ଧଳା ବାଘୁଣୀ ବିଜୟା ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି : ଖା‌ଇଲା ମଇଁଷି ମାଂସ, ଚିକେନ୍‌

ଧଳା ବାଘୁଣୀ ବିଜୟା

ବାରଙ୍ଗ: ନନ୍ଦନକାନନ ବାଘ ସଫାରିର ଅନ୍ୟତମ ଆକର୍ଷଣ ଧଳା ବାଘୁଣୀ ବିଜୟାର ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିଛି। ଅସୁସ୍ଥତା କାରଣରୁ ୩ ଦିନ ଧରି ଖିଆପିଆ କରୁନଥିବା ବିଜୟା ଆଜି ଖାଦ୍ୟ ଗ୍ରହଣ କରିଛି। ଆଜି ତାକୁ ଚିକେନ୍‌ ଓ ମଇଁଷି ମାଂସ ଖାଇବାକୁ ଦିଆଯାଇଥିଲା ଏବଂ ସେ ସ୍ବାଭାବିକ ଭାବେ ଖାଇଥିଲା। ତେଣୁ ବିଜୟାକୁ ନେଇ ନନ୍ଦନକାନନ କର୍ତ୍ତୃପକ୍ଷ ଯେଉଁ ଦୁଶ୍ଚିନ୍ତାରେ ଥିଲେ, ତାହା ଆଜି ଆପାତତଃ ଦୂର ହୋଇଛି ବୋଲି କୁହାଯାଇଛି। ନନ୍ଦନକାନନ ଉପନିର୍ଦ୍ଦେଶକ ସଂଜିତ କୁମାରଙ୍କ ସୂଚନାନୁସାରେ ବିଜୟା ଅସୁସ୍ଥ ହେବା ଜଣାପଡ଼ିବା ମାତ୍ରେ ପ୍ରାଣୀ ଚିକିତ୍ସକମାନଙ୍କ ପରାମର୍ଶକ୍ରମେ ତାକୁ ସଫାରିର କ୍ବାରେଣ୍ଟାଇନ୍‌ ଖୁଆଡ଼କୁ ନିଆଯାଇ ଅଲଗା ରଖାଯାଇଥିଲା। ଓୟୁଏଟି ବିଶେଷଜ୍ଞଙ୍କ ପରାମର୍ଶ ଅନୁସାରେ ତାକୁ ରୋଗ ପ୍ରତିରୋଧକ ଟୀକା ଓ ଆଣ୍ଟିଟ୍ରେସ ମିଶ୍ରିତ ପାନୀୟ ଦିଆଯାଇଥିଲା। ଏହା ପରେ ତା’ର ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିଲା ଏବଂ ସେ ଧୀରେଧୀରେ ସୁସ୍ଥ ହେବ ପରିଲକ୍ଷିତ ହୋଇଥିଲା। ତା’ର ରକ୍ତ ଓ ମଳ ପରୀକ୍ଷା ରିପୋର୍ଟ ଯାଞ୍ଚ ପରେ ସବୁ କିଛି ଠିକ୍‌ଠାକ୍‌ ରହିଛି ବୋଲି ଉପନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ଆଜି ୪ର୍ଥ ଦିନରେ ତାକୁ ପ୍ରଥମେ ଚିକେନ୍‌ ଦିଆଯାଇଥିଲା ଏବଂ ସେ ସ୍ବାଭାବିକ ଭାବେ ଖାଇଥିଲା। ଏହାପରେ ତାକୁ ମଇଁଷି ମାଂସ ଦିଆଯାଇଥିଲା। ଏବେ ସେ ଚଲାବୁଲା କରୁଛି ଏବଂ ତା’ର ଅସୁସ୍ଥତା ବହୁ ମାତ୍ରାରେ ହ୍ରାସ ପାଇଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ ଯେ ୨୦୧୦ ମସିହା ମାର୍ଚ୍ଚ ୧ରେ ବିଜୟା ଜନ୍ମ ଗ୍ରହଣ କରିଥିଲା। ନନ୍ଦନକାନନରେ ସର୍ବାଧିକ ୨୨ ବର୍ଷ ବଞ୍ଚି ରହି ରେକର୍ଡ କରିଥିବା ଧଳା ବାଘୁଣୀ କୁସୁମ ଓ ସାଧାରଣ ନାଲି ରଙ୍ଗର ମହାବଳ ବାଘ ନିଷାନ୍‌ର ମିଳନରୁ ବିଜୟା ଜନ୍ମଲାଭ କରିଥିଲା। ନନ୍ଦନକାନନରେ ପ୍ରଥମ ଧଳା ବାଘୁଣୀ ଜନ୍ମ ହେବା ରେକର୍ଡ ବିଜୟା ନାଁରେ ରହିଛି। ତେଣୁ ପ୍ରଥମରୁ ହିଁ ବିଜୟା ନନ୍ଦନକାନନ ପର୍ଯ୍ୟଟକଙ୍କ ମୁଖ୍ୟ ଆକର୍ଷଣ ହୋଇରହିଛି। ଏବେ ସେ ଯୁବାବସ୍ଥାରେ ରହିଛି। ତେବେ ସେ ତିନି ଥରରେ ମୋଟ ୭ଟି ଶାବକ ଜନ୍ମ ଦେଇସାରିଛି। ୨୦୧୬ ଅଗଷ୍ଟ ୯ରେ ତା’ର ପ୍ରଥମ ଗର୍ଭରୁ ଦୁଇଟି ଅଣ୍ଡିରା ଛୁଆ ସାହିଲ୍‌ (ଧଳା) ଓ ଆଦିତି(ନାଲି) ଜନ୍ମ ନେଇଥିଲେ। ସାଧାରଣ ନାଲି ରଙ୍ଗର ମହାବଳ ବାଘ ରୋଶନ ଓ ବିଜୟାର ମିଳନରୁ ଏମାନେ ଜନ୍ମ ହୋଇଥିଲେ। ପୁଣି ରୋଶନ ସହ ମିଳନରୁ ବିଜୟା ଦ୍ବିତୀୟ ଗର୍ଭ ଧାରଣ କରିଥିଲା। ୨୦୧୮ ସେପ୍ଟେମ୍ବର ୨୩ରେ ବିଜୟା ପୁଣି ଦୁଇଟି ଶାବକ ରୂପା(ଧଳା) ଓ ରାଜେଶ(ନାଲି)ଙ୍କୁ ଜନ୍ମ ଦେଇଥିଲା। ଏହାପରେ ମହାବଳ ସେଫ୍‌ ସହ ମିଳନ ହେବାରୁ ବିଜୟା ତୃତୀୟଥର ଗର୍ଭବତୀ ହୋଇଥିଲା। ୨୦୨୧ ମାର୍ଚ୍ଚ ୨୮ରେ ତା’ ଗର୍ଭରୁ ରକି, ବଂଶୀ ଓ ରାକେଶ ଜନ୍ମ ନେଇଥିଲେ। ଏହି ତିନି ଛୁଆ ସାଧାରଣ ନାଲି ରଙ୍ଗର ହୋଇଛନ୍ତି।

Share Now:

Kalinga News Beuro

Next Post

ଆସନ୍ତା ୨୪ରେ ବାତ୍ୟା ଆଶଙ୍କା,ଭୀଷଣ ହେବ ନାହିଁ ପ୍ରଭାବ : ପାଣିପାଗ ବିଶେଷଜ୍ଞ

Mon Oct 17 , 2022
ଭୁବନେଶ୍ୱର: ବଙ୍ଗୋପସାଗର ଅଞ୍ଚଳରେ ଅକ୍ଟୋବର ୨୦ ତାରିଖ ବେଳକୁ ସୃଷ୍ଟି ହେବାକୁ ଥିବା ଲଘୁଚାପ ଅଧିକ ଘନୀଭୂତ ହୋଇ ଆସନ୍ତା ୨୪ ତାରିଖରେ ଏକ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି ବୋଲି ସୂଚନା ଦେଇଛନ୍ତି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ। ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକଙ୍କ ଅକଳନ ଅନୁଯାୟୀ ୨୦ ତାରିଖର ଲଘୁଚାପଟି ୨୨ରେ ଅବପାତ ଓ ୨୪ କିମ୍ବା ୨୫ ସକାଳ ସୁଦ୍ଧା ବାତ୍ୟାର ରୂପ ନେବ […]
ଆସନ୍ତା ୨୪ରେ ବାତ୍ୟା ଆଶଙ୍କା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial