କମାଣ୍ଡୋ ବାହିନୀ ଏସଏସଜି ପକ୍ଷରୁ ଏହି ଅପରେସନ କରାଯାଇଥିଲା। ଏସଏସଜି ପକ୍ଷରୁ ୩୩ ଜଣ ତାଲିବାନ ଆତଙ୍କବାଦୀଙ୍କୁ ବି ଗିରଫ କରାଯାଇଛି। ତେବେ ପାକିସ୍ତାନ ତାଲିବାନ ପକ୍ଷରୁ ଠିକ ଏହାର ବିପରୀତ କଥା କୁହାଯାଇଛି। ପାକ ସେନା ବିରୋଧରେ ସେମାନଙ୍କ ଅପରେସନ ସଫଳ ହୋଇଛି ବୋଲି ସେମାନେ ଦାବି କରିଛନ୍ତି। ଆଗକୁ ପାକ ସେନା ଉପରେ ଏପରି ଆକ୍ରମଣ ଜାରି ରହିବ ବୋଲି ତାଲିବାନ କହିଛି। ଟିଟିପି ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ ପାକିସ୍ତାନର ଲୋକମାନଙ୍କ ଉପରେ କୌଣସି ଆକ୍ରମଣ କରାଯିବ ନାହିଁ। କାରଣ ସେମାନେ ହେଉଛନ୍ତି ଭାଇ। କିନ୍ତୁ ପାକିସ୍ତାନ ସେନା, ପୁଲିସ ଓ ଅନ୍ୟ ସୁରକ୍ଷାବଳ ଉପରେ ଆକ୍ରମଣ ଜାରି ରହିବ। ଗତ ୧୯ ତାରିଖରେ ଟିଟିପି ପକ୍ଷରୁ ବନ୍ନୋ କ୍ୟାଣ୍ଟନମେଣ୍ଟ ଉପରେ ଆକ୍ରମଣ କରି ୧୦ ସେନା କର୍ମଚାରୀଙ୍କୁ ବନ୍ଧକ ରଖାଯାଇଥିଲା।
ତାଲିବାନ ପଣବନ୍ଦୀ ଘଟଣାର ଅନ୍ତ : ସବୁ ଆତଙ୍କବାଦୀ, ୬ ପାକ ଯବାନ ମୃତ

Share Now: