ତୁର୍କୀ ଭୂକମ୍ପରେ ମୃତ୍ୟୁସଂଖ୍ୟା ୪୦୦୦ ଟପିଲା : ଉଦ୍ଧାର କାର୍ଯ୍ୟ ଜାରି

ତୁର୍କୀ ଭୂକମ୍ପ-2

ଇସ୍ତାନବୁଲ : ତୁର୍କୀ ଓ ସିରିଆରେ ହୋଇଥିବା ଶକ୍ତିଶାଳୀ ଭୂମିକମ୍ପରେ ମୃତ୍ୟୁସଂଖ୍ୟା ଦ୍ରୁତ ଗତିରେ ବଢିଚାଲିଛି। ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁସାରେ ମୃତ୍ୟୁସଂଖ୍ୟା ୪୦୦୦ ଟପିଯାଇଛି। ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ତୁର୍କୀରେ ଏଯାବତ୍ ୪୨୦୦ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି। କ୍ରମାଗତ ୩ଟି ବଡ଼ଧରଣର ଭୂକମ୍ପରେ ଧ୍ୱସ୍ତବିଧ୍ୱସ୍ତ ହୋଇପଡ଼ିଛି ତୁର୍କୀ। ସେଠାକାର ୯ଟି ପ୍ରଦେଶ ସଂପୂର୍ଣ୍ଣ ରୂପେ ଧ୍ଵଂସ ହୋଇଯାଇଛି। ୩୦ ହଜାରରୁ ଅଧିକ ଲୋକଙ୍କୁ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏବେ ସୁଦ୍ଧା ବହୁ ଲୋକ ଧ୍ଵଂସସ୍ତୂପ ତଳେ ଫସି ରହିଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଜୋର୍‌ସୋର୍‌ରେ ଉଦ୍ୟମ ଜାରି ରହିଛି। ମୃତ୍ୟୁସଂଖ୍ୟା ଆହୁରି ବଢ଼ିବା ଆଶଙ୍କା ସୃଷ୍ଟି ହୋଇଛି। ଇତିମଧ୍ୟରେ ସିରିଆ ସରକାର ଅନ୍ତଃରାଷ୍ଟ୍ରୀୟ ସହାୟତା ପାଇଁ ନିବେଦନ କରିଛନ୍ତି। ଏହାସହ ୭ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି ତୁର୍କୀ ସରକାର।ସୂଚନାଯୋଗ୍ୟ ଯେ, ଗତକାଲି ତୁର୍କୀରେ ୧୦ ଘଣ୍ଟା ମଧ୍ୟରେ ତିନି ତିନିଟି ଶକ୍ତିଶାଳୀ ଭୂମିକମ୍ପ ଯୋଗୁଁ ୯ଟି ପ୍ରଦେଶ ସଂପୂର୍ଣ୍ଣ ରୂପେ ଧ୍ଵଂସ ହୋଇଯାଇଛି। ଗତ ୮୦ ବର୍ଷ ମଧ୍ୟରେ ସବୁଠାରୁ ଭୟଙ୍କର କୁହାଯାଉଥିବା ଏହି ପ୍ରାକୃତିକ ବିପର୍ଯ୍ୟୟରେ ୨୦ ଲକ୍ଷରୁ ଅଧିକ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି। ଅନେକ ସହର ନିଶ୍ଚିହ୍ନ ହୋଇଯାଇଛି। ୩ ହଜାରରୁ ଅଧିକ ବିଶାଳକାୟ ଅଟ୍ଟାଳିକାମାନ ଧ୍ଵଂସସ୍ତୂପରେ ପରିଣତ ହୋଇଛି। ହଜାର ହଜାର ଲୋକ ଧ୍ଵଂସସ୍ତୂପ ତଳେ ଏବେ ବି ଦବି ରହିଥିବାରୁ ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା ସୃଷ୍ଟି ହୋଇଛି। ଏହି ବିପର୍ଯ୍ୟୟ ଯୋଗୁଁ ପଡ଼ୋଶୀ ଦେଶ ସିରିଆର ବ୍ୟାପକ ଅଞ୍ଚଳ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ତୁର୍କୀ ଓ ସିରିୟା‌ରେ ଏବେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ଏଥିସହ ବର୍ଷା ଓ ବରଫପାତ ମଧ୍ୟ ହେଉଛି। ଭୂମିକମ୍ପ ଲୋକଙ୍କ ଦୁର୍ଦ୍ଦଶାକୁ ଏହା ଆହୁରି ବଢ଼ାଇ ଦେଇଛି। ବରଫପାତ ସହିତ ଏକାଧିକ ଭୂମିକମ୍ପ ଉଦ୍ଧାର କାର୍ଯ୍ୟରେ ବ୍ୟାଘାତ ସୃଷ୍ଟି କରିଛି। ଭାରତ ସମେତ ଅନେକ ଦେଶ ତୁର୍କୀ ଏବଂ ସିରିଆକୁ ସହାୟତା ପଠାଇବା ଆରମ୍ଭ କରିଛନ୍ତି। ତୁର୍କୀର ଯେଉଁ ୯ଟି ପ୍ରଦେଶ ଧ୍ଵଂସସ୍ତୂପ ପାଲଟିଛି ସେଗୁଡ଼ିକ ହେଲା ଗାଜିଆନଟେପ, ସାନଲି ଉର୍ଫା, ଦିୟାରବକିର, ଅଦାନା, ଆଦିଆମାନ, ମାଲାତ୍ୟା, ଓଷମାନିଏ, ହାତେ ଏବଂ କିଲିସ। ସେହିଭଳି ସିରିଆର ଚାରିଟି ପ୍ରଦେଶ ଆଲେପୋ, ଲଟାକିଆ, ହାମା ଏବଂ ତତୁର୍ସ ମଧ୍ୟ ଭୀଷଣ କ୍ଷତିଗ୍ରସ୍ତ ‌ହୋଇଛି।

ଗତକାଲି ଭୋର ସମୟରେ ପ୍ରଥମ କମ୍ପନ ଅନୁଭୂତ ହୋଇଥିଲା। ରିଚର ସ୍କେଲରେ ଏହାର ତୀବ୍ରତା ଥିଲା ୭.୮। ସନ୍ଧ୍ୟା ବେଳେ ପୁଣି ଦୁଇଟି ଭୂକମ୍ପ। ‌ଥରି ଉଠିଥିଲା ସମଗ୍ର ଅଞ୍ଚଳ। ତୀବ୍ରତା ଥିଲା ୭.୫ ଏବଂ ୬। ପ୍ରଥମ ଭୂମିକମ୍ପର କେନ୍ଦ୍ରସ୍ଥଳ ତୁର୍କୀର ଗାଜିଆନ୍ତିପ ପ୍ରଦେଶର ନୁରଡାଗିର ପୂର୍ବରେ ୨୩ କିମି ଦୂର ଏବଂ ୨୪.୧ କିମି ଗଭୀରରେ ଥିଲା ବୋଲି ଆମେରିକା ଭୂତତ୍ତ୍ୱ ବିଜ୍ଞାନ ସର୍ଭେ (ୟୁଏସଜିଏସ) ପକ୍ଷରୁ କୁହାଯାଇଛି। ପ୍ରଥମ ଭୂମିକମ୍ପର ପ୍ରାୟ ୯ ଘଣ୍ଟା ପରେ ୭.୫ ତୀବ୍ରତା ବିଶିଷ୍ଟ ଆଉ ଏକ ଭୂମିକମ୍ପ ସନ୍ଧ୍ୟା ବେଳେ ଅନୁଭୂତ ହୋଇଛି। ପ୍ରଥମ ଭୂମିକମ୍ପର କେନ୍ଦ୍ରସ୍ଥଳଠାରୁ ୯୫ କିମି ଦୂରରେ ଏହି ଭୂମିକମ୍ପ ହୋଇଛି। ଏହାର କିଛି ସମୟ ପରେ ୬ ତୀବ୍ରତାର କମ୍ପନ ଅନୁଭୂତ ହୋଇଥିଲା। ଭୂମିକମ୍ପର ମାତ୍ରା ଏତେ ଅଧିକ ଥିଲା ଯେ ଲେବାନନ ଏବଂ ଇସ୍ରାଏଲ ଏବଂ ଏପରିକି ଗ୍ରୀନଲାଣ୍ଡରେ ମଧ୍ୟ ଏହାର ପ୍ରଭାବ ଅନୁଭୂତ ହୋଇଛି। କମ୍ ସମୟ ବ୍ୟବଧାନରେ ତିନିଟି ଭୟଙ୍କର ଭୂମିକମ୍ପ ହେବାରୁ ତୁର୍କୀ ଏବଂ ସିରିୟାବାସୀ ଆତଙ୍କିତ ହୋଇ ପଡ଼ିଛନ୍ତି। କେବଳ ଏତିକି ନୁହେଁ, ପ୍ରଥମ ଭୂକମ୍ପ ପରେ ୭୮ ଥର ଛୋଟ ବଡ଼ ଝଟକା ମଧ୍ୟ ଅନୁଭୂତ ହୋଇଛି। ଗତ ପ୍ରାୟ ୮୦ ବର୍ଷ ମଧ୍ୟରେ ଏତେ ଶକ୍ତିଶାଳୀ ଭୂମିକମ୍ପ ତୁର୍କୀରେ କେବେ ଦେଖିବାକୁ ମିଳି ନଥିଲା। ୧୯୩୯ ମସିହାରେ ଏହି ସମାନ ମାତ୍ରାର ଶକ୍ତିଶାଳୀ ଭୂମିକମ୍ପ ହେବା ଯାଗୁଁ ୩୦ ହଜାର ଲୋକଙ୍କ ମୃତ୍ୟୁ ହୋଇଥିଲା। ଏଭଳି ତୀବ୍ରତାର ଭୂମିକମ୍ପ ପ୍ରାୟ ବିରଳ। ଗତ ୨୫ ବର୍ଷ ମଧ୍ୟରେ ତୁର୍କୀରେ ୭.୦ ତୀବ୍ରତା କିମ୍ବା ତାହାଠାରୁ ଅଧିକ ମାତ୍ରାର ଭୂମିକମ୍ପ ହୋଇଛି। କିନ୍ତୁ ସୋମବାରର ଭୂମିକମ୍ପ ହେଉଛି ସବୁଠୁ ଶକ୍ତିଶାଳୀ। ଭୂଗର୍ଭ ଶିଳାରେ ପରିବର୍ତ୍ତନ ଯୋଗୁ ଏଭଳି ଭୂମିକମ୍ପ ହୋଇଛି। ଲୋକମାନେ ଶୋଇଥିବା ବେଳେ ସ୍ଥାନୀୟ ସମୟ ସୋମବାର ଭୋର ୪ଟାରେ ପ୍ରଳୟଙ୍କାରୀ ପ୍ରଥମ ଭୂମିକମ୍ପ ହୋଇଥିଲା। ଏଥିରେ ବ୍ୟାପକ କ୍ଷତି ଘଟିଥିଲା। ଉଦ୍ଧାର କାର୍ଯ୍ୟ ଜୋରସୋରରେ ଚାଲିଥିବା ବେଳେ ଏହାର ୯ ଘଣ୍ଟା ପରେ ଦ୍ଵିତୀୟ ଏବଂ ତୃତୀୟ ଭୂମିକମ୍ପ ହୋଇଥିଲା। ଭୂମିକମ୍ପରେ ବଡ଼ ବଡ଼ ଅଟ୍ଟାଳିକା ଭୁଶୁଡ଼ି ପଡ଼ିଥିଲା। ଅନେକ ଫ୍ଲାଇଓଭର ଖଣ୍ଡ ଖଣ୍ଡ ହୋଇ ଧ୍ଵଂସସ୍ତୂପ ପାଲଟିଯାଇଥିଲା। କ୍ଷତିଗ୍ରସ୍ତ ଅଞ୍ଚଳରେ ମାନବୀୟ ସଙ୍କଟ ସୃଷ୍ଟି ହୋଇଛି। ବର୍ତ୍ତି ଯାଇଥିବା ଲୋକମାନେ ପ୍ରତିକୂଳ ପାଗ ଯୋଗୁଁ ଆଶ୍ରୟ ନେବାଲାଗି ଜାଗା ଖୋଜି ହେଉଥିବା ବେଳେ ଧ୍ଵଂସସ୍ତୂପ ତଳେ ଦବି ରହିଯାଇଥିବା ଲୋକମାନଙ୍କୁ ଉଦ୍ଧାର କରିବା ଲାଗି ଉଦ୍ଧାରକାରୀ ଦଳ ଉଦ୍ୟମ ଚଳାଇଛନ୍ତି। ସମଗ୍ର ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।
ତୁର୍କୀ ରାଷ୍ଟ୍ରପତି ରିସେପ ତେଇପ ‌ଏର୍ଡୋଗାନ ଟିଭି ଜରିଆରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଭୂମିକମ୍ପ ପ୍ରଭାବରେ ଦେଶରେ ଅତିକମରେ ୯୧୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୫୩୮୫ ଜଣ ଆହତ ହୋଇଛନ୍ତି ବୋଲି ସେ କହିଛନ୍ତି। ପଡ଼ୋଶୀ ସିରିୟାରେ ୫୯୨ ଜଣଙ୍କର ମୃତ୍ୟୁ ହୋଇଛି। ଏମାନଙ୍କ ମଧ୍ୟରୁ ପ୍ରାୟ ୩୭୧ ଜଣଙ୍କର ମୃତ୍ୟୁ ତୁର୍କୀର ପଡ଼ୋଶୀ ପ୍ରଦେଶ ଆଲିପୋ, ହାମା, ଲାଟାକିଆ ଏବଂ ଟରଟସରେ ହୋଇଛି ବୋଲି ସିରିଆର ସରକାରୀ ଖବର ସରବରାହ ସଂସ୍ଥା ସାନା ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହିତ ବର୍ତ୍ତମାନ ସୁଦ୍ଧା ସିରିୟାରେ ଆହତଙ୍କ ସଂଖ୍ୟା ୧୦୮୯ ବୋଲି ରିପୋର୍ଟ କରାଯାଇଛି। ସିରିୟା ସରକାର ବିରୋଧୀଙ୍କ ନିୟନ୍ତ୍ରଣରେ ଥିବା ଉତ୍ତର ପଶ୍ଚିମ ସିରିୟାରେ ଅତିକମରେ ୨୨୧ ଜଣଙ୍କର ମୃତ୍ୟୁ ହୋଇଛି। ଏଥସହିତ ୪୧୯ ଜଣ ଆହତ ହୋଇଥିବା ସୂଚନା ମିଳିଛି। ପ୍ରଭାବିତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ପାଇଁ ଦେଶର ବିଭିନ୍ନ ଭାଗରୁ ସ୍ଵେଚ୍ଛାସେବୀମାନଙ୍କୁ ପଠାଯାଇଛି ବୋଲି ତୁର୍କୀର ଆଭ୍ୟନ୍ତରୀଣ ମନ୍ତ୍ରୀ ସୁଲେମାନ ସୋୟଲୁ କହିଛନ୍ତି। ୟୁରୋପୀୟ ସଂଘର ଏମର୍ଜେନ୍ସି ରେସପନ୍ସ କୋର୍ଡିନେସନ ସେଣ୍ଟର (ଇଆରସିସି) ଜରିଆରେ ଅନ୍ତର୍ଜାତୀୟ ସହାୟତା ଲୋଡ଼ାଯାଇଛି। ତୁର୍କୀର ସବୁଠୁ ବଡ଼ ସହର ଇସ୍ତାନବୁଲରୁ ପାଖାପାଖି ୧୦୦୦ ସ୍ଵେଚ୍ଛାସେବୀ ନିୟୋଜିତ ହୋଇଛନ୍ତି। ଗାଜିଆନ୍ତିପର ରାଜ୍ୟପାଳ ତାଙ୍କ ଟ୍ବିଟ ବାର୍ତ୍ତାରେ ଲୋକମାନଙ୍କୁ ଘର ବାହାରେ ଶାନ୍ତ ଭାବେ ରହିବା ପାଇଁ ପରାମର୍ଶ ଦେଇଛନ୍ତି। ତୁର୍କୀ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ପ୍ରଭାବିତ ଅଞ୍ଚଳ ପାଇଁ ଏୟାର ‌ଏଡ୍‌ କରିଡର ସ୍ଥାପନ କରାଯାଇଛି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ରୁଷ୍‌ ରାଷ୍ଟ୍ରପତି ‌ଭ୍ଲାଦିମିର ପୁଟିନ, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବିଶ୍ୱର ଅନ୍ୟ ନେତାମାନେ ଗଭୀର ଶୋକବ୍ୟକ୍ତ କରିଛନ୍ତି। ବିଶ୍ୱର ପ୍ରାୟ ୪୫ଟି ଦେଶ ସହାୟତାର ହାତ ବଢ଼ାଇଛନ୍ତି।

Share Now:

Kalinga News Beuro

Next Post

ପ୍ରଫେସର ରଞ୍ଜନ ବଳ ଏଏସ୍‌ବିଏମ୍‌ ବିଶ୍ୱବିଦ୍ୟାଳୟ କୁଳପତି

Tue Feb 7 , 2023
ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟର ବାଣିଜ୍ୟ ଓ ବ୍ୟବସାୟ ପରିଚାଳନା ବିଭାଗ ପୂର୍ବତନ ଡିନ୍‌ ରଞ୍ଜନ କୁମା‌ର ବଳ ଏଏସ୍‌ବିଏମ୍‌ ବିଶ୍ୱବିଦ୍ୟାଳୟ କୁଳପତି ଭାବେ ଦାଇତ୍ୱ ଗ୍ରହଣ କରିଛନ୍ତି। ପ୍ରଫେସର ବଳ ତିନି ଦଶନ୍ଧିରୁ ଅଧିକ ସମୟ ଧରି ଉତ୍କଳ ବିଶ୍ୱବିଦ୍ୟାଳୟରେ ପ୍ରଫେସର, ଡିନ୍‌, ପିଜି କାଉନ୍‌ସିଲ ଅଧ୍ୟକ୍ଷ, ବିଭାଗୀୟ ମୁଖ୍ୟ ଓ ସିଣ୍ଡିକେଟ ସଦସ୍ୟ ଭାବରେ କାର୍ଯ୍ୟ କରିଛନ୍ତି।ସେ ବିଜିନେସ୍‌ ଆଡ୍‌ମିନିଷ୍ଟ୍ରେସନ୍‌ରେ ପିଏଚ୍‌ଡି କରିବା ସହ ଆଇଆଇଏମ୍‌ ଅହମ୍ମଦାବାଦ୍‌ରୁ ଅଧ୍ୟାପନା […]
ପ୍ରଫେସର ରଞ୍ଜନ ବଳ ଏଏସ୍‌ବିଏମ୍‌ ବିଶ୍ବବିଦ୍ୟାଳୟ କୁଳପତି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial