ସାଧାରଣତନ୍ତ୍ର ଦିବସ ପରେଡରେ ଦେଶ ଦେଖିବ ଓଡ଼ିଶୀ ନୃତ୍ୟଶିଳ୍ପୀଙ୍କ କମାଲ୍

ଦେଶ ଦେଖିବ ଓଡ଼ିଶୀ

ନୂଆଦିଲ୍ଲୀ: ୨୪ତମ ସାଧାରଣତନ୍ତ୍ର ଦିବସ ପରେଡରେ ସାରା ବିଶ୍ୱ ଦେଖିବ ଓଡ଼ିଆ ନୃତ୍ୟଶିଳ୍ପୀଙ୍କ କମାଲ୍। ଦେଶର ନାରୀଶକ୍ତିଙ୍କ ଉଦ୍ଦେଶ୍ୟରେ ସମର୍ପିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ‘ବନ୍ଦେ ଭାରତମ୍’ର କୋରିଓଗ୍ରାଫି (ନୃତ୍ୟ ସଂଯୋଜନା) କରିଥିବା ଦେଶର ୪ ଜଣ ବିଶିଷ୍ଟ ନୃତ୍ୟଶିଳ୍ପୀଙ୍କ ମଧ୍ୟରେ ଅଛନ୍ତି ଦୁଇ ଓଡ଼ିଆ-ନିବେଦିତା ମହାପାତ୍ର ଏବଂ କବିତା ଦ୍ୱିବେଦୀ। ଏହି ଦୁଇ ପ୍ରତିଷ୍ଠିତ ଓଡ଼ିଶୀ ନୃତ୍ୟଶିଳ୍ପୀଙ୍କ ପରିକଳ୍ପନା ଓ ନିର୍ଦ୍ଦେଶନାର ଝଲକ ଦେଖିବାକୁ ମିଳିବ ଜାନୁଆରି ୨୬ ତାରିଖ ନୂଆଦିଲ୍ଲୀର କର୍ତ୍ତବ୍ୟପଥରେ। ସାଧାରଣତନ୍ତ୍ର ଦିବସ ଅବସରରେ ଦେଶର ମୁଖ୍ୟ ପରେଡ୍ ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ଆୟୋଜିତ ହେବାକୁ ଯାଉଛି। ଏଥର ଜାତୀୟ ପରେଡରେ କେନ୍ଦ୍ର ସଂସ୍କୃତି ବିଭାଗର ଏକ ବିଶେଷ ସାଂସ୍କୃତିକ କାର୍ଯ୍ୟକ୍ରମ ମୁଖ୍ୟ ଆକର୍ଷଣ ସାଜିବ ବୋଲି ଆକଳନ କରାଯାଉଛି। ଦେଶର ନାରୀଶକ୍ତିଙ୍କୁ ସମର୍ପିତ ହୋଇଥିବା ଏହି କାର୍ଯ୍ୟକ୍ରମର ନାମ ରହିଛି ବନ୍ଦେ ଭାରତମ। ଏହି ମେଗା ସାଂସ୍କୃତିକ କାର୍ଯ୍ୟକ୍ରମର କୋରିଓଗ୍ରାଫ କରିଛନ୍ତି ଦେଶର ୪ଜଣ ପ୍ରମୁଖ ମହିଳା ନୃତ୍ୟାଙ୍ଗନା। ଆଉ ଉଲ୍ଲେଖନୀୟ ବିଷୟ ହେଉଛି ଏହି ୪ଜଣଙ୍କ ଭିତରେ ସାମିଲ ଅଛନ୍ତି ଦୁଇଜଣ ଓଡ଼ିଆ। ସେମାନେ ହେଲେ ନିବେଦିତା ମହାପାତ୍ର ଏବଂ କବିତା ଦ୍ୱିବେଦୀ। ଏହି ଦୁଇ ବିଶିଷ୍ଟ ଓଡ଼ିଶୀ ନୃତ୍ୟାଙ୍ଗନାଙ୍କ ସହ ଜୟପ୍ରଭା ମେନନ୍ ଏବଂ ଭାବିନୀ ମିଶ୍ରା ମଧ୍ୟ ଏହି କାର୍ଯ୍ୟକ୍ରମର କୋରିଓଗ୍ରାଫର ଭାବରେ ଅଛନ୍ତି।
ଓଡ଼ିଶୀ ନୃତ୍ୟଶିଳ୍ପୀ ନିବେଦିତା ମହାପାତ୍ର
କର୍ତ୍ତବ୍ୟ ପଥରେ ଜାତୀୟ ପ୍ୟାରେଡରେ ଏହି କାର୍ଯ୍ୟକ୍ରମ ସାମିଲ ହେବାକୁ ଯାଉଥିଲା ବେଳେ ମହିଳା ନୃତ୍ୟାଙ୍ଗନାଙ୍କ ପରିକଳ୍ପନାରେ ନାରୀମାନଙ୍କୁ ସମର୍ପିତ କାର୍ଯ୍ୟକ୍ରମ କରାଇ ନାରୀଶକ୍ତିକୁ ସଲାମ କରିବାକୁ ଯାଉଛନ୍ତି କେନ୍ଦ୍ର ସରକାର। ସାରାଦେଶରୁ କଡ଼ା ଚୟନ ପ୍ରକ୍ରିୟା ମଧ୍ୟରେ ୧୭ରୁ ୩୦ବର୍ଷ ବୟସ ବର୍ଗର ୪୭୯ଜଣ କଳାକାରଙ୍କୁ ଏହି କାର୍ଯ୍ୟକ୍ରମ ସକାଶେ ଚୟନ କରାଯାଇଛି। ରାଜ୍ୟ, ଜୋନାଲ ଏବଂ ଜାତୀୟ ଚୟନ ପ୍ରକ୍ରିୟା ଦେଇ ବଛା ଯାଇଛି ଏମାନଙ୍କୁ। ଏଥିରେ ଶାସ୍ତ୍ରୀୟ, ପାରମ୍ପରିକ ଓ ଲୋକନୃତ୍ୟ କଳାକାରମାନେ ସାମିଲ ଅଛନ୍ତି। ୩୦ରୁ ଅଧିକ ଦେଶରେ ଓଡ଼ିଶୀ କାର୍ଯ୍ୟକ୍ରମ ପରିବେଷଣ କରିବାର ଗୌରବ ହାସଲ କରିସାରିଥିବା ନୃତ୍ୟାଙ୍ଗନା ନିବେଦିତା ମହାପାତ୍ର ଆଜି ଦେଶର ଜଣେ ଅଗ୍ରଣୀ ଶାସ୍ତ୍ରୀୟ ନୃତ୍ୟ କଳାକାର। ଭାରତ ସରକାରଙ୍କ ସଂସ୍କୃତି ବିଭାଗରୁ ଜୁନିୟର ଓ ସିନିୟର ଫେଲୋସିପ ଓ ବୃତ୍ତି ପାଇସାରିଥିଲା ବେଳେ କେନ୍ଦ୍ର ସରକାରଙ୍କ ବହୁ ପ୍ରମୁଖ କାର୍ଯ୍ୟକ୍ରମରେ ତାଙ୍କ ପରିକଳ୍ପିତ ନୃତ୍ୟ କାର୍ଯ୍ୟକ୍ରମ ପ୍ରଦର୍ଶିତ ହୋଇସାରିଛି। ସେହିପରି ଦେଶବିଦେଶରେ ଓଡ଼ିଶୀ ନୃତ୍ୟ ପରିବେଷଣ ଓ ନିର୍ଦ୍ଦେଶନା ଲାଗି ବେଶ୍ ପ୍ରସିଦ୍ଧ କବିତା ଦ୍ୱିବେଦୀ।
ଓଡ଼ିଶୀ ନୃତ୍ୟଶିଳ୍ପୀ କବିତା ଦ୍ୱିବେଦୀ
ବେଶ କିଛି ଦିନ ଧରି ନୂଆଦିଲ୍ଲୀରେ ୪୭୯ଜଣ କଳାକାରଙ୍କୁ ନେଇ ଅଭ୍ୟାସ କରାଇବାରେ ଲାଗିପଡ଼ିଛନ୍ତି କବିତା, ନିବେଦିତା ଓ ଅନ୍ୟମାନେ। ‘ବନ୍ଦେ ଭାରତମ୍’ରେ ନାରୀଶକ୍ତିର ବର୍ଣ୍ଣନା ପୃଥିବୀ, ଜଳ,ବାୟୁ, ମହାକାଶ ଏବଂ ଅଗ୍ନି ମାଧ୍ୟମରେ ପ୍ରଦର୍ଶିତ ହେବାକୁ ଯାଉଥିଲା ବେଳେ ଏଥିରେ ୩୨୬ଜଣ ମହିଳା ନୃତ୍ୟାଙ୍ଗନା ଏବଂ ୧୫୩ ଜଣ ପୁରୁଷ ନର୍ତ୍ତକ ସାମିଲ ଅଛନ୍ତି। ପଦ୍ମଶ୍ରୀ ଅଶୋକ ଚକ୍ରଧରଙ୍କ ଦ୍ୱାରା ଆଦ୍ୟଲେଖାକୁ ସ୍ୱର ଦେଇଛନ୍ତି ଗଜଲା ଅମିନ। ଏହି କାର୍ଯ୍ୟକ୍ରମ ପାଇଁ ସଂଗୀତ ନିର୍ଦ୍ଦେଶନା ଦୁଇଜଣ ମହିଳା ସଂଗୀତ ନିର୍ଦ୍ଦେଶକ ରାଜା ଭାବତରଣୀ ଏବଂ ଆଲୋକାନନ୍ଦା ଦାସଗୁପ୍ତ କରିଥିଲା ବେଳେ ଏହି ବିଶେଷ କାର୍ଯ୍ୟକ୍ରମ ପାଇଁ ଗୀତ ଲେଖିଛନ୍ତି ରାଜେଶ୍ୱରୀ ଦାସଗୁପ୍ତ।

Share Now:

Kalinga News Beuro

Next Post

କଟକରେ ବକ୍ସି ଜଗବନ୍ଧୁଙ୍କ ସ୍ମୃତି ରକ୍ଷା ପାଇଁ ଏକାଠି ହେଲେ ସର୍ବଦଳୀୟ ନେତା

Tue Jan 24 , 2023
କଟକ: ପାଇକ ବିଦ୍ରୋହର କର୍ଣ୍ଣଧାର ବକ୍ସି ଜଗବନ୍ଧୁଙ୍କର କଟକ ସହରରେ ଅନେକ ସ୍ମୃତି ରହିଛି। କଟକରେ ବକ୍ସି ଜଗବନ୍ଧୁଙ୍କୁ ନଜର ବନ୍ଦୀ ଭାବେ ରଖାଯାଇଥିଲା। କଟକରେ ହିଁ ଜେଲରେ ଥିବା ଅବସ୍ଥାରେ ବକ୍ସି ଜଗବନ୍ଧୁ ସହିଦ ହୋଇଥିଲେ। ତେଣୁ ଆଜି ବକ୍ସି ଜଗବନ୍ଧୁଙ୍କ ତିରୋଧାନ ଦିବସ ଅବସରରେ କଟକରେ ବକ୍ସି ଜଗବନ୍ଧୁଙ୍କ ସ୍ମୃତି ରକ୍ଷା ପାଇଁ ଦଳ ମତ ନିର୍ବିଶେଷରେ ଏକାଠି ହେଇଛନ୍ତି ସବୁ ଦଳର ନେତା। ସେପଟେ ବକ୍ସି […]
କଟକରେ ବକ୍ସି ଜଗବନ୍ଧୁଙ୍କ ସ୍ମୃତି ରକ୍ଷା ପାଇଁ ଏକାଠି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial