ଶିଖରଚଣ୍ଡୀ ଜୈବବିବିଧତା ନଷ୍ଟ ପ୍ରସଙ୍ଗ : ମା’ଙ୍କ ୨୧୨ ଏକର ଜମି ଫେରାଅ

ଶିଖରଚଣ୍ଡୀ ଜୈବବିବିଧତା ନଷ୍ଟ ପ୍ରସଙ୍ଗ

ଉନ୍ନତୀକରଣ ପ୍ରକଳ୍ପକୁ ବିରୋଧ ପାଇଁ ସଜବାଜ ଗ୍ରାମବାସୀ

ଚନ୍ଦ୍ରଶେଖରପୁର: ଶିଖରଚଣ୍ଡୀ ପାହାଡ଼ର ଜୈବ ବିବିଧତା ନଷ୍ଟ ପ୍ରସଙ୍ଗରେ ପ୍ରତିବାଦ ଘନେଇବା‌ରେ ଲାଗିଛି। ପାହାଡ଼ ଉପରେ ପାନୀୟ ଜଳ ସଂରକ୍ଷଣ ପ୍ରକଳ୍ପ ନିର୍ମାଣ ଉପରେ ଏନ୍‌ଜିଟି ସ୍ଥଗିତାଦେଶ ଜାରି ସହ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ କାମ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏନ୍‌ଜିଟିଙ୍କ ଦ୍ୱାରା ଗଠିତ ୪ଜଣିଆ ତଦନ୍ତକାରୀ କମିଟି ଆସନ୍ତା ୨୪ ତାରିଖରେ ଘଟଣାସ୍ଥଳ ପରିଦର୍ଶନ କରିବାକୁ ଦିନ ଧାର୍ଯ୍ୟ ହୋଇଛି। ଏଭଳି ସମୟରେ ମା’ ଶିଖରଚଣ୍ଡୀଙ୍କ ନାମରେ ଥିବା ୨୧୨ ଏକର ପାହାଡ଼ ଜଙ୍ଗଲ ଜମିକୁ ଚଞ୍ଚକତା କରି ଇଡ୍‌କୋକୁ ଦିଆଯାଇଥିବା ପରି ସଙ୍ଗିନ ଅଭିଯୋଗ ଆଣିଛି ଶିଖରଚଣ୍ଡୀ ଆଞ୍ଚଳିକ ସୁରକ୍ଷା ସମିତି। ସମିତି ଡାକରାରେ ଆଜି ନିକଟବର୍ତ୍ତୀ ୧୦ଟି ଗ୍ରାମବାସୀ ଶିଖରଚଣ୍ଡୀ ପାହାଡ଼ରେ ଏକାଠି ହେବା ସହ ମା’ଙ୍କ ଜମିକୁ ତୁରନ୍ତ ହସ୍ତାନ୍ତର କରିବାକୁ ଦାବି କରିଛନ୍ତି। ନ ହେଲେ ଶିଖରଚଣ୍ଡୀ ମନ୍ଦିର ଉନ୍ନତୀକରଣ ପ୍ରକଳ୍ପକୁ ଆଗାମୀ ଦିନରେ ଜୋରଦାର ବିରୋଧ କରିବାକୁ ଗ୍ରାମବାସୀମାନେ ନିଷ୍ପତ୍ତି ନେଇଛନ୍ତି।
ସେମାନଙ୍କ କହିବା କଥା ହେଉଛି ଯେ ମା’ ଶିଖରଚଣ୍ଡୀଙ୍କ ନାମରେ ଖଣ୍ଡେ ବି ହେଲେ ଜମି ନାହିଁ। ତେଣୁ ଶିଖରଚଣ୍ଡୀର ବିକାଶ କୋଉଠି ଓ କିଭଳି କରାଯିବ? ପ୍ରଥମେ ମା’ଙ୍କ ଜମିକୁ ‌ଫେରାଇ ଅଣାଯାଉ। ଉକ୍ତ ଜମିରେ ପାଚେରି ବୁଲାଯିବା ପରେ ବିକାଶ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହେଉ। ଶିଖରଚଣ୍ଡୀର ଜୈବ ବିବିଧତା ନଷ୍ଟ କରୁଥିବା କୌଣସି ପ୍ରକଳ୍ପ ଏହି ପାହାଡ଼ରେ କରିବାକୁ ଦିଆଯିବ ନାହିଁ। ଆସନ୍ତା ୨୧ ତାରିଖରେ ଭୁବନେଶ୍ୱର ଉତ୍ତର ଓ ଜଟଣୀ ବିଧାୟକ ପାଣି ପ୍ରକଳ୍ପର ବିକଳ୍ପ ସ୍ଥାନ ଦେଖିବେ ବୋଲି ସେମାନେ କହିଛନ୍ତି। ଇତିମଧ୍ୟରେ ଖାତା ନମ୍ବର ୧୨୮୮ ଓ ୧୨୮୭ରେ ଥିବା ତଥା ଗଛ କଟାଯାଇଥିବା ପଥରଗାଡ଼ିଆ ମୌଜା ଜଙ୍ଗଲ କିସମ ଜମିର କାଗଜପତ୍ର ଏନ୍‌ଜିଟିରେ ଦାଖଲ କରାଯାଇଛି। ଆଗକୁ ରାଜ୍ୟ ସରକାର ଯଦି ଏହାର କିଛି ବିକଳ୍ପ ରାସ୍ତା ବାହାର ନ କରନ୍ତି ତେବେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଆଜିର ବୈଠକରେ ଉପସ୍ଥିତ ଥିବା ପଞ୍ଚାୟତ ସରପଞ୍ଚ, ସମିତି ସଭ୍ୟ, ବୁଦ୍ଧିଜୀବୀ, ପରିବେଶ ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି।
ଅନ୍ୟପକ୍ଷରେ ଏନ୍‌ଜିଟି ଛାଟ ବାଜିବା ପରେ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସୋସିଆଲ୍‌ ମିଡିଆରେ ସଫେଇ ଦିଆଯାଇଛି। ବିଭାଗ କହିଛି ଯେ ଶିଖରଚଣ୍ଡୀ ପାହାଡ଼ରେ ଔଷଧୀୟ ବୃକ୍ଷ ଓ ଗଛ କଟାଯିବା ନେଇ ସାମାଜିକ ଗଣମାଧ୍ୟମରେ ଭୁଲ୍‌ ତଥ୍ୟ ପ୍ରକାଶ ପାଉଛି। ଭୁବନେଶ୍ୱରକୁ ୨୪ ଘଣ୍ଟିଆ ପାନୀୟ ଜଳ ଯୋଗାଣ କରିବାକୁ ପାହାଡ଼ ଉପରେ ଜଳ ସଂରକ୍ଷଣ ପ୍ରକଳ୍ପ କରାଯାଉଛି। ଏହାଦ୍ୱାରା ନିର୍ମାଣ ଖର୍ଚ୍ଚ କମ୍‌ ହେବ ଏବଂ ସମୟ ବଞ୍ଚିବ। ପ୍ରକଳ୍ପ ଲାଗି ପାହାଡ଼ରେ ବୃଦ୍ଧି ପାଇଥିବା କିଛି ବୁଦା କଟାଯାଇଛି। ଔଷଧୀୟ ବୃକ୍ଷ କିମ୍ବା ଗଛ କଟାଯାଇ ନାହିଁ। ଏହି ପାନୀୟ ଜଳ ସଂରକ୍ଷଣ ପ୍ରକଳ୍ପ ଦ୍ୱାରା ଚନ୍ଦ୍ରଶେଖରପୁର, ଶୈଳଶ୍ରୀବିହାର, ନୀଳାଦ୍ରିବିହାର, ଡମଣା, ଶ୍ରୀବିହାର, ପଟିଆ, ଭୋଇସାହି, ପ୍ରଶାନ୍ତିବିହାର, ନନ୍ଦନବିହାର, ରଙ୍ଗମାଟିଆ, କଳାରାହାଙ୍ଗ, ଶିଖରଚଣ୍ଡୀ ବସ୍ତିବାସିନ୍ଦାମାନେ ଉପକୃତ ହେବେ।
ବୈଠକରେ ସମିତି ପକ୍ଷରୁ ବିଭାଗକୁ ଏକାଧିକ ପ୍ରଶ୍ନ କରାଯାଇଛି। ଯଦି ପାନୀୟ ଜଳ ସଂରକ୍ଷଣ ପ୍ରକଳ୍ପ ଲାଗି ‘ୱାଟକୋ’ ପକ୍ଷରୁ ବୁଦା କାଟାଯାଇଥିଲା ତାହା ହେଲେ ରାତି ଅଧିଆ ନିଆଁ ଲଗାଉଥିଲା କିଏ? ସୋସିଆଲ ମିଡିଆରେ ଯେଉଁ ଫଟୋ ଛଡ଼ାଯାଇଛି ସେଥିରେ ପାହାଡ଼ ଶିଖରର ପୂର୍ବ ସ୍ଥିତି କାହିଁକି ନାହିଁ? ପୂର୍ବର ଯେଉଁ ଫଟୋ ରହିଛି ସେଥିରେ କେବଳ ପାହାଡ଼ ଦର୍ଶାଯାଇଛି, ଯାହାକି ଏବେ ବି ସେଭଳି ରହିଛି? ଯେତିକି ଏକର ପାହାଡ଼ କଟାଯାଇଛି ତାହାର ଭରଣା କିଏ କରିବ? ଯଦି ବୁଦା ଥିଲା ସେଠାରେ ଗଛ ଲାଗିପାରି ନ ଥାନ୍ତା କି? ଖର୍ଚ୍ଚ କମ୍‌ ହେବାକୁ ପାହାଡ଼ କଟାଯିବା କିଭଳି ଯୁକ୍ତିଯୁକ୍ତ ବୋଲି ସେମାନେ ପ୍ରଶ୍ନ କରିଛନ୍ତି।

Share Now:

Kalinga News Beuro

Next Post

ବଦଳିବ ରାଜ୍ୟର ପାଣିପାଗ : ରଥଯାତ୍ରାରେ ବର୍ଷାରେ ଭିଜିବ ଶ୍ରୀକ୍ଷେତ୍ର

Mon Jun 19 , 2023
ଭୁବନେଶ୍ୱର: ରାଜ୍ୟର ପାଣିପାଗ ବଦଳିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି। ଏଥିରେ କୁହାଯାଇଛି ଯେ ଉପକୂଳରେ ଗରମ କମିଯିବ, କିନ୍ତୁ ପଶ୍ଚିମ ଓଡ଼ିଶାରେ ଆଉ କିଛି ଦିନ ଯାଏ ଗ୍ରୀଷ୍ମପ୍ରବାହର ସ୍ଥିତି ଜାରି ରହିବ। ମୌସୁମୀ ଓଡ଼ିଶା ଆସିବା ପାଇଁ ପାଗ ଅନୁକୂଳ ହୋଇଛି। ଦୁଇ ତିନି ଦିନ ଭିତରେ ପ୍ରାକ ମୌସୁମୀ ବର୍ଷା ଆରମ୍ଭ ହେଇଯିବ। ରାଜ୍ୟରେ ଧୀରେ ଧୀରେ ବର୍ଷାର ମାତ୍ରା ବଢିବ। […]
ବଦଳିବ ରାଜ୍ୟର ପାଣିପାଗ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial