ଜଙ୍ଗଲ ଜମିରେ ଆପାର୍ଟମେଣ୍ଟ ପ୍ରସଙ୍ଗ: ବିଲ୍ଡରଙ୍କୁ ନୋଟିସ୍‌

ଜଙ୍ଗଲ ଜମିରେ ଆପାର୍ଟମେଣ୍ଟ ପ୍ରସଙ୍ଗ

୨୨ରେ ମାମଲାର ଶୁଣାଣି, ଅନ୍ୟ ଜବରଦଖଲକାରୀ ଛାନିଆ

ଭୁବନେଶ୍ଵର: ଭୁବନେଶ୍ଵରର ପଥରଗାଡ଼ିଆରେ ଦୀର୍ଘ ୮ବର୍ଷ ହେବ ଜଙ୍ଗଲ ଜମିରେ ଛିଡ଼ା ହୋଇଥବା ଆପାର୍ଟମେଣ୍ଟ ପ୍ରସଙ୍ଗରେ କାର୍ଯ୍ୟାନୁଷ୍ଠାନ ହେବାକୁ ଯାଉଛି। ଦୀର୍ଘ ୯ ବର୍ଷ ଧରି ନୋଟିସ୍‌ ଦେଇ ନିରବରେ ବସିଥିବା ବିଡିଏର ନିଦ ଭାଙ୍ଗିଛି। ସମ୍ପୃକ୍ତ ବିଲ୍ଡରଙ୍କୁ ବିଡିଏର ଓଡିଏ କୋର୍ଟ ପକ୍ଷରୁ ନୋଟିସ୍‌ ଜାରି କରାଯାଇଛି। ଆସନ୍ତା ୨୨ ତାରିଖରେ ଏହି ମାମଲାର ଶୁଣାଣି ରହିଛି। ଉପଯୁକ୍ତ କାରଣ ସହ ଏହି ଦିନ ଉପସ୍ଥିତ ରହି ଶୁଣାଣିରେ ଉତ୍ତର ରଖିବାକୁ କୁହାଯାଇଛି। ଅନ୍ୟପଟେ ଓଡିଏ କୋର୍ଟରେ ପାଖାପାଖି ୧ ହଜାର ମାମଲା ଶୁଣାଣି ପାଇଁ ରହିଛି। ଏହି ଏହି ନୋଟିସ୍‌ ହେବା ପରେ ଅନ୍ୟ ଜବରଦଖଲକାରୀ ବା ଯେଉଁମାନଙ୍କ ବିରୋଧରେ ଓଡିଏ କୋର୍ଟରେ ମାମଲା ହୋଇଛି ସେମାନଙ୍କ ଛାତିରେ ଛନକା ପଶିଛି। ସୂଚନାଯୋଗ୍ୟ, ଭୁବନେଶ୍ଵର ତହସିଲ ଅଧୀନ ପଥରଗାଡ଼ିଆ ମୌଜାର ସାବିକ ଖାତା ନମ୍ବର ୩୨୫/୨୮ର ପ୍ଲଟ ନମ୍ବର ୧୨୮୬/୧୬୧୯ରେ ଜେଜେ ଭାଟିକା ଆପାର୍ଟମେଣ୍ଟ ତିଆରି ହୋଇଛି। ‘ହାଲ୍‌’ରେ ଏହା ୭ଟି ପ୍ଲଟ୍‌ରେ ଭାଗ ଭାଗ କରାଯାଇଛି। ଏଥିରେ ୯୩୦ ଡିସିମିଲି ଜମି ରହିଛି। ଦୀର୍ଘ ଦିନ ପୂର୍ବେ କୃଷି ପାଇଁ ଲିଜ୍‌ ସୂତ୍ରରେ ଦିଆଯାଇଥିଲା। କିନ୍ତୁ ଲିଜ୍‌ଧାରୀ ଏହାକୁ ବିକ୍ରି କରି ଦେଇଥିଲେ। ଏଭଳି ପ୍ରାୟ ୬ ଥରରୁ ଅଧିକ ଥର ଏହି ଜମି ବିକ୍ରି ହୋଇଥିଲା। ଶେଷରେ ଜେଜେ ମୁକ୍ତେଶ୍ଵର କନ୍‌ଷ୍ଟ୍ରକସନ୍‌ ଏହି ଜମି କିଣିଥିଲା। ୨୦୦୭ ମସିହା‌ରେ କିସମ ପରିବର୍ତ୍ତନ କରିବା ପାଇଁ ଜେଜେ ମୁକ୍ତେଶ୍ଵର କନ୍‌ଷ୍ଟ୍ରକସନ୍‌ ପ୍ରାଃ ଲିଃ ଭୁବନେଶ୍ଵର ତହସିଲ୍‌ରେ ଆବେଦନ କରିଥିଲା। ଭୁବନେଶ୍ଵର ତତ୍‌କାଳୀନ ତହସିଲ୍‌ଦାର ଏଥିପାଇଁ ଏକ ମାମଲା(୬୧୭୦/୦୭) ରୁଜୁ କରି ଅମିନ/ଆରଆଇ ରିପୋର୍ଟ ତଲବ କରିଥିଲେ। ପ୍ରାୟ ବର୍ଷେ ପରେ ୨୦୦୮ ମସିହା ମେ ୧୩ ତାରିଖ ଦିନ ତତ୍‌କାଳୀନ ଅମିନ ଓ ଆରଆଇ ତହସିଲଦାରଙ୍କୁ ରିପୋର୍ଟ ଦେଲେ। ସ୍ୱତ୍ୱ ‘ଲିଜ୍‌’ ଥିଲେ ମଧ୍ୟ ଅମିନ ଓ ଆର୍‌ଆଇ ରିପୋର୍ଟରେ ସ୍ବତ୍ବ ବଦଳାଇ ସ୍ଥିତିବାନ ବୋଲି ଲେଖିଦେଲେ। କିନ୍ତୁ ତହସିଲଦାର ଏଥିରେ ଦୁର୍ନୀତି ଆଶଙ୍କା କରି ଏହି ଓଏଲ୍‌ଆର୍‌ ମାମଲାର ଫଏସଲା କଲେ ନାହିଁ। ମାମଲା ସେହିଭଳି ପଡ଼ି ରହିଲା। ଇତିମଧ୍ୟରେ ଦୁଇ ଜଣ ତହସିଲଦାର ବଦଳିଗଲେ। କିନ୍ତୁ ଜଣେ ହେଲେ ଏଥିରେ ହସ୍ତକ୍ଷେପ କଲେ ନାହିଁ। ମାମଲାଟି ପ୍ରାୟ ୫ ବର୍ଷ ଏଭଳି ପଡ଼ି ରହିବା ପରେ ୨୦୧୩ ମସିହା ମେ ୨୦ ତାରିଖ ଦିନ ତତ୍‌କାଳୀନ ତହସିଲଦାର କିସମ ପରିବର୍ତ୍ତନ ପାଇଁ ସମ୍ପୃକ୍ତ ବିଲ୍ଡରଙ୍କୁ ନୋଟିସ୍‌ କଲେ ଏବଂ ସେହି ଦିନ ହିଁ ଆବେଦନକାରୀ କିସମ ପରିବର୍ତ୍ତନ ପାଇଁ ଆବଶ୍ୟକ ଦେୟ ଦାଖଲ କଲେ। ଫଳରେ କିସମ ପରିବର୍ତ୍ତିତ ହୋଇ ଘରବାରି ହୋଇଗଲା।
କିସମ ଘରବାରି ହୋଇଯିବା ପରେ ସମ୍ପୃକ୍ତ ସଂସ୍ଥା ବିଡିଏକୁ ଆପାର୍ଟମେଣ୍ଟ ପ୍ଲାନ୍‌ ମଞ୍ଜୁରି ପାଇଁ ଆବେଦନ କରିଥିଲା। ୨୦୧୩ ମସିହାରେ ୧୭୮ତମ ଡିପି ଆଣ୍ଡ ବିପି କମିଟି ବୈଠକରେ ଏହି ପ୍ଲାନ୍‌କୁ ବିଡିଏ ମଞ୍ଜୁରି ମଧ୍ୟ ପ୍ରଦାନ କରିଥିଲା। ଏହି ମଞ୍ଜୁରି ଆଧାରରେ ଜେଜେ ମୁକ୍ତେଶ୍ଵର ପ୍ରାଇଭେଟ୍‌ ଲିମିଟେଡ୍‌ ଆପାର୍ଟମେଣ୍ଟ ନିର୍ମାଣ କରିଥିଲା। କିନ୍ତୁ କିନ୍ତୁ ୨୦୧୫ ମସିହାରେ ଏହି ପ୍ଲାନ୍‌କୁ ବାତିଲ କରିବା ଓଡିଏ କୋର୍ଟ ବିଡିଏ ସଚିବଙ୍କୁ ନିର୍ଦ୍ଦେଶ ଦେଲା। ପ୍ଲାନ୍‌ ଉଲ୍ଲଂଘନ ହୋଇଥିବା ଦର୍ଶାଇ ପ୍ଲାନ୍‌ ଏଠାରେ ଫ୍ଲାଟ୍‌ ନ କିଣିବା ପାଇଁ କ୍ରେତାଙ୍କୁ ଅନୁରୋଧ କରିଥିଲା। ପିଏଚ୍‌ଡିକୁ ପାଣି ସଂଯୋଗ ନ ଦେବାକୁ ଚିଠି ଲେଖିଥିଲା। ବିଦ୍ୟୁତ୍‌ ସଂଯୋଗ ଦେଉଥିବା ସଂସ୍ଥା(ସେସୁ)କୁ ମଧ୍ୟ ସଂଯୋଗ ଦେବାକୁ ବାରଣ କରିଥିଲା। ଏନ୍‌ଓସି ଦେବାକୁ ବିଏମ୍‌ସିକୁ ବାରଣ କରିଥିଲା। ଜେଜେ ମୁକ୍ତେଶ୍ଵର କନ୍‌ଷ୍ଟ୍ରକସନ୍‌ ନିର୍ଦ୍ଦେଶକ ଧନଞ୍ଜୟ କୁମାରଙ୍କ ବିରୋଧରେ ଓଡିଏ କୋର୍ଟରେ ଏକ ମାମଲା(ୟୁଏପି-୫୪୩/୨୦୧୪) ମଧ୍ୟ ରୁଜୁ କରିଥିଲା। କିନ୍ତୁ ମାମଲା ବିଚାର ହେଲା ନାହିଁ। ସେମିତି ପଡ଼ି ରହିଥିଲା। ଏ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଓଡିଏ କୋର୍ଟର ନିଦ ଭାଙ୍ଗିଛି। ଏହି ପ୍ରସଙ୍ଗରେ ବିଲ୍ଡରଙ୍କ ଅପେକ୍ଷା ତହସିଲଦାର ଓ ବିଡିଏର ଅଧିକ ତ୍ରୁଟି ରହିଛି। କାରଣ ତହସିଲଦାର ସ୍ୱତ୍ୱ ପରିବର୍ତ୍ତନ କରିଥିବା ବେଳେ ବିଡିଏ ନିର୍ମାଣ ପାଇଁ ପ୍ଲାନ୍‌ ମଞ୍ଜୁରି ଦେଇଛି। ଏଥିରେ ସମ୍ପୃକ୍ତ ଅଧିକାରୀମାନଙ୍କ ଉପରେ କ’ଣ କାର୍ଯ୍ୟାନୁଷ୍ଠାନ ହେଉଛି ତାହାକୁ ସମସ୍ତେ ଅପେକ୍ଷା କରିଛନ୍ତି।

Share Now:

Kalinga News Beuro

Next Post

ରାଜ୍ୟପାଳଙ୍କ ସୂଚୀରେ ପରିବର୍ତ୍ତନ : ଛୁଟି ସରିବା ପୂର୍ବରୁ ଓଡ଼ିଶା ଫେରିବେ

Wed May 17 , 2023
ଭୁବନେଶ୍ୱର: ରାଜ୍ୟପାଳଙ୍କ ସୂଚୀରେ ପରିବର୍ତ୍ତନ ଘଟିଛି। ଆଜି ସନ୍ଧ୍ୟା ୮ଟାରେ ଭୁବନେଶ୍ବରରେ ପହଞ୍ଚିବେ ରାଜ୍ୟପାଳ ପ୍ରଫେସର୍‌ ଗଣେଶୀ ଲାଲ୍‌। ଛୁଟି ସରିବା ପୂର୍ବରୁ ରାଜ୍ୟପାଳ ଓଡ଼ିଶା ଫେରିଆସିବେ। ରାଜ୍ୟପାଳଙ୍କ ଗସ୍ତ କାର୍ଯ୍ୟସୂଚରେ ହଠାତ ଏପରି ପରିବର୍ତ୍ତନ ଦେଖିବାକୁ ମିଳିଛି। ପୂର୍ବରୁ ଆଗମୀ ୨୨ ତାରିଖରେ ରାଜ୍ୟପାଳଙ୍କ ଫେରିବା କାର୍ଯ୍ୟକ୍ରମ ରହିଥିଲା। ହେଲେ ସେ ଏବେ ନିର୍ଦ୍ଧାରିତ ସମୟ ପୂର୍ବରୁ ଫେରି ଆସୁଛନ୍ତି ବୋଲି ସୂଚନା ରହିଛି। ରାଜ୍ୟପାଳଙ୍କ ଫେରିବା ପ୍ରସଙ୍ଗ […]
ରାଜ୍ୟପାଳଙ୍କ ସୂଚୀରେ ପରିବର୍ତ୍ତନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial