ଯୌନ କେଳେଙ୍କାରୀ ଘଟଣା : କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କୁ ବାନ୍ଧିବ ପୁଲିସ

ସୌରିନ ଭଟ୍ଟଙ୍କଙ୍କୁ ଗିରଫ କରିବ କଟକ ପୁଲିସ

କଟକ: ଖ୍ୟାତନାମା କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ଯୌନ କେଳେଙ୍କାରୀ ଘଟଣାରେ କଟକ କମିସନରେଟ୍ ପୁଲିସ ଏକ ଚାରି ଜଣିଆ ଟିମ୍ ଗଠନ କରିଛି। ଏହି ଟିମରେ ଜଣେ ଇନସ୍ପେକ୍ଟରଙ୍କ ସମେତ ତଦନ୍ତକାରୀ ଅଧିକାରୀ ଓ ସ୍ପେଶାଲ ସ୍କ୍ୱାଡ଼ର ଦୁଇ ଜଣ କର୍ମଚାରୀ ସାମିଲ ହୋଇଛନ୍ତି। ଆସନ୍ତା ତିନି ଦିନ ମଧ୍ୟରେ ଯଦି ସୌରିନ ମହିଳା ଥାନାରେ ହାଜର ହୋଇ ନିଜର ପକ୍ଷ ନ ରଖନ୍ତି, ତେବେ ପୁଲିସ କଲିକତା ଯାଇ ତାଙ୍କୁ ଗିରଫ କରିବାକୁ ଯୋଜନା କରୁଥିବାର ସୂଚନା ମିଳିଛି। ଜଗତପୁର ସାଇ ବିହାରରେ ରହୁଥିବା ଯୁବତୀଙ୍କ ସହିତ ସୌରିନଙ୍କର ସିଡିଏ ସେକ୍ଟର ୬ସ୍ଥିତ ଭଡ଼ା ଘର ସହିତ କଲେଜ ଛକରେ ଥିବା ହୋଟେଲ୍ ଓ ସାଇ ବିହାରରେ ଯୁବତୀଙ୍କ ଘରେ ରାତି କାଟିଥିଲେ। ତେଣୁ ଏହି ଅଞ୍ଚଳରେ ବୁଧବାର ସ୍ୱତନ୍ତ୍ର ଟିମ୍ ଛାନଭିନ୍ କରିଛି। ଉକ୍ତ ଅଞ୍ଚଳରେ ରହୁଥିବା ସ୍ଥାନୀୟ ବାସିନ୍ଦାଙ୍କୁ ପୁଲିସ ପଚରାଉଚରା କରିଛି। ସିଡିଏ ସେକ୍ଟର ୬ରେ ଥିବା ଏକ ଘରୋଇ ମନୋରଞ୍ଜନ ଚ୍ୟାନେଲରେ ସୌରିନ ନିଜର ଗୀତ ରେକର୍ଡ କରିବା ସହିତ ବିଭିନ୍ନ ପ୍ରତିଯୋଗିତାରେ ବିଚାରକ ଭାବେ କାମ କରୁଥିଲେ। ସେଠାକୁ ବି ପୁଲିସର ଆଉ ଏକ ଟିମ୍ ଖୁବ ଶୀଘ୍ର ଯାଇ ଛାନଭିନ୍‌ କରିବାକୁ ଯୋଜନା କରୁଛି।
ସୂଚନାଯୋଗ୍ୟ, ବଲିଉଡ ତଥା ଓଲିଉଡ କଣ୍ଠଶିଳ୍ପୀ ସୌରୀନ ଭଟ୍ଟଙ୍କ ବିରୁଦ୍ଧରେ ଜଣେ ଓଡ଼ିଆ ଗାୟିକା ମହିଳା ଥାନାରେ ଏତଲା ଦେଇଥିଲେ। ପ୍ରଲୋଭନ ଦେଖାଇ ବିବାହ ପ୍ରତିଶ୍ରୁତି, ପ୍ରତାରଣା, ନିର୍ଯାତନା ଓ ଶୋଷଣ କରିବା ନେଇ ସୌରୀନଙ୍କ ବିରୋଧରେ ପୀଡ଼ିତା କଣ୍ଠଶିଳ୍ପୀ ଅଭିଯୋଗ କରିଥିଲେ। ତାଙ୍କ କହିବା ଅନୁଯାୟୀ, କଣ୍ଠଶିଳ୍ପୀ ସୌରୀନ ଭଟ୍ଟ ତାଙ୍କଠାରୁ ୧୦ ଲକ୍ଷ ଟଙ୍କା ହଡ଼ପ କରିସାରିଛନ୍ତି। ପୀଡ଼ିତା ଜଣେ ବ୍ୟାଙ୍କ କର୍ମଚାରୀ ବି ବୋଲି ସୂଚନା ମିଳିଛି। ଏହି ଘଟଣା ପୁଣି ଓଲିଉଡକୁ ବଦନାମ କରିଥିବା କୁହାଯାଉଛି। ଏଣେ କଣ୍ଠଶିଳ୍ପୀ ସୌରୀନ ଭଟ୍ଟଙ୍କ ନାଁରେ ଏଭଳି ଅଭିଯୋଗ ଆସିବା ପରେ ପୁଲିସ କି ପଦକ୍ଷେପ ନେଉଛି, ତା’ ଉପରେ ରହିଛି ସମସ୍ତଙ୍କ ନଜର। ଖାଲି ସେତିକି ନୁହେଁ, ବିବାହର ପ୍ରତିଶ୍ରୁତି ଦେଇ ତାଙ୍କୁ ଯୌନ ନିର୍ଯାତନା ବି ଦେଇଛନ୍ତି ବୋଲି ଅଭିଯୋଗ ହୋଇଛି। ପୂର୍ବରୁ ପୀଡ଼ିତା ଜଗତପୁର ଥାନାରେ ଅଭିଯୋଗ କରିବାକୁ ଯାଇଥିଲେ। ସେ ନ୍ୟାୟ ପାଇବେ ବୋଲି ଆଶା ରଖିଛନ୍ତି। ଉଲ୍ଲେଖଯୋଗ୍ୟ, କଣ୍ଠଶିଳ୍ପୀ ସୌରୀନ ଭଟ୍ଟ ବେଶ କେତେଟି ଓଡ଼ିଆ ଛବିରେ କଣ୍ଠଦାନ କରି ଓଡ଼ିଶାରେ ଲୋକପ୍ରିୟତା ହାସଲ କରିଛନ୍ତି। ସେ ଗାଇଥିବା ଗୀତ ମଧ୍ୟରେ ଦିନେ ଏଇ ରଙ୍ଗ….(ମୁଁ ଏକା ତୁମର), ଓ ପ୍ରିୟାରେ ଓ ସାଥୀରେ…(ଅଭିମନ୍ୟୁ), ଦେ ଦେ ଦେ ମୋ ମାଲଟା ଦେ…(ଆଖିରେ ଆଖିରେ), ମୁଁ ତୋ ହୀରୋ ଗୋରୀ…(ହୀରୋ-ଏକ ପ୍ରେମ କଥା) ଓ କାଞ୍ଚିରେ କାଞ୍ଚିରେ…(ହୀରୋ ନମ୍ବର ୱାନ୍) ଆଦି ବେଶ୍ ଲୋକପ୍ରିୟ।

Share Now:

Kalinga News Beuro

Next Post

ରାଜସ୍ଥାନ ମରୁଭୂମିରେ ବନ୍ୟା ପରିସ୍ଥିତି ସୃଷ୍ଟି କରିଛି ବାତ୍ୟା ‘ବିପର୍ଯ୍ୟୟ’

Fri Jun 16 , 2023
ଜୟପୁର : ରାଜସ୍ଥାନର କିଛି ଅଞ୍ଚଳରେ ମଧ୍ୟ ସାମୁଦ୍ରିକ ଝଡ଼ ‘ବିପର୍ଯ୍ୟୟ’ର ପ୍ରଭାବ ଦେଖିବାକୁ ମିଳୁଛି। ଜାଲୋର ଓ ବାରମେର ଜିଲ୍ଲାର ଅନେକ ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ରାଜସ୍ଥାନ ପାଣିପାଗ ବିଭାଗ ନିର୍ଦ୍ଦେଶକ ରାଧେଶ୍ୟାମ ଶର୍ମା କହିଛନ୍ତି ଯେ ଗୁରୁବାର ରାତିରେ କେତେକ ସ୍ଥାନରେ ୬୦-୭୦ ମିଲିମିଟର ବର୍ଷା ହୋଇଛି ଏବଂ ଆଜି ମଧ୍ୟ ଏହି ଦୁଇ ଜିଲ୍ଲା ଏବଂ ଏହାର ଆଖପାଖ ଅଞ୍ଚଳରେ ଅତି ପ୍ରବଳ ବର୍ଷା […]
ରାଜସ୍ଥାନ ମରୁଭୂମିରେ ବନ୍ୟା ପରିସ୍ଥିତି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial