ଶିଖରଚଣ୍ଡୀ ଜୈବ ବିବିଧତା ନଷ୍ଟ ପ୍ରସଙ୍ଗ

ପଦାରେ ପଡ଼ିଲା ପ୍ରଶାସନର ମିଛ

ପଦାରେ ପଡ଼ିଲା ପ୍ରଶାସନର ମିଛ, ତଦନ୍ତ କଲା ଏନ୍‌ଜିଟି ଟିମ୍‌

ଚନ୍ଦ୍ରଶେଖରପୁର: ଶିଖରଚଣ୍ଡୀ ପାହାଡ଼ର ଜୈବ ବିବିଧତା‌ ନଷ୍ଟ କରାଯାଇ ପାନୀୟ ଜଳ ସଂରକ୍ଷଣ ପ୍ରକଳ୍ପ ନିର୍ମାଣ ପ୍ରସଙ୍ଗରେ ତଦନ୍ତ ଆରମ୍ଭ ହୋଇଛି। ଜଙ୍ଗଲ (ସଂରକ୍ଷଣ) ଆଇନ-୧୯୮୦କୁ ଉଲ୍ଲଂଘନ କରାଯାଇ ନିର୍ମାଣ କରାଯାଇଥିବାରୁ ନ୍ୟାସନାଲ ଗ୍ରିନ୍‌ ଟ୍ରିବ୍ୟୁନାଲ(ଏନ୍‌ଜିଟି) ପକ୍ଷରୁ ଗଠିତ ୪ ଜଣିଆ କମିଟି ଆଜି ଘଟଣାସ୍ଥଳ ପରିଦର୍ଶନ କରିବା ସହ ସମସ୍ତ ଅଂଶୀଦାରଙ୍କ ସହ ଆଲୋଚନା କରିଛନ୍ତି। ପାହାଡ଼ରୁ କେତେ ଗଛ କଟାଯାଇଛି? କେଉଁ ପ୍ରକଳ୍ପ ପାଇଁ ଗଛ କଟିଛି? ପ୍ରଶାସନ ପକ୍ଷରୁ ପ୍ରକଳ୍ପ ପାଇଁ ପରିବେଶ ମଞ୍ଜୁରି ନିଆଯାଇଛି ନା ନାହିଁ? ଏନ୍‌ଜିଟିଙ୍କ ନିର୍ଦ୍ଦେଶ ସତ୍ତ୍ୱେ କାମ କାହିଁକି ଅଟକିଲା ନାହିଁ? ଏ ସବୁ ପ୍ରଶ୍ନର ଉତ୍ତର ମାଗି ତାଗିଦ କରିଛନ୍ତି ଏନଜିଟି ଟିମ୍। ତା’ ସହ ପରବର୍ତ୍ତୀ ଶୁଣାଣି ପୂର୍ବରୁ ପ୍ରକଳ୍ପ ସହ ପରିବେଶ ମଞ୍ଜୁରି ନେଇ ସବିଶେଷ ତଥ୍ୟ ଦାଖଲ ପାଇଁ ଉଭୟ ୱାଟ୍‌କୋ ଓ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଶିଖରଚଣ୍ଡୀ ପାହାଡ଼ରୁ ଯେଉଁ ଗଛ କଟା ଯାଇଛି, ତାହା ଦ୍ୱାରା ଜୈବବିବିଧତା କେତେ ନଷ୍ଟ ହୋଇଛି? ବନ୍ୟଜନ୍ତୁ କେତେ ପ୍ରଭାବିତ ହୋଇଛନ୍ତି? ସେନେଇ ଜଙ୍ଗଲ ବିଭାଗ ଅବଗତ ଅଛି କି ନାହିଁ, ସେସବୁର ତଥ୍ୟ ସଂଗ୍ରହ କରିଛନ୍ତି। ଆସନ୍ତା ଜୁଲାଇ ୫ରେ ମାମଲାର ପରବର୍ତ୍ତୀ ଶୁଣାଣି ଥିବା ବେଳେ ତା’ ପୂର୍ବରୁ ସବୁ ତଥ୍ୟ ପ୍ରମାଣ ଦାଖଲ ପାଇଁ ଆବେଦନକାରୀଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଏନ୍‌ଜିଟି ଟିମ୍‌ର ଗସ୍ତ ସମୟରେ ପ୍ରଶାସନର ମିଥ୍ୟ ତଥ୍ୟ ସାମ୍ନାକୁ ଆସିଛି। ଗଛ ନୁହେଁ, ବରଂ ବୁଦା କଟାଯାଇଥିବା ନେଇ ପ୍ରଶାସନ ପକ୍ଷରୁ ଏନ୍‌ଜିଟି ନିକଟରେ ଯେଉଁ ଭ୍ରମାତ୍ମକ ତଥ୍ୟ ଉପସ୍ଥାପନ କରାଯାଇଛି ତାହାର ସତ୍ୟତା ଦେଖିଛି ତଦନ୍ତକାରୀ ଟିମ୍‌। ପା‌ହାଡ଼ ଉପରେ ଟିମ୍‌ ଥିବାବେଳେ ବର୍ଷା ହେବାରୁ ମାଟି ଘୋଡ଼ାଯାଇ ଲୁଚା ହୋଇଥିବା କିଛି ଗଛର ମୂଳ ସାମ୍ନାକୁ ବାହାରି ଆସିଥିଲା। ରକ୍ତଚନ୍ଦନ ପରି ଲାଲ୍‌ ଦେଖାଯାଉଥିବା କିଛି ଗଛର ମୂଳ ମଧ୍ୟ ସେମାନେ ଦେଖିବାକୁ ପାଇଥିଲେ।
କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ମନ୍ତ୍ରଣାଳୟର ଟି.ଏଚ୍‌ ମାହତୋ, ସିପିସିବି କୋଲକାତାସ୍ଥିତ ଆଞ୍ଚଳିକ ନିର୍ଦ୍ଦେଶାଳୟର ବୈଜ୍ଞାନିକ ସନ୍ଦୀପ ରୟ, ‌ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁନ୍ଦର୍ଶନ ଚକ୍ରବର୍ତ୍ତୀ, ଓଏସ୍‌ପିସିବି, ଭୁବନେଶ୍ୱରର ଆଞ୍ଚଳିକ ଅଧିକାରୀ ସୋହନ ଗିରିଙ୍କୁ ନେଇ ଗଠିତ ଟିମ୍‌ ଦୁଇ ଘଣ୍ଟା ଧରି ମା’ ଶିଖରଚଣ୍ଡୀଙ୍କ ମନ୍ଦିର ସହ ପାନୀୟ ଜଳ ସଂରକ୍ଷଣ ପ୍ରକଳ୍ପ ପାଇଁ କଟାଯାଇଥିବା ପାହାଡ଼ ବୁଲି ଦେଖିଥିଲେ। ସ୍ଥାନୀୟ ଗ୍ରାମବାସୀ ଓ ପରିବେଶବିତ୍‌ମାନଙ୍କ ସହ ମଧ୍ୟ ଆଲୋଚନା କରି ଫେରିଛନ୍ତି। ଆନ୍ଦୋଳନକାରୀ ଦର୍ଶାଇଥିଲେ ଯେ ପାନୀୟ ପ୍ରକଳ୍ପ କରିବାକୁ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଅନେକ ଜାଗା ରହିଛି। ସବୁଜ ପରିବେଶ କାହିଁକି ନଷ୍ଟ କରାଯାଉଛି। କେବଳ ଚନ୍ଦ୍ରଶେଖରପୁର ଅଞ୍ଚଳକୁ ପାନୀୟ ଜଳ ଯୋଗାଣ ପାଇଁ ପ୍ରକଳ୍ପ ହେଉଥିଲେ ମଧ୍ୟ ରାଜ୍ୟ ପ୍ରଶାସନ ପକ୍ଷରୁ ଏନ୍‌ଜିଟିକୁ କୁହାଯାଇଛି ‌ଯେ ଏହାଦ୍ୱାରା ସାରା ଭୁବନେଶ୍ୱରକୁ ପାଣି ମିଳିବ। ଏଭଳି ମିଥ୍ୟ ତଥ୍ୟ ପ୍ରଦାନ କରି ତଦନ୍ତକାରୀ ଟିମ୍‌କୁ ଅନ୍ଧାରରେ ରଖାଯାଉଛି। ମା’ ଶିଖରଚଣ୍ଡୀଙ୍କ ଜାଗା ଛାଡ଼ି ଆଉ କେଉଁଠି ବି ପାନୀୟ ଜଳ ପ୍ରକଳ୍ପ କରାଯାଉ ବୋଲି ଶିଖରଚଣ୍ଡୀ ଆଞ୍ଚଳିକ ସୁରକ୍ଷା ସମିତି ପକ୍ଷରୁ କୁହାଯାଇଛି। ଆଜିର ଆନ୍ଦୋଳନରେ ଜଟଣୀ ବିଧାୟକ ସୁରେଶ ରାଉତରାୟ ସାମିଲ ହୋଇ କହିଛନ୍ତି ଯେ ପୁରୁଣା ରେକର୍ଡରେ ପାହାଡ଼ର ୨୩୩ ଏକର ପଟିଆ ଅଞ୍ଚଳର ଥିବା ବେଳେ ପଥରଗାଡ଼ିଆର ହେଉଛି ୩୮ ଏକର। ପ୍ରଥମେ ୨୭୧ ଏକର ବାହାର କରି ପାଚେରି ବୁଲାଯାଇ ସୁରକ୍ଷା ଦିଆଯାଉ। ତା’ପରେ ଆଉ ଯେଉଁଠି ବି ପ୍ରକଳ୍ପ ହେଉ। ନ ହେଲେ ଇଞ୍ଚେ ଜାଗା ଛଡ଼ାଯିବ ନାହିଁ। ‘ପ୍ରେରଣା’ ଅଧ୍ୟକ୍ଷ ଦିଲ୍ଲୀପ ଶ୍ରୀଚନ୍ଦନ ସାମିଲ ହୋଇ କହିଛନ୍ତି ଯେ ସାମୂହିକ ବୃକ୍ଷରୋପଣ କରାଯାଇ ଶିଖରଚଣ୍ଡୀ ପାହାଡ଼କୁ ସୁରକ୍ଷା ଦିଆଯିବ। ଆଜି ଜଳ ପ୍ରକଳ୍ପ ହେବା ସ୍ଥାନରେ ଗଛ ପୋତାଯାଇଛି। ପରିବେଶବିତ୍‌ ପ୍ରଫୁଲ୍ଲ ସାମନ୍ତରା ସାମିଲ ହୋଇ ଏଭଳି ଘଟଣାକୁ ନିନ୍ଦା କରିବା ସହ ଏହା ବିରୋଧରେ ଜନଆନ୍ଦୋଳନ ଗଢ଼ିତୋଳିବାକୁ ଆହ୍ୱାନ ଦେଇଛନ୍ତି।

Share Now:

Kalinga News Beuro

Next Post

ପଳାସୁଣି ହାଟରେ କଙ୍ଗାରୁ କୋର୍ଟ : ଲଙ୍ଗଳା କରି ବାନ୍ଧିଲେ, ନିର୍ଘାତ ପିଟିଲେ

Sun Jun 25 , 2023
ଭୁବନେଶ୍ୱର: ମୋବାଇଲ୍‌ ଲୁଟ୍‌ କରୁଥିବା ଅଭିଯୋଗରେ ଉତ୍ତ୍ୟକ୍ତ ଲୋକେ ଜଣେ ଯୁବକକୁ ଲଙ୍ଗଳା କରି ଖୁଣ୍ଟରେ ବାନ୍ଧିବା ସହ ଅମାନୁଷିକ ଭାବେ ମାଡ଼ ମାରିଛନ୍ତି। ଗତକାଲି ସନ୍ଧ୍ୟାରେ ପଳାସୁଣି ହାଟରେ ଘଟିଥିବା ଏହି ଅମାନବୀୟ କାଣ୍ଡକୁ ନେଇ ବିଭିନ୍ନ ମହଲରୁ ରାଜଧାନୀର ସଭ୍ୟ ସମାଜ ପ୍ରତି ଅଙ୍ଗୁଳି ଉଠିଛି। ଖୋଦ୍‌ ରାଜଧାନୀରେ ଏଭଳି କଙ୍ଗାରୁ କୋର୍ଟ ଘଟଣାକୁ ଅନେକ ନାପସନ୍ଦ କରିଛନ୍ତି। ଏହି ଘଟଣାର ଭିଡିଓ ଏବେ ଭାଇରାଲ୍‌ ହେଉଛି। […]
ପଳାସୁଣି ହାଟରେ କଙ୍ଗାରୁ କୋର୍ଟ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial