ଶିଶୁ କି ଜାଣେ ଖାଦ୍ୟ-ଖାଦକ, ଶତ୍ରୁ-ମିତ୍ର : ଗୋଟିଏ ଖୁଆଡ଼ରେ ସିଂହ, ଭାଲୁ, ଗଧିଆ

ଗୋଟିଏ ଖୁଆଡ଼ରେ ସିଂହ, ଭାଲୁ, ଗଧିଆ

ବାରଙ୍ଗ: ଶିଶୁ ସରଳ। ତା’ ହୃଦୟ ନିଷ୍ପାପ ଓ ନିଷ୍କପଟ। ସେ ବୁଝେ ନାହିଁ ଜାତି, ପ୍ରଜାତି ମଧ୍ୟରେ ଭେଦଭାବ। ସେ ବୁଝେ ନାହିଁ ଶତ୍ରୁ କିଏ! ସମସ୍ତେ ତା’ ପାଇଁ ମିତ୍ର! ସେ ବୁଝେ ନାହିଁ ଖାଦ୍ୟ କ’ଣ, ଖାଦକ କ’ଣ! ସବୁ ଶିଶୁ ଏମିତି। ସେ ମଣିଷ ଶିଶୁ ହେଉ କି ବନ୍ୟପ୍ରାଣୀଙ୍କ ଶାବକ ହୁଅନ୍ତୁ। ନନ୍ଦନକାନନ ପ୍ରାଣୀଶାବକ ସେବା କେନ୍ଦ୍ର( ହ୍ୟାଣ୍ଡ ରିଅରିଂ ସେଣ୍ଟର)ରେ ସିଂହ ଶାବକ ସାଙ୍ଗରେ ଭାଲୁ ଓ ଗଧିଆ ଛୁଆଙ୍କ ଖେଳକୁଦ ଏହାର ଜ୍ବଳନ୍ତ ପ୍ରମାଣ। ୨ ସିଂହ ଛୁଆ, ୨ ଗଧିଆ ଛୁଆ ଓ ଏକ ଭାଲୁ ଶାବକ ମଧ୍ୟରେ ଗୋଡ଼ାଗୋଡ଼ି, ଗଡ଼ିଆତଡ଼ିଆ ଓ ଥଟ୍ଟାମଜାରେ କାମୁଡ଼ା ରାମ୍ପୁଡ଼ା ଭଳି ଖେଳ ଏବେ ନନ୍ଦନକାନନ ପରିଧି ଡେଇଁ ଦେଶବିଦେଶରେ ଚର୍ଚ୍ଚାର ବିଷୟ ହୋଇଛି। ଏହି ଭିଡିଓ ଭାଇରାଲ୍‌ ହେବା ପରେ ଲକ୍ଷ ଲକ୍ଷ ଲୋକ ଯେମିତି ଲାଇକ୍‌ କରୁଛନ୍ତି, ସେମିତି ଗତ ଦୁଇ ଦିନ ହେଲା ନନ୍ଦନକାନନକୁ ପର୍ଯ୍ୟଟକଙ୍କ ସୁଅ ଛୁଟିଛି। ନନ୍ଦନକାନନ ପ୍ରାଣୀ ଚିକିତ୍ସା କେନ୍ଦ୍ର ପରିସରରେ ରହିଛି ଶିଶୁ ପ୍ରାଣୀ ସେବା ଶୁଶ୍ରୂଷା କେନ୍ଦ୍ର(ହ୍ୟାଣ୍ଡ ରିଅରିଂ ସେଣ୍ଟର)। କୌଣସି କାରଣରୁ ଜନ୍ମ ପରଠୁ ମା’ଠାରୁ ଅଲଗା ହୋଇଯାଇଥିବା ପ୍ରାଣୀଶାବକଙ୍କୁ ଏଠାରେ ରଖି ଲାଳନପାଳନ କରାଯାଏ। ଡାକ୍ତରମାନେ ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା କରୁଥିବା ବେଳେ ଜନ୍ତୁରକ୍ଷକମାନେ ସେମାନଙ୍କ ମା’ ପାଲଟି ଯାଆନ୍ତି। ସେମାନେ ସେମାନଙ୍କ ନିଜ ଖାଦ୍ୟ ଖାଇ ଶିଖିବା ପର୍ଯ୍ୟନ୍ତ ଜନ୍ତୁରକ୍ଷକମାନେ ସେମାନଙ୍କୁ ସ୍ବତନ୍ତ୍ର ଦୁଗ୍‌ଧ ପାନ କରାନ୍ତି। ଏବେ ନନ୍ଦନକାନନର ଏହି କେନ୍ଦ୍ରରେ ଅଛନ୍ତି ୩ ଭିନ୍ନ ପ୍ରଜାତିର ୫ଟି ଶାବକ।
ପ୍ରାୟ ସମସ୍ତଙ୍କ ବୟସ ୩ ମାସ ହୋଇଥିବା ଏହି ଶାବକମାନଙ୍କ ମଧ୍ୟରେ ଅଛନ୍ତି ଦୁଇଟି ସିଂହ ଶାବକ, ଗୋଟିଏ ଭାଲୁ ଓ ଦୁଇଟି ଗଧିଆ ଶାବକ। ଆଶ୍ଚର୍ଯ୍ୟର ବିଷୟ ହେଉଛି ସେମାନଙ୍କୁ ଅଲଗା ଅଲଗା କରି ରଖାଯାଇନାହିଁ। ଜନ୍ତୁରକ୍ଷକମାନେ ସମସ୍ତଙ୍କୁ ଏକାଠି ଖୁଆଡ଼ରେ ଖୋଲା ଛାଡ଼ିଦେଇଛନ୍ତି। ସେମାନେ ପରସ୍ପରକୁ ଆକ୍ରମଣ ନ କରି ଖେଳକୁଦରେ ମାତିଛନ୍ତି। ଲୋମଶ ଭାଲୁ ଛୁଆଟି ଗୁଲୁଗୁଲିଆ ହୋଇଥିବାରୁ ଦୁଇ ସିଂହ ଛୁଆ ତା’ ସହିତ ବେଶି ଖେଳୁଛନ୍ତି। ଗଧିଆ ଛୁଆ ଦୁଇଟି ସିଂହ ଓ ଭାଲୁ ଛୁଆଙ୍କଠାରୁ ଟିକିଏ ଉଚ୍ଚ ଅଛନ୍ତି। ତେଣୁ ସେମାନେ ତଳେ ଗଡ଼ିଆତଡ଼ିଆ ହୋଇପାରୁନାହାନ୍ତି। ତେବେ ସେମାନେ ଧାଁ ଧଉଡ଼, ଗୋଡ଼ାଗୋଡ଼ି ଖେଳରୁ ମଜା ନେଉଛନ୍ତି। ବେଶି ମଜାର କଥା ହେଉଛି, ଭାଲୁ ଛୁଆକୁ ତଳେ ଗଡ଼ାଇତଡ଼ାଇ ସିଂହ ଛୁଆମାନେ ଖେଳୁଥିବା ବେଳେ ଗଧିଆ ଛୁଆ ଦୁଇଟି ସେମାନଙ୍କୁ ଦେଖି ମନକୁ ମନ ଡେଇଁ ଡେଇଁ ଖୁସି ହେଉଛନ୍ତି। ସ୍ବଭାବ ଦୃଷ୍ଟିରୁ ଉଭୟ ଭାଲୁ ଓ ଗଧିଆ ହେଉଛନ୍ତି ସିଂହର ଖାଦକ। ସିଂହ ଓ ଗଧିଆ ମାଂସାସୀ ଓ ଭାଲୁ ପୋକଜୋକ ଓ ତୃଣ ଖାଉଥିବା ଉଭୟଭୋ‌ଜୀ। କିନ୍ତୁ ଏବେ ସେମାନଙ୍କ ପାଇଁ ଏହି ବର୍ଗୀକରଣର ଅର୍ଥ କିଛି ନାହିଁ। ମା’ କୋଳରୁ କ୍ଷୀର ଖାଇବା ବୟସ। ତେଣୁ ଏବେ ସେମାନେ ଏକାକାର। ଜନ୍ତୁରକ୍ଷକମାନଙ୍କ କହିବା କଥା କୌଣସି କାରଣରୁ ମା’ମାନେ ଏମାନଙ୍କ ଯତ୍ନ ନ ନେବାରୁ ଏଠାକୁ ଆଣି ରଖାଯାଇଛି। ଆଖି ଫିଟିବା ଦିନରୁ ସେମାନେ ନିଜ ନିଜକୁ ହିଁ ଦେଖିଆସୁଛନ୍ତି। ବଡ଼ କଥା ହେଉଛି ଏବେ କ୍ଷୀର ଖାଇବା ବୟସ ହୋଇଥିବାରୁ ସେମାନେ ଅନ୍ୟ ଖାଦ୍ୟ ବାବଦରେ ଜାଣିପାରନ୍ତି ନାହିଁ। କାଳକ୍ରମେ ବୟସ ବଢ଼ିବା ପରେ ସେମାନଙ୍କ ଖାଦ୍ୟ ପରିବର୍ତ୍ତନ କରାଯିବ। ଉପଯୁକ୍ତ ବୟସରେ ସିଂହ ଛୁଆ ଓ ଗଧିଆ ଛୁଆ ମାଂସାସୀ ହୋଇଯିବେ। ସେମାନଙ୍କଠାରେ ହିଂସ୍ର ପ୍ରବୃତ୍ତି ଦେଖାଯିବ ଓ ସେମାନେ ଶିକାରୀ ପାଲଟିଯିବେ। ସେତେବେଳେ ସେମାନଙ୍କୁ ଅଲଗା କରିଦିଆଯିବ। ସୂଚନାଯୋଗ୍ୟ ଯେ ସିଂହ ଛୁଆ ଦୁଇଟି ଚଳିତ ବର୍ଷ ଜନୁଆରି ୨୩ ତାରିଖରେ ଏଠାରେ ଜନ୍ମ ନେଇଥିଲେ। ସିଂହୀ ରେୱା ଓ ଜିତ୍‌ର ମିଳନରୁ ଜନ୍ମ ନେଇଥିବା ୩ ଶାବକରୁ ଗୋଟିଏ ମରିଯାଇଥିଲା। ମା’ ରେୱା ଯତ୍ନ ନ ନେବାରୁ ଦୁଇ ଶାବକଙ୍କୁ ଏହି କେନ୍ଦ୍ରକୁ ଅଣାଯାଇଛି। ସେହିଭଳି ଚଳିତ ବର୍ଷ ଜାନୁଆରି ୧୮ ତାରିଖରେ ଗଧିଆ ଛୁଆ ଦୁଇଟିକୁ ଅନ୍ୟ ଏକ ଚିଡ଼ିଆଖାନାରୁ ଅଣାଯାଇଛି। ଭାଲୁ ଛୁଆଟିକୁ ଚଳିତ ବର୍ଷ ମାର୍ଚ୍ଚ ୩୧ରେ ଯାଜପୁର ସୁକିନ୍ଦା ଅଞ୍ଚଳରୁ ଉଦ୍ଧାର କରି ଅଣାଯାଇଛି।

Share Now:

Kalinga News Beuro

Next Post

ପୋତା ପୋଖରୀ ପୁନରୁଦ୍ଧାର ପ୍ରସଙ୍ଗ : ୬ ମାସର କାମକୁ ବିତିଲାଣି ୨ବର୍ଷ, ତଥାପି ସରୁନି

Wed Apr 5 , 2023
ଭୁବନେଶ୍ବର: ୧୯ ନମ୍ବର ୱାର୍ଡ ଅନ୍ତର୍ଗତ ବାସୁଦେବନଗର ପୋତା ପୋଖରୀ ପୁନରୁଦ୍ଧାରରେ ଅହେତୁକ ବିଳମ୍ବ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦାନା ବାନ୍ଧିଲାଣି। ରାଜଧାନୀର ସର୍ବପୁରାତନ ପୋଖରୀ ମଧ୍ୟରୁ ଅନ୍ୟତମ ଏହି ପୋଖରୀ ୧୦ ବର୍ଷ ହେଲା ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଥିଲା। ଦୁଇ ବର୍ଷ ତଳେ ଏହାର ପୁନରୁଦ୍ଧାର ପାଇଁ ବିଏମ୍‌ସି ପଦକ୍ଷେପ ନେଇଥିଲା। ଏଥିପାଇଁ ଆବଶ୍ୟକ ଅର୍ଥ ମଞ୍ଜୁର କରିବା ସହ ୬ ମାସ ଭିତରେ କାମ […]
୬ ମାସର କାମକୁ ୨ବର୍ଷ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial