ମୃତମହିଳାଙ୍କ ପରିଚୟ ଜାଣିବା ଲାଗି ପୋଷ୍ଟର ଲଗାଇଲା ଜିଆରପି ପୁଲିସ

ଟ୍ରେନ ଶୌଚାଳୟରୁ ମହିଳାଙ୍କ ମୃତଦେହ

ଭୁବନେଶ୍ୱର: ରାଜଧାନୀର ସତ୍ୟ ନଗର କୋଚିଂ ୟାର୍ଡରେ ଟ୍ରେନ ଶୌଚାଳୟରୁ ଜଣେ ମହିଳାଙ୍କ ମୃତଦେହ ମିଳିବା ଘଟଣାରେ ପୁଲିସ ସକ୍ରିୟ ହୋଇଉଠିଛି।ଜିଆରପି ପୁଲିସ ମୃତ ମହିଳାଙ୍କ ପୋଷ୍ଟର ଲଗାଇଛି। ଭୁବନେଶ୍ୱର ଷ୍ଟେସନ, ରାଜ୍ୟ ବାହାରର ଷ୍ଟେସନ ଓ ଜନଗହଳି ପୂର୍ଣ୍ଣ ଜାଗାରେ ପୋଷ୍ଟର ଲଗାଇଛି ଜିଆରପି। ମୃତ ମହିଳାଙ୍କ ବିଷୟରେ ଯେଉଁ ବ୍ୟକ୍ତି ଖବର ଦେବେ ତାଙ୍କୁ ପୁରସ୍କାର ଦିଆଯିବ ଏବଂ ତଥ୍ୟ ଦେଇଥିବା ବ୍ୟକ୍ତିଙ୍କ ପରିଚୟ ଗୋପନ ରଖାଯିବ ବୋଲି ଏହି ପୋଷ୍ଟରରେ ଉଲ୍ଲେଖ ରହିଛି। ମୃତ ମହିଳାଙ୍କ ପରିଚୟ ଜାଣିବା ପାଇଁ ଜିଆରପି ସବୁ ପ୍ରକାରର ଉଦ୍ୟମ କରୁଥିବା ଜଣାଯାଇଛି। ଆଜି ସତ୍ୟ ନଗର ଶ୍ମଶାନରେ ମୃତ ମହିଳାଙ୍କ ଶେଷ କୃତ୍ୟ କରାଯିବ। ମୃତଦେହକୁ ଦାହ ପୂର୍ବରୁ ମହିଳାଙ୍କ ହାଡ଼, ଚୁଟି ଓ ପୋଷାକର ପୁଲିସ ଫଟୋ ଉଠାଇ ରଖିବ।
ସୂଚନାଯୋଗ୍ୟ ଯେ ଗୁରୁବାର ସକାଳ ପାଖାପାଖି ୮ଟା ବେଳେ ଟ୍ରେନ୍‌ ଭୁବନେଶ୍ୱର ଷ୍ଟେସନରେ ପହଞ୍ଚିଥିଲା ଏବଂ ସମସ୍ତ ଯାତ୍ରୀ ଓହ୍ଲାଇଯିବା ପରେ ଟ୍ରେନ୍‌ ୱାସିଂ ସେଡ୍‌କୁ ଯାଇଥିଲା। ମଧ୍ୟାହ୍ନ ପାଖାପାଖି ୧୨ଟା ବେଳେ ସଫେଇ କର୍ମଚାରୀମାନେ ଏସ୍‌-୫ କୋଚ୍‌ର ପାଇଖାନାରେ ମହିଳାଙ୍କ ରକ୍ତାକ୍ତ ମୃତଦେହ ଦେଖିଥିଲେ। ଧାନବାଦ୍‌ ଏକ୍ସପ୍ରେସ୍‌ରେ ଟ୍ରେନ୍‌ ପାଇଖାନାରୁ ମହିଳା ଶବ ଜବତ ହେବା ଘଟଣାକୁ ଢେର ସମୟ ବିତିବା ପରେ ବି ପୁଲିସ ମହିଳାଙ୍କ ପରିଚୟ ପାଇପାରି ନାହିଁ। ତେବେ ପୁଲିସ ହାତରେ ଏକ ବଡ଼ ପ୍ରମାଣ ଲାଗିଥିବା ଜଣାପଡ଼ିଛି। ମହିଳାଙ୍କୁ ହତ୍ୟା କରାଯାଇଥିବା ଏସ୍‌-୫ ବଗିରୁ ଏକ ମୋବାଇଲ୍‌ ଫୋନ୍‌ ପୁଲିସକୁ ମିଳିଛି। ମୋବାଇଲ୍‌ଟି ମୃତ ମହିଳାଙ୍କର ବୋଲି ପ୍ରଥମେ ସନ୍ଦେହ କରାଯାଉଥିଲା। କିନ୍ତୁ ପରେ ତାହା ଅନ୍ୟଜଣେ ବ୍ୟକ୍ତିଙ୍କର ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଏମିତିକି ପୁଲିସ ତାଙ୍କ ସହ ଯୋଗାଯୋଗ ମଧ୍ୟ କରିଛି ଏବଂ ଥାନାରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛି। ମୋବାଇଲ୍‌ ମାଲିକଙ୍କୁ ପଚରାଉଚରା କରିବା ପରେ ଏହି ରହସ୍ୟମୟ ହତ୍ୟାକାଣ୍ଡ ଉପରୁ ପର୍ଦ୍ଦା ହଟିବ ବୋଲି ପୁଲିସ ଆଶା ରଖିଛି। ମହିଳାଙ୍କ ମୃତଦେହ ଜବତ କରିବା ପରେ ପରେ ସାଇଣ୍ଟିଫିକ୍‌ ଟିମ୍‌ ଓ ପୁଲିସ ଟିମ୍‌ ମିଳିତ ଭାବେ ଉକ୍ତ ପାଇଖାନକୁ ଯାଞ୍ଚ କରିଥିଲେ। ମାତ୍ର ସେଠାରୁ କିଛି ମଳିନଥିଲା। ମହିଳାଙ୍କ ପରିଚୟ ପାଇବା ପାଇଁ ଉକ୍ତ ବଗିରେ କେଉଁଠି କିଛି ଜିନିଷପତ୍ର ପଡ଼ିଥିବା ଭାବି ତଦନ୍ତକାରୀ ଟିମ୍‌ ଟିକିନିଖି ଯାଞ୍ଚ କରିଥିଲେ। ତେବେ ଉକ୍ତ ପାଇଖାନାଠାରୁ ମାତ୍ର କିଛି ଗଜ ଦୂରରେ ଏକ ମୋବାଇଲ୍‌ ଫୋନ୍‌ ପଡ଼ିଥିବା ଦେଖିବାକୁ ମିଳିଥିଲା। ମୋବାଇଲ୍‌ ପାଇବା ପରେ ପୁଲିସ ଟିମ୍‌ ପାଇଁ ଏକପ୍ରକାର ଆଶ୍ଵସ୍ତି ମିଳିଥିଲା। ମୋବାଇଲ୍‌ ମାଲିକଙ୍କୁ ପୁଲିସ ଯୋଗାଯୋଗ କରିଥିବା ବେଳେ ତାହାର ସିଡିଆର୍‌ ରିପୋର୍ଟ ମଗାଇଛି। ଏମିତିକି ଉକ୍ତ ମୋବାଇଲ୍‌ରୁ କେଉଁମାନଙ୍କୁ କଲ୍‌ ଯାଇଛି, କେଉଁମାନେ କଲ୍‌ କରିଛନ୍ତି, ସେବାବଦରେ ପୁଲିସ ତଥ୍ୟ ସଂଗ୍ରହ କରିଛି। କିନ୍ତୁ ସବୁ ପରେ ବି ପୁଲିସ ମୃତ ମହିଳାଙ୍କ ପରିଚୟ ପାଇବା ସମ୍ଭବ ହୋଇନାହିଁ। ତେଣୁ ମୋବାଇଲ୍‌ ମାଲିକଙ୍କୁ ପଚରାଉଚରା କରିବା ଯାଏ ପୁଲିସ ଅପେକ୍ଷା କରିଥିଲା।

Share Now:

Kalinga News Beuro

Next Post

୩ ବର୍ଷ ବିତିଗଲା ମାଧବାନନ୍ଦ ପୋଖରୀ ପୁନରୁଦ୍ଧାର କେବେ ?

Mon Apr 24 , 2023
କଟକ-ଜଗତପୁର: ଜଗତପୁର ୪୮ନଂ ୱାର୍ଡ ଅନ୍ତର୍ଗତ ନିମପୁର ଜଳାଶୟ ଓ ୪୯ନଂ ୱାର୍ଡର ମାଧବାନନ୍ଦ ପୁଷ୍କରିଣୀ ପୁନଃରୁଦ୍ଧାର ପାଇଁ ୨୦୧୯ ମସିହା ସ୍ବାୟତ୍ତ ଶାସନ ଦିବସରେ ଶିଳାନ୍ୟାସ କରାଯାଇଥିଲା। ସିଏମ୍‌ସିର ଏହି ପଦକ୍ଷେପକୁ ସେତେବେଳେ ୨ଟି ଵାର୍ଡ ଅଧିବାସୀ ପ୍ରଶଂସା କରିଥିଲେ। କେନ୍ଦ୍ର ସରକାରଙ୍କ ଅମୃତ ଯୋଜନାରେ ୨କୋଟି ୩୧ ଲକ୍ଷ ଟଙ୍କା ଖର୍ଚ୍ଚ ଅଟକଳରେ ୨ ଏକରରୁ ଅଧିକ ପରିମିତ ଜମିରେ ନିମପୁର ଜଳାଶୟ ଓ ୨କୋଟି ୪୨ଲକ୍ଷ […]
ମାଧବାନନ୍ଦ ପୋଖରୀ ପୁନରୁଦ୍ଧାର କେବେ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial