ଇତିହାସ ଲେଖିବ କି ହକିର ଜନ୍ମସ୍ଥାନ କଟକ…?

ହକିର ଜନ୍ମସ୍ଥାନ କଟକ

କଟକ : ହକିର ଜନ୍ମସ୍ଥାନ କଟକ। ହକିର ଗଡ଼ ହୋଇପାରେ ସୁନ୍ଦରଗଡ଼। କିନ୍ତୁ କଟକ ହେଉଛି ରାଜ୍ୟରେ ହକିର ଜନ୍ମସ୍ଥାନ। ଇଂରେଜ ଶାସନ ସମୟରୁ ହକି ଖେଳ ବିଧିବଦ୍ଧ ଭାବେ ଆରମ୍ଭ ହୋଇଥିଲା କଟକର ଶିକ୍ଷାନୁଷ୍ଠାନରୁ। ହକିର ଜନ୍ମସ୍ଥାନରେ ଯଦିଓ ଏବେ ହକି ଅଲୋଡା, ତଥାପି ଏଥର ଉଦ୍‌ଘାଟନ କାର୍ଯ୍ୟକ୍ରମ କଟକର ଐତିହାସିକ ବାରବାଟୀ ଷ୍ଟାଡିୟମରେ ଆୟୋଜନ ହେବା ଘଟଣା ନୂଆ ଉତ୍ସାହର କାରଣ ହୋଇଛି। କଟକର ଭେଟେରାନ୍‌ ହକି ଖେଳାଳି ପ୍ରଣବ କିଶୋର ପଟ୍ଟନାୟକ ୫ଥର ଓଡିଶା ହକି ଦଳର କ୍ୟାପ୍‌ଟେନ୍‌ ଥିଲେ। ଏବେ ସେ କୋଚ୍‌ ରହିଛନ୍ତି। କିନ୍ତୁ ଏବେ କଟକରେ ହକି ବିଶ୍ବକପ୍ ଉଦ୍‌ଘାଟନୀ କାର୍ଯ୍ୟକ୍ରମକୁ ନେଇ ସହର ଉତ୍ସବମୁଖର ହୋଇ ଉଠିଥିବା ବେଳେ ପୁରୁଣା ଖେଳାଳି କିନ୍ତୁ ଅଲୋଡା ହେଇଯାଇଛନ୍ତି। ତଥ୍ୟ କହୁଛି କଟକରୁ ଶହେରୁ ଅଧିକ ହକି ଖେଳାଳି ବାହାରିଛନ୍ତି। ଯେଉଁମାନେ କି ଓଡିଶା ଦଳରେ ସାମିଲ ହେବା ସହ ନେତୃତ୍ବ ବି ନେଇଛନ୍ତି। ଜାତୀୟ କୋଚ୍‌, ଆମ୍ପୟାର ମଧ୍ୟ ରହିଛନ୍ତି। କିନ୍ତୁ ଏବେ ଭିତ୍ତିଭୂମିର ଅଭାବ ଯୋଗୁଁ କଟକ ଅଥବା ଅନ୍ୟ ଉପକୂଳ ଜିଲ୍ଲାରୁ ଭଲ ହକି ଖେଳାଳି ବାହାରି ପାରୁ ନାହାନ୍ତି। ବର୍ତ୍ତମାନ ସାଧାରଣ ଭାବେ କ୍ରୀଡା ଛାତ୍ରାବାସରେ ସ୍ଥାନ ପାଉଥିବା ଖୋଳାଳିଙ୍କୁ ତାଲିମ ମିଳୁଛି ଓ ସେମାନେ ହିଁ ସ୍ଥାନ ପାଉଛନ୍ତି ହକି ଦଳରେ। କଟକକୁ କ୍ରୀଡା ରାଜଧାନୀ କୁହାଯାଉଥିଲେ ବି ଏଠି ହକିର ଭିତ୍ତିଭୂମି ନାହିଁ। ଦିନେ ଧ୍ୟାନଚାନ୍ଦଙ୍କଠାରୁ ଆରମ୍ଭ କରି ଯଶବୀର ସିଂହ, ମିଷ୍ଟର ଭିଲନ୍‌, ଶଶିନାଥନ୍‌ଙ୍କ ଭଳି ଖେଳାଳି ଓ କୋଚ୍‌ ସମସ୍ତ ଆସିଥିଲେ କଟକକୁ। ସତ୍ୟବ୍ରତ ଷ୍ଟାଡିୟମ୍‌ରେ ଦେଉଥିଲେ ହକିର ପ୍ରଶିକ୍ଷଣ। ସେ ସବୁ ଇତିହାସ ପାଲଟି ଯାଇଛି। ହକି ବିଶ୍ୱକପ୍ ଉଦଘାଟନ ସମାରୋହ ସହିତ କଟକରେ ପୁଣି ହକିର ଇତିହାସ ଲେଖା ହେବ କି ବୋଲି ସବୁ ମହଲରେ ପ୍ରଶ୍ନ ଉଠୁଛି।
ଆମେ ଏବେ ଅଲୋଡ଼ା– ୧୯୮୩-୮୪ରେ ଓଡିଶା ପାଇଁ ହକି ଖେଳୁ ଥିଲି। ପରେ ଆନ୍ତର୍ଜାତିକ ଅମ୍ପାୟାର ହେଲି। ଏବଂ ଓଡିଶା ପୋଷ୍ଟାଲ ଦଳର କୋଚ ମଧ୍ୟ ଥିଲି। ଅନେକ ଜାତୀୟ, ଆନ୍ତର୍ଜାତିକ ମ୍ୟାଚ୍‌ ପଚିଳାନା କରିଛି। ଆମ ଟିମ୍‌କୁ ଅନେକ ଖେଳରେ ବିଜୟୀ କରାଇଛୁ। ଏଥିପାଇଁ ଗର୍ବ ବି ଅନୁଭବ ହୁଏ। ମୋ’ ଘର କଟକ ତୁଳସୀପୁରରେ। ଡାକବିଭାଗରୁ ଅବସର ନେବା ପରେ ଏବେ କଟକରେ ବି ରହୁଛି। ବିଶ୍ୱକପ୍‌ ହକି ପାଇଁ ‌କେତେ କଣ ଆୟୋଜନ କରାଯାଉଛି। କିନ୍ତୁ ଆମେ ଆଜି ଅଲୋଡା ହୋଇପଡିଛୁ। ଆମକୁ କେହି ମନେ ପକାଉ ନାହାନ୍ତି। ନିମନ୍ତ୍ରଣ ମଧ୍ୟ କରାଯାଇନି। ଦୁଃଖ ଲାଗୁଛି କିନ୍ତୁ କହିବୁ କାହାକୁ? କଟକ ହିଁ ତ ହକିର ଜନ୍ମସ୍ଥାନ। କିନ୍ତୁ ଏଠି ହକିକୁ ବିଲୋପ କରିଦେଲେ। ପିଲା ବାହାରିବେ କେମିତି, ହକି ପାଇଁ ପଡିଆ ଥିଲେ ତ ପିଲା ବାହାରିବେ? ଜାଣିଶୁଣି ହକିର ଅପମୃତ୍ୟୁ କରି ଦିଆଗଲା କଟକରେ ବୋଲି କହିଛନ୍ତି ପ୍ରାକ୍ତନ୍‌ କୋଚ ତଥା ଆନ୍ତର୍ଜାତିକ ହକି ଅମ୍ପାୟାର ଦୁର୍ଗା ପ୍ରସାଦ ପଣ୍ଡା।
କଟକରୁ ପାନପୋଷ ଛାତ୍ରାବାସ ଉଠିଯିବା ପରେ ସବୁ ବଦଳି ଗଲା- ଓଡ଼ିଶାରେ ହକିର ଆରମ୍ଭ କଟକରୁ। ବ୍ରିଟିଶ୍‌ମାନେ ଆରମ୍ଭ କରିଥିଲେ ଏହି ଖେଳ। କଟକରେ ସ୍ୱାଧୀନତା ପୂର୍ବରୁ ଥିବା ‌ରେଭେନ୍ସା କଲେଜ, ରେଭେନ୍ସା କଲିଜିଏଟ୍‌ ସ୍କୁଲ, ଖ୍ରୀଷ୍ଟ କଲେଜ, ଖ୍ରୀଷ୍ଟ କଲିଜିଏଟ୍‌ ସ୍କୁଲ ଭଳି ଅନୁଷ୍ଠାନରେ ବ୍ରିଟିଶମାନ ହକି ଖେଳକୁ ଆରମ୍ଭ କରିଥିଲେ। ଯାହାର ପ୍ରଥମ ମ୍ୟାଚ୍‌ ଓ ମୂଳଦୁଆ ପଡିଥିଲା ରେଭେନ୍ସା କଲେଜରେ। କଟକରେ ହକି ପାଇଁ ସ୍ୱତନ୍ତ୍ର ଛାତ୍ରାବାସ ମଧ୍ୟ ଥିଲା। ହକି ଖେଳାଳି ତଥା ତତ୍କାଳୀନ କ୍ରୀଡ଼ା ସଚିବ ଏମ୍‌. ଲାଲ କଟକରେ ହକି ଛାତ୍ରାବାସ ଖୋଲିଥିଲେ। ଯେଉଁଠି କୋଚିଂ ଦିଆଯାଉଥିଲା। ଅଲମ୍ପିଆନ୍‌ ଉଇଲିୟମ୍‌ ଖାଲକୋ ଏହି ଛାତ୍ରାବାସରୁ ବାହାରି ଥିଲେ। ସୁନିଲ ଟପୋ ମଧ୍ୟ ଏହି ଛାତ୍ରବାସରୁ ବାହାରିଛନ୍ତି। ଦୀର୍ଘ ଦିନ ଧରି ହକି କହିଲେ ‌ବୁଝାଉଥିଲା ଓଡିଶା ପୁଲିସ ଓ ଆରଏସ୍‌ପି ରାଉରକେଲା ଟିମ୍‌କୁ। କିନ୍ତୁ ୨୦୧୦-୧୧ରେ ଏହି ଛାତ୍ରାବାସକୁ କଟକରୁ ସୁନ୍ଦରଗଡ ଜିଲ୍ଲାର ପାନପୋଷକୁ ଉଠାଇ ନିଆଯାଇଥିଲା। ସେହି ସମୟରେ ଏହାକୁ ବିରୋଧ କରିଥିଲୁ। କିନ୍ତୁ କେହି ଶୁଣି ନଥିଲେ ଆମ କଥା। ଏବେ ହକି ବିଶ୍ୱକପ୍‌ ଓଡିଶାରେ ହେଉଛି, କଟକରେ ହେଉଛି ତାର ଉଦ୍‌ଘାଟନ ସମାରୋହ। କିନ୍ତୁ ଆମ ଭଳି ପୁରୁଣା ଖେଳାଳି, ଯେଉଁମାନେ ଦିନେ ଓଡିଶାକୁ ପ୍ରତିନିଧିତ୍ୱ କରୁଥିଲେ, ସେମାନଙ୍କୁ ସରକାର ସଂପୂର୍ଣ୍ଣ ଭୁଲି ଯାଇଛନ୍ତି। ଲାଗୁଛି ହକି ‌ଏବେ ସଂପୂର୍ଣ୍ଣ ସରକାରଙ୍କ ନିୟନ୍ତ୍ରଣରେ ରହିଛି। ଆମ ଭଳି ସବୁ ପୁରୁଣା ଖେଳାଳିଙ୍କର କୌଣସି ଭୂମିକା ବି ନାହିଁ ବୋଲି କହିଛନ୍ତି ପ୍ରାକ୍ତନ ଓଡିଶା ହକି ଦଳର କ୍ୟାପ୍‌ଟେନ୍‌ ତଥା ବର୍ତ୍ତମାନର କୋଚ୍ ପ୍ରଣବ କିଶୋର ପଟ୍ଟନାୟକ।

Share Now:

Kalinga News Beuro

Next Post

ବିଶ୍ଵ ହକିକପକୁ ସମ୍ମାନ ଜଣାଇ ଆନ୍ଦୋଳନକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି: ଓମସା ସଭାପତି

Wed Jan 11 , 2023
ଭୁବନେଶ୍ୱର: ଓଡିଶା ମେଡିକାଲ ସର୍ଭିସ ଆସୋସିଏସନ ବା ଓମସା ପକ୍ଷରୁ ସମସ୍ତ ଡାକ୍ତର ଆନ୍ଦୋଳନକୁ ଓହ୍ଲାଇବା ନେଇ ରାଜ୍ୟ ସରକାରଙ୍କୁ ଚେତାବନୀ ଦିଆଯାଇଛି। ରାଜ୍ୟ ସରକାରଙ୍କ ପାଖରେ ଓମସା ପକ୍ଷରୁ ରଖାଯାଇଥିବା ବିଭିନ୍ନ ଦାବି ଯଥାଶୀଘ୍ର ପୂରଣ ନହେଲେ ଫେବୃଆରୀ ୧ ତାରିଖରୁ ଡାକ୍ତରମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି କୁହାଯାଇଛି। ପୂର୍ବରୁ ସରକାରଙ୍କ ସହ ଅନେକ ଥର ଆଲୋଚନା ହୋଇଥିବା ବେଳେ ଦାବି ପୁରଣ ଦିଗରେ କୌଣସି ପଦକ୍ଷେପ ନିଆଯାଉନଥିବା […]
ଓମସା ସଭାପତି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial