ବାଲାକୋଟ୍‌ ଆକ୍ରମଣ ପରେ ପାକିସ୍ତାନ ଆଣବିକ ଆକ୍ରମଣ ପାଇଁ ପ୍ରସ୍ତୁତି କରୁଥିବା କଥା ଭାରତ ସୂଚନା ଦେଇଥିଲା: ପମ୍ପିଓ

ପୂର୍ବତନ ବୈଦେଶିକ ସଚିବ ମାଇକ୍‌ ପମ୍ପିଓ

ୱାସିଂଟନ୍‌: ବାଲାକୋଟ୍‌ ଷ୍ଟ୍ରାଇକ୍‌ ପରେ ପାକିସ୍ତାନ ଆଣବିକ ଆକ୍ରମଣ ପାଇଁ ପ୍ରସ୍ତୁତି କରୁଥିବା କଥା ଭାରତ ମତେ ସୂଚନା ଦେଇଥିଲା ବୋଲି ଆମେରିକାର ପୂର୍ବତନ ବୈଦେଶିକ ସଚିବ ମାଇକ୍‌ ପମ୍ପିଓ ଦାବି କରିଛନ୍ତି। ସେ କହିଛନ୍ତି, ୨୦୧୯ ଫେବ୍ରୁଆରି ବାଲାକୋଟ୍ ସର୍ଜିକାଲ୍‌ ଷ୍ଟ୍ରାଇକ୍‌ ପରେ ପାକିସ୍ତାନ ଆଣବିକ ଆକ୍ରମଣ ପାଇଁ ପ୍ରସ୍ତୁତି କରୁଥିବା କଥା ଭାରତର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ମତେ ଫୋନ୍‌ କରି ଜଣାଇଥିଲେ। ଏହାର ମୁକାବିଲା ନିମନ୍ତେ ଭାରତ ମଧ୍ୟ ପ୍ରସ୍ତୁତି କରୁଥିବା କଥା ସେ କହିଥିଲେ। ମଙ୍ଗଳବାର ଦିନ ପ୍ରକାଶିତ ସଦ୍ୟତମ ପୁସ୍ତକ ‘ନେଭର୍‌ ଗିଭ୍‌ ଆନ୍‌ ଇଞ୍ଚ୍‌: ଫାଇଟିଙ୍ଗ୍‌ ଫର୍‌ ଦି ଆମେରିକା ଆଇ ଲଭ୍‌’ରେ ପମ୍ପିଓ କହିଛନ୍ତି ଯେ, ଫେବ୍ରୁଆରି ୨୭-୨୮ ତାରିଖ ଦିନ ଆମେରିକା-ଉତ୍ତର କୋରିଆ ଶିଖର ବୈଠକ ନିମନ୍ତେ ସେ ହାନୋଇରେ ଥିବା ବେଳେ ଘଟଣାଟି ଘଟିଥିଲା। ଏହି ସଙ୍କଟ ଟାଳିବା ନିମନ୍ତେ ତାଙ୍କ ଟିମ୍‌ ଉଭୟ ନୂଆଦିଲ୍ଲୀ ଓ ଇସ୍‌ଲାମାବାଦ ସହିତ ରାତି ସାରା କାମ କରିଥିଲେ।
୨୦୧୯ ଫେବ୍ରୁଆରିରେ ଭାରତ-ପାକିସ୍ତାନ ଶତ୍ରୁତା ସୀମା ଉଲ୍ଲଂଘନ କରି ଆଣବିକ ଯୁଦ୍ଧ ଆଡ଼କୁ ଯାଉଥିବା ପ୍ରସଙ୍ଗରେ ବିଶ୍ୱ କେତେଦୂର ଠିକ୍‌ ମୁଁ ସେ କଥା ଭାବୁନାହିଁ। ସତ କହିବାକୁ ଗଲେ ମୁଁ ବି ଏହାର ସଠିକ ଉତ୍ତର ଦେଇ ପାରିବି ନାହିଁ। କିନ୍ତୁ, ପରମାଣୁ ଯୁଦ୍ଧ ପରିସ୍ଥିତି ଉପୁଜିଥିବା କଥା ମୁଁ ଜାଣିଛି। ସ୍ୱରାଜଙ୍କଠାରୁ ସୂଚନା ପାଇ ମୁଁ ରାଷ୍ଟ୍ରଦୂତ ଜନ୍‌ ବଲ୍‌ଟନ୍‌ଙ୍କ ସହିତ କାର୍ଯ୍ୟ ଆରମ୍ଭ କଲି। ସେତେ‌ବେଳେ ସେ ମୋ ସହିତ ଉକ୍ତ ହୋଟେଲ୍‌ରେ ଥିଲେ। ତା’ପରେ ମୁଁ ପାକିସ୍ତାନର ସେନାମୁଖ୍ୟ ଜେନେରାଲ୍‌ କ୍ଵାମାର ଜାବେଦଙ୍କ ସହିତ କଥାବାର୍ତ୍ତା କଲି। ଭାରତ ଯାହା କହିଥିଲା, କହିଲି। ସେ କହିଲେ, ଏ ସବୁ ମିଛ କଥା। କିନ୍ତୁ. ପମ୍ପିଓଙ୍କ ଦାବି ଉପରେ ଭାରତର ବୈଦେଶିକ ମନ୍ତ୍ରାଳୟ ତୁରନ୍ତ କୌଣସି ବିବୃତି ଦେଇନାହିଁ। ସ୍ମରଣଯୋଗ୍ୟ, ୨୦୧୯ ଫେବ୍ରୁଆରିରେ ୪୦ଜଣ ‘ସିଆର୍‌ପିଏଫ୍‌’ ଯବାନ ସହିତ ହୋଇଥିବା ପୁଲ୍‌ୱାମା ଆତଙ୍କବାଦୀ ଆକ୍ରମଣର ପ୍ରତ୍ୟୁତ୍ତର ଦେବାକୁ ଯାଇ ଭାରତୀୟ ଲଢୁଆ ବିମାନ ସବୁ ପାକିସ୍ତାନର ବାଲାକୋଟ୍‌ରେ ଥିବା ‘ଜୈଶ୍‌-ଏ-ମହମ୍ମଦ୍‌’ ଆତଙ୍କବାଦୀ ତାଲିମ ଶିବିର ଉପରେ ସର୍ଜିକାଲ୍‌ ଷ୍ଟ୍ରାଇକ୍‌ କରିଥିଲେ।

Share Now:

Kalinga News Beuro

Next Post

ହକି-ଡଟ୍‌ଫେଷ୍ଟ୍‌ରେ ସାହାଣମେଲା : ଖଣ୍ଡଗିରି ମେଳାକୁ ଆକଟ

Wed Jan 25 , 2023
ଭୁବନେଶ୍ୱର: ୨୮ ତାରିଖରୁ ଖଣ୍ଡଗିରି ମେଳା। ଜାନୁଆରି ୩୦ରୁ ଯାତ୍ରା। ହାତରେ ଆଉ କମ୍‌ ସମୟ ବାକି ଥିବା ବେଳେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛନ୍ତି ଯାତ୍ରା ଦଳ। କିଏ କେଉଁ ନାଟକ କେତେ ରାତି ପରିବେଷଣ କରିବେ, ତାହାର ତାଲିକା ଶେଷ ହେଲାଣି। ଦୁଇବର୍ଷ ବ୍ୟବଧାନ ପରେ ଯାତ୍ରା ମହାକୁମ୍ଭ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ବିଏମ୍‌ସିର ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର(ଏସ୍‌ଓପି) ଏବେ ଦ୍ଵନ୍ଦ ସୃଷ୍ଟି କରିଛି। ‘ପ୍ରଚଳିତ […]
ଖଣ୍ଡଗିରି ମେଳାକୁ ଆକଟ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial