ମୁମ୍ବାଇ : ପୂର୍ବତନ କ୍ରିକେଟିୟର ଚେତନ ଶର୍ମାଙ୍କୁ ଚୟନ କମିଟିର ମୁଖ୍ୟ ନିଯୁକ୍ତ କରିଛି ବିସିସିଆଇ। ବିସିସିଆଇର କ୍ରିକେଟ ପରାମର୍ଶଦାତା କମିଟିର ପରାମର୍ଶକ୍ରମେ ଚେତନଙ୍କୁ ପୁଣି ଥରେ ଏହି ପଦରେ ନିଯୁକ୍ତ କରାଯାଇଛି। ଏହି ଚୟନ କମିଟିରେ ଓଡ଼ିଶାରୁ ଶିବସୁନ୍ଦର ଦାସ ସ୍ଥାନ ପାଇଛନ୍ତି। କମିଟିର ଅନ୍ୟ ସଦସ୍ୟମାନେ ହେଲେ ସଲିଲ ଆଙ୍କୋଲା, ସୁବ୍ରତ ବାନାର୍ଜୀ ଓ ଶ୍ରୀଧରନ ଶରତ। ଗତ ଟି-୨୦ ବିଶ୍ୱକପରେ ଭାରତୀୟ ଦଳ ବିଦା ହେବା ପରେ ବିସିସିଆଇ ପକ୍ଷରୁ ଚୟନ କମିଟିକୁ ଭାଙ୍ଗି ଦିଆଯାଇଥିଲା ଓ ନୂଆ ସଦସ୍ୟ ପାଇଁ ଆବେଦନ ଆହ୍ୱାନ କରାଯାଇଥିଲା। ଚୟନ କମିଟି ସଦସ୍ୟ ପଦ ପାଇଁ ଗତ ନଭେମ୍ବର ମାସରେ ବିସିସିଆଇ ପକ୍ଷରୁ ଆବେଦନ ଆହ୍ୱାନ କରାଯାଇଥିଲା। ଏସବୁ ପଦ ପାଇଁ ମୋଟ ୬୦୦ଟି ଆବେଦନ ଆସିଥିଲା। ମଜାକଥା ହେଉଛି, ସଚିନ ତେନ୍ଦୁଲକର, ବୀରେନ୍ଦ୍ର ସେହୱାଗ, ମହିନ୍ଦ୍ର ସିଂ ଧୋନିଙ୍କ ପରି ଲୋକପ୍ରିୟ ଖେଳାଳିଙ୍କ ନାଁରେ କେତେକ ଜାଲ ଆବେଦନ ବି ଆସିଥିଲା। ଏସବୁ ଆବେଦନ ଗୁଡ଼ିକର ଯାଞ୍ଚ ପରେ ବୋର୍ଡ ଚେତନ ଓ ଅନ୍ୟମାନଙ୍କ ନାଁ ଚୂଡ଼ାନ୍ତ କରିଥିଲା। ବିସିସିଆଇର ନିୟମ ଅନୁସାରେ ଚୟନ କର୍ତ୍ତା ହେବାକୁ ଜଣେ ବ୍ୟକ୍ତି ଅତି କମରେ ୭ଟି ଟେଷ୍ଟ ମ୍ୟାଚ କିମ୍ବା ୩୦ଟି ପ୍ରଥମ ଶ୍ରେଣୀ ମ୍ୟାଚ ଖେଳିଥିବେ କିମ୍ବା ୧୦ଟି ଦିନିକିଆ ଓ ୨୦ଟି ପ୍ରଥମ ଶ୍ରେଣୀ ମ୍ୟାଚ ଖେଳିଥିବେ। ସେ ମଧ୍ୟ ଅତି କମରେ ୫ ବର୍ଷ ତଳୁ ଅବସର ନେଇଥିବେ।
ଚେତନ ଶର୍ମାଙ୍କୁ ଚୟନ କମିଟି ମୁଖ୍ୟ ନିଯୁକ୍ତ କଲା ବିସିସିଆଇ : କମିଟିରେ ଓଡ଼ିଶାରୁ ଶିବ ସୁନ୍ଦର ଦାସ

Share Now: