ପ୍ରଶାସନିକ ଅବହେଳା : ସତ୍ୟବିହାରବାସୀଙ୍କୁ ଦୁଃଖ ଦେଉଛି ଅଣ୍ଡରପାସ୍

ସନ୍ତୁଳି ହେଉଛନ୍ତି ସତ୍ୟବିହାରବାସୀ

୫ ବର୍ଷ ହେଲା ସରୁନି ସ୍ୱରେଜ ଯନ୍ତ୍ରଣା

ଭୁବନେଶ୍ୱର: ବିଏମ୍‌ସିର ୫ନମ୍ବର ୱାର୍ଡ ଅନ୍ତର୍ଗତ ସତ୍ୟବିହାର ଏକ ବୃହତ୍‌ ଜନବସତି। ୫ଶହ ଏକର ବିଶିଷ୍ଟ ଏହି କଲୋନିର ୯ଶହ ଘରେ ୨୦ ହଜାରରୁ ଉର୍ଦ୍ଧ୍ୱ ଲୋକ ବସବାସ କରୁଛନ୍ତି। ହେଲେ ଏତେସଂଖ୍ୟକ ଲୋକଙ୍କ ପାଇଁ ପ୍ରଶାସନ ଯେଭଳି ସୁବିଧା ସୁଯୋଗ ଯୋଗାଇଦେବା କଥା, କରିନାହିଁ। ଫଳରେ ଦୀର୍ଘ ୨୦ ବର୍ଷ ହେଲା ବିଭିନ୍ନ ମୌଳିକ ସମସ୍ୟା ସହ ଯୁଝି ହେଉଛନ୍ତି ଅଞ୍ଚଳବାସୀ। ବିଏମ୍‌ସି କିମ୍ବା ସାଧାରଣ ନିର୍ବାଚନ ଆସିଲେ, ଅଞ୍ଚଳରେ ନେତା ଘୂରି ବୁଲନ୍ତି। ଏଥରକ ସବୁ ସମସ୍ୟା ଦୂର କରିଦେବେ ବୋଲି ପ୍ରତିଶ୍ରୁତି ଅଜାଡ଼ି ପକାନ୍ତି। କିନ୍ତୁ ନିର୍ବାଚନ ସରିଲା ପରେ ଆଉ କାହାରି ଦେଖା ମିଳେନି। ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷର ନିଆଁ କୁହୁଳିବାରେ ଲାଗିଛି।
୫ ବର୍ଷ ହେଲା ସରୁନି ସ୍ୱରେଜ ଯନ୍ତ୍ରଣା
ଏଠାରେ ବିଭିନ୍ନ ଘରକୁ ସଂଯୋଗ କରୁଥିବା ପାଖାପାଖି ୨୦ କିମି ରାସ୍ତାରେ ଗତ ୫ବର୍ଷ ଧରି ସ୍ବେରେଜ୍ ବୋର୍ଡର ପାଇପ୍ ବିଛା କାମ ଚାଲିଛି। ତାହା ଆଜିଯାଏ ସରିବା ନାଁ ଧରୁନି। ସ୍ୱରେଜ କାମ ଅତି ଧୀର ଓ ମନ୍ଥର ଗତିରେ ହେଉଥିବାରୁ ଅଧିକାଂଶ ସମୟ ବିଭିନ୍ନ ରାସ୍ତା ବନ୍ଦ କିମ୍ବା ଖୋଳା ହୋଇ ବ୍ୟବହାର ଅନୁପଯୋଗୀ ହୋଇପଡ଼ୁଛି। ଫଳରେ ଯାତାୟାତ ପାଇଁ ସ୍ଥାନୀୟ ଅଧିବାସୀ ଅକଥନୀୟ ଯନ୍ତ୍ରଣା ଭୋଗୁଛନ୍ତି। ସେହିଭଳି ପାଇପ୍ ବିଛା ହେବା ପରେ ଅନେକ ସ୍ଥାନରେ ତାଳିପକା କାମ ହେବା ଯୋଗୁଁ ବର୍ଷା ଦିନେ ରାସ୍ତାରୁ ପାଣି ନିଷ୍କାସନ ହୋଇପାରୁନାହିଁ। ଫଳରେ ଅଧିକାଂଶ ରାସ୍ତା ଜଳବନ୍ଦୀ ହେବା ସହ ଲୋକଙ୍କ ଘରେ ମଧ୍ୟ ବର୍ଷାଜଳ ପଶୁଛି। ଏନେଇ ବାରମ୍ବାର ବିଭାଗୀୟ ଅଧିକାରୀଙ୍କ ଦ୍ୱାରସ୍ଥ ହେଲେ ମଧ୍ୟ କେବଳ ପ୍ରତିଶ୍ରୁତି ଛଡ଼ା କିଛି ସୁଫଳ ମିଳୁନି।
ବର୍ଷା ହେଲେ ଗୃହବନ୍ଦୀ
ବିଏମ୍‌ସି ପକ୍ଷରୁ ବର୍ଷାଜଳର ସୁପରିଚାଳନା ପାଇଁ ସତ୍ୟବିହାରର ବିଭିନ୍ନ ରାସ୍ତାରେ ଡ୍ରେନ୍ ନିର୍ମାଣ କାମ ଆରମ୍ଭ ହୋଇଥିଲା। ହେଲେ ହାତଗଣତି କିଛି ଗଳି ଭିତରେ ଡ୍ରେନ୍ କାମ ଶେଷ ହୋଇଥିବା ବେଳେ ଏବେ ବି ଅଧିକାଂଶ ସ୍ଥାନରେ ଅଧାପନ୍ତରିଆ ଭାବେ ଛାଡ଼ି ଦିଆଯାଇଛି। ଫଳରେ ଅସରାଏ ବର୍ଷା ହେଲେ ଲୋକେ ବିଏମ୍‌ସି ପମ୍ପକୁ ଚାହିଁ ବସନ୍ତି। ପମ୍ପ ଆସି ପାଣି ନିଷ୍କାସନ ନ କରିବା ଯାଏ ଘରୁ ବାହାରିବା ମୁସ୍କିଲ ହୋଇଯାଏ। ବର୍ଷା ସମୟରେ ରାସ୍ତାରେ ଏତେଜୋର୍‌ରେ ପାଣିର ସୁଅ ଛୁଟିଥାଏ ଯେ ସେ ସମୟରେ ଜରୁରୀକାଳୀନ ଆମ୍ବୁଲାନ୍ସଟିଏ ମଧ୍ୟ ଆସିପାରେ ନାହିଁ। ସେହିଭଳି ସମଗ୍ର ଅଞ୍ଚଳରେ ହାତଗଣତି କେତୋଟି ଷ୍ଟ୍ରିଟ୍-ଲାଇଟ୍‌ ଲାଗିଛି। ତାହା ସମୁଦ୍ରକୁ ଶଙ୍ଖେ ସଦୃଶ। ଅଧିକାଂଶ ଗଳିରେ ଷ୍ଟ୍ରିଟ୍-ଲାଇଟ୍ ନଥିବା ହେତୁ ଅସାମାଜିକ ତତ୍ତ୍ୱମାନେ ଅନ୍ଧାର ରାସ୍ତାରେ ଆଡ଼ା ଜମାଉଛନ୍ତି। ଏନେଇ ଥାନାକୁ ଯୋଗଯୋଗ କଲେ ବି କୌଣସି ପଦକ୍ଷେପ ନିଆଯାଉନାହିଁ।
ଦୁଃଖ ଦେଉଛି ଅଣ୍ଡରପାସ୍
ଅଞ୍ଚଳରୁ ବାହାରକୁ ବାହାରିବା ପାଇଁ ଏକମାତ୍ର ରାସ୍ତା ହେଉଛି ୧୬ନମ୍ବର ଜାତୀୟ ରାଜପଥ। ସପ୍ତସତୀ ମନ୍ଦିର ନିକଟରେ ଲୋକମାନେ ଜାତୀୟ ରାଜପଥକୁ ବାହାରି ସହରକୁ ଯାଇଥାନ୍ତି। ହେଲେ ସେଠାରେ ବହୁ ବର୍ଷ ପର୍ଯ୍ୟନ୍ତ ଅଣ୍ଡରପାସ୍ ନଥିଲା। ଫଳରେ ଲୋକମାନଙ୍କୁ ପ୍ରାୟ ୩ କି.ମି ବୁଲିବାକୁ ପଡ଼ୁଥିଲା। ହେଲେ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ (ଏନ୍ଏଚ୍ଏଆଇ)ଙ୍କ ନିକଟରେ ବାରମ୍ବାର ଅଭିଯୋଗ କରିବା ପରେ ସେ ଏକ ଅଣ୍ଡରପାସ୍ ନିର୍ମାଣ କରିଛନ୍ତି। ହେଲେ ବର୍ଷା ଦିନେ ସେଥିରେ ପ୍ରାୟ ୪ଫୁଟ୍‌ର ପାଣି ୭-୮ଦିନ ପର୍ଯ୍ୟନ୍ତ ଜମି ରହୁଛି। ଫଳରେ ଲୋକମାନେ ଯାତାୟାତ କରିବା ସମ୍ଭବ ହେଉନି।

Share Now:

Kalinga News Beuro

Next Post

‘ବିଏମସି କଲାନାହିଁ ଆଲୋଚନା : ଅନିର୍ଦ୍ଦିଷ୍ଟ କାଳ ବନ୍ଦ ରହିବ ମାର୍କେଟ ବିଲଡିଙ୍ଗ’

Mon Jul 17 , 2023
ଭୁବନେଶ୍ୱର: ମାର୍କେଟ ଆସୋସିଏସନ ସହ ବିଏମସି କୌଣସି ଆଲୋଚନା କଲା ନାହିଁ। ଆଉ ଏହାର ପ୍ରତିବାଦରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମାର୍କେଟ ବିଲଡିଙ୍ଗ ବନ୍ଦ ରହିବ। ସେଣ୍ଟ୍ରାଲ ମାର୍କେଟ ଆସୋସିଏସନ ସଭାପତି ପ୍ରଦ୍ୟୁମ୍ନ କୁମାର ଜେନା ଏହି ସୂଚନା ଦେଇଛନ୍ତି। ମାର୍କେଟ୍‌ ବିଲ୍ଡିଂରେ ଚାଲିଥିବା ସ୍ଥାୟୀ-ଅସ୍ଥାୟୀ ବ୍ୟବସାୟୀ ବିବାଦକୁ ବିଏମ୍‌ସି ସମାଧାନ କରିପାରିନଥିବାରୁ ଓ ପ୍ରତିଶ୍ରୁତି ମୁତାବକ ଉଠାଦୋକାନୀଙ୍କୁ ସେଠାରୁ ଉଠାଇ ପାରିନଥିବାରୁ ଆଜିଠାରୁ ମାର୍କେଟ୍‌ ବିଲ୍ଡିଂ ସମ୍ପୂର୍ଣ୍ଣ ବନ୍ଦ […]
ଅନିର୍ଦ୍ଦିଷ୍ଟ କାଳ ବନ୍ଦ ରହିବ ମାର୍କେଟ ବିଲଡିଙ୍ଗ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial