ଅବିବାହିତ ଦିବ୍ୟାଙ୍ଗ ଯୁବକଙ୍କୁ ପରିବାର ନିୟୋଜନ ଅସ୍ତ୍ରୋପଚାର

ଦିବ୍ୟାଙ୍ଗଙ୍କୁ ପରିବାର ନିୟୋଜନ ଅସ୍ତ୍ରୋପଚାର

ଗଙ୍ଗାରାମ ବଦଳରେ ଫସିଗଲେ ଗଙ୍ଗା,ମାମଲା ରଫାଦଫା ପାଇଁ ୧୦,୦୦୦ ଟଙ୍କାର ଡିଲ୍ ଅଭିଯୋଗ

ମାଲକାନଗିରି: ଜିଲ୍ଲାର ମାଥିଲି ବ୍ଲକ ମହୁପଦର ପଞ୍ଚାୟତ ଅନ୍ତର୍ଗତ ଆମ୍ବାଗୁଡା ଗାଁର ଦିବ୍ୟାଙ୍ଗ (ମୂକ) ଅବିବାହିତ ଯୁବକଙ୍କୁ ପରିବାର ନିୟୋଜନ ଅସ୍ତ୍ରୋପଚାର କରାଯିବା ଘଟଣା ନେଇ ଆଉ ଏକ ତଥ୍ୟ ସାମ୍ନାକୁ ଆସିଛି। ଜଣଙ୍କ ପରିବାର ନିୟୋଜନ ଅସ୍ତ୍ରୋପଚାର ପାଇଁ ଯୋଜନା ରହିଥିବା ବେଳେ ଆଉ ଜଣେ ବ୍ୟକ୍ତିର ଅସ୍ତ୍ରୋପଚାର କରାଯାଇଛି। ଏଥିରେ ଦିବ୍ୟାଙ୍ଗ ଯୁବକ ଜଣଙ୍କ ବଳି ପଡିଯାଇଛନ୍ତି। କୋସରବାଟା ଗ୍ରାମର ଗଙ୍ଗାରାମ ଦୁରୁଆ ଅସ୍ତ୍ରୋପଚାର ପାଇଁ ଆସିବାକୁ ମନା କରିଦେବା ପରେ ଚଞ୍ଚକତା କରି ଆମ୍ବାଗୁଡା ଗ୍ରାମର ଗଙ୍ଗା ଦୁରୁଆଙ୍କ ଅସ୍ତ୍ରୋପଚାର କରାଯାଇଛି। ଶୁକ୍ରବାର ଦିନ ଏହି ଘଟଣା ପୂରା ମାଲକାନଗିରି ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଶନିବାର ଘଟଣା ସହିତ ସମ୍ପୃକ୍ତ ଆଶା ଦିଦି ରେଖା ମଣ୍ଡଳ ମୁହଁ ଖୋଲିଛନ୍ତି। ଜଣେ ହିତାଧିକାରୀଙ୍କ ବଦଳରେ ଆଉ ଜଣେ ବ୍ୟକ୍ତିର ପରିବାର ନିୟୋଜନ ଅସ୍ତ୍ରୋପଚାର କରାଯାଇଥିବା ନେଇ ସେ ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଛନ୍ତି।
ଶ୍ରୀମତୀ ମଣ୍ଡଳଙ୍କ ବୟାନ ଅନୁଯାୟୀ, କୋସରବାଟା ଗ୍ରାମର ଗଙ୍ଗାରାମ ଦୁରୁଆ ଅସ୍ତ୍ରୋପଚାର ପାଇଁ ଆସିବାକୁ ମନା କରି ଦେଇଥିଲେ। ତାଙ୍କ ବଦଳରେ ଆମ୍ବାଗୁଡା ଗ୍ରାମର ଗଙ୍ଗା ଦୁରୁଆଙ୍କୁ ଆଣିବା ପାଇଁ ଏଏନ୍‌ଏମ ଜୟନ୍ତୀ ପ୍ରଧାନ ନିର୍ଦ୍ଦେଶ ଦେଇଥିଲେ। ଗଙ୍ଗାରାମଙ୍କ ସବୁ ତଥ୍ୟ ଗଙ୍ଗାର ଫର୍ମରେ ଲେଖି ଏହି ଅସ୍ତ୍ରୋପଚାର କରଯାଇଥିଲା। ଏଥିସହ ଘଟଣା ଜଣାପଡ଼ିବା ପରେ ଗଙ୍ଗାର ପରିବାରବର୍ଗ ଓ ଗ୍ରାମବାସୀଙ୍କୁ ମିଛ କହିବା ସହ କିଛି ଟଙ୍କା ଦେବା ପାଇଁ ମଧ୍ୟ ଏଏନଏମ୍ ଦିଦି କହିଥିଲେ ବୋଲି ଶ୍ରୀମତୀ ମଣ୍ଡଳ ଅଭିଯୋଗ କରିଛନ୍ତି। ଏଥିସହ ତାଙ୍କ କଥା ନ ଶୁଣିଲେ ଚାକିରିରୁ ବାହାର କରିବା ଭୟ ମଧ୍ୟ ଦେଖାଇଥିଲେ। ସେହି ଅନୁସାରେ ଆଶାକର୍ମୀ ଗଙ୍ଗାଙ୍କ ପରିବାରଙ୍କୁ ୧୦ ହଜାର ଟଙ୍କା ଦେଇଥିବା ବେଳେ ପରବର୍ତ୍ତୀ ସମୟରେ ୧୦ ହଜାର ଟଙ୍କା ଦେବା ପାଇଁ ରାଜି ହୋଇଥିଲେ ବୋଲି କହିଛନ୍ତି।
ଏବେ ଗଣମାଧ୍ୟମକୁ ଘଟଣା ଆସିବା ପରେ ଏପରି ଘଟଣାକୁ ଅସ୍ୱୀକାର କରିଛନ୍ତି ଏଏନଏମ୍। ଅନ୍ୟପକ୍ଷରେ ଏଭଳି ଘଟଣା ବିଷୟରେ ପୂର୍ବରୁ କିଛି ଜାଣିନଥିବା କଥା ଏଏନଏମ ଜୟନ୍ତୀ ପ୍ରଧାନ କହିଛନ୍ତି। ଆଶାକର୍ମୀ ରେଖା ମଣ୍ଡଳ ଆଣିଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ଅଟେ ବୋଲି ସେ ପ୍ରକାଶ କରିଛନ୍ତି। ଅନ୍ୟପଟରେ ମାଲକାନଗିରି ଜିଲ୍ଲା ଆମ୍ବଗୁଡା ଗାଁର ଦିବ୍ୟାଙ୍ଗ (ମୂକ) ଅବିବାହିତ ଯୁବକଙ୍କୁ ପରିବାର ନିୟୋଜନ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ। ଜାତୀୟ ସ୍ୱାସ୍ଥ୍ୟ ମିଶନ ଡିପିଏମ ଓ ଆଶା କୋର୍ଡିନେଟର ଘଟଣାର ତଦନ୍ତ କରିବେ। ଏମାନେ ପୀଡ଼ିତଙ୍କୁ ଭେଟିବେ। ତଦନ୍ତ ରିପୋର୍ଟ ମିଳିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ପ୍ରଫୁଲ୍ଲ କୁମାର ନନ୍ଦ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଗଙ୍ଗାକୁ କାଗଜପତ୍ରରେ ବିବାହିତ ଦର୍ଶାଇ ଅସ୍ତ୍ରୋପଚାର କରାଯାଇଛି। କେବଳ ପରିବାର ନିୟୋଜନ ଅସ୍ତ୍ରୋପଚାର ସଂଖ୍ୟା ବଢାଇବାକୁ ଯାଇ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ଜଣେ ନିରୀହ ଆଦିବାସୀ ପରିବାରର ବଂଶ ବୁଡ଼ାଇ ଦେଇଛନ୍ତି। ଗତ ୩ ତାରିଖରେ ମାଥିଲି ସବଡିଭିଜନ ମେଡିକାଲ ପରିସରରେ ଘଟିଛି ଏହି ଅଭାବନୀୟ ଘଟଣା। ଅସ୍ତ୍ରୋପଚାର ପରେ କିଛି ଔଷଧ ଓ ୨ ହଜାର ଟଙ୍କା ଦେଇ ଗଙ୍ଗା ଦୁରୁଆଙ୍କୁ ଘରକୁ ପଠାଇ ଦେଇଥିଲେ କର୍ମଚାରୀ। ଘଟଣା ସାମ୍ନାକୁ ଆସିବା ପରେ ଅଞ୍ଚଳରେ ଏହାକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି।

Share Now:

Kalinga News Beuro

Next Post

ନନ୍ଦନକାନନରେ ବିଶ୍ଵ ହସ୍ତୀ ଦିବସ : ହାତୀଙ୍କ ସୁରକ୍ଷା ପାଇଁ ଦସ୍ତଖତ ଅଭିଯାନ ଓ ପ୍ରତିଯୋଗିତା ଆୟୋଜିତ

Sat Aug 12 , 2023
ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଶନିବାର ୧୩ତମ ବିଶ୍ୱ ହସ୍ତୀ ଦିବସ ପାଳିତ ହେଇଯାଇଛି। ନନ୍ଦନକାନନର ୩ ହାତୀ (ବାସନ୍ତୀ, ହୀରା ଓ ମାମା)ଙ୍କୁ ହାତୀଶାଳ ସଫାରୀ ମଧ୍ୟରେ କଦଳୀ, ନଡ଼ିଆ, ଆଖୁ, ସେଓ, ତରଭୂଜ, ମକା ଖାଇବାକୁ ଦେଇଛନ୍ତି କର୍ତ୍ତୃପକ୍ଷ ଓ କର୍ମଚରୀ। ୩ ମାସର କୁନି ହାତୀ ଅଭିକୁ ରହୁଥିବା ସଂଗରୋଧରେ ଖାଇବାକୁ ଦିଆଯାଇଛି। ନନ୍ଦନକାନନକୁ ବୁଲି ଆସିଥିବା ପର୍ଯ୍ୟଟକ ଓ ହାତୀପ୍ରେମୀଙ୍କ ଲାଗି ଅଫଲାଇନ୍‌ ଓ […]
ନନ୍ଦନକାନନରେ ବିଶ୍ଵ ହସ୍ତୀ ଦିବସ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial