ଅନ୍ଧାରୁଆରେ ହାତୀ ଆତଙ୍କ

ଅନ୍ଧାରୁଆରେ ହାତୀ ଆତଙ୍କ

ଚନ୍ଦ୍ରଶେଖରପୁର : ରବିବାର ରାତିରେ ଭରତପୁର ଜଙ୍ଗଲରୁ ଗୋଟିଏ ଦନ୍ତା ହାତୀ ଅନ୍ଧାରୁଆ ଓ ତା’ର ଆଖପାଖ ଗ୍ରାମାଞ୍ଚଳରେ ପଶିଛି। ଏନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ କୋକୁଆଭୟ ଦେଖାଯାଇଛି। ଲୋକମାନେ ହାତରେ ଟର୍ଚ୍ଚ, ମଶାଲ୍ ଓ ଟାୟାର ଧରି ଘଉଡ଼ାଇଥିଲେ ମଧ୍ୟ ହାତୀଟି ସ୍ଥାନୀୟ ଅଞ୍ଚଳରେ ଉତ୍ପାତ କରିଛି। ଧାନ ବିଲ, କଦଳୀ ବଗିଚା ଓ ଲୋକଙ୍କ ପନିପରିବା ଖାଇ ନଷ୍ଟ କରିଛି। ଭରତପୁର ଜଙ୍ଗଲରୁ ବାହାରି ହାତୀଟି ପ୍ରଥମେ ପାଚେରି ନିକଟରେ ରହିଥିଲା। ଲୋକେ ତାକୁ ଦେଖିବା ପରେ ଘଉଡ଼ାଇବାକୁ ଉଦ୍ୟମ କରିଥିଲେ। ଲୋକେ ବାଣ ଫୁଟାଇଥିଲେ ମଧ୍ୟ ହାତୀଟି ଜଙ୍ଗଲ ଭିତରକୁ ଯାଇପାରିନାହିଁ। ହାତୀ ପାଇଁ ଖଣ୍ଡଗିରି-ଚନ୍ଦକା ରାସ୍ତାରେ ପ୍ରାୟ ଏକ ଘଣ୍ଟା ପାଇଁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ଶତାଧିକ ଗାଡ଼ି ଧାଡ଼ିରେ ଛିଡ଼ା ହୋଇ ରହିଥିଲେ। ଲୋକ ହୋହଲ୍ଲା କରିବାରୁ ହାତୀଟି ଜଙ୍ଗଲ ଭିତରକୁ ଯିବା ପରିବର୍ତ୍ତେ ଅନ୍ଧାରୁଆ ଗାଁମୁହାଁ ହୋଇଥିଲା। ଲୋକମାନେ ଏ ସଂପର୍କରେ ବନ ବିଭାଗ କର୍ମଚାରୀଙ୍କୁ ସୂଚନା ଦେଇଥିଲେ ହେଁ ବିଳମ୍ବିତ ରାତି ପର୍ଯ୍ୟନ୍ତ କୌଣସି କର୍ମଚାରୀ ଘଟଣାସ୍ଥଳକୁ ଆସିନଥିବା ଗ୍ରାମବାସୀ ଜଣାଇଛନ୍ତି।
ଭୁବନେଶ୍ୱର ସହର ମଧ୍ୟରେ ହାତୀ ପଶିବା ପ୍ରଥମ ଘଟଣା ନୁହେଁ। ପୂର୍ବରୁ ମଧ୍ୟ ଉକ୍ତ ଅଞ୍ଚଳରେ ହାତୀ ପଶି ଉତ୍ପାତ କରିଛନ୍ତି। କିଛି ଦିନ ହେବ ଚନ୍ଦକା-ଡମପଡ଼ା ଅଭୟାରଣ୍ୟରେ ଥିବା ହାତୀପଲ ସହର ଭିତରକୁ ପ୍ରବେଶ କରୁଛନ୍ତି। କିଛି ଦିନ ପୂର୍ବରୁ ଶିଖରଚଣ୍ଡୀ ପାହାଡ଼ ତଳେ ତିନିଟି ହାତୀ ଉତ୍ପାତ କରିଥିଲେ। ପଥରଗାଡ଼ିଆ ନିକଟରେ ହାତୀପଲ ଲୋକଙ୍କ ଘର ନିକଟରେ ଯାଉଥିବା ଦେଖିବାକୁ ମିଳିଥିଲା। ଏପରିକି ରାତିରେ ୨୦୦ ଫୁଟିଆ ରାସ୍ତା ପାର୍‌ ହେଉଥିବାରୁ ଗାଡ଼ି ଚାଳକମାନେ ଭୟଭୀତ ହୋଇଯାଇଥିଲେ। ଗୋଟିଏପଟେ ବନ କର୍ମଚାରୀଙ୍କ ଆନ୍ଦୋଳନରେ ଥିବା ହାତୀ ଘଉଡ଼ାଇବାକୁ ଆସୁନାହାନ୍ତି। ଅନ୍ୟପଟେ ହାତୀ ଉତ୍ପାତରେ ଲୋକେ ତ୍ରାହିତ୍ରାହି ଡାକିଲେଣି। ବନବିଭାଗ ଏଥିପ୍ରତି ଦୃଷ୍ଟି ନ ଦେଲେ, ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ‌ଗ୍ରାମବାସୀମାନେ କହିଛନ୍ତି।

Share Now:

Kalinga News Beuro

Next Post

ଘରୋଇ କଳିର କରୁଣ ପରିଣତି : ଶିଶୁ କନ୍ୟାକୁ ବିଷ ପିଆଇ ନିଜେ ବିଷ ପିଇଦେଲା ମା

Mon Jun 26 , 2023
ବୁଗୁଡ଼ା:ଘରୋଇ କଳି ହେଲା କାଳ,ବାହାଘର ୩ ବର୍ଷ ନ ପୂରୁଣୁ ଅଢେଇ ବର୍ଷର ଶିଶୁ କନ୍ୟାକୁ ବିଷ ପିଆଇ ନିଜେ ବିଷ ପିଇଦେଲା ମା। ମେଡିକାଲ ନେବା ରାସ୍ତାରେ ଶିଶୁ କନ୍ୟାର ମୃତ୍ୟୁ ଘଟିଥିବା ବେଳେ ବ୍ରହ୍ମପୁର ବଡ଼ ମେଡିକାଲରେ ଆଖି ବୁଜିଦେଲା ମା। ଏମିତି ଏକ ଦୁଃଖଦ ଘଟଣା ଘଟିଛି ବୁଗୁଡ଼ା ଥାନା ତଥା ବାଲିପଦର ଫାଣ୍ଡି ଅନ୍ତର୍ଗତ ପୋଚାଲୁଣ୍ଡି ଗ୍ରାମରେ। ମୃତ ମହିଳା ହେଲେ ପଚାଲୁଣ୍ଡି ବଡଦାଣ୍ଡ […]
ଶିଶୁ କନ୍ୟାକୁ ବିଷ ପିଆଇ ନିଜେ ବିଷ ପିଇଦେଲା ମା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial