ଭୁବନେଶ୍ୱର: କ୍ୟାପିଟାଲ୍ ହସ୍ପିଟାଲ୍ରେ ସ୍ୱତନ୍ତ୍ର ବିଶ୍ରାମାଗାର ନଥିବାରୁ ଦୂରଦୁରାନ୍ତରୁ ଆସୁଥିବା ରୋଗୀ ସମ୍ପର୍କୀୟମାନେ ବଡ଼ କଲବଲ ହେଉଛନ୍ତି। ରୋଗୀ ହସ୍ପିଟାଲ୍ ୱାର୍ଡରେ ରହୁଛି ସିନା, ସେମାନଙ୍କ ସହ ଆସିଥିବା ଆଟେଣ୍ଡାଣ୍ଟମାନେ ବର୍ଷା, ଶୀତ, କାକରରେ ହସ୍ପିଟାଲ ବାରଣ୍ଡାରେ ଜାକିଜୁକି ହୋଇ ରାତି କାଟୁଛନ୍ତି। ଏନେଇ ବାରମ୍ବାର ରୋଗୀ କଲ୍ୟାଣ ସମିତି ବୈଠକରେ ଆଲୋଚନା ହେଉଥିଲେ ମଧ୍ୟ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରୁନାହିଁ। ଏଥିପାଇଁ ଜାଗା ଚିହ୍ନଟ ହୋଇଥିବା ବେଳେ ନିର୍ମାଣ କାମର ନାଁ ଗନ୍ଧ ନାହିଁ। ବର୍ଷ ବର୍ଷ ଧରି ରୋଗୀ ସମ୍ପର୍କୀୟମାନେ ଏଭଳି ହୀନସ୍ତା ହେଉଥିଲେ ମଧ୍ୟ ସରକାର ଏ ଦିଗରେ ତତ୍ପରତା ଦେଖାଉନଥିବା ଅଭିଯୋଗ ହେଉଛି।
ସରକାରୀ ହସ୍ପିଟାଲ ହିସାବରେ ରାଜଧାନୀରେ କ୍ୟାପିଟାଲ୍ ହସ୍ପିଟାଲ୍ ହେଉଛି ସବୁ ଲୋକଙ୍କ ଭରସାର ସ୍ଥଳ। ରାଜଧାନୀକୁ ବାଦ୍ ଦେଲେ ପୁରୀ, ଖୋର୍ଦ୍ଧା, ନୟାଗଡ଼ ଆଦି ଅଞ୍ଚଳରୁ ରୋଗୀମାନେ ଏଠାକୁ ଧାଇଁ ଆସନ୍ତି। ଦୂରଦୂରାନ୍ତରୁ ଆସୁଥିବା ରୋଗୀ ସହ ଦୁଇ ତିନି ଜଣ ସମ୍ପର୍କୀୟ ଆସିଥାଆନ୍ତି। ରୋଗୀକୁ ୱାର୍ଡରେ ଶଯ୍ୟାଟିଏ ମିଳିବା ପରେ ତାଙ୍କ ପାଇଁ ଜଣଙ୍କୁ ଆଟେଣ୍ଡାଣ୍ଟ ହିସାବରେ ୱାର୍ଡରେ ରହିବାକୁ ସୁଯୋଗ ମିଳେ। କିନ୍ତୁ ଅନ୍ୟମାନେ ରାତି କାଟିବାକୁ ବାରଦୁଆର ହେବାକୁ ବାଧ୍ୟ ହୁଅନ୍ତି। କିଏ ପଞ୍ଜୀକରଣ କେନ୍ଦ୍ର ସମ୍ମୁଖ ବାରଣ୍ଡାରେ ତ ଆଉ କିଏ ନିରାମୟ କେନ୍ଦ୍ର ବାରଣ୍ଡାରେ ବଡ଼ କଦର୍ଯ୍ୟ ଭାବେ ରାତି କାଟିବାକୁ ବାଧ୍ୟ ହୁଅନ୍ତି। ବର୍ଷା ଦିନେ ଲୋକମାନଙ୍କ ଚଳପ୍ରଚଳ ଯୋଗୁଁ ବାରଣ୍ଡା ପାଣି କାଦୁଅ ହୋଇଯାଏ। ଶୋଇବାକୁ ଶୁଖିଲା ଜାଗା ମିଳିବା କାଠିକର ପାଠ ହୁଏ। ତେଣୁ ବହୁ ରୋଗୀ ସମ୍ପର୍କୀୟ ବସି ବସି ରାତି କାଟି ଦିଅନ୍ତି। ସେହିଭଳି ଶୀତ ଦିନ ହାଡ଼ଭଙ୍ଗା ଜାଡ଼ରେ କାଲୁଆ ଚଟାଣରେ ସେମାନଙ୍କୁ କଲବଲ ହେବାକୁ ପଡ଼େ। କେବଳ ଖରାଦିନେ ସେମାନେ ହସ୍ପିଟାଲ ପରିସରରେ ଏଠିସେଠି ଖୋଲାମେଲାରେ ଶୋଇ ପଡ଼ନ୍ତି। ଗତ ରୋଗୀ କଲ୍ୟାଣ ସମିତି ବୈଠକରେ ଆଟେଣ୍ଡାଣ୍ଟଙ୍କ ବିଶ୍ରାମ ପାଇଁ ଏକ ଘର ତିଆରି କରିବାକୁ ନିଷ୍ପତ୍ତି ନିଆଯାଇଥିଲା। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଘର ତିଆରି ହୋଇପାରିଲା ନାହିଁ। ଏ ବାବଦରେ ହସ୍ପିଟାଲ୍ କର୍ତ୍ତୃପକ୍ଷଙ୍କ କହିବା କଥା, ଏଥିପାଇଁ ଜାଗା ଚିହ୍ନଟ କରାଯାଇଛି ଏବଂ କାମ ମଧ୍ୟ କିଛି ଆରମ୍ଭ ହୋଇଛି। ବର୍ଷକ ମଧ୍ୟରେ ଏହାର ନିର୍ମାଣ କାମ ସରିଯିବ ବୋଲି କର୍ତ୍ତୃପକ୍ଷ କହିଛନ୍ତି।
ଅବ୍ୟବସ୍ଥାରେ କ୍ୟାପିଟାଲ୍ ହସ୍ପିଟାଲ୍ : ବାରଣ୍ଡାରେ କଲବଲ ରୋଗୀ ସମ୍ପର୍କୀୟ

Share Now: