ବିଶୃଙ୍ଖଳାରେ ଘୋଷଯାତ୍ରା: ଦଇତାପତି-ପୂଜାପଣ୍ଡା ମୁହାଁମୁହିଁ; ରଥରେ ଚଢ଼ିଲେ ଭକ୍ତ, ଦାନଦକ୍ଷିଣା ଟାଣିନେଲେ ସେବାୟତ

ପୁରୀ : ଶୃଙ୍ଖଳିତ ରଥଯାତ୍ରା ପାଇଁ ଚଳିତ ବର୍ଷ ସ୍ୱତନ୍ତ୍ର ବ୍ୟବସ୍ଥାବଳୀ ସତ୍ତେ୍ଵ ଏହାକୁ ଫୁ’ କରି ଉଡ଼ାଇ ଦିଆଯାଇଛି। ଗତକାଲି ପହଣ୍ଡି ବେଳେ ତିନି ଠାକୁର ଓ ତିନି ରଥଙ୍କୁ କର୍ଡନ୍‌ ଭିତରେ ଭକ୍ତମାନେ ଅବାଧରେ ଛୁଇଁଥିବା ବେଳେ ଆଜି କଡ଼ା ସୁରକ୍ଷା ସତ୍ତ୍ୱେ ରଥ ଉପରେ ବିଶୃଙ୍ଖଳା ଦେଖିବାକୁ ମିଳିଛି। ଭକ୍ତଙ୍କଠାରୁ ଦାନଦକ୍ଷିଣା ନେବା ଉପରେ ମାନ୍ୟବର ସୁପ୍ରିମ୍‌କୋର୍ଟ ଲଗାମ କଷିଥିବା ବେଳେ ସେବାୟତମାନେ ଭକ୍ତଙ୍କଠାରୁ ଦାନଦକ୍ଷିଣା ଟାଣି ନେଇଛନ୍ତି। ଏହାକୁ ନେଇ ଦୁଇ ସେବାୟତ ଗୋଷ୍ଠୀ ମଧ୍ୟରେ ବିବାଦ ଉପୁଜିଛି। ଗୋଟିଏ ଗୋଷ୍ଠୀ ଦାନଦକ୍ଷିଣାକୁ ବିରୋଧ କରିଥିବା ବେଳେ ଅପର ଗୋଷ୍ଠୀ ଜୋରଜବରଦସ୍ତ ଦାନଦକ୍ଷିଣା ଆଦାୟ କରିଛନ୍ତି।

ଶ୍ରୀମନ୍ଦିର ସଂସ୍କାର ପାଇଁ ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଦେବା ପରେ ଶ୍ରୀମନ୍ଦିର ପ୍ରଶାସନ ରଥଯାତ୍ରା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥାବଳୀ ପ୍ରସ୍ତୁତ କରିଥିଲା। ଯେଉଁଥିରେ ଭକ୍ତ ରଥ ଚଢ଼ିବା, ଦାନଦକ୍ଷିଣା ଆଦାୟ ଉପରେ କଟକଣା ଜାରି କରାଯାଇଥିଲା। ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ତିନି ରଥ ରହିବା ପରେ ବ୍ୟାରିକେଡ୍‌ ବାହାରୁ ଭକ୍ତମାନେ ତିନି ରଥଙ୍କୁ ଛୁଇଁପାରିବେ ବୋଲି ବ୍ୟବସ୍ଥାବଳୀରେ ଉଲ୍ଲେଖ ରହିଥିବା ବେଳେ ସେସବୁକୁ ଆଜି ଉଲ୍ଲଙ୍ଘନ କରାଯାଇଛି। ତିନି ରଥ ଚାରିପାଖରେ ପୁଲିସର ଏକାଧିକ କର୍ଡ଼ନ୍‌କୁ ପାର ହୋଇ ଭକ୍ତମାନେ ଆଜି ଅବାଧରେ ରଥ ଛୁଇଁଛନ୍ତି। ସୁରକ୍ଷା ବ୍ୟବସ୍ଥା ଏମିତି ହୁଗୁଳା ହୋଇଥିଲା ଯେ ଜଣେ ଭକ୍ତ ଆଜି ନନ୍ଦିଘୋଷ ରଥରେ ଚଢ଼ି ଶ୍ରୀଜଗନ୍ନାଥଙ୍କୁ ଛୁଇଁବାକୁ ଚେଷ୍ଟା କରିଥିଲେ। ଅବଶ୍ୟ ରଥରେ ଥିବା ଦଇତାପତିମାନେ ସଂପୃକ୍ତ ଭକ୍ତଙ୍କୁ ତଳକୁ ଓହ୍ଲାଇ ଦେବା ସହ ପୁଲିସ ଜିମା ଦେଇଥିଲେ। କିନ୍ତୁ ପୁଲିସ ଭକ୍ତ ଜଣଙ୍କୁ ପରବର୍ତୀ ସମୟରେ ଛାଡ଼ି ଦେଇଥିଲା।

ଅନ୍ୟପକ୍ଷରେ ସୁପ୍ରିମ୍‌କୋର୍ଟଙ୍କ ରାୟ ପରେ ଚଳିତବର୍ଷ ଶ୍ରୀମନ୍ଦିର ପ୍ରଶାସନ ଦାନଦକ୍ଷିଣା ଉପରେ ରୋକ୍‌ ଲଗାଇବା ସହ ପ୍ରଥମ ଥର ପାଇଁ ଭକ୍ତଙ୍କ ଦାନ ଉଦ୍ଦେଶ୍ୟରେ ତିନି ରଥ ଚାରିପାଖରେ ୧୨ଟି ହୁଣ୍ଡି ଲଗାଇଥିଲା। କିନ୍ତୁ ଏହାକୁ ଖୋଲାଖୋଲି ଉଲ୍ଲଙ୍ଘନ କରି ଆଜି ରଥରେ ଓ ରଥ ଚାରିପାଖରେ ଥିବା ସେବାୟତମାନେ ଦାନଦକ୍ଷିଣା ନେଉଥିବା ଦେଖିବାକୁ ମିଳିଥିଲା। ଏପରିକି ଶ୍ରୀମନ୍ଦିର ପ୍ରଶାସନ ହୁଣ୍ଡି ପାଖରୁ ବି କିଛି ସେବାୟତ ଭକ୍ତମାନଙ୍କଠାରୁ ଦାନଦକ୍ଷିଣା ଟାଣି ନେଇଥିଲେ। ଏହାକୁ ନେଇ ଦଇତାପତି ଓ ପୂଜାପଣ୍ଡାଙ୍କ ମଧ୍ୟରେ ଆଜି ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା। ଦଇତାପତିମାନେ ଦାନଦକ୍ଷିଣାକୁ ବିରୋଧ କରିଥିଲେ। ଏହି ବିବାଦ ଉଗ୍ରରୂପ ନେବାରୁ ଦୁଇ ସେବାୟତ ଗୋଷ୍ଠୀଙ୍କ ମଧ୍ୟରେ ଆଲୋଚନା ବୈଠକ ବସି ଘଟଣାର ଆପୋଷ ବୁଝାମଣା ହୋଇଥିଲା। ଶ୍ରୀଗୁଣ୍ଡିଚା ମନ୍ଦିର ଭିତରେ ବି ଦାନଦକ୍ଷିଣାକୁ ନେଇ ସମାନ ଅବସ୍ଥା ଦେଖିବାକୁ ମିଳିଥିଲା। ସୂଚନାଯୋଗ୍ୟ, ଗତକାଲି ବି ଶ୍ରୀଜିଉଙ୍କ ପହଣ୍ଡି ଓ ରଥାରୁଢ଼ ସମୟରେ ବିଶୃଙ୍ଖଳା ଦେଖା ଦେଇଥିଲା। ଅନଧିକୃତ ବ୍ୟକ୍ତିମାନେ କର୍ଡନ୍‌ ଭିତରେ ପଶି ଶ୍ରୀଜିଉଙ୍କୁ ସ୍ପର୍ଶ କରିବା ସହ ମା ସୁଭଦ୍ରାଙ୍କ ମସ୍ତକରୁ ତୁଳସୀ ଟାଣି ନେଇଥିଲେ। କେବଳ ସେତିକି ନୁହେଁ, ରଥ ଉପରୁ ଓ ରଥ ଉପରକୁ ନଡ଼ିଆ ଫିଙ୍ଗାଫୋପଡ଼ା ହୋଇଥିଲା। ରଥ ଉପରେ ଖୋଲାଖୋଲି ନଡ଼ିଆ ବାଡ଼େଇ, ତୁଳସୀ ଦେଇ ସେବାୟତମାନେ ଦାନଦକ୍ଷିଣା ଆଦାୟ କରିଥିଲେ। ଏଭଳି ପରିସ୍ଥିତିରେ ଶ୍ରୀମନ୍ଦିର ପ୍ରଶାସନ କଣ ପଦକ୍ଷେପ ନେଉଛି ତାହା ଦେଖିବାକୁ ବାକି ରହିଛି।

Share Now:

Kalinga News Beuro

Leave a Reply

Next Post

ବାଲି ମାଫିଆଙ୍କ କବ୍‌ଜାରେ ତିନି ନଦୀ : କୁଆଖାଇ, କୁଶଭଦ୍ରା ଓ ଦୟାରୁ ଦୈନିକ ୫ହଜାର ଟ୍ରିପ୍‌ ବାଲି ଚୋରା ଚାଲାଣ

Tue Jul 17 , 2018
ବାଲିଅନ୍ତା: କୁଆଖାଇ, କୁଶଭଦ୍ରା ଓ ଭାର୍ଗବୀ ନଦୀ ଏବେ ବାଲି ମାଫିଆଙ୍କ ପାଇଁ ଭୂସ୍ୱର୍ଗ ପାଲଟିଛି। ଦିନରୁ ରାତି ପର୍ଯ୍ୟନ୍ତ ବେଧଡ଼କ ଭାବେ ବାଲି ଉଠାଣ ଚାଲିଛି। ପ୍ରଶାସନର ସବୁ ନିୟମକୁ ବେଖାତିର କରି କେତେକ ବାଲିଘାଟ ନିଲାମଧାରୀ ଓ ମାଫିଆ ବାଲି ଚାଲାଣ କରୁଛନ୍ତି। ହେଲେ ସରକାରଙ୍କ ଏହି ରାଜସ୍ୱ ବ୍ୟବସ୍ଥାର ଦାୟିତ୍ୱରେ ଥିବା ସ୍ଥାନୀୟ ତହସିଲ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ଏବଂ ଅନ୍ୟ ବିଭାଗୀୟ ଅଧିକାରୀମାନେ ଏହା […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial