ରୁଷ୍‌ରେ ଅଟକିଥିବା ଏୟାର୍‌ ଇଣ୍ଡିଆ ଯାତ୍ରୀଙ୍କୁ ରିଲିଫ୍‌ ବିମାନ ପଠାଇବେ କେନ୍ଦ୍ର ସରକାର

ରିଲିଫ୍‌ ବିମାନ ପଠାଇବେ କେନ୍ଦ୍ର ସରକାର-1

ନୂଆଦିଲ୍ଲୀ: ଅଟକି ରହିଥିବା ଏୟାର୍‌ ଇଣ୍ଡିଆ ଯାତ୍ରୀମାନଙ୍କୁ ଆମେରିକାର ସାନ୍‌ ଫ୍ରାନ୍‌ସିସ୍‌କୋରେ ପହଞ୍ଚାଇବା ଲାଗି ଆଜି ଅପରାହ୍ନ ୧ଟା ବେଳେ ମୁମ୍ବାଇରୁ ଗୋଟାଏ ରିଲିଫ୍‌ ବିମାନ ରୁଷ୍‌ର ମଗଦାନ୍‌ ଅଭିମୁଖେ ଯାତ୍ରା କରିଛି ବୋଲି ଆଜି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଘୋଷଣା କରିଛି। ସୂଚନାଯୋଗ୍ୟ, ନୂଆଦିଲ୍ଲୀରୁ ସାନ୍‌ଫ୍ରାନ୍‌ସିସ୍‌କୋ ଯାଉଥିବା ଏୟାର୍‌ ଇଣ୍ଡିଆର ଗୋଟାଏ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେବାରୁ ମଙ୍ଗଳବାର ଦିନ ତାହାକୁ ରୁଷ୍‌ର ମଗଦାନ୍କୁ‌ ନିଆଯାଇଥିଲା। ଉକ୍ତ ବିମାନଟିକୁ ଚଳାଇବା ପାଇଁ ‘ଏୟାର୍‌ ଇଣ୍ଡିଆ’ର ଅଧିକାରୀମାନେ ସମ୍ପ୍ରତି ବିମାନ ଚଳାଚଳ ନିୟମ ସଂକ୍ରାନ୍ତ ସମସ୍ୟାର ସମ୍ମୁଖୀନ ହୋଇଥିବାରୁ ସେଥିରେ ଥିବା ଯାତ୍ରୀମାନଙ୍କୁ ଆଣିବା ପାଇଁ ଆଜି ଆଉ ଏକ ବିମାନ ରୁଷ୍‌ ମଗଦାନ୍‌ ଯାତ୍ରା କରିବ। ସଂଗୃହୀତ ସୂଚନା ଅନୁସାରେ, ରୁଷ୍‌ର ରାଜଧାନୀ ମସ୍କୋଠାରୁ ପ୍ରାୟ ୧୦,୦୦୦ କିଲୋମିଟର୍‌ ଦୂର ମଗଦାନ୍‌ରେ ଅବତରଣ କରିଥିବା ଉକ୍ତ ଏୟାର୍‌ ଇଣ୍ଡିଆର ଯାତ୍ରୀମାନଙ୍କୁ ‘ଡର୍ମିଟାରି’ମାନଙ୍କରେ ରଖାଯାଇଛି। କାରଣ, ଉକ୍ତ ବିମାନରେ ଯେତେ ଯାତ୍ରୀ ଥିଲେ, ସମସ୍ତଙ୍କୁ ରଖିବା ପାଇଁ ସେ ଅଞ୍ଚଳରେ ଥିବା ହୋଟେଲ୍‌ ସବୁ ଅସମର୍ଥ।
ସୁଦୂର ରୁଷୀୟ ନଗରୀ ମଗଦାନ୍‌ରେ ଘଟୁଥିବା ଘଟଣାକ୍ରମ ଉପରେ ଦୃଷ୍ଟି ରଖାଯାଇଛି ବୋଲି ଆଜି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ କହିଛି। ମନ୍ତ୍ରାଳୟ ଜାରି କରିଥିବା ବିବୃତିରେ ଉଲ୍ଲେଖ ଅଛି, ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ପରିସ୍ଥିତି ଉପରେ ତୀବ୍ର ଦୃଷ୍ଟି ରଖିଛନ୍ତି। ଆମେ ମଧ୍ୟ ଏୟାର୍‌ ଇଣ୍ଡିଆ ସହିତ ଯୋଗଯୋଗ ରଖିଛୁ। ଯାନ୍ତ୍ରିକ ତ୍ରୁଟି ହୋଇଥିବା ‘ଭିଟି-ଏଏଲ୍‌ଏଚ୍‌’ ବିମାନଟିକୁ ସଜାଡ଼ିବା ଲାଗି ଲୋକ ଓ ସାମଗ୍ରୀ ସହିତ ଏୟାର୍‌ ଇଣ୍ଡିଆ ରିଲିଫ୍‌ ବିମାନ ‘ବି୭୭୭-୨୦୦ଏଲ୍‌ଆର୍‌ ଭିଟି-ଏଏଲ୍‌ଏଫ୍‌’ ପଠାଇବ। ‘ବି୭୭୭-୨୦୦ଏଲ୍‌ଆର୍‌ ଭିଟି-ଏଏଲ୍‌ଏଫ୍‌’ ବିମାନ ଯାତ୍ରୀମାନଙ୍କୁ ମଗଦାନ୍‌ରୁ ‘ସାନ୍‌ ଫ୍ରାନ୍‌ସିସ୍କୋ ଆନ୍ତର୍ଜାତିକ ବିମାନ ବନ୍ଦର’କୁ ନେଇଯିବ। ଆଜି ଅପରାହ୍ନ ପ୍ରାୟ ୧ଟା ବେଳେ ‘ବି୭୭୭-୨୦୦ଏଲ୍‌ଆର୍‌ ଭିଟି-ଏଏଲ୍‌ଏଫ୍‌’ ବିମାନ ମୁମ୍ବାଇରୁ ଉଡ଼ାଣ ଆରମ୍ଭ କରିଛି। ଏୟାର୍‌ ଇଣ୍ଡିଆ ମଧ୍ୟ ଆମକୁ ସୂଚନା ଦେଇଛି ଯେ, ସେମାନେ ଯାତ୍ରୀମାନଙ୍କର ଭଲମନ୍ଦ ବୁଝାଶୁଝା କରୁଛନ୍ତି। ଯାତ୍ରୀମାନଙ୍କୁ ଆଶ୍ରୟ ଦେବା ପାଇଁ ସ୍ଥାନୀୟ ସରକାର ମଧ୍ୟ ସାହାଯ୍ୟ କରୁଛନ୍ତି। ବିମାନ ବନ୍ଦର ନିକଟରେ ଥିବା ଗୋଟାଏ ସ୍କୁଲ୍‌କୁ ଯାତ୍ରୀମାନଙ୍କୁ ସ୍ଥାନାନ୍ତର କରାଯାଇଛି। ଖାଦ୍ୟ ଓ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେବା ପାଇଁ ଭାରତୀୟ ଦୂତାବାସ ସହିତ ମଧ୍ୟ ଯୋଗାଯୋଗ କରାଯାଇଛି।

Share Now:

Kalinga News Beuro

Next Post

ପ୍ରଦୀପ ପୁରୋହିତଙ୍କ ଫ୍ଲାଟରେ ଡ୍ରାଇଭରଙ୍କ ଝୁଲନ୍ତା ମୃତଦେହ

Wed Jun 7 , 2023
ଭୁବନେଶ୍ୱର: ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କ ଡ୍ରାଇଭର ଧନୁର୍ଜୟ ପାଣ୍ଡେ (୪୮)ଙ୍କ ଝୁଲନ୍ତା ମୃତଦେହକୁ ଲକ୍ଷ୍ମୀସାଗର ଥାନା ପୁଲିସ ଠାବ କରିଛି। ଲକ୍ଷ୍ମୀସାଗରସ୍ଥିତ ଭଗବାନ ଟାୱାରର ୭ମହଲାରେ ଥିବା ଶ୍ରୀ ପୁରୋହିତଙ୍କ ଫ୍ଲାଟ ନଂ-୭୦୩ରୁ ମୃତଦେହକୁ ଠାବ କରାଯାଇଛି। ଆସନ୍ତାକାଲି ଅର୍ଥାତ ବୁଧବାର ଦିନ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚିବା ପରେ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ୍‌ ହସ୍ପିଟାଲ୍‌ ପଠାଯିବ ବୋଲି ପୁଲିସ […]
ପ୍ରଦୀପ ପୁରୋହିତଙ୍କ ଫ୍ଲାଟରେ ଡ୍ରାଇଭରଙ୍କ ଝୁଲନ୍ତା ମୃତଦେହ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial