ଗଞ୍ଜାମରେ ଡବଲ୍‌ ମର୍ଡର୍ ପରେ ମହୁଡ଼ା ଗାଁ ପୁରୁଷଶୂନ୍ୟ

ଗଞ୍ଜାମରେ ଡବଲ୍‌ ମର୍ଡର୍

ପିଟିପିଟି ମାରିଲା ପରେ ପୋଡ଼ିଦେଲେ ଅଭିଯୁକ୍ତ, ୧୫ ଅଟକ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ମହୁଡ଼ା ଗ୍ରାମରେ ଘଟିଛି ଡବଲ୍‌ ମର୍ଡର୍‌। ଆସାମାଜିକଙ୍କ ଦୌରାତ୍ମ୍ୟରେ ଅତିଷ୍ଠ ହୋଇ ଗାଁ ଲୋକମାନେ ମିଶି ଦୁଇଜଣ ଯୁବକଙ୍କୁ ପିଟିପିଟି ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଛନ୍ତି। ଏହାପରେ ଉଭୟ ଯୁବକଙ୍କ ଦେହରେ ପେଟ୍ରୋଲ ଢ଼ାଳି ପୋଡ଼ି ଦେବାକୁ ଉଦ୍ୟମ କରାଯାଇଛି। ଆଜି ଭୋର୍‌ରେ ଘଟଣା ଜଣାପଡ଼ିବା ପରେ ଗଞ୍ଜାମ ଜିଲ୍ଲାରେ ଚାଞ୍ଚଲ୍ୟ ଖେଳି ଯାଇଛି। ମୃତକମାନେ ହେଲେ ସଦର ଥାନା ଲାଠି ଗାଁ କୁମ୍ଭାରସାହିର ଶିବରାମ ଗୌଡ଼(୩୨) ଓ ପାଢ଼ୀସାହିର ଲିଟୁ ଓରଫ୍‌ ବିଘ୍ନରାଜ ପୁରୋହିତ(୩୮)। ଶିବରାମଙ୍କ ପତ୍ନୀଙ୍କ ଅଭିଯୋଗ ଅନୁସାରେ ଦିଗପହଣ୍ଡି ଥାନା ପୁଲିସ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏହି ଘଟଣାରେ ମହୁଡ଼ା ଗାଁର ପ୍ରାୟ ୧୫ଜଣଙ୍କୁ ଅଟକ ରଖି ତଦନ୍ତ ଜାରି ରହିଥିବା ବ୍ରହ୍ମପୁର ଏସ୍‌.ପି. ଡା. ଶରବଣା ବିବେକ ଏମ୍‌. ସୂଚନା ଦେଇଛନ୍ତି। ଲାଠି ଗାଁର ଶିବରାମ ତାଙ୍କର ସାଙ୍ଗ ଲିଟୁ ସହିତ ବୁଧବାର ସଂଧ୍ୟାରେ ମହୁଡ଼ା ଗାଁକୁ ଯାଇଥିଲେ। ରାତି ପ୍ରାୟ ସାଢ଼େ ୯ଟା ବେଳେ ପତ୍ନୀ ଲକି ମହାରଣା ସ୍ୱାମୀ ଶିବରାମଙ୍କୁ ଫୋନ୍‌ କରିଥିଲେ। କାମ ସାରି ଯାଉଛି ବୋଲି ଶିବରାମ କହିଥିଲେ। ପ୍ରାୟ ୧ଘଣ୍ଟା ପରେ ସାଢ଼େ ୧୦ଟା ବେଳେ ପୁଣିଥରେ ଲକି ତାଙ୍କ ସ୍ୱାମୀଙ୍କୁ ଫୋନ୍‌ କରିଥିଲେ। ହେଲେ ସେ ଫୋନ୍‌ ଉଠାଇ ନଥିଲେ। ଏହାପରେ ତାଙ୍କର ମୋବାଇଲ୍‌ ବନ୍ଦ ହୋଇଯାଇଥିଲା। ମହୁଡ଼ା ଗାଁରେ କୌଣସି ଅଘଟଣର ଖବର ପାଇ ଦିଗପହଣ୍ଡି ପୁଲିସ ବିଳମ୍ବିତ ରାତିରେ ସେଠାରେ ପହଞ୍ଚିଥିଲା। ଏକ ପୋଖରୀ ନିକଟରେ ଦୁଇଜଣ ଯୁବକଙ୍କ ଦରପୋଡ଼ା ଶବ ଜବତ କରିଥିଲା। ବିଭିନ୍ନ ଲୋକଙ୍କୁ ପଚରାଉଚରା ପରେ ଭୋର୍‌ ପ୍ରାୟ ୩ଟା ବେଳେ ତାଙ୍କୁ ଦିଗପହଣ୍ଡି ପୁଲିସ ମହୁଡ଼ା ଗାଁକୁ ନେଇଥିଲା। ସେଠାରେ ଦରପୋଡ଼ା ଅବସ୍ଥା‌ରେ ପଡ଼ିଥିବା ସ୍ୱାମୀଙ୍କ ମୃତଦେହ ଦେଖି ପତ୍ନୀ ଲକି ଭାଙ୍ଗି ପଡ଼ିଥିଲେ। ଘଟଣାସ୍ଥଳରେ ଶିବରାମ ଓ ଲିଟୁଙ୍କ ଦରପୋଡ଼ ମରଶରୀର ପଡ଼ି ରହିଥିଲା। ତେବେ କିଏ ଓ କାହିଁକି ଏଭଳି ବୀଭତ୍ସ ହତ୍ୟାକାଣ୍ଡ ଘଟାଇଲା ସେ ନେଇ ଲକି କିଛି କହିପାରୁ ନାହାନ୍ତି। ପୁଲିସ ଉଭୟ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା।
ବ୍ରହ୍ମପୁର ଏସ୍‌.ପି. ଡା. ଶରବଣା, ଚିକିଟି ଏସ୍‌ଡିପିଓ, ଦିଗପହଣ୍ଡି ଥାନା ଅଧିକାରୀ ସାଇଣ୍ଟିଫିକ୍‌ ଟିମ୍‌ ଓ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଆରମ୍ଭ କରିଥିଲେ। ବୁଧବାର ବିଳମ୍ବିତ ରାତିରେ ମହୁଡ଼ା ଗାଁରେ ଉଭୟ ଯୁବକଙ୍କୁ ପ୍ରଥମେ ପିଟିପିଟି ହତ୍ୟା କରାଯାଇଥିଲା। ଏହାପରେ ଉଭୟଙ୍କ ମର ଶରୀରର ଘୋଷାଡ଼ି ଘୋଷାଡ଼ି ଆଣି ମହୁଡ଼ା ଗାଁ ବାହାରେ ଥିବା ଏକ ପରିତ୍ୟକ୍ତ ପୋଖରୀ ପାର୍ଶ୍ଵରେ ପକାଇ ପେଟ୍ରୋଲ ଢ଼ାଳି ପୋଡ଼ିବାକୁ ଉଦ୍ୟମ କରାଯାଇଥିଲା। ସେମାନ ଧରିଥିବା ବାଇକ୍‌ରୁ ହିଁ ପେଟ୍ରୋଲ ବାହାର କରି ଉଭୟଙ୍କ ଶରୀରରେ ପକାଇ ପୋଡ଼ି ଦିଆଯାଇଥିଲା। ଦରପୋଡ଼ା ଶବ ନିକଟରେ ସେମାନଙ୍କର ବାଇକ୍‌ ମଧ୍ୟ ପଡ଼ି ରହିଛି। ଯେଉଁ ସ୍ଥାନରେ ଉଭୟଙ୍କୁ ହତ୍ୟା କରାଯାଇଥିଲା ସେଠାରୁ ପୋଡ଼ା ଯାଇଥିବା ଘଟଣାସ୍ଥଳ ପର୍ଯ୍ୟନ୍ତ ରକ୍ତ ପଡ଼ି ରହିଛି। ଏହି ଘଟଣାରେ ପୁଲିସ ୧୫ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଥିବା ବ୍ରହ୍ମପୁର ଏସ୍‌.ପି. କହିଛନ୍ତି। ପ୍ରାଥମିକ ତଦନ୍ତରେ ବୁଧବାର ମହୁଡ଼ା ଗ୍ରାମବାସୀଙ୍କ ସହିତ ଉଭୟ ଯୁବକଙ୍କ କୌଣସି କାରଣକୁ ଝଗଡ଼ା ହୋଇ ଏଭଳି ଘଟଣା ଘଟିଥିବା ପୁଲିସ ଅନୁମାନ କରୁଛି। ଲାଠି ଗ୍ରାମର କିଛି ଅସାମାଜିକ ମହୁଡ଼ା ଗ୍ରାମରେ ଆତଙ୍କରାଜ ଖେଳାଇ ଆସୁଥିଲେ। ଏହାର ପ୍ରତିବାଦରେ ଗତ କିଛିଦିନ ତଳେ ମହୁଡ଼ା ଗ୍ରାମବାସୀ ରାସ୍ତାରୋକ କରି ପ୍ରତିବାଦ କରିଥିଲେ। ଫଳରେ ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ତେବେ ଗତକାଲି ରାତିରେ ଗ୍ରାମବାସୀଙ୍କ ସହିତ ଶିବରାମଙ୍କ ଝଗଡ଼ା ହୋଇ ଏଭଳି କାଣ୍ଡ ଘଟିଥିବା ପୁଲିସ ଅନୁମାନ କରୁଛି। ପୁଲିସ ଭୟରେ ମହୁଡ଼ା ଗାଁ ଏବେ ପୁରୁଷଶୂନ୍ୟ ହୋଇ ପଡ଼ିଛି। ଖୁବଶୀଘ୍ର ହତ୍ୟାକାରୀଙ୍କୁ ଚିହ୍ନଟ କରାଯିବ ବୋଲି ଏସ୍‌.ପି. କହିଛନ୍ତି।

Share Now:

Kalinga News Beuro

Next Post

ଆଜି ମହାପ୍ରଭୁଙ୍କ ସୁନାବେଶ : ଶ୍ରୀଜିଉଙ୍କ ବିରଳ ଦର୍ଶନ ଲାଗି ବଡ଼ଦାଣ୍ଡରେ ଭକ୍ତଙ୍କ ଭିଡ

Thu Jun 29 , 2023
ପୁରୀ : ଆଷାଢ଼ ଶୁକ୍ଳ ଏକାଦଶୀ ତିଥିରେ ବଡ଼ଦାଣ୍ଡରେ ବିରାଜମାନ ତିନିରଥ ଉପରେ ମହାପ୍ରଭୁଙ୍କ ସୁନାବେଶ(ବଡ଼ତଢ଼ାଉ ବେଶ) ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ବାହୁଡ଼ାଯାତ୍ରା ସାରି ଫେରିବା ପରେ ସିଂହଦ୍ୱାରରେ ରଥ ଉପରୁ ଅଗଣିତ ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେବେ ଚତୁର୍ଦ୍ଧା ବିଗ୍ରହ। ଲକ୍ଷାଧିକ ଭକ୍ତ ମହାପ୍ରଭୁଙ୍କ ସେହି ବିରଳ ବେଶ ‌ଦର୍ଶନ କରିବାକୁ ବଡ଼ଦାଣ୍ଡରେ ଅପେକ୍ଷା କରି ରହିଛନ୍ତି। ବର୍ଷବ୍ୟାପୀ ରତ୍ନବେଦିରେ ସୁନାବେଶରେ ଦର୍ଶନ ଦେଉଥିବା ମହାବାହୁ ମହଣ […]
ମହାପ୍ରଭୁଙ୍କ ସୁନାବେଶ-2

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial