ଅସ୍ତିତ୍ୱ ହରାଉଛି ଐତିହ୍ୟ : ଶିଶୁପାଳଗଡ଼ ଗଡ଼ଖାଇ କାଟି ରାସ୍ତା କରିଦେଲେ, ଅନ୍ଧ ସାଜିଛି ପ୍ରଶାସନ

ଶିଶୁପାଳଗଡ଼ ଗଡ଼ଖାଇ କାଟି ରାସ୍ତା କରିଦେଲେ

ଭୁବନେଶ୍ୱର: ସଂରକ୍ଷିତ ଐତିହ୍ୟ ଶିଶୁପାଳଗଡ଼ର ଗଡ଼ଖାଇକୁ କାଟି ରାସ୍ତା କରିଦେଲେ। ଅନେକ ଜାଗାରେ ବିନାନୁମତିରେ ଘର ବି କଲେ। ମୁଖ୍ୟ ରାସ୍ତା ସହ ଏହି ଘରସବୁକୁ ସଂଯୋଗ କରିବା ପାଇଁ ଗଡ଼ଖାଇକୁ ମଝିରୁ କାଟିଦେଲେ। ଲୁଚାଛପା କିମ୍ବା ରାତି ଅଧରେ ନୁହେଁ, ବରଂ ସ୍ପଷ୍ଟ ଦିବାଲୋକରେ ଏଭଳି କାମ ହେଲା। ହେଲେ କାହାକୁ ଦିଶିଲାନି। ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ(ଏଏସ୍‌ଆଇ) ପାଖରେ ଖବର ନାହିଁ। ପୁଲିସ କହିଛି ଆମର କିଛି ଭୂମିକା ନାହିଁ। ବିଡିଏ କହୁଛି ଖବର ମିଳିଲେ କାର୍ଯ୍ୟାନୁଷ୍ଠାନ ହେବ। ବିଏମ୍‌ସି କହିଛି ଶିଶୁପାଳଗଡ଼ରେ ନିକଟ ଅତୀତରେ କୌଣସି ନୂଆ ରାସ୍ତା ହୋଇ ନାହିଁ କିମ୍ବା ଗଡ଼ଖାଇକୁ କାଟିବା ଆମର ଅଧିକାର ନାହିଁ। ଏଭଳି ସ୍ଥିତିରେ ଐତିହ୍ୟ ଏବେ ଅସ୍ତିତ୍ୱ ହରାଇବାକୁ ବସିଛି। ଏହାର ସଂରକ୍ଷଣ ପାଇଁ ବର୍ଷ ବର୍ଷର ଲଢ଼େଇ ଫସର ଫାଟିଥିବା ବେଳେ କୋର୍ଟ ଆଦେଶ ମଧ୍ୟ ପାଣି ଫୋଟକା ଭଳି ମିଳେଇ ଯାଇଛି। ଚର୍ଚ୍ଚା କିମ୍ବା ଅଭିଯୋଗ ହେଲେ ବେଳେ ବେଳେ ଏଏସ୍‌ଆଇ କାରଣ ଦର୍ଶାଅ ନୋଟିସ୍‌ ଜାରି କରି ବସିଯିବାର ନଜିର ରହିଛି। ଏହି ସଂରକ୍ଷଣ ପାଇଁ ଉତ୍ତରଦାୟୀ ଥିବା ପ୍ରତ୍ୟେକ ଅନୁଷ୍ଠାନ ପାଖରେ ଖସିଯିବା ପାଇଁ ଏଭଳି ଅନେକ ବାହାନା ରହିଛି। ଏବେ ଏହି ଐତିହ୍ୟ କିଭଳି ସଂରକ୍ଷିତ ହେବ ସେ ନେଇ ପ୍ରଶ୍ନ ଉଠିଛି। ବାସୁଆଘାଇ ପଟୁ ମୁଖ୍ୟ ରାସ୍ତାରୁ ଶିଶୁପାଳଗଡ଼ ଆଡ଼କୁ ଆସିବା ବେଳେ ବାମ ପାର୍ଶ୍ୱରୁ ଏକ ଜାଗାରେ ଗଡ଼ଖାଇକୁ ପ୍ରାୟ ୨୦ ଫୁଟ ତାଡ଼ି ବାଟ ଫିଟାଇ ଦିଆଯାଇଛି। କଟା ହୋଇଯିବା ପରେ ଏହା ସର୍ବସାଧାରଣ ରାସ୍ତା ହୋଇଯାଇଛି। ଏହି ଗୋଟିଏ ଜାଗାରେ ନୁହେଁ, ବରଂ ବର୍ଷ ବର୍ଷ ଧରି ତଦାରଖ ଅଭାବରୁ ଅନେକ ଜାଗାରେ ଏଭଳି ବେଆଇନ ଭାବରେ କାଟି ଦିଆଯାଇଥିବା ବେଳେ ଅନେକ ଜାଗାରେ ବେଆଇନ ନିର୍ମାଣ ମଧ୍ୟ ହୋଇଛି। ଏହି ଐତିହ୍ୟସମ୍ପନ୍ନ ଶିଶୁପାଳଗଡ଼ର ସଂରକ୍ଷଣ ନେଇ ଏହି ଅଞ୍ଚଳରେ ବିଡିଏ ଗୃହ ନିର୍ମାଣ ସ୍ୱୀକୃତି ଦେଉନାହିଁ। କିନ୍ତୁ ବେଆଇନ ଭାବରେ ଗୃହ ନିର୍ମାଣ ହେଉଛି। ବିଭିନ୍ନ ସମୟରେ ଘଟଣାସ୍ଥଳ ଅନୁଧ୍ୟାନ କରି ବେଆଇନ କାର୍ଯ୍ୟକାଳପ ଉପରେ କାର୍ଯ୍ୟାନୁଷ୍ଠାନ ନେବାପାଇଁ ବିଏମ୍‌ସି ସମେତ ବିଡିଏର ପ୍ରାବଧାନ ରହିଛି। କିନ୍ତୁ ଉଭୟ ନିରବଦ୍ରଷ୍ଟା ହୋଇଛନ୍ତି। ୨୦୨୦ ଓ ୨୦୨୧ ମସିହାରେ ଏଭଳି ଅଭିଯୋଗ ହୋଇଥିଲା। ତତ୍‌କାଳୀନ ଏଏସ୍ଆଇ ଅଧିକ୍ଷକ ଅରୁଣ ମଲ୍ଲିକ ଶିଶୁପାଳଗଡ଼ ଦାୟିତ୍ବରେ ଥିବା ବିଭାଗୀୟ ଅଧିକାରୀ, ଥାନା ଅଧିକାରୀଙ୍କ ସମେତ ଜବରଦଖଲକାରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରି ବସି ଯାଇଥିଲେ। କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ଜବରଦଖଲକାରୀ ଉତ୍ସାହିତ ହୋଇଥିଲେ।
ଶିଶୁପାଳଗଡ଼ ‘ଜଳଦୁର୍ଗ’ ଆଧାରରେ ନିର୍ମିତ ହୋଇଥିବା ବିଶ୍ୱାସ କରାଯାଏ। ଓଡ଼ିଆରେ ଏହାକୁ ‘ଗଡ଼ଖାଇ’ କୁହାଯାଏ। ଏହାର ଚତୁର୍ଦ୍ଦିଗରେ ଗନ୍ଧବତୀ ନଦୀ(ବର୍ତ୍ତମାନର ଗଙ୍ଗୁଆ ନାଳ) ରହିଥିଲା। ନଦୀ ପରେ ପରେ ଗଡ଼ଖାଇ ନିର୍ମାଣ ହୋଇଥିଲା। ଫଳରେ ସହଜରେ ଗଡ଼ଭିତରେ ପ୍ରବେଶ କରିବା ସମ୍ଭବ ହେଉନଥିଲା। ୧୯୪୮ ମସିହାରେ ଏହାର ଖନନ ବେଳେ ଏହି ଐତିହ୍ୟର ପ୍ରମାଣ ମିଳିବା ପରେ ଏହାର ସଂରକ୍ଷଣ ଆରମ୍ଭ ହୋଇଥିଲା। କିନ୍ତୁ ସରକାରୀ ଉଦାସୀନତା କାରଣରୁ ଏହା ଜବରଦଖଲ ହେବା ସହ ବେଆଇନ ନିର୍ମାଣ ହୋଇଥିଲା। ୨୦୦୭ ମସିହାରେ ଏହାର ସଂରକ୍ଷଣ ନେଇ ଇନ୍‌ଟାକ୍‌ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ କରିଥିଲା। ଦଫା ଦଫାରେ ହାଇକୋର୍ଟ ରାଜ୍ୟ ସରକାର ଓ ଏଏସ୍‌ଆଇ ଠାରୁ ଶିଶୁପାଳଗଡ଼ର ସ୍ଥିତାବସ୍ଥା ଓ ସଂରକ୍ଷଣ ବାବଦରେ ରିପୋର୍ଟ ତଲବ କରିଥିଲେ। ବିଭିନ୍ନ ସମୟରେ ସଂରକ୍ଷଣ ନେଇ ଆଦେଶନାମା ମଧ୍ୟ ଜାରି ହୋଇଥିଲା। ଏଠାରେ ନିର୍ମାଣ ନେଇ ବିଡିଏ କଟକଣା ମଧ୍ୟ ଜାରି କରିଥିଲା। ହେଲେ ଆନ୍ତରିକତା ନ ରହିବାରୁ ଏ ସବୁ ଏବେ ଫସର ଫାଟିଛି। ଯିଏ ଯେବେ ଚାହୁଛି ଏଠାରେ ଐତିହ୍ୟକୁ ନଷ୍ଟ କରିବାରେ ଲାଗିଛି। ତେବେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଏଏସ୍‌ଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

Share Now:

Kalinga News Beuro

Next Post

ଚାଇଲଡ ଫ୍ରେଣ୍ଡଲି ପୁଲିସ ଷ୍ଟେସନ : ଉଦଘାଟନ କଲେ ପୁଲିସ କମିଶନର

Fri May 12 , 2023
ଭୁବନେଶ୍ୱର: ଥାନାକୁ ଆସୁଥିବା ଛୋଟପିଲାମାନଙ୍କ ପାଇଁ ଏକ ଅଭିନବ ଉଦ୍ୟମ ଆରମ୍ଭ କରିଛି କମିଶନରେଟ ପୁଲିସ। ଆଜି ନୟାପଲ୍ଲୀ ଥାନାରେ ଚାଇଲଡ ଫ୍ରେଣ୍ଡଲି ପୁଲିସ ଷ୍ଟେସନ ଖୋଲିଛି। ବିଶେଷକରି ଥାନାକୁ ଆସୁଥିବା ଛୋଟ ଛୁଆମାନଙ୍କୁ ପୁଲିସ ଫ୍ରେଣ୍ଡଲି କରିବା ଉଦ୍ଦେଶ୍ୟରେ ଥାନାରେ ଏହି ପ୍ରକୋଷ୍ଠ ଖୋଲାଯାଇଛି ଇ ଥାନାକୁ ଯେଉଁ ଲୋକମାନେ ନିଜ ସାଙ୍ଗରେ ଛୋଟ ଛୋଟ ପିଲାମାନଙ୍କୁ ନେଇକି ଆସୁଛନ୍ତି ସେମାନେ କିପରି ସେଠାରେ ସମୟ ଅତିବାହିତ କରିପାରିବେ […]
ପୁଲିସ ଷ୍ଟେସନରେ ପଢିବେ ପିଲା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial