ଥାନା ପରିସରରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ : ହତ୍ୟା ମାମଲା ରୁଜୁ କଲା ପୁଲିସ

ଥାନା ପରିସରରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

ଭୁବନେଶ୍ୱର: ସହିଦନଗର ଅଞ୍ଚଳରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପରିବାର ଲୋକଙ୍କ ଅଭିଯୋଗକ୍ରମେ ୩୦୨ରେ ହତ୍ୟା ମାମଲା ରୁଜୁ କରିଛି ସହିଦନଗର ଥାନା ପୁଲିସ। ଗୁରୁବାର ରାତିରେ ସହିଦନଗର ଥାନା ପରିସରରେ ଜଣେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଥିଲା। ମୃତକ ହେଲେ ଗାଡ଼କଣର ବିଚିତ୍ର ପଲେଇ(୪୨)। ପୁଲିସ ଏହି ଘଟଣାରେ ଦୁଇ ଯୁବକଙ୍କୁ ଥାନାରେ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି। ସ୍ଥାନୀୟ ଲୋକଙ୍କ ସୂଚନା ମୁତାବକ ଗୁରୁବାର ରାତି ପ୍ରାୟ ସାଢ଼େ ୯ଟା ବେଳେ ବାଣୀବିହାର ଛକରେ ଏକ କାର୍ରୁ ଜଣେ ଯୁବକ ଡେଇଁ ପଡ଼ି ଉତ୍କଳ ବିଶ୍ବବିଦ୍ୟାଳୟ ଭିତରକୁ ଧାଉଁଥିଲେ। ତାଙ୍କ ପଛେ ପଛେ ୩/୪ ଜଣ ଯୁବକ ଗୋଡ଼ାଉଥିଲେ। ଦୌଡ଼ୁଥିବା ଯୁବକ ବଞ୍ଚାଅ ବଞ୍ଚାଅ ବୋଲି ପାଟି କରୁଥିଲେ। ତାଙ୍କୁ ଅପହରଣ କରି ନିଆଯାଉଛି ବୋଲି ସେ ପାଟି କରି କହୁଥିଲେ। ଏହା ଶୁଣିବା ପରେ ସ୍ଥାନୀୟ ଲୋକମାନେ ତାଙ୍କୁ ଉଦ୍ଧାର କରିବା ସହ ଗୋଡ଼ାଉଥିବା ଯୁବକମାନଙ୍କୁ କାବୁ କରିନେଇଥିଲେ। ପଚରାଉଚରା ପରେ ଜଣାପଡ଼ିଲା ଯେ ସନ୍ଦିଗ୍ଧ ଅପହରଣକାରୀମାନେ ଶାନ୍ତିପଲ୍ଲୀ ବସ୍ତି ଅଞ୍ଚଳର ଏବଂ ଅପହୃତ ହେଉଛନ୍ତି ଗାଡ଼କଣ ଅଞ୍ଚଳର ବିଚିତ୍ର ପଲେଇ। ସ୍ଥାନୀୟ ଲୋକେ ସେମାନଙ୍କୁ ଧରି ସହିଦନଗର ଥାନାକୁ ଯାଇଥିଲେ। ସହିଦନଗର ଥାନାରେ ପହଞ୍ଚିବା ମାତ୍ରେ ହଠାତ୍ ବିଚିତ୍ର ସଂଜ୍ଞାହୀନ ହୋଇପଡ଼ିଥିଲେ। ପାଟିତୁଣ୍ଡ ଶୁଣି ଥାନା ଭିତରୁ ପୁଲିସ ଅଧିକାରୀ ଓ କର୍ମଚାରୀମାନେ ବାହାରକୁ ଆସିଯାଇଥିଲେ। ତୁରନ୍ତ ବିଚିତ୍ରଙ୍କୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତଦେହକୁ ଶବ ସଂରକ୍ଷଣ ଗୃହରେ ରଖାଯାଇଥିଲା। ଏବେ କ୍ୟାପିଟାଲ ହସ୍ପିଟାଲରେ ମୃତଦେହର ବ୍ୟବଚ୍ଛେଦ ଚାଲିଛି । ରିପୋର୍ଟ ମିଳିବା ପରେ ତାଙ୍କ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ପୁଲିସ ସୂଚନା ଦେଇଛି।
ଆର୍ଥିକ ଅନାଟନ ଭିତରେ ଗତି କରୁଥିଲେ ବିଚିତ୍ର। ପାଖାପାଖି ୩୦ ଲକ୍ଷ ଟଙ୍କା ଋଣ ବୋଝରେ ଭାରାକ୍ରାନ୍ତ ଥିଲେ ସେ। ସେମାନଙ୍କ କହିବା କଥା ବିଚିତ୍ର ସେମାନଙ୍କଠାରୁ ୩ ଲକ୍ଷ ଟଙ୍କା ଧାର ନେଇ ଫେରାଉନଥିଲା। ତେଣୁ ସେମାନେ ତାଙ୍କୁ ପଟିଆରୁ ଧରି ଥାନାକୁ ଆଣୁଥିଲେ। ମାତ୍ର ବାଟରେ ସେ କାରରୁ ଡେଇଁ ଦୌଡ଼ିଥିଲେ ଏବଂ ପରେ ଏଭଳି ଅଘଟଣ ଘଟିଛି। ବିଚିତ୍ରଙ୍କୁ ଅପହରଣ କରିଥିବା ଅଭିଯୁକ୍ତ ହେଉଛନ୍ତି ନେତ୍ରମଣି ବେହେରା ଓ ବଟକୃଷ୍ଣ ବେହେରା। ସେମାନେ ସମ୍ପର୍କରେ ଭାଇ ଭଉଣୀ। ଅପହରଣ କରି ନେଉଥିବା ଅଭିଯୋଗରେ ଦୁହେଁ ଗିରଫ ହୋଇଛନ୍ତି। ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଭୁବନେଶ୍ୱର ଡିସିପି। ପୁଅକୁ ପିଟି ପିଟି ମାରିଥିବା ନେଇ ପରିବାର ପକ୍ଷରୁ ଅଭିଯୋଗ କରିବା ପରେ, ତଦନ୍ତ କରୁଥିଲା ପୁଲିସ।

Share Now:

Kalinga News Beuro

Next Post

ଭାରତର ଏକ ବଡ଼ ଆବିଷ୍କାର : ମିଳିଲା ଲିଥିୟମ ଭଣ୍ଡାର

Fri Feb 10 , 2023
ନୂଆଦିଲ୍ଲୀ : ଭାରତରେ ପ୍ରଥମ ଥର ପାଇଁ ଲିଥିୟମ ଭଣ୍ଡାର ମିଳିଛି। କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ ଓ କଶ୍ମୀରରେ ପ୍ରାୟ ୫୯ ଲକ୍ଷ ଟନ୍ ଲିଥିଅମ ଗଚ୍ଛିତ ଥିବା ଜଣାପଡ଼ିଛି। ଏହାକୁ ଭାରତ ପାଇଁ ଏକ ବଡ଼ ସଫଳତା ବୋଲି କୁହାଯାଉଛି,କାରଣ ବ୍ୟାଟେରି ତିଆରିରେ ଲିଥିୟମ ବ୍ୟବହାର କରାଯାଏ। ଜମ୍ମୁ-କଶ୍ମୀରର ରିଆସି ଜିଲ୍ଲାର ସାଲାଲ-ହମାନାଠାରେ ଭାରତୀୟ ଭୂତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ଏହି ଲିଥିୟମ ଭଣ୍ଡାରର ଆବିଷ୍କାର କରିଛିମହା […]
ଭାରତରେ ମିଳିଲା ଲିଥିୟମ ଭଣ୍ଡାର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial