ପଳାସୁଣି ହାଟରେ କଙ୍ଗାରୁ କୋର୍ଟ : ଲଙ୍ଗଳା କରି ବାନ୍ଧିଲେ, ନିର୍ଘାତ ପିଟିଲେ

ପଳାସୁଣି ହାଟରେ କଙ୍ଗାରୁ କୋର୍ଟ

ଭୁବନେଶ୍ୱର: ମୋବାଇଲ୍‌ ଲୁଟ୍‌ କରୁଥିବା ଅଭିଯୋଗରେ ଉତ୍ତ୍ୟକ୍ତ ଲୋକେ ଜଣେ ଯୁବକକୁ ଲଙ୍ଗଳା କରି ଖୁଣ୍ଟରେ ବାନ୍ଧିବା ସହ ଅମାନୁଷିକ ଭାବେ ମାଡ଼ ମାରିଛନ୍ତି। ଗତକାଲି ସନ୍ଧ୍ୟାରେ ପଳାସୁଣି ହାଟରେ ଘଟିଥିବା ଏହି ଅମାନବୀୟ କାଣ୍ଡକୁ ନେଇ ବିଭିନ୍ନ ମହଲରୁ ରାଜଧାନୀର ସଭ୍ୟ ସମାଜ ପ୍ରତି ଅଙ୍ଗୁଳି ଉଠିଛି। ଖୋଦ୍‌ ରାଜଧାନୀରେ ଏଭଳି କଙ୍ଗାରୁ କୋର୍ଟ ଘଟଣାକୁ ଅନେକ ନାପସନ୍ଦ କରିଛନ୍ତି। ଏହି ଘଟଣାର ଭିଡିଓ ଏବେ ଭାଇରାଲ୍‌ ହେଉଛି। ମଞ୍ଚେଶ୍ୱର ଥାନା ପୁଲିସ ଯୁବକଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଚିକିତ୍ସା କରାଇବା ସହ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି।
ସୂଚନାନୁସାରେ ଗତକାଲି ସନ୍ଧ୍ୟା ପ୍ରାୟ ସାଢ଼େ ୭ଟା ସମୟରେ ଜଣେ ଅଣଓଡ଼ିଆ ଯୁବକ ପଳାସୁଣି ହାଟରେ ଜଣଙ୍କ ‌ପକେଟରୁ ମୋବାଇଲ ଚୋରି କରୁଥିବା ବେଳେ ଧରାପଡ଼ିଯାଇଥିଲା। ଉତ୍ତ୍ୟକ୍ତ ଲୋକମାନେ ତାକୁ ଆଗ ବହେ ମାଡ଼ ମାରିଥିଲେ। କିନ୍ତୁ ଏତିକିରେ ସେମାନଙ୍କ ରାଗ ଥମିନଥିଲା। ତାକୁ ପୁଲିସ ଜିମା ଦେବା ବଦଳରେ କିଛି ‌ଲୋକ ତାକୁ ଲଙ୍ଗଳା କରି ଏକ ଖୁଣ୍ଟରେ ବାନ୍ଧି ଦେଇଥିଲେ। ଏହାପରେ ଆରମ୍ଭ ହୋଇଥିଲା ବିଧା, ଗୋଇଠା ବର୍ଷା। ଯିଏ ଯେମିତି ପାରିଲା, ବାଡ଼େଇଲା। ବଡ଼ କଥା ହେଉଛି, ଅନେକ ଲୋକ ଯୁବକର ମୁହଁରେ ଛେପ ପକାଇଥିଲେ। ଆଉ କିଛି ଲୋକ ତା’ ଯୌନାଙ୍ଗକୁ ଚପଲରେ ବାଡ଼େଇଥିଲେ। ବିଚରା ବଡ଼ ବିକଳ ହୋଇ ନେହୁରା ହୋଇଥିଲେ ମଧ୍ୟ ଲୋକମାନେ ନିର୍ଦ୍ଦୟ ଭାବେ ମାଡ଼ ମାରି ଚାଲିଥିଲେ। ଉପସ୍ଥିତ ଲୋକମାନେ କେହି ବି ତା’ ପ୍ରତି ଦୟା ଦେଖାଇନଥିଲେ। ଅନେକ ଲୋକ ବଡ଼ ଖୁସିରେ ମୋବାଇଲ୍‌ରେ ଭିଡିଓ ସୁଟିଂ କରୁଥିଲେ। ଏମିତିକି କିଛି ଲୋକ ମାଡ଼ ମାରୁଥିବା ଲୋକଙ୍କୁ ଅଧିକ ଉସୁକାଉଥିଲେ। ପବ୍ଲିକ୍‌ ମାଡ଼ରେ କେସ୍ ହେବ ନାହିଁ କହି ସେମାନେ ମାଡ଼ ମାରୁଥିବା ଲୋକଙ୍କୁ ଅଧିକ ଉତ୍ସାହିତ କରିଥିଲେ। ତେବେ କୌଣସି ସୂତ୍ରରୁ ଖବର ପାଇ ପୁଲିସ ସେଠାରେ ପହଞ୍ଚି ଯୁବକକୁ ଉଦ୍ଧାର କରିଥିଲା। ପୁଲିସ ସୂଚନାନୁସାରେ ଯୁବକଟିର ନାଁରେ ପୂର୍ବରୁ କୌଣସି ଚୋରି ମାମଲା ଥିବା ଜଣାପଡ଼ିନାହିଁ। ଏମିତିକି ଘଟଣା ବେଳେ ସେ ଯାହା ପକେଟ୍‌ରୁ ମୋବାଇଲ୍‌ ଚୋରି କରୁଥିଲା, ସେ ବ୍ୟକ୍ତି ବି ଅଭିଯୋଗ ନକରି ପଳାଇଛନ୍ତି। ତେଣୁ ଅଧିକ ତଦନ୍ତ ଚାଲିଛି ବୋଲି ପୁଲିସ କହିଛି।

Share Now:

Kalinga News Beuro

Next Post

୨୫ ସହରରେ ପ୍ରବଳ ବର୍ଷା,ଆହୁରି ୨ ଦିନ ବର୍ଷିବ : ୨୮ରୁ ବଦଳିପାରେ ପାଗ

Mon Jun 26 , 2023
ଭୁବନେଶ୍ୱର: ଆହୁରି ୨ ଦିନ ଜୋର ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ବୈଜ୍ଞାନିକ ଉମା ଶଙ୍କର ଦାସ ସତର୍କ ସୂଚନା ଦେଇଛନ୍ତି। ସେ କହିଛନ୍ତି, ସକ୍ରିୟ ମୌସୁମୀ ଓ ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି। ଆହୁରି ୨ ଦିନ ବର୍ଷିବ।୨୮ ତାରିଖରୁ ପାଗ ବଦଳିବ। ଶ୍ରୀ ଦାସ ଆହୁରି କହିଛନ୍ତି, ବର୍ତ୍ତମାନ ରାଜ୍ୟରେ ୨ ପ୍ରକାରର ନିୟାମକ ସକ୍ରିୟ ରହିଛି। ଗୋଟିଏ ନିମ୍ନଚାପ ରେଖା […]
ଆହୁରି ୨ ଦିନ ବର୍ଷିବ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial