ସୁନ୍ଦରଗଡ଼ରେ ହକି ବିଶ୍ୱକପ୍ ଟ୍ରଫି ପରିକ୍ରମା ବେଳେ ଉତ୍ତେଜନା : ପୂର୍ବତନ ବିଧାୟକ ଓ ଅଧିକାରୀ ମୁହାଁମୁହିଁ

ହକି ବିଶ୍ୱକପ୍ ଟ୍ରଫି ପରିକ୍ରମା ବେଳେ ଉତ୍ତେଜନା

ସୁନ୍ଦରଗଡ଼: ସୁନ୍ଦରଗଡ଼ରେ ହକି ବିଶ୍ୱକପ୍ ଟ୍ରଫି ପରିକ୍ରମା ବେଳେ କିଛି ସମୟ ପାଇଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିବାର ଖବର ମିଳିଛି। ହକି ବିଶ୍ୱକପ୍‌ ଟ୍ରଫି ସୁନ୍ଦରଗଡ଼ ସହର ପରିକ୍ରମା କରିବାବେଳେ ପୂର୍ବତନ ବିଧାୟକ ଯୋଗେଶ ସିଂହ ଓ ତାଙ୍କ ସମର୍ଥକଙ୍କ ସହିତ ଜିଲ୍ଲାପାଳ ଓ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀଙ୍କ ମୁହାଁମୁହିଁ ହୋଇଥିବା ସୂଚନା ମିଳିଛି। କଥା କଟାକଟିର ଠେଲାପେଲା ହେବାର ସ୍ଥିତି ଉପୁଜିଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ସୁସଜ୍ଜିତ ଟ୍ରକରେ ବିଶ୍ୱକପ୍ ଟ୍ରଫି ସୁନ୍ଦରଗଡ଼ ନୂଆ ବସଷ୍ଟାଣ୍ଡରୁ ବାହାରି ବୟନିକା ଛକ ପହଞ୍ଚିବା ପରେ ସେଠାରେ ପୂର୍ବତନ ବିଧାୟକ ଯୋଗେଶ ସିଂ, ପୂର୍ବତନ ବିଧାୟକ ଡ. ପ୍ରଫୁଲ୍ଲ ମାଝୀ ଟ୍ରକ୍‌ ଉପରେ ଚଢି ଫଟୋ ଉଠାଇବା ସହ ଜୟଜୟକାର କରିଥିଲେ। ଏହି ସମୟରେ ସେଠାରେ ଶୋଭାଯାତ୍ରାରେ ଉପସ୍ଥିତ ଜିଲ୍ଲାପାଳ ପରାଗ ହର୍ଷଦ ଗାଭାଲି, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ମନୋଜ ସତ୍ୟବାନ ମହାଜନ ଦୁଇ ନେତାଙ୍କୁ ଓହ୍ଲାଇ ଆସିବାକୁ କହିଥିଲେ। ଏହା ପରେ ଅଧିକାରୀ ଶ୍ରୀ ମହାଜନ ଯୋଗେଶ ସିଂଙ୍କୁ ଟ୍ରକ ଉପରୁ ତଳକୁ ଟାଣି ଆଣିଥିଲେ ଓ ଶ୍ରୀ ସିଂ ତଳେ ପଡୁ ପଡୁ ଅଳ୍ପକେ ରକ୍ଷା ପାଇ ଯାଇଥିଲେ ବୋଲି ପୂର୍ବତନ ବିଧାୟକ ଅଭିଯୋଗ କରିଛନ୍ତି। କେବଳ ସେତିକି ନୁହେଁ, ଅଧିକାରୀ ଶ୍ରୀ ମହାଜନ ତାଙ୍କୁ ପିଟିବି ବୋଲି ଧମକ ଦେଇଥିବା ଶ୍ରୀ ସିଂ କହିଛନ୍ତି।
ଏହି ଘଟଣା ପରେ ଅଧିକାରୀଙ୍କ ଏପରି ଆଚରଣର ପ୍ରତିବାଦ କରିଥିଲେ ଶ୍ରୀ ସିଂ ଓ ତାଙ୍କ ସମର୍ଥକ। ଫଳରେ ଜିଲ୍ଲାପାଳ ଓ ଉନ୍ନୟନ ଅଧିକାରୀଙ୍କ ସହ କଥାକଟି ଓ ପାଟିତୁଣ୍ଡ ଠେଲାପେଲା ପର୍ଯ୍ୟନ୍ତ କଥା ଯାଇଥିବା ଜଣାପଡ଼ିଛି । ଅନ୍ୟ ପକ୍ଷରେ କିଛି ଲୋକ ପଛ ଆଡୁ ଜିଲ୍ଲାପାଳ ଓ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀଙ୍କୁ ମାଡ଼ ମାର ବୋଲି କହି ମାଡି ଯାଇଥିବା ଅଭିଯୋଗ ହୋଇଛି। ଏହାର ଜବାବରେ ଜିଲ୍ଲାପାଳ ଚିହିଁକି ଉଠି କାହାକୁ କାହାକୁ ମାରିବ କହି ଯୋଗେଶ ସମର୍ଥକଙ୍କ ନିକଟକୁ ଖେଦି ଯାଇଥିଲେ ବୋଲି ସୂଚନା ମିଳିଛି। ଏହାକୁ ନେଇ କିଛି ସମୟ ଘଟଣାସ୍ଥଳରେ ଉତ୍ତେଜନା ଦେଖା ଦେଇଥିଲା। ପରେ ପୌର ଉପାଧ୍ୟକ୍ଷ ଲଲାଟେନ୍ଦୁ ପରିଡା ଓ ଜୟ ଜଗନ୍ନାଥ ଟ୍ରକ୍ ଆସୋସିଏସନର ଅଧ୍ୟକ୍ଷ ସଂଜୟ ନନ୍ଦ ବୁଝାସୁଝା କରୁଥିବା ଦେଖା ଯାଇଥିଲା। ଜିଲ୍ଲାପାଳ ଓ ଉନ୍ନୟନ ଅଧିକାରୀଙ୍କୁ ସୁରକ୍ଷା ବଳୟ ମଧ୍ୟରେ ପୁଲିସ ଆଗକୁ ନେଇ ଯାଇଥିଲେ। ଏ ଘଟଣା ପରେ ଜିଲ୍ଲାପାଳ ଶ୍ରୀ ଗାଭାଲି ଓ ଅଧିକାରୀ ଶ୍ରୀ ମହାଜନ ଟ୍ରଫି ପରିକ୍ରମାକୁ ଛାଡ଼ି ଚାଲି ଯାଇଥିବା ଜଣାପଡ଼ିଛି।

Share Now:

Kalinga News Beuro

Next Post

ଅବସରପ୍ରାପ୍ତ ରେଳବାଇ ଅଧିକାରୀ ନା କୁବେର : ଚଢ଼ାଉ ପରେ ୧୭ କିଲୋ ସୁନା, ଦେଢ଼ କୋଟି ଟଙ୍କା ଠାବ

Tue Jan 17 , 2023
ଭୁବନେଶ୍ୱର: ଜଣେ ଅବସରପ୍ରାପ୍ତ ରେଲବାଇ ଅଧିକାରୀ ନା କୁବେର! ଏତେ ଟଙ୍କା ଓ ସୁନା ନା ଦେଖିଲେ ବିଶ୍ୱାସ ହେବନି। ସିବିଆଇ ପକ୍ଷରୁ ଚଢ଼ଉ ସମୟରେ ରେଳବାଇର ପୂର୍ବତନ ଅଧିକାରୀ ପ୍ରମୋଦ ଜେନାଙ୍କ ଘରୁ ବିପୁଳ ପରିମାଣର ସୁନା ଓ ନଗଦ ଟଙ୍କା ସମେତ ଅନ୍ୟ ସଂପତ୍ତି ଠାବ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ ରେଳବାଇର ପୂର୍ବତନ ଅଧିକାରୀ ପ୍ରମୋଦ ଜେନାଙ୍କ ଘରେ କୋଟି କୋଟି ଟଙ୍କାର ସୁନା ସହିତ […]
ଅବସରପ୍ରାପ୍ତ ରେଳବାଇ ଅଧିକାରୀଙ୍କ ଘରେ ୧୭ କିଲୋ ସୁନା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial