ବାହାରୁ ଆସୁଥିଲେ ଚେକ ପଏଣ୍ଟରେ ଡାହାଣ ହାତରେ ଲାଗିବ ଅଲିଭା ଷ୍ଟାମ୍ପ
ଭୁବନେଶ୍ୱର: ରାଜ୍ୟ ସରକାର ଯୋଜନାବଦ୍ଧ ଭାବେ କେରୋନା ବିରୋଧରେ ଲଢ଼ୁଛନ୍ତି। ବର୍ତ୍ତମାନ ଏହି ଲଢ଼େଇ ଏକ ଗୁରୁତ୍ୱପୂର୍ଣ୍ଣ ମୋଡରେ ପହଞ୍ଚିଛି। ରାଜ୍ୟ ବାହାରୁ ଫେରୁଥିବା ଓଡ଼ିଆଙ୍କ ପରିଚାଳନା ଉପରେ କରୋନା ସଂକ୍ରମଣ ରୋକିବା ବହୁ ଭାବରେ ନିର୍ଭରଶୀଳ। ପୂର୍ବରୁ ଦେଶ ବାହାରୁ ଆସୁଥିବା ଲୋକଙ୍କୁ ଚିହ୍ନଟ ଓ ପଞ୍ଜୀକରଣ କରାଯାଇ ସଂକ୍ରମଣର ମୁକାବିଲା ହୋଇଥିଲା। ଏବେ ରାଜ୍ୟ ବାହାରୁ ଆସୁଥିବା ଶ୍ରମିକ, ଛାତ୍ରଛାତ୍ରୀ, ପେସାଦାର ଓ ଅନ୍ୟବର୍ଗର ଓଡ଼ିଆଙ୍କୁ ରାଜ୍ୟରେ ରଖି ପରିସ୍ଥିତିର ମୁକାବିଲା ଲାଗି ରାଜ୍ୟସରକାର ବିଭିନ୍ନ ବ୍ୟବସ୍ଥା ଆପଣାଇଛନ୍ତି। ପ୍ରବାସୀ ଓଡ଼ିଆ ଘରକୁ ଫେରିବା ପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଖୋଲାଯାଇଥିବା କୋଭିଡ୍୧୯ ୱେବସାଇଟରେ ପଞ୍ଚୀକରଣ କରିବା ଜରୁରି। ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ରାଜ୍ୟର ପ୍ରଶାସନକୁ ସେଠାରୁ ଓଡ଼ିଶା ଆସିବା ଲାଗି ଅନୁମତି ଦେବା ପୂର୍ବରୁ ପଞ୍ଜୀକରଣ ହୋଇଛି ନା ନାହିଁ ତାହା ଯାଞ୍ଚ କରିବେ। ଏଥିସହ ରାଜ୍ୟ ପକ୍ଷରୁ ସୀମାନ୍ତରେ ଖୋଲାଯାଇଥିବା କ୍ୟାମ୍ପ ଅଫିସରେ ପଞ୍ଜୀକରଣର ତଥ୍ୟ ତନଖି କରାଯିବ। ଯେଉଁମାନେ ଏହି କାମ କରି ନାହାନ୍ତି, ସେମାନେ ଫେରିବା ପୂର୍ବରୁ ନାମ ପଞ୍ଜୀକରଣ କରି ନିଅନ୍ତୁ। ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ଆଜି ଏହା କହିଛନ୍ତି। ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ତ୍ରିପାଠୀ କହିଛନ୍ତି, ପ୍ରବାସୀ ଓଡ଼ିଆମାନେ ଉଭୟ ସଡକ ଓ ଟ୍ରେନରେ ଆସିପାରିବେ,ମାତ୍ର ଏଥିଲାଗି ପଞ୍ଜୀକରଣ ଏକାନ୍ତ ଆବଶ୍ୟକ। ଶ୍ରୀ ତ୍ରିପାଠୀ କହିଛନ୍ତି ଯେଉଁମାନେ ବାହାର ରାଜ୍ୟରୁ ଆସିିବେ ସେଠାକାର ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଠାରୁ ଅନୁମତି ନେବେ। ଧରାଯାଉ ତାମିଲନାଡୁର ସାଲେମ ଜିଲ୍ଲାରୁ ୧୫ ଜଣ ପ୍ରବାସୀ ଆସିବାକୁ ଚାହୁଁଛନ୍ତି, ସେମାନେ ସାଲେମର ପ୍ରଶାସନ ଠାରୁ ପାସ କରାଇବେ ଓ ଓଡ଼ିଶାକୁ ଆସିବେ। ରାଜ୍ୟର ସୀମାଗୁଡ଼ିକରେ ଚେକ ପଏଣ୍ଟ ଖୋଲାଯାଇଛି। ରାଜ୍ୟରେ ମୋଟ ୧୧ଟି ଚେକ ପଏଣ୍ଟ ରହିଛି। ପୂର୍ବରୁ ପ୍ରବାସୀମାନେ ଯେଉଁ ପଞ୍ଜୀକରଣ କରିଥିବେ, ତାହା ଚେକ ପଏଣ୍ଟରେ ଦେଖାଇବାକୁ ପଡ଼ିବ। ସେଠାରେ ଅଧିକାରୀ, ପୁଲିସ, ସ୍ୱାସ୍ଥ୍ୟ କର୍ମୀ ଅଛନ୍ତି। ଯେଉଁ ଡାଟା ପୂରଣ ହୋଇଥିବ, ତାହା ଠିକ ଅଛିକି ନାହିଁ ଯାଞ୍ଚ ପରେ ସେମାନେ ଆସିପାରିବେ। କିନ୍ତୁ ଏହା ପୂର୍ବରୁ ପ୍ରବାସୀମାନେ ନାମ ପଂଜୀକରଣ କରିଥିବା ଦରକାର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ସପ୍ତାହରେ ମହାରାଷ୍ଟ୍ର, ତାମିଲନାଡୁ ଓ ଗୁଜୁରାଟ ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ ବାର୍ତ୍ତାରେ କଥା ହୋଇଛନ୍ତି। ସୀମାନ୍ତ ଚେକ ପଏଣ୍ଟରେ ପହଞ୍ଚିବା ପରେ ଡାହାଣ ହାତରେ ଅଲିଭା କାଳି ଦ୍ୱାରା ଚିହ୍ନ ଦିଆଯିବ। ଏଥି ସହ ସେମାନେ କେଉଁଠିକୁ ଯିବେ ତାର ବିଷଦ ବିବରଣୀ ରହିବ। ଏହା କ୍ୱାରେଣ୍ଟାଇନ ଶେଷ ହେବା ପର୍ଯ୍ୟନ୍ତ ରହିବ। ଚେକ ପଏଣ୍ଟରୁ ଯିବା ପରେ ଜିଲ୍ଲା ପ୍ରଶାସନର ଅଧିକାରୀ ସେମାନଙ୍କୁ କରିବା ସହିତ ସେମାନଙ୍କର ଗନ୍ତବ୍ୟସ୍ଥଳକୁ ପହଞ୍ଚାଇବେ। ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପରେ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ସରପଞ୍ଚଙ୍କ ପର୍ଯ୍ୟନ୍ତ କର୍ତ୍ତୃପକ୍ଷ ପ୍ରବାସୀମାନଙ୍କର କ୍ୱାରେଣ୍ଟାଇନରେ ରହିବା ପାଇଁ ବ୍ୟବସ୍ଥା କରିବେ।
ଯଦି ଯେଉଁମାନେ ଟ୍ରେନରେ ଆସିବେ, ସେମାନଙ୍କ ପାଇଁ ଭିନ୍ନ ବ୍ୟବସ୍ଥା କରାଯାଇଛି। କେରଳରୁ ଆଜି ରାତିରେ ଗୋଟିଏ ଟ୍ରେନ ଆସିବାର ଅଛି ଓ ଗୁଜୁରାଟରୁ କିଛି ଦିନ ପରେ ଆଉ ଏକ ଟ୍ରେନ ଆସିପାରେ। ଏଥି ପାଇଁ ପଂଜୀକରଣ କରାଯାଇଥିବା ଦରକାର। ଯେଉଁମାନେ ଟ୍ରେନରେ ଫେରିବାକୁ ଚାହୁଁଛନ୍ତି, ସେଥିପାଇଁ ମଧ୍ୟ ପଞ୍ଜୀକରଣ କରିଥିବା ଦରକାର। କାରଣ ରାଜ୍ୟ ସରକାର ଟ୍ରେନ ଯାତ୍ରାକୁ ମଧ୍ୟ ନିୟନ୍ତ୍ରଣ କରୁଛନ୍ତି। ଓଡ଼ିଶାର କିଛି ନିର୍ଦ୍ଦିଷ୍ଟ ଷ୍ଟେସନରେ ରେଳ ଅଟକିବ। କିଛି ଷ୍ଟେସନରେ ପ୍ରବାସୀମାନଙ୍କୁ ପ୍ରଶାସନ ପକ୍ଷରୁ ଅଣାଯାଇ କରାଯିବ। ଯଦି ଟ୍ରେନରୁ ଓହ୍ଲାଇ ପ୍ରବାସୀମାନେ ଗ୍ରାମାଞ୍ଚଳକୁ ଯିବେ ସ୍ଥାନୀୟ ପ୍ରଶାସନ ସେହି ବ୍ୟବସ୍ଥା କରିବ। ସ୍ଥାନୀୟ ପ୍ରଶାସନ ଦ୍ୱାରା ପ୍ରବାସୀମାନଙ୍କୁ ରେଳ ଷ୍ଟେସନରୁ ଗାଡ଼ିରେ ନେବେ। ଯାତ୍ରୀମାନଙ୍କୁ ବାଧ୍ୟତାମୂଳକ ଭାବେ କ୍ୱାରେଣ୍ଟାଇନରେ ରହିବାକୁ ହେବ। ଟ୍ରେନରେ ଯିବା ପୂର୍ବରୁ ଯାତ୍ରୀମାନଙ୍କର ସ୍କାନିଂ ହେବ। ରାଜ୍ୟର ଗ୍ରାମାଞ୍ଚଳରେ ୨ ଲକ୍ଷ ୬୦ ହଜାର ଲୋକଙ୍କ ଲାଗି କ୍ୱାରେଣ୍ଟାଇନ ହୋଇଛି। ଗ୍ରାମାଞ୍ଚଳରେ ଗର୍ଭବତୀ ମହିଳା, ଶିଶୁ, ଛାତ୍ର, ମାନସିକ ରୂପେ ଅନଗ୍ରସର, କିନ୍ନରମାନଙ୍କ ପାଇଁ ସରପଞ୍ଚ ହୋମ କ୍ୱାରେଣ୍ଟାଇନ ବ୍ୟବସ୍ଥା କରିବେ। ଯଦି ହୋମ କ୍ୱାରେଣ୍ଟାଇନ ନ ଥିବ, ତାହେଲେ ସରପଞ୍ଚ ସ୍ୱତନ୍ତ୍ର ବ୍ୟବସ୍ଥା କରିବେ। ଯେଉଁମାନେ ଘରେ ହୋମ କ୍ୱାରେଣ୍ଟାଇନରେ ରହିବେ, ସେମାନଙ୍କ ଘର ବାହାରେ ଏକ ଷ୍ଟିକର ଲାଗିବ। ସହରାଞ୍ଚଳରେ କ୍ୱାରେଣ୍ଟାଇନ ଦେୟଯୁକ୍ତ ବ୍ୟବସ୍ଥା କରାଯାଇଛି। ଯେଉଁଠି ନିୟମ ଭଙ୍ଗ ହେଉ, ମହାମାରୀ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ। କରୋନା ମୁକାବିଲା ପାଇଁ ସମସ୍ତେ ସାହାଯ୍ୟ କରିବେ।