କଟକ ପୂର୍ବାଞ୍ଚଳରେ ବିପଦ ଜଳଜଳ : ନା ସୂଚନା ଅଛି ନା ସୁରକ୍ଷା

ସବୁଠି ବିପଦ ଜଳଜଳ

ମହାନଦୀବିହାର: କଟକର ପୂର୍ବାଞ୍ଚଳ ଅପର୍ଣ୍ଣାନଗର, ମହାନଦୀବିହାର, ଗୋପବନ୍ଧୁ ନଗର, ନୀଳାଦ୍ରି ବିହାର ଅଞ୍ଚଳରେ ଜାଇକା ପ୍ରକଳ୍ପରେ ନିୟୋଜିତ ଠିକା ସଂସ୍ଥାର ବେପରୱା କାମ ସମଗ୍ର ଅଞ୍ଚଳକୁ ବିପଦରେ ରଖିଛି। ବର୍ଷ ବର୍ଷ ଧରି କାମ ଚାଲିଥିବା ବେଳେ ଯେଉଁଠି କାମ ସରିଥିବା କୁହାଯାଉଛି, ସେହି ଅଞ୍ଚଳକୁ ବି ଅସୁରକ୍ଷିତ ଢଙ୍ଗରେ ଛାଡି ଦିଆଯାଇଛି। କେଉଁଠି ସତର୍କ ସୂଚନା ନାହିଁ କି ସୁରକ୍ଷା ବ୍ୟବସ୍ଥା ନାହିଁ। ଅପର୍ଣ୍ଣାନଗର ସିଦ୍ଧେଶ୍ୱର ମନ୍ଦିର ଛକରେ ଜାଇକା କାମରେ ଏକ ଗାତ କରି ଏହାକୁ ସମ୍ପୂର୍ଣ ନକରି ବାଲି ପକାଇ ଦିଆଯାଇଥିବା ବେଳେ ବିଭିନ୍ନ ସମୟରେ ଏଠାରେ ଛୋଟ ବଡ଼ ଦୁର୍ଘଟଣା ଘଟୁଛି। ଏହି ଛକର ଆଗକୁ ଥିବା ତେଲ ମିଲ ଗଳି ସାମନାରେ ପ୍ରାୟ ଏକ ମାସ ହେବ ଜାଇକା କାମ କରୁଥିଲେ ବି ଏହା ସରୁ ନାହିଁ। ଏଠାରେ କେବଳ ଏକ ଷ୍ଟପ ବୋର୍ଡ ରଖା ଯାଇଛି। କିନ୍ତୁ ସେଠାରେ ସୁରକ୍ଷାକର୍ମୀ ଜଗିବାର ନିହାତି ଆବଶ୍ୟକତା ଥିଲେ ବି କୌଣସି ବ୍ୟବସ୍ଥା କରାଯାଇ ନାହିଁ। ମହାନଦୀବିହାରର ସବୁଠୁ ବ୍ୟସ୍ତ ବହୁଳ ଛକ ଜଷ୍ଟିସ ଛକରେ ଡ୍ରେନ କାମ ଚାଲିଥିଲେ ବି ସେଠାରେ ଟ୍ରାଫିକ ବ୍ୟବସ୍ଥା ଦେଖିବାକୁ କୌଣସି ସଂସ୍ଥା ଅଥବା ପୁଲିସ ପକ୍ଷରୁ ବ୍ୟବସ୍ଥା କରାଯାଇ ନାହିଁ।
ଚାଉଳିଆଗଞ୍ଜ ମୁଖ୍ୟ ରାସ୍ତାରେ ଥିବା ଗୋପବନ୍ଧୁ ନଗରର ଗଳି ସମ୍ମୁଖରେ ଏକ ବଡ଼ ଗାତ ଖୋଳା ଯାଇଥିବା ବେଳେ ଗାତରୁ ବାହାରୁଥିବା ମାଟି ଗୁଡିକୁ ରାସ୍ତା ଉପରେ ଗଦାଇ ରଖାଯାଇଛି। ଫଳରେ ଗଳି ଭିତରେ ରହୁଥିବା ଲୋକେ ଗୁରୁତର ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସବୁଠାରୁ ଦୟନୀୟ ପରିସ୍ଥିତି ଉପୁଜିଛି ନୀଳାଦ୍ରି ବିହାର ଅଞ୍ଚଳରେ। ଏହି ଗଳିରେ ପ୍ରାୟ ପାଞ୍ଚ ବର୍ଷ ହେବ ଜାଇକା କାମ ଚାଲୁଥିବା ବେଳେ ଏହା ଶେଷ ହେବାର ନାଁ ଧରୁ ନାହିଁ। ନୀଳାଦ୍ରି ବିହାର ଗଳି ମୁହଁରେ ବିପଦ ସଂକୁଳ ଅବସ୍ଥାରେ ଏକ ବିରାଟ ଗାତ ଖୋଳା ଯାଇଥିବା ବେଳେ ବଡ଼ ବଡ଼ ଲୁହା ଖଣ୍ଡ ଓ ପାଇପକୁ ରାସ୍ତା ଉପରେ ଗଦାଇ ରଖା ଯାଇଛି। କିନ୍ତୁ କୌଣସି ଠାରେ ସୁରକ୍ଷା ବ୍ୟବସ୍ଥା କି ସୂଚନା ନରହିବା ଘଟଣା ବିପଦର କାରଣ ହୋଇଛି।

Share Now:

Kalinga News Beuro

Next Post

ଜଳୁଛି ଓଡ଼ିଶା : ସମ୍ବଲପୁରରେ ତାପମାତ୍ରା ୪୪.୨ ଡିଗ୍ରି, ରାଜଧାନୀରେ ପାରା ୪୧.୪ ଡିଗ୍ରି

Fri Jun 2 , 2023
ଭୁବନେଶ୍ୱର: ପ୍ରବଳ ଖରା ଓ ଗୁଳୁଗୁଳିରେ ଓଡ଼ିଶାବାସୀ ଆଜି ତ୍ରାହିତ୍ରାହି ଡାକୁଛନ୍ତି। ସୂର୍ଯ୍ୟ ଉଦୟ ହେବା ମାତ୍ରେ ତାପମାତ୍ରା ବଢ଼ିବା ଆରମ୍ଭ ହୋଇଯାଇଥିଲା। ପୂର୍ବାହ୍ନ ୮ଟା ପରଠାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବାହାରକୁ ଯିବା ଅସହ୍ୟ ହୋଇପଡ଼ିଥିଲା। ଜରୁରୀ କାମ ନଥିଲେ ଲୋକେ ଘରୁ ବାହାରକୁ ଯିବା ପାଇଁ ଆଗ୍ରହୀ ନଥିଲେ। ସେହି କାରଣରୁ ରାସ୍ତାଘାଟଗୁଡ଼ିକ ଖାଲି ଖାଲି ଲାଗୁଥିଲା। ପାଦରେ ଚାଲିଚାଲି ଯାଉଥିବା ଲୋକେ ଖରାରେ ଅଧିକ ଅସ୍ତବ୍ୟସ୍ତ […]
ଜଳୁଛି ଓଡ଼ିଶା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial