ଶ୍ରୀଗୁଣ୍ଡିଚା ମନ୍ଦିରରେ ହେରାପଞ୍ଚମୀ : ରାଗିଲେ ମା ଲକ୍ଷ୍ମୀ, ନନ୍ଦିଘୋଷ ରଥ ଭାଙ୍ଗିଲେ, ଆଜି ତିନି ରଥର ଦକ୍ଷିଣମୋଡ଼

ପୁରୀ : ଶ୍ରୀଗୁଣ୍ଡିଚା ମନ୍ଦିରରେ ଆଜି ହେରାପଞ୍ଚମୀ ନୀତି ସଂପନ୍ନ ହୋଇଛି। ପରମ୍ପରା ମୁତାବକ ମା ଲକ୍ଷ୍ମୀ କ୍ରୋଧାନ୍ଵିତ ହୋଇ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ଭାଙ୍ଗିଛନ୍ତି। ଅନ୍ୟପଟେ ଆସନ୍ତାକାଲି ତିନି ରଥ ବାହୁଡ଼ା ଯାତ୍ରା ପାଇଁ ଦକ୍ଷିଣମୋଡ଼ ନେବେ। ଏ ନେଇ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ଆସନ୍ତାକାଲି ପାଇଁ ନୀତି ନିର୍ଘଣ୍ଟ ହୋଇଛି।ପରମ୍ପରା ଆଧାରରେ ଆଜି ହେରାପଞ୍ଚମୀ ଉପଲକ୍ଷେ ମା ଲକ୍ଷ୍ମୀ ଶ୍ରୀମନ୍ଦିରରୁ ଶୋଭାଯାତ୍ରାରେ ବାହାରି ଶ୍ରୀଗୁଣ୍ଡିଚା ମନ୍ଦିରଠାରେ ପହଞ୍ଚିବା ପରେ ମହାପ୍ରଭୁଙ୍କ ଦର୍ଶନ ନପାଇ ଅପମାନରେ ଫେରିଛନ୍ତି। ଅପମାନ ଓ ରାଗରେ ଜର୍ଜରିତ ମା ଲକ୍ଷ୍ମୀ ମହାପ୍ରଭୁଙ୍କ ନନ୍ଦିଘୋଷ ରଥକୁ ଭାଙ୍ଗି ଦେଇଥିଲେ। ଆଜି ବିଳମ୍ବିତ ରାତିରେ ମା ଲକ୍ଷ୍ମୀ ଠାକୁରାଣୀ ସ୍ୱତନ୍ତ୍ର ବିମାନରେ ସିଂହଦ୍ଵାର ଦେଇ ଶ୍ରୀମନ୍ଦିରରୁ ବାହାରିଥିଲେ। ଘଣ୍ଟଘଣ୍ଟା, କାହାଳୀ ସହିତ ଏକ ଭବ୍ୟ ଶୋଭାଯାତ୍ରାରେ ବଡ଼ଦାଣ୍ଡ ଦେଇ ଶ୍ରୀଗୁଣ୍ଡିଚା ମନ୍ଦିର ପହଞ୍ଚିବା ପରେ ସେଠାରେ ନନ୍ଦିଘୋଷ ରଥ ନିକଟରେ ଦହିପଟି ମଣୋହୀ ନୀତି ସଂପନ୍ନ ହୋଇଥିଲା। ପରେ ସେଠାରୁ ସିଂହଦ୍ଵାର ଦେଇ ମା ଲକ୍ଷ୍ମୀ ଜୟବିଜୟ ଦ୍ଵାର ନିକଟରେ ପହଞ୍ଚିଥିଲେ। ଏହି ସମୟରେ ମହାପ୍ରଭୁଙ୍କ ସନ୍ଧ୍ୟାଧୂପ ଚାଲିଥିବାରୁ ଜୟବିଜୟ ଦ୍ଵାର ନିକଟରେ ମା ଲକ୍ଷ୍ମୀ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ମହାପ୍ରଭୁଙ୍କ ନିକଟରୁ ଆଜ୍ଞାମାଳ ଆସିବା ପରେ ଧୂପ ଚାଲୁଥିବାରୁ ଦୁଇଟି ଯାକ କବାଟ ବନ୍ଦ କରି ଦିଆଯାଇଥିଲା। ଯାହା ମା ଲକ୍ଷ୍ମୀଙ୍କୁ ଅପମାନ ଦେଇଥିଲା। ଅପମାନରେ ଜର୍ଜରିତ ମା ଲକ୍ଷ୍ମୀ ନାକଚଣା ଦ୍ଵାର ଦେଇ ବାହାରି ଆସିବା ବେଳେ ରାଗରେ ମହାପ୍ରଭୁଙ୍କ ରଥ ଭାଙ୍ଗି ଦେଇଥିଲେ। ଯେଉଁ ଘଣ୍ଟଘଣ୍ଟା, କାହାଳୀ ସହ ଶୋଭାଯାତ୍ରାରେ ଯାଇଥିଲେ ଫେରିବା ସମୟରେ ଆଉ ସେଭଳି ପରିବେଶ ନଥିଲା। ରାଗରେ ତମ୍‌ତମ୍‌ ମା ଲକ୍ଷ୍ମୀ ବଡ଼ଦାଣ୍ଡ ବାଟେ ଶ୍ରୀମନ୍ଦିରକୁ ନଆସି ନିରାଡ଼ମ୍ବର ପରିବେଶ ଭିତରେ ହେରାଗୋହିରୀ ସାହି ଦେଇ ଫେରିଥିଲେ। ଫେରିବା ବାଟରେ ବିଭିନ୍ନ ସ୍ଥାନରେ ମାଙ୍କ ନିକଟରେ ପନ୍ତି ଭୋଗ ହୋଇଥିଲା। ବିଳମ୍ବିତ ରାତିରେ ମା’ ପୁନର୍ବାର ସିଂହଦ୍ଵାର ଦେଇ ଶ୍ରୀମନ୍ଦିରକୁ ଫେରିଥିଲେ। ସେପଟେ ଆଜି ମହାପ୍ରଭୁଙ୍କ ଆଡ଼ପ ଦର୍ଶନ ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିରରେ ପ୍ରବଳ ଗହଳି ଦେଖିବାକୁ ମିଳିଛି। ହଜାର ହଜାର ଭକ୍ତ ଆଜି ମହାପ୍ରଭୁଙ୍କ ଆଡ଼ପ ମଣ୍ଡପରେ ଦର୍ଶନ କରିଛନ୍ତି। ଅନ୍ୟପଟେ ଆଡ଼ପ ଅବଢ଼ା ସେବନ ପାଇଁ ଆଜି ହଜାର ହଜାର ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା।

Share Now:

Kalinga News Beuro

Leave a Reply

Next Post

ଗୁଇନ୍ଦା ସୂଚନା: ପାର୍ଲାମେଣ୍ଟ୍‌ ଆକ୍ରମଣ କରିବା ପାଇଁ ଆସୁଛନ୍ତି ଖଲିସ୍ତାନୀ ଆତଙ୍କବାଦୀ

Thu Jul 19 , 2018
ନୂଆଦିଲ୍ଲୀ: ସଂସଦରେ ଆକ୍ରମଣ କରିବା ପାଇଁ ଉତ୍ତର ପ୍ରଦେଶର ରେଜିଷ୍ଟ୍ରେସନ୍‌ ନମ୍ବର ଥିବା ଏକ ବିସ୍ଫୋରକ ବୋଝେଇ କାର୍‌ରେ ଦୁଇ ଜଣ ଖଲିସ୍ତାନୀ ଆତଙ୍କବାଦୀ ଦିଲ୍ଲୀ ଅଭିମୁଖେ ଆସିଛନ୍ତି ବୋଲି ଗୁଇନ୍ଦା ଏଜେନ୍‌ସି ଠାରୁ ସୂଚନା ପାଇବା ପରେ କେନ୍ଦ୍ରୀୟ ଏବଂ ନୂଆଦିଲ୍ଲୀ ଜିଲ୍ଲାଗୁଡ଼ିକରେ ବହୁସ୍ତରୀୟ ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଦୁଇ ଆତଙ୍କବାଦୀ ଲଖଓ୍ଵିନ୍ଦର୍‌ ସିଂହ ଏବଂ ପରମିନ୍ଦର୍‌ ସିଂହ ଗୋଟିଏ ଧଳା ଇନୋଭାରେ ନେପାଳ ସୀମାନ୍ତରୁ ଆସୁଛନ୍ତି। […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial