ମଣିପୁରରେ ଦଙ୍ଗାକାରୀଙ୍କୁ ଦେଖିବା ମାତ୍ରେ ଗୁଳି ନିର୍ଦ୍ଦେଶ

ଦଙ୍ଗାକାରୀଙ୍କୁ ଦେଖିବା ମାତ୍ରେ ଗୁଳି

ନୂଆଦିଲ୍ଲୀ: ଦଙ୍ଗାକାରୀଙ୍କୁ ଦେଖିବା ମାତ୍ରେ ଗୁଳି କର। ମଣିପୁରରେ ଆଦିବାସୀ ଆନ୍ଦୋଳନ ସମୟରେ ଆରମ୍ଭ ହୋଇଥିବା ହିଂସା ବଢ଼ୁଥିବା ଦେଖି ଏଭଳି ନିର୍ଦ୍ଦେଶ ଦେଲେ ରାଜ୍ୟପାଳ। ବୁଧବାର ଦିନ ହିଂସା ଆରମ୍ଭ ହେବା ପରେ ଏବେ ଏହା ୮ଟି ଜିଲ୍ଲାକୁ ପ୍ରଭାବିତ କରିଛି। ପରିସ୍ଥିତିକୁ ନଜରରେ ରଖି ମଣିପୁରର ରାଜ୍ୟପାଳ କେତେକ ଅଞ୍ଚଳରେ ଦଙ୍ଗାକାରୀଙ୍କୁ ଦେଖିବା ମାତ୍ରେ ଗୁଳି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସରକାର ଏହି ନିର୍ଦ୍ଦେଶ ଦେଇଥିବା ବେଳେ ଏବେ ଏହାକୁ ଅନୁମତି ଦେଇଛନ୍ତି ରାଜ୍ୟପାଳ। ଏହାପୂର୍ବରୁ, ହିଂସା ପ୍ରଭାବିତ ଅଞ୍ଚଳରେ ଧାରା ୧୪୪ଲାଗୁ କରାଯାଇଥିଲା। ଆସନ୍ତା ପାଞ୍ଚ ଦିନ ଧରି ରାଜ୍ୟରେ ଇଣ୍ଟରନେଟ୍ ମଧ୍ୟ ବନ୍ଦ ରହିଛି। ହିଂସାକୁ ଆଖି ଆଗରେ ରଖି ଆସାମ ରାଇଫଲ୍ସର ୩୪ଟି କମ୍ପାନି ଏବଂ ୯ଟି ସେନା କମ୍ପାନି ମଣିପୁରରେ ମୁତୟନ ହୋଇଛନ୍ତି। ଏମାନଙ୍କ ବ୍ୟତୀତ ଗୃହ ମନ୍ତ୍ରାଳୟ ମଧ୍ୟ ମଣିପୁରକୁ ରାପିଡ୍ ଆକ୍ସନ୍ ଫୋର୍ସର ପାଞ୍ଚଟି କମ୍ପାନି ପଠାଇଛି। ଏହା ସତ୍ତ୍ବେ ମଣିପୁରରେ ହୋଇଥିବା ଉତ୍ତେଜନା ଥମିବାର ନାଁ ନେଉନାହିଁ। କୁହାଯାଉଛି ଯେ ଏପର୍ଯ୍ୟନ୍ତ ୭ହଜାରରୁ ଉର୍ଦ୍ଧ୍ବ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ୮ଟି ଜିଲ୍ଲା – ଇମ୍ଫାଲ ୱେଷ୍ଟ, କାକଚିଂ, ଥୌବାଲ, ଜିରିବାମ, ବିଷ୍ଣୁପୁର, ଚୁରାଚାନ୍ଦପୁର, କାଙ୍ଗପୋକପି ଏବଂ ତେଙ୍ଗନୌପାଲରେ କର୍ଫ୍ୟୁ ଲାଗୁ କରାଯାଇଛି। ଏହା ବ୍ୟତୀତ ଆସନ୍ତା ପାଞ୍ଚ ଦିନ ପାଇଁ ସମଗ୍ର ରାଜ୍ୟରେ ମୋବାଇଲ୍ ଇଣ୍ଟରନେଟ୍ ସ୍ଥଗିତ ରଖାଯାଇଛି। ତେବେ ମୋବାଇଲ୍ ଇଣ୍ଟରନେଟ୍ ବନ୍ଦ ରହିଲେ ବି ବ୍ରଡବ୍ୟାଣ୍ଡ ସେବା କାର୍ଯ୍ୟକ୍ଷମ ରହିବ ଜଣାପଡ଼ିଛି।
ସୂଚନାଯୋଗ୍ୟ, ଅନୁସୂଚିତ ଜନଜାତି ପାହ୍ୟା ପାଇଁ ଅଣଆଦିବାସୀ ମଣିପୁରୀମାନଙ୍କ ଦାବି ବିରୋଧରେ ଚୁରାଚାନ୍ଦପୁର ଅଞ୍ଚଳର ତୋର୍‌ବୁଙ୍ଗ୍‌ରେ ‘ଅଲ୍‌ ଟ୍ରାଇବାଲ୍‌ ଷ୍ଟୁଡେଣ୍ଟ୍‌ ୟୁନିୟନ୍‌ ମଣିପୁର’ (ଏଟିଏସ୍‌ୟୁଏମ୍‌) ଡାକରା ଦେଇଥିବା ‘ଟ୍ରାଇବାଲ୍‌ ସଲିଡାରିଟି ମାର୍ଚ’ ସମୟରେ ହିଂସାକାଣ୍ଡ ବ୍ୟାପିବାରୁ ଜିଲ୍ଲାର କେତେକ ପ୍ରଭାବିତ ଅଞ୍ଚଳରେ ସେନା ଓ ଆସାମ ରାଇଫଲ୍‌ ଯବାନମାନଙ୍କୁ ମୁତୟନ କରାଯାଇଥିଲା। ହଜାର ହଜାର ପ୍ରତିବାଦକାରୀ ଭାଗ ନେଇଥିବା ଏହି ରାଲି ଚାଲିଥିବା ବେଳେ ତୋରବୁଙ୍ଗ୍‌ ଅଞ୍ଚଳରେ ଆଦିବାସୀ ଓ ଅଣଆଦିବାସୀଙ୍କ ମଧ୍ୟରେ ହିଂସାର ସୂତ୍ରପାତ ହୋଇଥିଲା ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି।

Share Now:

Kalinga News Beuro

Next Post

ପାକିସ୍ତାନରେ ସ୍କୁଲରେ ପଶି ଗୁଳିବର୍ଷା କଲେ ଆକ୍ରମଣକାରୀ : ୭ଜଣ ଶିକ୍ଷକଙ୍କ ପ୍ରାଣହାନୀ

Thu May 4 , 2023
ଇସଲାମାବାଦ: ପାକିସ୍ତାନରେ ଥିବା ସ୍କୁଲରେ ପଶି ଗୁଳିବର୍ଷା କଲେ ଆକ୍ରମଣକାରୀ। ଗଲା ୭ଜଣ ଶିକ୍ଷକଙ୍କ ଜୀବନ। ଗୁରୁବାର ଦିନ ପାକିସ୍ତାନର ଖୈବୁର ପଖତୁନଖ୍ବାସ୍ଥିିତ ଏକ ବିଦ୍ୟାଳୟକୁ ହଠାତ୍ କିଛି ଆକ୍ରମଣକାରୀ ପଶି ଆସିବା ସହ ଗୁଳିବର୍ଷା କରିବା ଆରମ୍ଭ କରିଦେଇଥିଲେ। ଏହି ଆକ୍ରମଣରେ ବିଦ୍ୟାଳୟର ୭ଜଣ ଶିକ୍ଷକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଏହି ଆକ୍ରମଣ ପାଇଁ ଏପର୍ଯ୍ୟନ୍ତ କୌଣସି ଆତଙ୍କବାଦୀ ସଂଗଠନ ଦାୟୀ ବୋଲି ଜଣାପଡି ନାହିଁ।ଏହି ଆକ୍ରମଣ ପରେ […]
ସ୍କୁଲରେ ପଶି ଗୁଳିବର୍ଷା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial