ଏମିତି ଆମ ସ୍ମାର୍ଟ ଟ୍ରାଫିକ୍‌: ନାକେଦମ କଲାଣି ସିଗନାଲ୍‌ ସମୟ

ନାକେଦମ କଲାଣି ସିଗନାଲ୍‌ ସମୟ

ବାମ ପଟ ବି ଛାଡ଼ୁ ନାହାନ୍ତି, ମାଡ଼ି ବସୁଛନ୍ତି

ଭୁବନେଶ୍ୱର: ପୂର୍ବଭଳି ଆଉ ଟ୍ରାଫିକ୍‌ ଛକଗୁଡ଼ିକ‌ରେ ଜାମ୍‌ ସ୍ଥିତି ‌ଉପୁଜିବନି। ଲୋକମାନେ ‌ବେଶି ସମୟ ଟ୍ରାଫିକ୍‌ରେ ଅଟକିବେ ନାହିଁ। ଟ୍ରାଫିକ୍‌ ପରିଚାଳନା ସହଜ ହେବ। ଏଭଳି ସୁନେଲି ସ୍ବପ୍ନ ଦେଖାଇ ଟ୍ରାଫିକ୍‌ ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ କଲେ। ଟ୍ରାଫିକ୍‌କୁ ସ୍ମାର୍ଟ କରିବା ଲାଗି ପ୍ରସ୍ତାବ ଦିଆଗଲା, କାର୍ଯ୍ୟକାରୀ ବି ‌ହେଲା। ଏଥିପାଇଁ କୋଟି କୋଟି ଟଙ୍କା ବ୍ୟୟରେ ଟ୍ରାଫିକ୍‌ ପୋଷ୍ଟଠାରୁ ଆରମ୍ଭ କରି ସିଗ୍‌ନାଲ ପର୍ଯ୍ୟନ୍ତ ଭିତ୍ତିଭୂମିରେ ନବୀକରଣ ହେଲା। ମାନୁଆଲ୍‌ ଟ୍ରାଫିକ୍‌କୁ ହଟାଇ ପାଖାପାଖି ୫୧ଟି ପୋଷ୍ଟରେ ସ୍ୱୟଂଚାଳିତ ସିଗ୍‌ନାଲ ବ୍ୟବସ୍ଥା ଲାଗୁ କରାଗଲା। ଏମିତିକି ସ୍ମାର୍ଟ ଟ୍ରାଫିକ୍‌ ସହ ଲୋକଙ୍କୁ ଅଭ୍ୟସ୍ତ କରାଇବା ଲାଗି ଟ୍ରାଫିକ୍‌ ପୋଷ୍ଟରେ କିଛି ଦିନ ଲାଗି ସଚେତନ କରାଗଲା। ଟ୍ରାଫିକ୍‌ ସିନା ସ୍ମାର୍ଟ ହେଲା, ହେଲେ ଲୋକଙ୍କ ଦୁଃଖ ଗଲାନାହିଁ। ଏବେ ଗୋଟିଏ ଟ୍ରାଫିକ୍‌ ଛକକୁ ଅତିକ୍ରମ କରିବାକୁ ହେଲେ ଲୋକଙ୍କୁ ଟାଇଁ ଟାଇଁଆ ମୁଣ୍ଡଫଟା ଖରାରେ ଶିଝିବାକୁ ପଡ଼ୁଛି। ଅତିକମ୍‌ରେ ତିନି ତିନି ଥର ଅପେକ୍ଷା କରିବାକୁ ପଡ଼ୁଛି। ଟ୍ରାଫିକ୍‌ରେ ଅଟକି ଥିବା ଗାଡ଼ି ଷ୍ଟାର୍ଟ କରୁ କରୁ ନୀଳ ଲାଇଟ୍‌ ନାଲି ହୋଇଯାଉଛି। ପାଦେ ଆଗେଇବା ପରେ ପୁଣି ଗାଡ଼ି ଷ୍ଟାର୍ଟ ବନ୍ଦ କରି ଟ୍ରାଫିକ୍‌ରେ ଅପେକ୍ଷା କରିବାକୁ ପଡ଼ୁଛି। ରାଜଧାନୀର ଜନପଥରେ ଥିବା ଆଇଡିବିଆଇ ଛକଠାରୁ ଆରମ୍ଭ କରି ବିଗ୍‌ବଜାର ଟ୍ରାଫିକ୍‌, ରାମ ମନ୍ଦିର, ଶ୍ରୀୟା, ମାଷ୍ଟରକ୍ୟାଣ୍ଟିନ ଛକ ସବୁଠି ଏଭଳି ସ୍ଥିତି। ସେହିପରି ସିଆର୍‌ପିରୁ ନେଇ ଷ୍ଟିୱାର୍ଟ ସ୍କୁଲ ଛକ, ଡିଏଭି, ପାୱାର ହାଉସ୍‌, ଦ ୱାଲର୍ଡ, ଡମଣା, ପଟିଆ, ବିଗ୍‌ବଜାରଛକ ପର୍ଯ୍ୟନ୍ତ ସବୁଠି ଭିଡ଼। ଏମିତି ରାଜଧାନୀର ଅଧିକାଂଶ ଟ୍ରାଫିକ୍‌ ଛକରେ ଏହା ନିତିଦିନିଆ ସମସ୍ୟା ପାଲଟିଛି। ଟ୍ରାଫିକ୍‌ ‌ପୋଷ୍ଟ ଆସିଲେ ମୁଣ୍ଡରେ ଯେମିତି ବଜ୍ର ପଡ଼ିବା ଭଳି ମନେ ହେଉଛି। କେମିତି ପାର୍‌ ହେବେ ଚିନ୍ତାରେ ପଡ଼ୁଛନ୍ତି। ଖାଲି ସିଗ୍‌ନାଲ୍‌ ନୁହେଁ, ବାମ ପଟ ନିୟମକୁ ବି କେହି ମାନିବାକୁ ପ୍ରସ୍ତୁତ ନୁହଁନ୍ତି। ଯେତେ କହିଲେ ବି କୌଣସି ଛକରେ ବାମପଟ ଫାଙ୍କା ରହୁନାହିଁ। ସେଠାରେ ମଧ୍ୟ ଗାଡ଼ି ଅଟକି ରହୁଛି। ନା ଟ୍ରାଫିକ୍‌ ପୁଲିସ ସଚେତନ କରାଉଛି ନା ସେଭଳି ଆଖିଦୃଶିଆ ପଦକ୍ଷେପ ନିଆଯାଉଛି। ଦିନକୁ ଦିନ ଟ୍ରାଫିକରେ ଏଭଳି ଅବ୍ୟବସ୍ଥା ରାଜଧାନୀବାସୀଙ୍କୁ ନାକେଦମ କଲାଣି। ଯାହାକୁ ନେଇ ଲୋକଙ୍କ ଭିତରେ ଅସନ୍ତୋଷ ବଢ଼ିବାରେ ଲାଗିଛି।
ବିଏସ୍‌ସିଏଲ୍‌ର ଜିଏମ୍‌ ସୁବ୍ରତ ବେହେରା କହିଛନ୍ତି ଯେ ଦୁଇଟି ମୋଡ୍‌ରେ ଟ୍ରାଫିକ୍‌ ପରିଚାଳନା ହେଉଛି। ଗୋଟିଏ ହେଲା ଫିକ୍ସ ଟାଇମିଂ ଏବଂ ଅନ୍ୟଟି ଆଡପ୍‌ଟିଭ୍‌ ମୋଡ୍‌। ତେବେ ସହର ଅଧିକାଂଶ ଟ୍ରାଫିକ୍‌କୁ ଆଡ୍‌ପଟିଭ୍‌ ମୋଡ୍‌ରେ ପରିଚାଳନା କରାଯାଉଛି। ପୋଷ୍ଟରେ ଲାଗିଥିବା ‌କ୍ୟାମେରା ଓ ସେନସର୍‌ ଟ୍ରାଫିକ୍‌ର ସ୍ଥିତିକୁ ଦେଖି ସିଗ୍‌ନାଲ୍‌ ଦେଇଥାଏ। ଯେଉଁ ପଟେ ଟ୍ରାଫିକ୍‌ ଅଧିକ ଜାମ୍‌ ଥିବ, ଏହାକୁ ନିୟନ୍ତ୍ରଣ ପାଇଁ ସ୍ୱୟଂଚାଳିତ ଭାବେ ଗ୍ରିନ୍‌ ସିଗନାଲ୍‌ ଦେଇଥାଏ। ଏଥିପାଇଁ କୌଣସି ନିର୍ଦ୍ଦିଷ୍ଟ ସମୟ ନଥାଏ। ଯେଉଁଥିପାଇଁ ଏଭଳି ସମସ୍ୟା ଦେଖା ଦେଇଛି। ହେଲେ ଫିକ୍ସଡ୍‌ ଟାଇମିଂ ଦ୍ୱାରା ପୋଷ୍ଟର ସମସ୍ତ ପାର୍ଶ୍ଵକୁ ନିର୍ଦ୍ଦିଷ୍ଟ ସମୟ ସୀମା ରଖାଯାଏ। ସମସ୍ତଙ୍କୁ ସେମାନଙ୍କ ନିର୍ଦ୍ଧାରିତ ସମୟ ଆସିବା ପର୍ଯ୍ୟନ୍ତ ଟ୍ରାଫିକ୍‌ରେ ଅଟକିବାକୁ ପଡ଼ିଥାଏ। ଫଳରେ ଯଦି କୌଣସି ଏକ ପାର୍ଶ୍ଵରେ କିଛି ଗାଡ଼ି ନଥାଏ, ତଥାପି ସେହି ପାର୍ଶ୍ଵରେ ନୀଳ ଲାଇଟ୍‌ ଜଳୁଥାଏ। ଅଥଚ ଜାମ୍‌ ଥିବା ପାର୍ଶ୍ଵରେ ରେଡ୍‌ ସିଗ୍‌ନାଲ ଥାଏ। ଏଭଳି ତାରତମ୍ୟକୁ ହଟାଇବା ପାଇଁ ସ୍ୱୟଂଚାଳିତ ବ୍ୟବସ୍ଥା ଲାଗୁ କରାଯାଇଛି।

Share Now:

Kalinga News Beuro

Next Post

ବିଧାୟିକା ଭାବେ ଶପଥ ନେଲେ ଦୀପାଳି ଦାସ : ଉପବାଚସ୍ପତି କରାଇଲେ ଶପଥ ପାଠ

Mon May 15 , 2023
ଭୁବନେଶ୍ୱର: ଝାରସୁଗୁଡ଼ାର ନବ ନିର୍ବାଚିତ ବିଧାୟିକା ଦୀପାଳି ଦାସ ଆଜି ଶପଥ ନେଲେ। ବିଧାନସଭାରେ ଉପବାଚସ୍ପତି ରଜନୀକାନ୍ତ ସିଂ ଦୀପାଳିଙ୍କୁ ଶପଥପାଠ କରାଇଛନ୍ତି। ସେ ତାଙ୍କ ମାଆ ଏବଂ ଭାଇଙ୍କ ସହ ଆସି ଶପଥ ନେଇଛନ୍ତି। ସକାଳ ୧୦ଟା ୪୫ରେ ଦୀପାଳି ଶପଥ ନେବା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ତେବେ ଗତକାଲି ଦୀପାଳି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଆଶୀର୍ବାଦ ନେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ନେବା ପରେ […]
ବିଧାୟିକା ଭାବେ ଶପଥ ନେଲେ ଦୀପାଳି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial