କେବେ ଲୋକାର୍ପିତ ହେବ ଶିଶୁଭବନ ଜି+୭ କୋଠା ?

କେବେ ଲୋକାର୍ପିତ ହେବ ଶିଶୁଭବନ ଜି+୭ କୋଠା

ଏପଟେ ଶିଶୁଭବନ ଚକ୍ଷୁରୋଗୀଙ୍କୁ ବି ଏସ୍‌ସିବି ଭରସା

କଟକ: ନାଁ ଶିଶୁଭବନ, ହେଲେ ଶିଶୁରୋଗୀ ଚିକିତ୍ସା ପାଇଁ ଏସ୍‌ସିବି ଉପରେ ନିର୍ଭରଶୀଳ। ବର୍ଷ ବର୍ଷ ହେଲା ଶିଶୁଭବନରେ ସବୁ ବିଭାଗ ଖୋଲିପାରୁନି। ଯା’ଫଳରେ ଶିଶୁଭବନର ଶିଶୁରୋଗୀ ଏସ୍‌ସିବି ଭରସାରେ। ରାଜ୍ୟ ସରକାର ଶିଶୁଭବନରେ ଜି+୭ କୋଠା ତିଆରି କରିଥିଲେ ବି ତାହା ଆଜି ପର୍ଯ୍ୟନ୍ତ ଲୋକାର୍ପିତ ହୋଇପାରୁନି। କେବେ ଲୋକାର୍ପିତ ହେବ ତା’ ବି କାହାକୁ ଜଣା ନାହିଁ। ଏପଟେ ଏସ୍‌ଏନ୍‌ସିୟୁରୁ ଆରମ୍ଭ କରି ଆଇସିୟୁ ପର୍ଯ୍ୟନ୍ତ, ସବୁ ନିଅଣ୍ଟିଆ। ଶିଶୁରୋଗୀଙ୍କ ଆଖିରେ ଗ୍ଲୁକୋମା ହେଉ ବା ଅନ୍ୟ କୌଣସି ଚକ୍ଷୁ ରୋଗ; ତାର ଚିକିତ୍ସା ଶିଶୁଭବନରେ ନଥିବାରୁ ଚିକିତ୍ସା ପାଇଁ ଶିଶୁଭବନ ଏସ୍‌ସିବିକୁ ପଠାଇ ଦେଉଛି। ନ୍ୟୁରୋସର୍ଜରି, ଓପନ୍‌ହାର୍ଟ ସର୍ଜରି, ମାନସିକ ରୋଗ ବିଭାଗର ଚିକିତ୍ସା ମିଳୁ ନଥିବାରୁ ରୋଗୀ ଓ ସଂପର୍କୀୟମାନେ ହନ୍ତସନ୍ତ ହେବା ସହ ଅସନ୍ତୋଷ ବୃଦ୍ଧି ପାଉଥିବା ଦେଖାଯାଉଛି। ଶିଶୁଭବନକୁ କେବଳ ଅନ୍‌କଲରେ ନବଜାତକ ଶିଶୁଙ୍କ ଚକ୍ଷୁ ସମସ୍ୟା ହେଲେ ଏସ୍‌ସିବି ଚକ୍ଷୁରୋଗ ବିଭାଗରୁ ଡାକ୍ତର ଦୁଇଦିନ ଶିଶୁଭବନରେ ଦେଖୁଛନ୍ତି। ଅନ୍ୟ ଚକ୍ଷୁ ରୋଗ ହେଉ ଅବା ଦୁର୍ଘଟଣାରେ ଯଦି ଆଖିରେ କୌଣସି କ୍ଷତ ହୁଏ, ତାହେଲେ ରୋଗୀ ଶିଶୁଭବନରୁ ‌ଚିକିତ୍ସା ନପାଇ ନିରାଶ ହୋଇ ଫେରିଥାଏ। ବଡ଼ଡାକ୍ତରଖାନା ଅବା କୌଣସି ଘରୋଇ ହସ୍ପିଟାଲ ଉପରେ ନିର୍ଭର କରିଥାନ୍ତି ଶିଶୁରୋଗୀ। ଅନ୍ୟପଟେ ଶିଶୁଭବନରେ ଅନେକ ଚିକିତ୍ସା ଉପଲବ୍ଧ ନଥିବାରୁ ରାଷ୍ଟ୍ରୀୟ ବାଲ୍‌ ସୁରକ୍ଷା ଯୋଜନାରେ ଶିଶୁଙ୍କୁ ଏସ୍‌ସିବିରେ ଚିକିତ୍ସା କରାଯାଉଛି। ଶିଶୁଭବନରେ ଚକ୍ଷୁରୋଗ ବିଭାଗ ସହ ଅନ୍ୟ ଯେଉଁ ସବୁ ବିଭାଗ ନାହିଁ ବା ଚିକିତ୍ସା ମିଳୁନି, ସେ ସବୁ ବିଭାଗ ତୁରନ୍ତ କାର୍ଯ୍ୟକ୍ଷମ କରିବା ପାଇଁ ବାରମ୍ବାର ଦାବି ହେଉଛି। କିନ୍ତୁ ଆଜି ପର୍ଯ୍ୟନ୍ତ ଏଦିଗରେ କୌଣସି ପଦକ୍ଷେପ ନିଆଯାଉ ନଥିବାରୁ ଅସନ୍ତୋଷ ବୃଦ୍ଧି ପାଉଛି।
ଏସ୍‌ସିବି ମେଡିକାଲ୍‌ କଲେଜ ଓ ହସ୍ପିଟାଲ୍‌ର ଶିଶୁରୋଗ ଚିକିତ୍ସା ବିଭାଗକୁ ଶିଶୁଭବନ (ସର୍ଦ୍ଦାର ବଲ୍ଲଭଭାଇ ପଟେଲ ସ୍ନାତେକୋତ୍ତର ପ୍ରତିଷ୍ଠାନ)ରେ ମିଶ୍ରଣକୁ ବିରୋଧ କରି ୨୦୧୨ରେ ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା। ଶୁଣାଣି ସମୟରେ ଆବେଦନକାରୀ ଦର୍ଶାଇଥିଲେ ଯେ ପୂର୍ବ ଭାରତର ପ୍ରମୁଖ ଡାକ୍ତରଖାନା ଏସସିବିରୁ ଶିଶୁରୋଗ ଚିକିତ୍ସା ବିଭାଗ ଶିଶୁଭବନକୁ ସ୍ଥାନାନ୍ତର ପାଇଁ ଗ୍ରହଣ କରାଯାଇଥିବା ନିଷ୍ପତ୍ତି ଜନବିରୋଧୀ। ଏହାଦ୍ୱାରା ସାଧାରଣ ଲୋକ ହଇରାଣ ହେବେ। ଏସିବିରେ ଜନ୍ମନେଉଥିବା ଶିଶୁଙ୍କ ଜରୁରୀ ଚିକିତ୍ସା କିପରି କରାଯିବ ତାକୁ ନେଇ ଆବେଦନକାରୀ ପ୍ରଶ୍ନ ଉଠାଇଛନ୍ତି। ଏଭଳି ନିଷ୍ପତ୍ତି ଦ୍ୱାରା ଡାକ୍ତର, ରୋଗୀ ଓ ଆଟେଣ୍ଡାଣ୍ଟ ହଇରାଣ ହେବା ନିଶ୍ଚିନ୍ତି। ଏବେ ଏସ୍‌ସିବିରେ ଶିଶୁରୋଗ ବିଭାଗରେ ଏକ ୟୁନିଟ କାର୍ଯ୍ୟ କରୁଥିବା ବେଳେ ଅନ୍ୟ ସବୁ ଶିଶୁଭବନ ସ୍ଥାନାନ୍ତର ହୋଇଯାଇଛି। ଏସ୍‌ସିବିରୁ ଶିଶୁରୋଗ ବିଭାଗ ସ୍ଥାନାନ୍ତର ପ୍ରସଙ୍ଗ ଏନ୍‌ଏମ୍‌ସି ନିୟମାବଳୀକୁ ଉଲ୍ଲଂଘନ କରୁଛି ବୋଲି ଆବେଦନକାରୀ ଦର୍ଶାଇଛନ୍ତି।

Share Now:

Kalinga News Beuro

Next Post

ସହରାଞ୍ଚଳ ପରି ଗ୍ରାମପଞ୍ଚାୟତ ଠାରୁ ବ୍ଲକକୁ ଗଡ଼ିବ ମୋ ବସ୍‌

Wed May 24 , 2023
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର, କଟକ, ପୁରୀ, ରାଉରକେଲା ଭଳି ଆଗାମୀ ଦିନରେ ରାଜ୍ୟର ଗ୍ରାମାଞ୍ଚଳରେ ବସବାସ କରୁଥବା ଲୋକଙ୍କୁ ମୋ ବସ୍‌ ସୁବିଧା ମିଳିପାରିବ। ଲୋକେ ନିଜ ଗ୍ରାମପଞ୍ଚାୟତ ଠାରୁ ବ୍ଲକକୁ ଯାଉଥିଲେ କମ୍‌ ଟଙ୍କା ଦେଇ ମୋ ବସ୍‌ରେ ଯିବା ଆସିବା କରିପାରିବେ। ରାଜ୍ୟ ସରକାର ଏନେଇ ଯୋଜନା ଆରମ୍ଭ କରିଦେଇଛନ୍ତି। ଗ୍ରାମାଞ୍ଚଳରେ ମୋ ବସ୍‌ ସେବା ନେଇ ପରିବହନ ସଚିବ ଉଷା ପାଢ଼ୀ ସୂଚନା ଦେଇଛନ୍ତି। ଶ୍ରୀମତୀ […]
ଗାଁରେ ଗଡ଼ିବ ମୋ ବସ୍‌

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial