ଆରମ୍ଭରୁ ମଣ୍ଡିରେ ମିଲର୍ସରାଜ : କଟନିଛଟନି ପାଇଁ ଚାଷୀଙ୍କ ଠାରୁ ଲିଖିତ ଚୁକ୍ତି

ଆରମ୍ଭରୁ ମଣ୍ଡିରେ ମିଲର୍ସରାଜ

ସୁନ୍ଦରଗଡ଼: ଆରମ୍ଭରୁ ମଣ୍ଡିରେ ମିଲର୍ସରାଜ। ଧାନ ସଂଗ୍ରହ କମିଟି ନାମକୁ ମାତ୍ର ଥିବା ବେଳେ ଧାନର ମାନ ନିର୍ଦ୍ଧାରଣ, ବିକ୍ରି ଯୋଗ୍ୟ କି ନୁହେଁ, କେତେ କଟନିଛଟନି ହେବ, ସବୁ ମିଲ ମାଲିକ ସ୍ଥିର କରୁଛନ୍ତି। ମିଲର୍ସ ଚାହିଲେ ଧାନ ଉଠୁଛି, ନହେଲେ ସେମିତି ମଣ୍ଡିର ଧାନ ଧରି ପଡ଼ି ରହିବା ସାର ହେଉଛି। ସୁନ୍ଦରଗଡ଼ ଜିଲ୍ଲାରେ ଖରିଫ ଧାନ ସଂଗ୍ରହ ଆରମ୍ଭରୁ ଏହି ଚିତ୍ର ଦେଖିବାକୁ ମିଳିଛି। ବିଭିନ୍ନ ମଣ୍ଡିରୁ ମିଲର୍ସରାଜର ଏକାଧିକ ନମୁନା ସାମ୍ନାକୁ ଆସିଛି। ଚଳିତ ୨୨ ତାରିଖରେ ମହୁଲପାଲି ଲ୍ୟାମ୍ପସରେ ଧାନ କିଣା ଆରମ୍ଭ ହୋଇଥିବା ବେଳେ ପ୍ରାୟ ୨୦ ଜଣ ଚାଷୀଙ୍କ ଠାରୁ କ୍ୱିଣ୍ଟାଲ ପ୍ରତି ଅଢ଼େଇ କେଜି କଟନିଛଟନି କରିବାକୁ ଲିଖିତ ଚୁକ୍ତି କରାଯାଇଛି। ଏଥିପାଇଁ ଅତି ଚୁତରତାର ସହ ଚୁକ୍ତିନାମାରେ ଚାଷୀମାନେ ସ୍ୱଇଚ୍ଛାରେ ସମ୍ମତି ପ୍ରଦାନ କରିଥିବା ଲେଖାଯାଇଛି। କଟନିଛଟନି ନହେଲେ ଧାନ ବିକ୍ରି ଅଯୋଗ୍ୟ ହେବାର ସମ୍ଭାବନା ଥିବାରୁ ଚାଷୀ ଏହାକୁ ମୁଣ୍ଡପାତି ଗ୍ରହଣ କରି ନେଇଥିବା ଅଭିଯୋଗ ହୋଇଛି।
ଏହା ପୂର୍ବରୁ ଭେଡ଼ା ବାହାଲ ଲ୍ୟାମ୍ପସରେ ମିଲର୍ସ ୪ କେଜି କାଟି ଧାନ ଉଠାଇବାକୁ ଚାହୁଥିବା ଅଭିଯୋଗରେ ଚାଷୀ ମଣ୍ଡିରେ ତାଲା ପକାଇ ଦେଇଥିଲେ। ସେହିପରି ଉଜ୍ଜ୍ୱଳପୁରଠାରେ ଖୋଲିଥିବା ମଣ୍ଡିରୁ ମଧ୍ୟ ସମାନ ଅଭିଯୋଗ ଆସିଛି। ଏଠାରେ ମିଲର୍ସ କ୍ବିଣ୍ଟାଲ ପ୍ରତି ୩ କେଜି କାଟିବାକୁ ସ୍ଥିର କରିଥିବା ଅଖିଳ ଭାରତ କୃଷକ ସଭା ଅଭିଯୋଗ କରିବା ସହ ଏହାକୁ ବିରୋଧ କରିଛି। ଚାଷୀମାନେ ଲ୍ୟାମ୍ପସ ପରିଚାଳନା ନିର୍ଦ୍ଦେଶକଙ୍କୁ ପଚାରିଲେ, ସେ ଧାନ ଉଠାଣ ସମ୍ପର୍କରେ ମିଲର୍ସ ସହ ଆଲୋଚନା କରିବାକୁ କହୁଥିବା ସଂଘ ଅଭିଯୋଗ କରିଛି। ମଣ୍ଡିରେ ମିଲର୍ସର ଏ ପ୍ରକାର ମନମାନୀ ବନ୍ଦ ନହେଲେ ରାଜରାସ୍ତାକୁ ଓହ୍ଲାଇବ ବୋଲି ଧମକ ଦେଇଛି କୃଷକ ସଭା। ଧାନ ସଂଗ୍ରହ ନିୟମ ଓ ନିର୍ଦ୍ଦେଶ ଅନୁସାରେ, ଧାନ ସଂଗ୍ରହ କମିଟି ହିଁ ଚାଷୀ ଆଣିଥିବା ଧାନର ମାନ ପରୀକ୍ଷା କରିବ। ଆଉ ମିଲର୍ସ କେବଳ କଷ୍ଟମ ମିଲିଂ ପାଇଁ ଚାଷୀଙ୍କ ଠାରୁ ସଂଗ୍ରହ ହୋଇଥିବା ଧାନ ରାଇସମିଲକୁ ନେବ। ଧାନ ସଂଗ୍ରହ ପ୍ରକ୍ରିୟାରେ ମଣ୍ଡିରୁ ଧାନ ନେବା ବ୍ୟତୀତ ମିଲର୍ସଙ୍କ କୌଣସି ଭୂମିକା ରହିବ ନାହିଁ। କିନ୍ତୁ ମଣ୍ଡିରେ ମିଲର୍ସ ହିଁ ସର୍ବେସର୍ବା ପାଲଟିଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ଓଡ଼ିଶା ସରକାରଙ୍କ ଖାଦ୍ୟ ଓ ଖାଉଟି ଯୋଗାଣ କଲ୍ୟାଣ ବିଭାଗଙ୍କ ନିର୍ଦ୍ଦେଶକ୍ରମେ ଖରିଫ ଧାନ ସଂଗ୍ରହରେ ଏଫଏକ୍ୟୁ ଧାନର ମାନରେ ୩୩ ପ୍ରତିଶତ କୋହଳ କରାଯାଇଛି। ଏଥିରେ ଅଜୈବିକ ବାହ୍ୟ ପଦାର୍ଥ ବାଲି, ଗୋଡ଼ି, ପଥର, ଧୂଳି ସର୍ବୋଚ୍ଚ କୋହଳ ସୀମା ୧ ପ୍ରତିଶତ, କାଠି, କୁଟା, ଧୂଷ, ଅଗାଡ଼ି ଓ ପୋଲା ଆଦି ଜୈବିକ ବାହ୍ୟ ପଦାର୍ଥର କୋହଳ ସୀମା ୧ ପ୍ରତିଶତ ନିର୍ଦ୍ଧାରିତ ହୋଇଛି। ଏହା ବ୍ୟତୀତ ଖରାପ, ବେରଙ୍ଗା, ପାଣିଫୁଲା, ପୋକ ଅଂଶ ୪ ପ୍ରତିଶତ ମଧ୍ୟରେ ସୀମିତ ଥିବା ବେଳେ ୫ ପ୍ରତିଶତ ଅପରିପକ୍ଵ, ବଙ୍କା ଓ ସଂକୁଚିତ ୩ ପ୍ରତିଶତ, ଆର୍ଦ୍ରତାର ସର୍ବୋଚ୍ଚ କୋହଳ ସୀମା ୧୭ ପ୍ରତିଶତ ରଖାଯାଇଛି। ଏଥିପାଇଁ ମଣ୍ଡିରେ ମାନ ପରୀକ୍ଷା ବ୍ୟବସ୍ଥା ରହିଛି। କିନ୍ତୁ ଅନେକ ମଣ୍ଡିରେ ତାହା ନକରି ସିଧାସଳଖ ମିଲର୍ସ ହାତରେ ଛାଡ଼ି ଦିଆଯାଉଛି। ଜିଲ୍ଲା ପ୍ରଶାସନ ଧାନ ସଂଗ୍ରହ ପ୍ରକ୍ରିୟାରରେ ମିଲର୍ସଙ୍କ ଏ ପ୍ରକାର ଅନୁପ୍ରବେଶ ରୋକିବାକୁ ଦାବି ହେଉଛି।

Share Now:

Kalinga News Beuro

Next Post

ଅଭ୍ୟାସ ମ୍ୟାଚ୍‌ରେ ଓଡ଼ିଶାଠୁ ହାରିଲା କୋରିଆ

Fri Dec 23 , 2022
ରାଉରକେଲା: ରାଉରକେଲାରେ ନବନିର୍ମିତ ବୀର୍ସା ମୁଣ୍ଡା ହକି ଷ୍ଟାଡିୟମରେ ପୁରୁଷ ହକି ବିଶ୍ବକପ୍‌ ମ୍ୟାଚ୍‌ ଖେଳାଯିବା ପୂର୍ବରୁ ଭାରତ ଓ କୋରିଆ କନିଷ୍ଠ ଦଳ ମଧ୍ୟରେ ରବିବାରଠାରୁ ୩ଟି ଟେଷ୍ଟ୍‌ ମ୍ୟାଚ୍‌ ଖେଳାଯିବ। ଏହା ପୂର୍ବରୁ ଗୁରୁବାର ଭାରତୀୟ ଦଳ ଅଭ୍ୟାସ ମ୍ୟାଚ୍‌ରେ ୭-୨ ଗୋଲ୍‌ରେ ସେଲ୍‌ ହକି ଏକାଡେମୀ(ରାଉରକେଲା)କୁ ପରାସ୍ତ କରିଥିବାବେଳେ ଶୁକ୍ରବାର କୋରିଆ ଦଳ ତା’ର ଅଭ୍ୟାସ୍‌ ମ୍ୟାଚ୍‌ରେ ଓଡ଼ିଶା ଦଳଠାରୁ ପରାସ୍ତ ହୋଇଛି।ଶୁକ୍ରବାର ସନ୍ଧ୍ୟାରେ ଷ୍ଟାଡିୟମ୍‌ର […]
ଓଡ଼ିଶାଠୁ ହାରିଲା କୋରିଆ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial